ମୁଖ୍ୟ ଖବର
କରୋନା ସଂକ୍ରମଣ ଆରମ୍ଭ ହେବା ଦିନଠାରୁ ଏହାକୁ ରୋକିବା ପାଇଁ ଫେସମାସ୍କର ବ୍ୟବହାର କରାଯିବା ଉପରେ ଗୁରୁତ୍ୱ ଦିଆଯାଉଛି । କିନ୍ତୁ ଏହାର ଉପଯୋଗିତାକୁ ନେଇ ଭିନ୍ନ ମତ ପ୍ରକାଶ ପାଇ ଆସୁଛି । କେତେକ ଗବେଷକ ଏହା ବ୍ୟବହାର କଲେ ନାକ ଓ ପାଟି ଦେଇ ହେଉଥିବା ସଂକ୍ରମଣ ରୋକାଯାଇପାରିବ ବୋଲି ମତ ଦେଉଛନ୍ତି । କିନ୍ତୁ ଅନ୍ୟ କେତେକ ମାସ୍କ ବ୍ୟହାର ଯୋଗୁଁ କିଛି ଫାଇଦା ହେଉନାହିଁ ବୋଲି କହୁଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବି ମାସ୍କର ଉପଯୋଗିତା ଉପରେ ପ୍ରଶ୍ନବାଚୀ ଲଗାଇଛି । ବି୍ରଟେନ ସରକାର ପ୍ରଥମରୁ ମାସ୍କ ବ୍ୟବହାରର ବିରୋଧ ବି ଏବେ ନିଜର ଆଭିମୁଖ୍ୟ ବଦଳାଇଛନ୍ତି ଏବଂ ସାଧାରଣ ଲୋକଙ୍କୁ ଏହାର ବ୍ୟହାର କରିବାକୁ ନିବେଦନ କରିଛନ୍ତି । କେତେକ ରିପୋର୍ଟରେ ଦାବି କରାଯାଇଥିଲା କି ଯେଉଁ ଦେଶ ଗୁଡ଼ିକରେ ଲୋକ ଅଧିକ ସଂଖ୍ୟାରେ ମାସ୍କ ବ୍ୟବହାର କରୁଛନ୍ତି ସେଠାରେ କରୋନା ଜନିତ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା କମ୍ ରହିଛି । ଏବେ ହଂକଂର କିଛି ଗବେଷକ ଏହି ରିପୋର୍ଟ ଉପରେ ଏକପ୍ରକାର ମୋହର ମାରିଛନ୍ତି । ସେମାନେ କହିଛନ୍ତି କି ମାସ୍କ ବ୍ୟବହାର ଯୋଗୁଁ କରୋନା ସଂକ୍ରମଣ ୭୫% ହ୍ରାସ ପାଇଥାଏ । ସେମାନେ କିଛି କରୋନା ଆକ୍ରାନ୍ତ ଏବଂ କିଛି ସୁସ୍ଥ ବ୍ୟକ୍ତିଙ୍କୁ ନେଇ ଅଧ୍ୟୟନ କରିଥିଲେ । ଦେଖାଗଲା କି ମାସ୍କ ବ୍ୟବହାର ନ କଲେ ସୁସ୍ଥ ବ୍ୟକ୍ତିଙ୍କ ଭିତରୁ ପ୍ରାୟ ୬୬% ଅର୍ଥାତ ଦୁଇ ତୃତୀୟାଂଶ ବ୍ୟକ୍ତି ସଂକ୍ରମିତ ହେଉଛନ୍ତି । କିନ୍ତୁ ମାସ୍କ ବ୍ୟବହାର କଲେ ସୁସ୍ଥ ବ୍ୟକ୍ତିଙ୍କ ଭିତରେ ମାତ୍ର ୧୫% କରୋନା ଦ୍ୱାରା ସଂକ୍ରମିତ ହେଉଛନ୍ତି । ତେଣୁ ମାସ୍କ ବ୍ୟବହାର କଲେ ନାକ ଏବଂ ପାଟି ଦେଇ ହେୁଥିବା ସଂକ୍ରମଣ ବହୁମାତ୍ରାରେ ହ୍ରାସ ପାଇଥାଏ ବୋଲି ସେମାନେ ମତ ଦେଇଛନ୍ତି ।
Comments ସମସ୍ତ ମତାମତ