Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଟିକସକୁ ନେଇ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଦାବି କଲା କଂଗ୍ରେସ

    Share on :
    ajab-Image
    Date: Sep 2, 2020    Views: 3279

    ଭୁବନେଶ୍ୱର ତା ୨.୯.୮ – ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ବରିଷ୍ଠ କଂଗ୍ରେସ ନେତା ପୂର୍ବତନ ମନ୍ତ୍ରୀ ଶ୍ରୀ ପଂଚାନନ କାନୁନ୍ଗୋ ଏକ ସାମ୍ବାଦିକ ସମ୍ମିଳନୀରେ ଜିଏସ୍ଟି ଆଇନ୍ର ସଫଳ କାର୍ଯ୍ୟକାରିତା ଓ ରାଜ୍ୟର ଜିଏସ୍ଟି କ୍ଷତିକୁ ନେଇ ଓଡିଶା ସରକାରଙ୍କର ରହସ୍ୟମୟ ନିରବତାକୁ ନେଇ ପ୍ରଶ୍ନ କରିଛନ୍ତି । ଏକ ଦୁର୍ଭେଦ୍ୟ ଗଡ ଜୟ କରିବାର ପ୍ରତ୍ୟେୟ ନେଇ ୨୦୧୭ ଜୁଲାଇ ମାସରୁ ଏକ ଦେଶ, ଏକ ଟିକସ ନ୍ୟାୟରେ ସେବା ଓ ଦ୍ରବ୍ୟକର ଲାଗୁ ହେଲା । ପାର୍ଲାମେଂଟରେ ଏକ ତରବରିଆ ଅଧିବେଶନରେ ଏ ସଂପର୍କିତ ବିତର୍କ ଓ ଘୋଷଣା ମନେ ପକାଇଲେ ଯେ କେହି ଏବେ ବିସ୍ମିତ ହେବେ ଓ ନିଜକୁ ନିଜେ ପ୍ରଶ୍ନ କରିବେ ଯେ ସେତେବେଳର ନିଷ୍ପତି କ’ଣ ସୁଚିନ୍ତିତ ନଥିଲା ଏବଂ ତରବରିଆ ଭାବେ ଗ୍ରହଣ କରାଯାଇଥିଲା । ଦୁଇଟି ଯାକ ପ୍ରଶ୍ନର ଉତର ସିଧାସଳଖ – ହଁ । ଏ ମଧ୍ୟରେ ଜି.ଏସ୍.ଟି. ଆଇନ୍ ପରିସରଭୁକ୍ତ ପରିଷଦ ୪୧ ଥର ବସି ସାରିଲାଣି, ଅନେକ ଟିକସରେ ଅଦଳବଦଳ ହୋଇଛି ବା ହବାରେ ଲାଗିଛି । ରାଜନୈତିକ ଉଦେ୍ଧଶ୍ୟରେ ଏହା କରାଯିବା ଫଳରେ ଟିକସ ଆଦାୟରେ ଅସ୍ଥିରତା ଦେଖା ଦେଇଛି ଓ ବଢିବାରେ ଲାଗିଛି । ଖାଉଟିଙ୍କୁ କିଛି ଲାଭ ମିଳିଲା ନାହିଁ । ଗୋଟିଏ ଟିକସ ପରିବର୍ତେ ଏବେବି ଆଠଟା ବିଭିନ୍ନ ରେଟ୍ର ଟିକସ ବଜାରରେ ଦେଖିବାକୁ ମିଳୁଛି । ଜନସାଧାରଣ ଟିକସ ଚାପରେ ଦିନକୁ ଦିନ ଅଧିକ ଭାରାକ୍ରାନ୍ତ ହେଉଛନ୍ତି । ସବୁ ବର୍ଗର ଖାଉଟି ପେଟ୍ରୋଲ, ଡିଜେଲ ଉପରେ କେନ୍ଦ୍ରର ମାତ୍ରାଧିକ ଏକ୍ସାଇଜ ଡୁ୍ୟଟି ଓ ରାଜ୍ୟର ଭାଟ୍ ହେତୁ ଭାରାକ୍ରାନ୍ତ ହେଉଛନ୍ତି । ମୁଦ୍ରାସ୍ପିତି ହାର ମଧ୍ୟ ଆଶାତୀତ ବଢିଛି । ତଥାପି ଶିଳ୍ପପତି ବ୍ୟବସାୟୀଙ୍କ ଠାରୁ ଏବେବି ସରକାରଙ୍କ ଉପରେ କେତେକ ସାମଗ୍ରୀ ଉପରୁ ଟିକସ ଛାଡ ପାଇଁ ଚାପ ରହିଛି । ୧୯୯୧ ମସିହାରୁ ଏଭଳି ଟିକସ ବ୍ୟବସ୍ଥା ଲାଗୁ କରିବା ପାଇଁ ଡକ୍ଟର କେଲକର କମିଟିର ସୁପାରିଶ ଆଧାରରେ ଉଦ୍ୟମ ଆରମ୍ଭ ହୋଇଥିଲା । ଦେଶବ୍ୟାପୀ ଏହି ଟିକସ ଲାଗୁ ହେବା ପୂର୍ବରୁ ପରୀକ୍ଷାମୂଳକ ଭାବେ ଦେଶ ତମାମ୍ ଏକ ୟୁନିଫର୍ମ ଟିକସ (ଭାଟ୍) ପାଇଁ ଉଦ୍ୟମ ହେଲା । ସହମତିରେ ୨୦୦୫ ରେ ଏହା ଲାଗୁ କରାଗଲା । ଏଥିରେ ମୁଖ୍ୟତଃ ଦୁଇଗୋଟି କଥା ଉପରେ ଦୃଷ୍ଟି ରଖିଥିଲା ନିର୍ଦ୍ଧାରିତ ଟିକସ ସ୍ତର ସମଗ୍ର ଦେଶରେ ଚାଲୁହେବା ସହିତ ସର୍ବନିମ୍ନ ଟିକସକୁ ସ୍ଥିର ରଖାଯିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଫଳରେ ରାଜ୍ୟ ରାଜ୍ୟ ମଧ୍ୟରେ ଟିକସ ହାର ଅଦଳବଦଳ କରାଯିବା ରୋକାଯାଇ ପାରିବ ଓ ତଳୁ ଉପର ଅର୍ଥାତ୍ ଉପôାଦନ ଠାରୁ ଖାଉଟି ପର୍ଯ୍ୟନ୍ତ ଗୋଟିଏ ସୂତ୍ରରେ ବନ୍ଧା ହୋଇ ରହିପାରିବେ । ପରେ ଅବଶ୍ୟ ଉପା ସରକାର ସମୟରେ ଏକ ବିଲ୍ ୨୦୧୧ ମସିହାରେ ଆଗତ ହୋଇ ବିଚାର ବିମର୍ଷ ପାଇଁ ଗଲା । ତରବର ଭାବରେ ଉପା ସରକାର ଓ ବିଜ୍ଞ ମନମୋହନ ସିଂହ ଓ ଅର୍ଥମନ୍ତ୍ରୀ ପ୍ରଣବ ମୁଖାର୍ଜୀ ପାଶ୍ କରାଇ ନେବାକୁ ଚାହିଁଲେ ନାହିଁ ।
     
