Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଜୁଲାଇ ରଣନୀତି ପାଇଁ ଜିଲ୍ଲାପାଳ, ଏସ୍‌.ପିଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

    Share on :
    ajab-Image
    Date: Jun 29, 2020    Views: 3507

    ସବୁ ସରକାରୀ କାର୍ଯ୍ୟାଳୟକୁ ଶୂନ୍ୟ ସଂକ୍ରମଣ ଅଞ୍ଚଳ, କୋଭିଡ ଯୋଦ୍ଧାଙ୍କ ଯତ୍ନ ଏବଂ ମାସ୍କ ବ୍ୟବହାର କଡାକଡି ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବାରୋପ ତା.29.6.20 ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଜୁଲାଇ ମାସର କୋଭିଡ ରଣନୀତି ସଂପର୍କରେ ବରିଷ୍ଠ ଅଫିସର, ଜିଲ୍ଲାପାଳ ଓ ଏସ୍‌.ପି ମାନଙ୍କ ସହିତ ଆଲୋଚନା କରିଛନ୍ତି। କୋଭିଡ ପରିଚାଳନାରେ ଜିଲ୍ଲାପାଳ ଓ ଏସ୍‌.ପି ମାନେ ସେମାନଙ୍କର ଗତ ତିନି ମାସର ଅଭିଜ୍ଞତା ବର୍ଣ୍ଣନା କରିବା ସହିତ ଜୁଲାଇ ମାସରେ କୋଭିଡ ମୁକାବିଲା ପାଇଁ ସେମାନଙ୍କର ସୁଚିନ୍ତିତ ମତାମତ ଦେଇଛନ୍ତି। ସେମାନଙ୍କ ମତାମତ ଭିତ୍ତିରେ ରାଜ୍ୟ ସରକାର କୋଭିଡ ପରିଚାଳନା ପାଇଁ ବିସ୍ତୃତ ରଣନୀତି ନିର୍ଦ୍ଧାରଣ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ବୈଠକରେ ଜିଲ୍ଲାପାଳ, ଏସ୍‌.ପି ଓ ବରିଷ୍ଠ ଅଧିକାରୀମାନଙ୍କୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କୋଭିଡ ଯୋଦ୍ଧାଙ୍କ ସ୍ବାସ୍ଥ୍ୟର ଯତ୍ନ ଉପରେ ଗୁରୁତ୍ବାରୋପ କରିଥିଲେ । ଲୋକଙ୍କ ସୁରକ୍ଷା ପାଇଁ ସେମାନେ ଅନେକ ତ୍ୟାଗ କରୁଛନ୍ତି। ତେଣୁ ସେମାନଙ୍କୁ ନିଜର ସୁରକ୍ଷା ସଂପର୍କରେ ସଚେତନ କରାଯିବା ଦରକାର ଓ ଏହା ବହୁତ ଗୁରୁତ୍ବପୂର୍ଣ୍ଣ ବୋଲି ସେ କହିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସେ ନିଜେ ସଂକ୍ରମିତ କୋଭିଡ ଯୋଦ୍ଧା ମାନଙ୍କ ସହିତ ଫୋନ୍‌ରେ କଥା ହୋଇ ସେମାନଙ୍କ ଭଲମନ୍ଦ ବୁଝୁଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ସେମାନଙ୍କର feedback ବହୁତ ଭଲ ଅଛି। ବରିଷ୍ଠ ଅଧିକାରୀମାନେ ମଧ୍ୟ ସେହିଭଳି ଭାବେ ସଂକ୍ରମିତ କୋଭିଡ ଯୋଦ୍ଧାଙ୍କ ସହିତ ଆଲୋଚନା କରିବା ପାଇଁ ସେ ପରାମର୍ଶ ଦେଇଥିଲେ। ଏହାଦ୍ବାରା ଯୋଦ୍ଧା ମାନଙ୍କ ମନୋବଳ ବୃଦ୍ଧି ପାଇବ ବୋଲି ସେ ମତ ଦେଇଥିଲେ । ବିଭିନ୍ନ ସରକାରୀ ଅଫିସ ଗୁଡିକ ଯେପରି ସଂକ୍ରମଣମୁକ୍ତ ରହିବ, ତା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଆରୋପ କରିଥିଲେ । କୋଭିଡ ନିୟମର କଡାକଡି ଅନୁପାଳନ କରି ସରକାରୀ କାର୍ଯ୍ୟାଳୟ ଗୁଡିକୁ ଶୂନ୍ୟ ସଂକ୍ରମଣ ଅଞ୍ଚଳ (Zero Infection Zone) କରି ରଖିବା, କର୍ମଚାରୀ ମାନେ କଣ କରିବେ, କଣ ନ କରିବେ (Do’s & Dont’s) ସେ ସଂପର୍କରେ ବ୍ୟାପକ ସଚେତନ କରିବାକୁ ସେ ପରାମର୍ଶ ଦେଇଥିଲେ। ସବୁ କାର୍ଯ୍ୟାଳୟର ମୁଖ୍ୟ (Head of Office) ଏଥିପାଇଁ ଦାୟୀ ରହିବେ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରି ଦେଇଛନ୍ତି। କୋଭିଡ ସଂକ୍ରମଣ ରୋକିବାରେ ମାସ୍କର ବିଶେଷ ଗୁରୁତ୍ବ ରହିଛି। ତେଣୁ ମାସ୍କର ଉପଯୁକ୍ତ ବ୍ୟବହାର ଓ ସାମାଜିକ ଦୂରତା ନିୟମର କଡାକଡି ପାଳନ ସହିତ ଉଲଙ୍ଘନ କ୍ଷେତ୍ରରେ କଡା କାର୍ଯ୍ୟାନୁଷ୍ଠାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ପୋଲିସ ଓ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହା ମଧ୍ୟରେ ପ୍ରାୟ ତିନି ମାସ ବିତିଗଲାଣି ଏବଂ ବର୍ତ୍ତମାନ ଏସବୁ ଉଲଙ୍ଘନ ଘଟଣାରେ ଅଧିକ କଠୋର ହେବାକୁ ପଡିବ। ଗାଁ କଲ୍ୟାଣ ସମିତି ସ୍ତରରେ କୋଭିଡ କେୟାର କମିଟି ଗଠନ କରିବା, ସେମାନଙ୍କୁ ପାଣ୍ଠି ଓ କ୍ଷମତା ପ୍ରଦାନ କରିବା, ସେମାନଙ୍କ ପ୍ରଶିକ୍ଷଣ ସହିତ ସେମାନଙ୍କର କାର୍ଯ୍ୟକ୍ରମକୁ ମନିଟରିଂ କରିବା ପାଇଁ ଏକ ବିଧିବଦ୍ଧ ବ୍ୟବସ୍ଥା ସୃଷ୍ଟି, ପ୍ରତି ପଞ୍ଚାୟତରେ କୋଭିଡ କେୟାର ହୋମ୍‌ ସ୍ଥାପନ ଏବଂ କେତେକ ପଞ୍ଚାୟତକୁ ନେଇ TMC ଗଠନ, ସେମାନଙ୍କୁ ପାଣ୍ଠି ଯୋଗାଣ ଓ ସେବା ପ୍ରଦାନ ବ୍ୟବସ୍ଥା ଆଦି ବିଭିନ୍ନ ବିଷୟ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଆରୋପ କରିଥିଲେ। ସୂଚନାଯୋଗ୍ୟ ଯେ ୱାର୍ଡ ସ୍ତରରେ କୋଭିଡ କୋର୍‌ କମିଟିର ୪.୭ ଲକ୍ଷ ସଦସ୍ୟଙ୍କୁ ତାଲିମ ଦେବାର ବ୍ୟବସ୍ଥା କରାଯାଇଛି। ଘରୋଇ ହସ୍‌ପିଟାଲ ଗୁଡିକୁ ସଚେତନ କରିବା ଉପରେ ଗୁରୁତ୍ବ ଆରୋପ କରି ସେଗୁଡିକ ଠିକ୍‌ ଭାବରେ କୋଭିଡ ନିର୍ଦ୍ଦେଶାବଳୀ ପାଳନ କରୁଛନ୍ତି ନା ନାହିଁ, ସେ ସଂପର୍କରେ ବାରମ୍ବାର ଯାଂଚ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ହଟ୍‌ସ୍ପଟ୍‌ ଅଞ୍ଚଳ ଗୁଡିକରେ ଜିଲ୍ଲାପାଳମାନେ ଆବଶ୍ୟକତା ଅନୁଯାୟୀ ସ୍ବତନ୍ତ୍ର ରଣନୀତି କରିବା ସହିତ କୋଭିଡ ଯୁଦ୍ଧରେ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ସକ୍ରିୟ ଭାବରେ ଅଂଶଗ୍ରହଣ କରିବାକୁ ସେ ପରାମର୍ଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନ ସୁଦ୍ଧା ଆମେ କୋଭିଡ ଯୁଦ୍ଧରେ ଆମେ ବହୁତ ଭଲ ପ୍ରଦର୍ଶନ କରୁଛୁ ଏବଂ ଆଗାମୀ ଦିନରେ ଏହା ଜାରି ରହିବ ବୋଲି ସେ କହିଥିଲେ । ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ପୋଲିସ ମହାନିର୍ଦ୍ଦେଶକ, ଉନ୍ନୟନ କମିଶନର, ମୁଖ୍ୟମନ୍ତ୍ରୀ ସଚିବ (୫-ଟି), ବରିଷ୍ଠ ଅଧିକାରୀ ଓ ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ଏସ୍‌.ପି ମାନେ ଯୋଗ ଦେଇଥିଲେ।

    Maximum 500 characters

    ତାଜା ଖବର View all

    Find Us on Facebook