Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଜାଣନ୍ତୁ କରୋନା କଟକଣା ସମ୍ପର୍କିତ ସବିଶେଷ ତଥ୍ୟ

    Share on :
    ajab-Image
    Date: Dec 1, 2020    Views: 3051

    ଜାରି ହେଲା ଡିସେମ୍ବର ଗାଇଡଲାଇନ
    କଂଟେନମେଂଟ ଜୋନରେ କଡ଼ା କଟକଣା
    ଆନ୍ତର୍ଜାତୀୟ ବିମାନ ଚଳାଚଳ ବନ୍ଦ
    ବଡ଼ ଧରଣର ସାମାଜିକ, ଧାର୍ମିକ, ରାଜନୈତିକ କାର୍ଯ୍ୟକ୍ରମକୁ ମିଳିବନି ଅନୁମତି
    ବିଟୁବି ପ୍ରଦର୍ଶନୀକୁ ଅନୁମତି, ବିଟୁସି ପ୍ରଦର୍ଶନୀ ଉପରେ କଟକଣା
    ବିବାହରେ ସର୍ବାଧିକ ୨୦୦, ଅନ୍ତ୍ୟେଷ୍ଟିରେ ୫୦ ଜଣଙ୍କୁ ଅନୁମତି
    ସ୍କୁଲ ଓ କଲେଜ ଖୋଲିବା ନେଇ ବିଭାଗକୁ କ୍ଷମତା
    ସ୍ଥାନୀୟ ସ୍ଥିତିକୁ ଦେଖି ଖୋଲିପାରେ ମନ୍ଦିର
    ସିନେମା ହଲ, ସୁଇମିଂ ପୁଲ, ଥିଏଟର, ଅଡ଼ିଟୋରିୟମ ବନ୍ଦ

    ଭୁବନେଶ୍ୱର : ବଡ଼ ଧରଣର ସାମାଜିକ, ଧାର୍ମିକ, ରାଜନୈତିକ କାର୍ଯ୍ୟକ୍ରମକୁ ଅନୁମତି ମିଳିବ ନାହିଁ  । ସ୍କୁଲ, କଲେଜ ଆଦି ଖୋଲିବା ନେଇ ବିଭାଗ ହିଁ ନିଷ୍ପତି ନେବେ  । ମନ୍ଦିର ଖୋଲିବା ଦାୟିତ୍ୱ ମଧ୍ୟ ସ୍ଥାନୀୟ କର୍ତୃପକ୍ଷଙ୍କ ହାତରେ ନ୍ୟସ୍ତ କରାଯାଇଛି  । ପୂର୍ବଭଳି ସିନେମା ହଲ, ଥିଏଟର ମଧ୍ୟ ବନ୍ଦ ରହିବ  । ବିବାହରେ ସର୍ବାଧିକ ୨୦୦ ଓ ଅନ୍ତ୍ୟେଷ୍ଟିରେ ସର୍ବାଧିକ ୫୦ ଜଣ ଉପସ୍ଥିତ ରହିପାରିବେ । ଡିସେମ୍ବର ମାସ ପାଇଁ ରାଜ୍ୟ ସରକାର ଜାରି ରରିଥିବା ଗାଇଡ଼ଲାଇନରେ ଏହାହିଁ ଉଲ୍ଲେଖ କରାଯାଇଛି  । ମୋଟାମୋଟି ଭାବେ ଦେଖିଲେ ପୂର୍ବରୁ ଯେଉଁ ଯେଉଁ ବିଷୟରେ କଟକଣା ରହିଥିଲା ତାହା ଏବେବି ବଳବତର ରହିଛି  ।

    ରାଜ୍ୟ ସରକାର ଡିସେମ୍ବର ମାସ ପାଇଁ କରୋନା କଟକଣା ସଂକ୍ରାନ୍ତୀୟ ଗାଇଡ଼ଲାଇନ ଜାରି କରିଛନ୍ତି  । କଂଟେନମେଂଟ ଜୋନରେ ପୂର୍ବଭଳି ଲକଡାଉନ କରାଯିବ  । ଏନେଇ ଜିଲ୍ଲାପାଳ, ମୁନିସପାଲ କମିଶନର ନିଷ୍ପତି ନେବେ  । କେଉଁ କେଉଁ ଅଂଚଳ କଂଟେନମେଂଟ ଜୋନ ପରିସରଭୁକ୍ତ ହୋଇଛି ସେ ସଂକ୍ରାନ୍ତୀୟ ବିଜ୍ଞପ୍ତି ୱେବସାଇଟରେ ଅପଲୋଡ଼ କରାଯିବ । କଂଟେନମେଂଟ ଜୋନରେ କେବଳ ଅତ୍ୟାବଶ୍ୟକୀୟ ସେବାକୁ ହିଁ ଅନୁମତି ମିଳିବ  । ସେହିପରି ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯିବା ସହ କ୍ୱାରେଂଟାଇନକୁ ନିଶ୍ଚିତ କରାଯିବ  । ୭୨ ଘଂଟା ମଧ୍ୟରେ ୮୦% କଂଟାକ୍ଟ ଟ୍ରେସିଂ କରିବାକୁ ଗାଇଡ଼ଲାଇନରେ ଉଲ୍ଳେଖ ରହିଛି  ।