    ଗତ ୨୦୧୭ ମସିହା ଜୁଲାଇ ମାସରେ ଦେଶରେ ‘ଏକ ଟିକସ ଏକ ଦେଶ’ ନାମରେ ସେବା ଓ ଦ୍ରବ୍ୟକର ଲାଗୁ ହେଲା । ସେ ସମୟରେ ରାଜ୍ୟ ସରକାର କ’ଣ ଅଧ୍ୟୟନ କରିଥିଲେ, ତାହା ତାଙ୍କୁ ଜଣା । ନବୀନବାବୁ ପ୍ରଥମେ ହଠାତ୍ ସମର୍ଥନ କଲେ । ଏହି କର ଲାଗୁ ପାଇଁ ବହୁ ବର୍ଷ ଧରି ଉଦ୍ୟମ ହୋଇ ଆସୁଥିଲେ ମଧ୍ୟ ଉପାର ସରକାର ବିଚାର ବିମର୍ଷ ପାଇଁ ସମୟ ନେଇଥିଲା ।
    ମୋଦି ପ୍ରଧାନମନ୍ତ୍ରୀ ହେବାପରେ ନିଜର ପାରିଦର୍ଶିତା ଓ ମନମୋହନ ସିଂହଙ୍କ ଠାରୁ ନିଜେ ଜଣେ ଦକ୍ଷ ତଥା ପାରଙ୍ଗମ ବ୍ୟକ୍ତି ବୋଲି ନିଜକୁ ଘୋଷଣା କଲେ ଓ ତରବର ଭାବେ ଏହାକୁ ଲାଗୁ କରିଦେଲେ । ଏହା ଏକ ଐତିହାସିକ ବିଜୟ ବୋଲି ଘୋଷଣା କଲେ । ସେଥିରେ ରାଜ୍ୟମାନଙ୍କୁ ନିଜ ସପକ୍ଷରେ ନେବା ପାଇଁ ପେଟ୍ରୋଲ, ଡିଜେଲ ଉପରେ ଏହି ଜି.ଏସ୍.ଟି. ଲାଗୁ କରାଗଲା ନାହିଁ । ଏହାର କୁପ୍ରଭାବ ପ୍ରତ୍ୟେକ ଗରିବ ଲୋକ ଉପରେ ପଡିଲା । ଦରଦାମ ବୃଦ୍ଧି ଘଟିଲା ।
     
    ଅନ୍ୟ ଏକ ସାମ୍ବିଧାନିକ ସର୍ତ ଅନୁସାରେ ଯେଉଁ ରାଜ୍ୟ ୨୦୨୨ ମସିହା ପର୍ଯ୍ୟନ୍ତ ନିଜସ୍ୱ ଟିକସ ଆୟର ଅଭିବୃଦ୍ଧି ହାର ୧୪ % ଛୁଇଁବ ନାହିଁ, ତା’ର ତଫାତ୍ ପ୍ରତି ୨ ମାସ ଶେଷରେ କେନ୍ଦ୍ର ଭରଣା କରିବେ ଓ ବର୍ଷ ଶେଷରେ ସି.ଏ.ଜି.ଙ୍କ ହିସାବ ଅନୁସାରେ କମ୍ ବେଶି ସମତୁଲ ହେବାର ବ୍ୟବସ୍ଥା ମଧ୍ୟ ରହିବ ଏବଂ ଏଥିପାଇଁ ଜି.ଏସ୍.ଟି. ସେସ୍ ମଧ୍ୟ ଲାଗୁ ହେଲା । ଏହି ସେସ୍ ଏକ ସେସ୍ ଫଣ୍ଡକୁ ଗଲା । କିନ୍ତୁ ଦେଖାଗଲା ୨୦୧୮–୧୯, ୨୦୧୯-୨୦ ମସିହାରେ ସରକାର ଏହି ପ୍ରତିଶ୍ରୁତି ଭଙ୍ଗ କଲେ । ଫଳରେ ଅନେକ ରାଜ୍ୟ ଯଥା ପଞ୍ଜାବ, କେରଳ, ପଶ୍ଚିମବଙ୍ଗ ଏହା ବିରୁଦ୍ଧରେ ଧମକ ଦେଲେ ଏବଂ କେନ୍ଦ୍ର ବିତମନ୍ତ୍ରୀ ସୀତାରମଣ ଏହା ପର୍ଯ୍ୟାୟକ୍ରମେ ଦୁଇଗୋଟି କିସ୍ତିରେ ଭରଣା କରିବା କଥା କହିଲେ । ଦୁଃଖର ସହ କହିବାକୁ ହେଉଛି ଯେ ଗତବର୍ଷ ଅର୍ଥାତ୍ ୨୦୧୯-୨୦ ବର୍ଷ ପାଇଁ ରାଜ୍ୟ ତା’ର ପ୍ରାପ୍ୟ ୧୨୦୦ କୋଟି ଟଙ୍କା ଏପର୍ଯ୍ୟନ୍ତ ପାଇନାହିଁ ଏବଂ ଏହାର ସ୍ପଷ୍ଟୀକରଣ ରାଜ୍ୟ ସରକାର ଦେବା ଉଚିତ୍ । ଚଳିତବର୍ଷ ୪ ମାସ ଅର୍ଥାତ୍ ଦୁଇଟି କିସ୍ତି ବାବଦରେ ରାଜ୍ୟର ପ୍ରାପ୍ୟ ୫ ହଜାର ୫୦୦ କୋଟି ଟଙ୍କା ବାକି ଅଛି । ଅନ୍ୟ ରାଜ୍ୟମାନେ ସିଧାସଳଖ ଭାବେ ଏହି ଟଙ୍କା ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ କେନ୍ଦ୍ର ସରକାର ଦେବାକୁ ଦାବି କରିଛନ୍ତି । ତେବେ ରାଜ୍ୟ ସରକାର ଭାରତର ଅନ୍ୟ ଭାଜପା ସରକାରଙ୍କ ପରି ସଂପୂର୍ଣ୍ଣ ନିରବ ଅଛନ୍ତି କାହିଁକି? ଏ ବାବଦରେ ଏ ବର୍ଷ ରାଜ୍ୟକୁ ୧୫ ହଜାର କୋଟି ଟଙ୍କା ହରାଇବାକୁ ପଡିବ । ଅନ୍ୟ ଏକ ବିସ୍ମୟକର କଥା ହେଉଛି ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ଅର୍ଥ କମିଶନ ରାଜ୍ୟମାନଙ୍କରେ ୪୨% ଆବଂଟନ ପ୍ରକ୍ରିୟା ଚାଲୁ ରଖିଥିଲେ । ବର୍ତମାନର କେନ୍ଦ୍ର ସରକାର ଏଥିରୁ ୧% କାଢି ନେଉଛନ୍ତି । ଏଥିପାଇଁ ରାଜ୍ୟ ସରକାର ପ୍ରତିବାଦ କରିବେ କି ? ଏ ଅର୍ଥ କିଭଳି ଭରଣା ହେବ ତା’ର ସ୍ପଷ୍ଟୀକରଣ ରାଜ୍ୟ ସରକାର ରାଜ୍ୟବାସୀଙ୍କ ସମ୍ମୁଖରେ ରଖନ୍ତୁ । ସମ୍ବିଧାନରେ ଦିଆଯାଇଥିବା ହକ୍ଗୁଡିକ ବିପର୍ଯ୍ୟୟ ଆଳରେ କାଢି ନେବା କଥା କେଉଁଠି ଅଛି ବୋଲି ଶ୍ରୀ କାନୁନ୍ଗୋ ପ୍ରଶ୍ନ କରିବା ସହିତ ରାଜ୍ୟ ସରକାରଙ୍କୁ ଜବାବ ମାଗିଛନ୍ତି ।
     
