ମୁଖ୍ୟ ଖବର
କଟକର ଚାନ୍ଦିନୀ ଚୌକ ଓ ଆଲିଶା ବଜାରରେ ଦଶହରା ବେଳେ ପ୍ରସିଦ୍ଧ ମାଛ ଘାଣ୍ଟ ଭୋଗ ହୋଇଥାଏ । ଦଶମୀ ଦିନ ଦହିପଖାଳ ଭୋଗ ହେଉଥିବାବେଳେ ନବମୀ ଦିନ ମାଛ ଭୋଗ କରାଯାଇଥାଏ । ମା’ଙ୍କ କାନିକା ଓ ମାଛ ଘାଂଟ ଭୋଗ ଖାଇବା ପାଇଁ ସେଠାରେ ବେଶ ଭିଡ଼ ବି ଜମିଥାଏ । ମା’ ଙ୍କ ପାଖରେ ରୋହି ଓ ଭାକୁର ଭୋଗ ଲାଗି କରାଯାଇଥାଏ । ସାଧାରଣତଃ ଏହି ସବୁ ମାଛ ମା’ଙ୍କୁ ଦାନରେ ମିଳିଥାଏ । ପ୍ରତିବର୍ଷ ଚାନ୍ଦିନୀ ଚୌକ ପୂଜା କମିଟି ୭ ହଜାର ଲୋକଙ୍କୁ ମାଛ ଘାଂଟ ଭୋଗ ଦେଇଥା’ନ୍ତି । ଏଥିପାଇଁ ପ୍ରାୟ ୬ କୁଇଟାଂଲ ମାଛ ଆବଶ୍ୟକ ପଡ଼ିଥାଏ । ଅପରପକ୍ଷରେ ଆଲିଶା ବଜାର ପୂଜା କମିଟି ପକ୍ଷରୁ ପ୍ରତିବର୍ଷ ୪ ହଜାର ଲୋକଙ୍କ ପାଇଁ ମାଛ ଭୋଗ ପ୍ରସ୍ତୁତ କରାଯାଉଥିବାବେଳେ ଏଥିପାଇଁ ପ୍ରାୟ ସାଢେ଼ ୩ କୁଇଂଟାଲ ମାଛ ଦରକାର ହୋଇଥାଏ ।
ନବମୀ ଦିନ ଚଣ୍ଡୀ ପାଠ ପରେ ଏହି ଭୋଗ ମା’ଙ୍କୁ ଅର୍ପଣ କରାଯାଇଥାଏ । ମା’ଙ୍କୁ ଅର୍ପଣ କରିବା ପରେ ଶ୍ରଦ୍ଧାଳୁଙ୍କୁ ବିତରଣ କରାଯାଇଥାଏ । ଏକଦା ନରାଜର ମତ୍ସ୍ୟଜୀବୀମାନେ ପୂଜା କମିଟିକୁ ସମସ୍ତ ମାଛ ଯୋଗାଣ କରୁଥିଲେ । ଅଷ୍ଟମୀ ତିଥିରେ ସେମାନେ ନିଜର ଡଙ୍ଗା ପୂଜା କରିବା ପରେ ମାଛ ଅର୍ପଣ କରୁଥିଲେ । କିନ୍ତୁ ଏବେ ନରାଜର ମତ୍ସ୍ୟଜୀବୀମାନେ ପ୍ରତିବର୍ଷ ୨୫ କେଜି ମାଛ ଦେଉଛନ୍ତି । ଯେତେବେଳେ ଅବଶିଷ୍ଟ ମାଛ ଖପୁରିଆ ମାଛ ବଜାରରୁ ଆସିଥାଏ । ଏହି ମାଛ ଭୋଗ ବହୁ ନିଷ୍ଠା ଆଧାରରେ କରାଯାଇଥାଏ । ବ୍ରାହ୍ମଣମାନେ ଗାଧୋଇ ପାଧୋଇ ଧୂଆ ଲୁଗା ପିନ୍ଧି ନିଷ୍ଠାର ସହ ଭୋଗ ପ୍ରସ୍ତୁତ କରିଥା’ନ୍ତି ।
Comments ସମସ୍ତ ମତାମତ