    କଂଟେନମେଂଟ ଜୋନ ବ୍ୟତୀତ ଅନ୍ୟ ଅଂଚଳ ପାଇଁ ବି ସ୍ୱତନ୍ତ୍ର ଗାଇଡ଼ଲାଇନ କରାଯାଇଛି  । ଡିସେମ୍ବର ୩୧ ପର୍ଯ୍ୟନ୍ତ ଅନ୍ତରାଷ୍ଟ୍ରୀୟ ବିମାନ ଚଳାଚଳ ବନ୍ଦ ରହିବ  ।  ତେବେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଅନୁମତି ମିଳିଲେ ଅନ୍ତରାଷ୍ଟ୍ରୀୟ ବିମାନ ଚଳାଚଳ ହୋଇପାରିବ । ଅପରପକ୍ଷରେ ବଡ଼ ଧରଣର ସାମାଜିକ, ରାଜନୈତିକ, କ୍ରୀଡ଼ା, ମନୋରଂଜନ, ସାଂସ୍କୃତିକ ଓ ଧାର୍ମିକ କାର୍ଯ୍ୟକ୍ରମକୁ ଅନୁମତି ମିଳିବ ନାହିଁ  ।
    ଅପରପକ୍ଷରେ ବିଟୁବି ପ୍ରଦର୍ଶନୀକୁ ଅନୁମତି ମିଳିଥିଲେ ମଧ୍ୟ ଅତି ବେଶୀରେ ୧୦୦ ଜଣ ଲୋକ ଉପସ୍ଥିତ ରହିପାରିବେ । ତେବେ କାର୍ଯ୍ୟକ୍ରମ ସ୍ଥଳୀର ସାମର୍ଥ୍ୟର ୫୦% ଲୋକଙ୍କୁ ହିଁ ଅନୁମତି ମିଳିବ  । ଅପରପକ୍ଷରେ ବିଟୁସି ପ୍ରଦର୍ଶନୀ, ମେଳା, ତୋଷାଳୀ ମେଳା, ଶିଶିର ସରସ ଭଳି କାର୍ଯ୍ୟକ୍ରମ ଉପରେ ରୋକ ଲଗାଯାଇଛି  ।

    ବିବାହ କାର୍ଯ୍ୟକ୍ରମରେ ସର୍ବାଧିକ ୨୦୦ ଓ ଅନ୍ତ୍ୟେଷ୍ଟିରେ ସର୍ବାଧିକ ୫୦ ଜଣ ଉପସ୍ଥିତ ରହିପାରିବେ । ତେବେ ହଲ ସାମର୍ଥ୍ୟର ୫୦%ଙ୍କୁ ଅନୁମତି ମିଳିବ ବୋଲି ମଧ୍ୟ ଗାଇଡ଼ଲାଇନରେ ସ୍ପଷ୍ଟ କରାଯାଇଛି  । ସେହିପରି ମାସ୍କ, ସାମାଜିକ ଦୂରତା, ଥର୍ମାଲ ସ୍କାନିଂ, ହ୍ୟାଣ୍ଡ ୱାସ, ସାନିଟାଇଜର ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି  । ସ୍ଥାନୀୟ ସ୍ଥିତିକୁ ଅନୁଧ୍ୟାନ କରି ସ୍ଥାନୀୟ ପ୍ରଶାସନ ଏନେଇ ମଧ୍ୟ ନିର୍ଦ୍ଧିଷ୍ଟ ଗାଇଡ଼ଲାଇନ ସ୍ଥିର କରିପାରିବେ  ।