    ନିକଟ ଅତୀତରେ ଅର୍ଥ ବ୍ୟାପାର ସଂସଦୀୟ କମିଟି ଆଗରେ କେନ୍ଦ୍ର ଅର୍ଥ ସଚିବ ଜିଏସ୍ଟି କ୍ଷତିପୂରଣ ରାଶି ରାଜ୍ୟମାନଙ୍କୁ ଦେବାପାଇଁ ସିଧାସଳଖ ମନା କରିଥିଲେ । ଯାହାକୁ ଗତ ଜିଏସ୍ଟି କାଉନ୍ସିଲ୍ ବୈଠକରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦୋହରେଇବା ସହିତ ରାଜ୍ୟମାନଙ୍କୁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ପରାମର୍ଶ ଦେଇଥିଲେ ଏବଂ ରାଜ୍ୟମାନଙ୍କୁ କହିଥିଲେ ରିଜର୍ଭ ବ୍ୟାଙ୍କ ଅଥବା ଖୋଲା ବଜାରରୁ ଋଣ ନେଇ ରାଜ୍ୟ ସରକାର ତାଙ୍କର ନିଅଂଟିଆ ଅର୍ଥ ବ୍ୟବସ୍ଥାକୁ ସଜାଡନ୍ତୁ । ଏହା ଖୋଲାଖୋଲି ଭାବରେ ଜିଏସ୍ଟି ଆଇନ୍ର ଉଲ୍ଲଘଂନ ଏବଂ ରାଜ୍ୟର ନ୍ୟାଯ୍ୟ ଆର୍ଥିକ ଦାବି ପ୍ରତି ଶକ୍ତ କୁଠାରଘାତ । ଓଡିଶା ସରକାର ଏହା ବିରୁଦ୍ଧରେ ତୁରନ୍ତ ସ୍ୱର ଉତୋଳନ କରିବା ପାଇଁ ଆହ୍ୱାନ ଦେଇଥିଲେ କଂଗ୍ରେସ ମୁଖପାତ୍ର ପ୍ରଶାନ୍ତ ଶତପଥି ।
     
