Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅଜବ

ମୁଖ୍ୟ ଖବର

    ମାଲିକଙ୍କୁ ବଞ୍ଚାଇଲା ପୋଷା କୁକୁର, କେମିତି ?

    Share on :
    ajab-Image
    Date: Nov 12, 2019    Views: 450

    ଭୁବନେଶ୍ୱର : ମାଲିକଙ୍କ ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଲା । ବିଷଧର ସାପ ସହ ଅଧଘଣ୍ଟା ଲଢେ଼ଇ କଲା । ଶେଷରେ ହାର ମାନି ଫେରି ଯାଉଥିବା ସାପକୁ ଦୁଇ ଖଣ୍ଡ କରି ଛିଣ୍ଡାଇ ଦେଲା । ମୁହଁ ଖୋଲି କେତେ ବିଶ୍ୱସ୍ତ କହିପାରିନଥିଲେ ବି କାମରେ ତାହା କରି ଦେଖାଇଲା । ଜୟପୁର ପାୱାର ହାଉସ କଲୋନିର ଏହି ପୋଷା କୁକୁର (ଡାକ ନାମ ଡଗି) ଏବେ ଚର୍ଚ୍ଚାରେ । ଆଦର ଓ ଯତ୍ନ ବଦଳରେ ମାଲିକଙ୍କ ପରିବାରର ୬ ଜଣଙ୍କୁ ମୃତୁ୍ୟ ମୁଖରୁ ପଡ଼ିବାକୁ ନଦେଇ ନୂଆ ଉଦାହରଣ ସୃଷ୍ଟି କରିଛି ଡଗି ।

    ଗତକାଲି ଅପରାହ୍ନ ପ୍ରାୟ ୩ଟାରେ ସ୍ଥାନୀୟ ଶଙ୍କର ପ୍ରସାଦ ତି୍ରପାଠୀଙ୍କ ଘର ଭିତରକୁ ଗୋଟିଏ ବିରାଟକାୟ ନାଗ ସାପ ପଶି ଆସୁଥିଲା । ଘର ବାହାରେ ବନ୍ଧା ହୋଇଥିବା ଡଗି ନଜର ପଡ଼ିବା ପରେ ବାରମ୍ବାର ଭୁକିଥିଲା । ସାପ ଯେମିତି ଘର ଭିତରକୁ ନ ପଶିବ ସେଥିପାଇଁ ପୂରା ଜୋର ଲଗାଇ ଦେଲା । ଅନ୍ୟପଟେ କୁକୁରଟିର ଉଗ୍ର ରୂପ ଦେଖି ସାପଟି ମଧ୍ୟ ଫଣା ଟେକି ରହିଥିଲା । ବାରମ୍ବାର ଚୋଟ ପକାଇବାକୁ ପ୍ରୟାସ କରିଥିଲା ।  ବନ୍ଧା ହେବା ସତ୍ତ୍ୱେ ପ୍ରତ୍ୟେକ ପ୍ରୟାସକୁ ବିଫଳ କରି ଦେଇଥିଲା ଡଗି । ପ୍ରାୟ ୩୦ ମିନିଟ ଧରି ନାଗ ସହ ସମ୍ମୁଖ ଲଢେ଼ଇ ହୋଇଥିଲା । ଏହି ବିଶ୍ୱସ୍ତ ଜୀବ ସାମ୍ନାରେ ଶେଷରେ ସାପକୁ ହିଁ ହାର ମାନିବାକୁ ପଡ଼ିଥିଲା । ଘରୁ ଚାଲିଯିବାକୁ ଉଦ୍ୟମ କରୁଥିବା ବେଳେ ପଛପଟ ଧରି ଦୁଇ ଗଡ଼ କରିଦେଇଥିଲା ଡଗି । ସାପଟିର ମୁଣ୍ଡରୁ ଅଧା ଅଂଶ ଘର ବାହାରକୁ ଚାଲିଯାଇଥିବା ବେଳେ ଆଉ ଅଧା ଅଂଶ ଘରେ ରହିଥିଲା । ଦୁଇ ଖଣ୍ଡ ହୋଇଯିବା ପରେ ସାପ କିଛି ସମୟ ଛଟପଟ ହୋଇ ସେଠାରେ ହିଁ ମରିଯାଇଥିଲା । 

    ଯଦି ଡଗି ନଥାନ୍ତା ତେବେ ସାପ ନିଶ୍ଚିତ ରୂପେ ଘରେ ପଶି କିଛି ଅଘଟଣ ଘଟାଇଥାନ୍ତା ବୋଲି ମାଲିକ ଶଙ୍କର ପ୍ରସାଦ ତି୍ରପାଠୀ କହିଛନ୍ତି । ପାଳିପୋଷି ବଡ଼ କରିବାର ପ୍ରତିବଦଳରେ ନିଜ ଜୀବନକୁ ବାଜି ଲଗାଇଥିବାରୁ ଶଙ୍କରକୁ ଭାବ ବିହ୍ୱଳ କରି ଦେଇଛି । ଜୟପୁର ସହରରେ ଆଜି ଏହି ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ପୋଷା କୁକୁରର ସାହସିକ କାର୍ଯ୍ୟକୁ ସମସ୍ତେ ସାବାସି ଦେଉଛନ୍ତି । ଏପରିକି ଡଗି ଓ ନାଗସାପର ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି ।

    Maximum 500 characters

    ଅଜବ View all

    Find Us on Facebook