    ଡିସେମ୍ବର ପହିଲାରୁ ସମସ୍ତ ମେଡ଼ିକାଲ କଲେଜ ଖୋଲାଯିବ  । ଏନେଇ ମେଡ଼ିକାଲ କଲେଜ କର୍ତୃପକ୍ଷ ଆବଶ୍ୟକୀୟ ଏସଓପି ଅନୁସରଣ କରିବେ  । ତେବେ ୯ମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ କେବେ ଖୋଲିବ ସେନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତି ନେବେ  । ଅପରପକ୍ଷରେ କଲେଜ ଓ ଅନ୍ୟ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ଉଚ୍ଚଶିକ୍ଷା ବିଭାଗଙ୍କୁ କ୍ଷମତା ଦିଆଯାଇଛି  । ଇଞ୍ଜିନିୟରିଂ କଲେଜ, ଦକ୍ଷତା ବିକାଶ ପ୍ରତିଷ୍ଠାନ ଆଦି ସଂକ୍ରାନ୍ତରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଆବଶ୍ୟକୀୟ ନିଷ୍ପତି ଗ୍ରହଣ କରିବେ  । କିନ୍ତୁ ପରୀକ୍ଷା, ମୂଲ୍ୟାୟନ, ଅନଲାଇନ ଓ ଦୂର ଶିକ୍ଷା କାର୍ଯ୍ୟକ୍ରମ ଜାରିରହିବ  । ଅପରପକ୍ଷରେ ଦକ୍ଷତା ଓ ପେଶାଦାର ପ୍ରଶିକ୍ଷଣଙ୍କୁ ଅନୁମତି ପ୍ରଦାନ କରାଯାଇଛି  ।

    ଡିସେମ୍ବର ୩୧ ପର୍ଯ୍ୟନ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ  । କିନ୍ତୁ ହିତାଧିକାରୀଙ୍କୁ ରାସନ ଯୋଗାଣର ବ୍ୟବସ୍ଥା କରାଯିବ । ସେହିପରି ସ୍ଥାନୀୟ ସ୍ଥିତିକୁ ଅନୁଧ୍ୟାନ କରି ଆବଶ୍ୟକୀୟ କୋଭିଡ଼ ଗାଇଡ଼ଲାଇନ ପାଳନ କରାଯାଇ ମନ୍ଦିର ଖୋଲିବାକୁ ସ୍ଥାନୀୟ ପ୍ରଶାସନ ଅନୁମତି ପ୍ରଦାନ କରିପାରିବେ  । ଏହାଛଡ଼ା ସିନେମା ହଲ, ସୁଇମିଂ ପୁଲ, ଥିଏଟର, ଅଡ଼ିଟୋରିୟମ ଆଦି ମଧ୍ୟ ବନ୍ଦ ରହିବ  । ପୂର୍ବଭଳି ନିର୍ଦ୍ଧିଷ୍ଟ ସୀମା ଓ କୋଭିଡ଼ ଅନୁପାଳନରୂପକ ମୁକ୍ତାକାଶ ରଂଗମଂଚକୁ ଅନୁମତି ପ୍ରଦାନ କରାଯିବ  । କୌଣସି କ୍ଲବ, ସଂଘ, ପ୍ରତିଷ୍ଠାନ ଓ ଅନୁଷ୍ଠାନଗୁଡ଼ିକ ବଡ଼ ସଭା ଆୟୋଜନରୁ ନିବୃତ ରହିବାକୁ ମଧ୍ୟ ଗାଇଡ଼ଲାଇନରେ ସ୍ପଷ୍ଟ ଉଲ୍ଲେଖ ରହିଛି  । କଂଟେନମେଂଟ ଜୋନ ବ୍ୟତିରେକ ଅନ୍ୟ ସ୍ଥାନରେ ଲକଡାଉନ କରାଯାଇପାରିବ ନାହିଁ । କିନ୍ତୁ ଆବଶ୍ୟକ ପଡ଼ିଲେ ସ୍ୱତନ୍ତ୍ର ରିଲିଫ କମିଶନର ଏସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିବେ  ।

    ଏତଦବ୍ୟତୀତ ୬୫ ବର୍ଷରୁ ଉଦ୍ଧ୍ୱର୍ ବୟସର ବ୍ୟକ୍ତି, ବିଭିନ୍ନ ରୋଗରେ ପୀଡ଼ିତ ବ୍ୟକ୍ତି, ଗର୍ଭବତୀ ମହିଳା ଓ ୧୦ ବର୍ଷରୁ କମ ବୟସର ପିଲା ଅତି ଆବଶ୍ୟକ ନହେଲେ ବାହାରକୁ ନଯିବାକୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି  ।

    Maximum 500 characters

    ତାଜା ଖବର View all

    Find Us on Facebook