ମୁଖ୍ୟ ଖବର
ଜଗତସିଂହପୁର: ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତଙ୍କୁ ନେଇ ପୁଣି ହଲଚଲ ହୋଇଛି ଜଗତସିଂହପୁର ରାଜନୀତି । ପାରାଦୀପ ବିଜୁ ମେମୋରିଆଲ ଟ୍ରଷ୍ଟ ବୈଠକରେ ଡାକ୍ତର ରାଉତଙ୍କୁ ଦେଖିବାକୁ ମିଳିଛି । ଏହି ବୈଠକରେ ପାରାଦୀପ ନଗର ବିଜେଡିର ସମସ୍ତ ତୁଙ୍ଗ ନେତା ଓ ଛାମୁଆ କର୍ମୀ ଉପସ୍ଥିତ ରହିବା ଘଟଣା ଚର୍ଚ୍ଚାର ଖୋରାକ ଯୋଗାଇଛି । ବିଜେଡିରୁ ବିଦା ହେବା ପରେ ଯେଉଁ ନେତାମାନଙ୍କ ପାଇଁ ଦାମ ଅଛୁଅାଁ ହୋଇପଡ଼ିଥିଲେ, ଆଜି ସେମାନେ ସମସ୍ତେ ଟ୍ରଷ୍ଟ ବୈଠକରେ ଏକାଠି ହୋଇଥିଲେ । ଗୋଟିଏ ପଟେ ଏଭଳି ଘଟଣା ଘଟିଥିବା ବେଳେ ଅନ୍ୟପଟେ ପୌରପାଳିକା ବିରୋଧରେ ୱାର୍ଡ-୧୫ର ପୂର୍ବତନ ପାରିଷଦ ମାନସ ବିଶ୍ୱାଳଙ୍କ ନେତୃତ୍ୱରେ ଶତାଧିକ ବସ୍ତିବାସିନ୍ଦା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣାରେ ବସି ରହିଥିଲେ । ବାତ୍ୟା ଯୋଗୁଁ ସେମାନଙ୍କୁ ଥଇଥାନ କରାଯାଇଥିଲେ ମଧ୍ୟ ଖାଇବାକୁ ଦିଆଯାଇନଥିବା ସେମାନେ ଅଭିଯୋଗ କରିଥିଲେ ।
ପାରାଦୀପ ବିଧାୟକ ତଥା ଦାମଙ୍କ ପୁଅ ସମ୍ବିତ ରାଉତରାୟଙ୍କୁ ଲକଡାଉନ ସମୟରେ ପାରାଦୀପରେ ଦେଖିବାକୁ ମିଳିଥିଲା । ମାତ୍ର ଦୁଇ ଦିନ ତଳେ ସମ୍ବିତ ରକ୍ତଦାନ ଶିବିରରେ ଯୋଗ ଦେବା ସହ ଷଣ୍ଢକୁଦ ଅଞ୍ଚଳ ବୁଲି ଦେଖିଥିଲେ । ବାତ୍ୟାର ଠିକ୍ ଗୋଟିଏ ଦିନ ପରେ ଦାମଙ୍କୁ ପାରାଦୀପରେ ଦେଖିବାକୁ ମିଳିଥିଲା । ଅପରାହ୍ନରେ ବିଜେଡିର କିଛି ଛାମୁଆ ନେତାଙ୍କୁ ଏ ସଂକ୍ରାନ୍ତରେ ଖବର ଦିଆଯାଇଥିଲା । ଖବର ପାଇଁ ସମସ୍ତେ ଟ୍ରଷ୍ଟରେ ପହଞ୍ଚିଥିଲେ । ପୂର୍ବରୁ ଦାମଙ୍କୁ ଦେଖି ଲୁଚୁଥିବା ଏହି ନେତାମାନଙ୍କ ସହ ସେ ଭଲ ଭାବରେ କଥା ହୋଇଥିଲେ । ପୂର୍ବ କଥା ଗୁଡ଼ିକର ଆଲୋଚନା ନ କରି ସେ ସିଧାସଳଖ କରୋନା ଓ ବାତ୍ୟାର ମୁକାବିଲା ସଂକ୍ରାନ୍ତରେ ଭଲ ପଦକ୍ଷେପ ନେଇଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ । ଏହା ସହ ରାଜ୍ୟ ସରକାରଙ୍କୁ ମଧ୍ୟ ସେ ପ୍ରଶଂସା କରିଥିଲେ । ସବୁ କ୍ଷେତ୍ରରେ ରାଜ୍ୟ ସରକାର ଆଗୁଆ ପଦକ୍ଷେପ ନେଇଥିବାରୁ କୌଣସି ପ୍ରକାର କ୍ଷତି ହୋଇନାହିଁ ବୋଲି ଦାମ କହିଛନ୍ତି । ଅନ୍ୟ ପଟେ ପାନ ଚାଷୀମାନଙ୍କୁ ତୁରନ୍ତ ସହାୟତା ଯୋଗାଇ ଦେବା ପାଇଁ ସେ ଦାବି କରିଛନ୍ତି । ଦାମଙ୍କ ଏଭଳି ପରିବର୍ତ୍ତିତ ରୂପ ଏବଂ ତାଙ୍କ ସହ ବିଜେଡି ନେତା ଏକାଠି ହେବା ଘଟଣା ରାଜନୀତିରେ ଚର୍ଚ୍ଚାର ପ୍ରସଙ୍ଗ ହୋଇଥିବା ବେଳେ ଅନ୍ୟପଟେ ବିଜେଡି ନେତା ପୌରପାଳିକା ବିରୋଧରେ ଯିବା ଘଟଣା ଅନେକଙ୍କୁ ଚକିତ କରିଛି ।
ୱାର୍ଡ-୧୫ ର ପୂର୍ବତନ ପାରିଷଦ ଶ୍ରୀ ବିଶ୍ୱାଳଙ୍କ ନେତୃତ୍ୱରେ ସର୍ବାଧିକ ବସ୍ତିବାସିନ୍ଦା ପୌରପାଳିକା ବିରୋଧରେ ଧାରଣା ଦେଇଥିଲେ । ପାରିଷଦ ଶ୍ରୀ ବିଶ୍ୱାଳ ବିଜେଡି ସହ ଥିବା ବେଳେ ଗତ ମାସରେ ହିଁ ପୌରପାଳିକାର କାର୍ଯ୍ୟକାଳ ଶେଷ ହୋଇଛି । ବର୍ତ୍ତମାନ ବିଜେଡି ପାରିଷଦ ଦୁଇ ଗୋଷ୍ଠୀ ହୋଇଥିବା ବେଳେ ଏଭଳି ଧାରଣା ପାରାଦୀପ ରାଜନୀତିକୁ ଚଳଚଞ୍ଚଳ କରିଛି । ଶ୍ରୀ ବିଶ୍ୱାଳ ସିଧାସଳଖ ଏଥିପାଇଁ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଦିଲ୍ଲୀପ କୁମାର ମହାନ୍ତିଙ୍କୁ ଅବଶ୍ୟ ଟାର୍ଗେଟ କରିଛନ୍ତି । କିନ୍ତୁ ଗଲା ପାଞ୍ଚ ବର୍ଷ ମଧ୍ୟରେ କେବେ ବି ଶ୍ରୀ ବିଶ୍ୱାଳ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ବିରୋଧରେ ମୁହଁ ଖୋଲି ନଥିଲେ । କିନ୍ତୁ କାର୍ଯ୍ୟକାଳ ଶେଷ ହେବା ପରେ ହଠାତ୍ ପୌରପାଳିକା ଠିକ୍ ଭାବେ କାର୍ଯ୍ୟ କରୁ ନାହିଁ ବୋଲି ସେ ଅଭିଯୋଗ ଆଣିଛନ୍ତି । ଅବଶ୍ୟ ପୂର୍ବତନ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ ଏ ସମସ୍ତ ଘଟଣାଠାରୁ ଦୂରେଇ ରହିଛନ୍ତି ।
Comments ସମସ୍ତ ମତାମତ