    ସ୍କୁଲ ଫି ଛାଡ ପାଇଁ କଂଗ୍ରେସର ଦାବି -
    କରୋନା ବିପତି ସମୟରେ ଶିକ୍ଷା ବ୍ୟବସ୍ଥାରେ ଯେଉଁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି ସେ ବିଷୟରେ ବିଭିନ୍ନ ସମୟରେ ପ୍ରଦେଶ କଂଗ୍ରେସ ପକ୍ଷରୁ ଅନେକ ଗଠନମୂଳକ ପରାମର୍ଶ ରାଜ୍ୟ ସରକାରଙ୍କୁ ଦିଆଯାଇଥିବା ସତ୍ୱେ ଏହା ଗ୍ରହଣ ନକରାଯିବା ଅତ୍ୟନ୍ତ ପରିତାପର ବିଷୟ ବୋଲି ଅଭିଯୋଗ କରିଛି କଂଗ୍ରେସ । ସ୍କୁଲରେ ଶିକ୍ଷାଦାନ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଥିବା ଯୋଗୁଁ ଗଣଶିକ୍ଷା ବିଭାଗ ଏ ବର୍ଷ ସିଲାବସ୍ରେ ୩୦ ପ୍ରତିଶତ ପାଠ୍ୟକ୍ରମ କମ୍ କରିଛନ୍ତି । କରୋନା ବିପତି ଯୋଗୁଁ ଅଭିଭାବକମାନଙ୍କର ରୋଜଗାର ମଧ୍ୟ ଅନେକାଂଶରେ ବାଧାପ୍ରାପ୍ତ ହୋଇଛି । ଏ ସମସ୍ତ ଘଟଣାକ୍ରମକୁ ନଜରରେ ରଖି ପ୍ରଦେଶ କଂଗ୍ରେସ ତରଫରୁ ରାଜ୍ୟ ସରକାରଙ୍କ ପାଖରେ ଦାବି କରାଯାଉଛି କି ଏ ବର୍ଷ ସ୍କୁଲ ଫିସ୍ ବାବଦରେ ଅତିକମ୍ରେ ୩୦ ପ୍ରତିଶତ ଛାଡ କରାଯାଉ ଏବଂ ଏହାକୁ ରାଜ୍ୟ ସରକାର ନିଜ ପାଣ୍ଠିରୁ ଭରଣା କରନ୍ତୁ । ଏଥିରେ ଉଭୟ ଅଭିଭାବକ ଓ ସ୍କୁଲ କର୍ତୃପକ୍ଷ ଉପକୃତ ହେବେ ବୋଲି ଆମେ ଆଶା କରୁଛୁ ।
    ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ଜ୍ଞାନଦେବ ବେଉରା, ପ୍ରଶାନ୍ତ ଶତପଥି, ଚିନ୍ମୟ ସୁନ୍ଦର ଦାସ, ଦୀପକ ମହାପାତ୍ର ଓ ସଂଜୀବ ମହାନ୍ତି ଉପସ୍ଥିତ ଥିଲେ ।

    Maximum 500 characters

    ରାଜନୀତି View all

    Find Us on Facebook