ମୁଖ୍ୟ ଖବର
ଭୁବନେଶ୍ୱର: ଦୀର୍ଘ ଦିନ ଧରି ବନ୍ଦ ଥିବା ବରିଷ୍ଠ ରାଜନେତା ଡ.ଦାମୋଦର ରାଉତଙ୍କ ତୁଣ୍ଡ ଫିଟିଛି । ଦୀର୍ଘ ଦିନ ଧରି ଗଣମାଧ୍ୟମରୁ ଦୂରେଇ ରହିଥିବା ଶ୍ରୀ ରାଉତ ରବିବାର ରଥଯାତ୍ରା ପ୍ରସଙ୍ଗରେ ବିବୃତି ଦେଇଛନ୍ତି । ଗତ କିଛି ମାସ ଧରି ରାଜ୍ୟ ରାଜନୀତିରେ ବହୁ କିଛି ଘଟିଯାଇଥିଲେ ମଧ୍ୟ କୌଣସି ପ୍ରସଙ୍ଗରେ ସେ ମୁହଁ ଖୋଲୁନଥିଲେ । ତେବେ ରଥଯାତ୍ରା ବନ୍ଦ ପ୍ରସଙ୍ଗରେ ସେ ମୁହଁ ଖୋଲିଛନ୍ତି ।
ସେ କହିଛନ୍ତି ଯେ, ରଥଯାତ୍ରା ଏକ ପରମ୍ପରା ନୁହେଁ, ବିଧି ବନ୍ଦ ହୋଇପାରେନା । ମହାପ୍ରଭୁଙ୍କ ସେବାପୂଜା ଶଙ୍କରାଚାର୍ଯ୍ୟ ଓ ଗଜପତି ମହାରାଜାଙ୍କର । ସେଠି ପ୍ରଶାସନ କିମ୍ବା ସରକାର କିଛି କରିପାରିବେ ନାହିଁ । ସେମାନଙ୍କର ଯାହା ଆବଶ୍ୟକ ସରକାର ଯୋଗାଇ ଦେବା କଥା । ସରକାର ଗଜପତି ଓ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନେବା କଥା । କିନ୍ତୁ ନେଲେନାହିଁ । ରଥ ବନ୍ଦ ନହେଉ । ସଂକ୍ଷିପ୍ତ ହେଉ ପଛେ ବିଧି ରକ୍ଷାହେଉ ବୋଲି ଡ.ଦାମୋଦର ରାଉତ କହିଛନ୍ତି ।
ପ୍ରକାଶ ଯେ, ପୁରୀ କ’ଣ ସାରା ଓଡ଼ିଶାରେ ରଥଯାତ୍ରା ବନ୍ଦ ପାଇଁ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ତେବେ ସୁପ୍ରିମକୋର୍ଟଙ୍କ ରାୟକୁ ସହଜରେ ଗ୍ରହଣ କରିପାରିନାହାନ୍ତି ଜଗନ୍ନାଥ ପ୍ରେମୀ । ରଥଯାତ୍ରା କରିବା ପାଇଁ ବିଭିନ୍ନ ମହଲରେ ଦାବି ହୋଇଆସୁଥିବାବେଳେ ସୁପ୍ରିମକୋର୍ଟରେ ବହୁ ମଡିଫିକେସନ ପିଟିସନ ଦାୟର କରାଯାଇଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଚଳିତ ବର୍ଷ ପୁରୀ ରଥଯାତ୍ରା ନେଇ ସୁପ୍ରିମକୋର୍ଟ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ଏ ବର୍ଷ ପାଇଁ ରଥଯାତ୍ରାକୁ ସୁପ୍ରିମକୋର୍ଟ ବନ୍ଦ କରିଛନ୍ତି । ଏ ବର୍ଷ ରଥଯାତ୍ରା ହୋଇପାରିବ ନାହିଁ ବୋଲି ସୁପ୍ରମିକୋର୍ଟ କହିଛନ୍ତି । ଲୋକଙ୍କ ସୁରକ୍ଷା ଓ ଜନସ୍ୱାର୍ଥ ପାଇଁ ପାଇଁ ରଥଯାତ୍ରାକୁ ବନ୍ଦ ରଖାଯାଇଥିବା ସୁପ୍ରମିକୋର୍ଟ କହିଛନ୍ତି । କେବଳ ପୁରୀ ନୁହେଁ ଓଡ଼ିଶାର କେଉଁ ସ୍ଥାନରେ ବି ରଥଯାତ୍ରା ହୋଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।
Comments ସମସ୍ତ ମତାମତ