Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ନେତାଜୀ ଓଡ଼ିଶାର ନୁହଁନ୍ତି ବୋଲି ପ୍ରମାଣତି କରିବାକୁ ଚେଷ୍ଟା କରୁଛି କେନ୍ଦ୍ର : କଂଗ୍ରେସ

    Share on :
    ajab-Image
    Date: Jan 11, 2021    Views: 4290

    ଭୁବନେଶ୍ୱର  - ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜନ୍ମ ବାର୍ଷିକୀ ପାଳନ ନିମନ୍ତେ କେନ୍ଦ୍ର ସରକାରଙ୍କ ଘୋଷିତ ୮୫ ଜଣିଆ ଜାତୀୟ କମିଟି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ଲକ୍ଷ୍ୟରେ ରାଜନୈତିକ ଉଦେ୍ଧଶ୍ୟରେ ଗଠନ କରାଯାଇଛି ବୋଲି କଂଗ୍ରେସ ଅଭିଯୋଗ କରିବା ସହିତ ନେତାଜୀ ଓଡ଼ିଶାର ନୁହଁନ୍ତି ବୋଲି ପ୍ରମାଣତି କରିବାକୁ ଚେଷ୍ଟା କରିଛନ୍ତି ବିଜେପି ଏବଂ କେନ୍ଦ୍ର ସରକାର ବୋଲି କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର ଅଭିଯୋଗ କରିଛନ୍ତି । ପ୍ରକାଶଯୋଗ୍ୟ ଯେ ୮୫ଜଣିଆ କମିଟିରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଓଡ଼ିଶାରୁ ମାତ୍ର ୩ଜଣ ସଦସ୍ୟ ଅଛନ୍ତି । ପ୍ରଥମତଃ ଆମେ କହି ରଖିବାକୁ ଚାହୁଁ ଯେ ନେତାଜୀ ଓଡ଼ିଶା ମାଟିରେ କଟକ ସହରେ ଜନ୍ମ ଗ୍ରଣେ କରିଥିଲେ । ସେଥିଯୋଗୁଁ କମିଟିରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କଟକ ସାଂସଦ ଭର୍ତୁହରି ମହତାବ ସ୍ୱାଭାବିକ ଭାବେ ସ୍ଥାନ ପାଇବେ । କମିଟିର ସମନ୍ୱୟକାରୀ ଭୂମିକା ତୁଲାଇବା ପାଇଁ ପ୍ରଧାନମନ୍ତ୍ରୀ ପ୍ରମୁଖ ସଚିବ ପି କେ ମିଶ୍ରଙ୍କୁ ମଧ୍ୟ କମିଟିରେ ନିଆଯାଇଛି । ଆମେ କେନ୍ଦ୍ର ସରକାରଙ୍କୁ ପଚାରୁଛୁ ଯେ ଓଡ଼ିଶାରେ କ’ଣ ଆଉ କେହି ଯୋଗ୍ୟ ବ୍ୟକ୍ତି ନାହାନ୍ତି?  
     
    ଏଣୁ କଂଗ୍ରେସର ପ୍ରଶ୍ନ .....
     କମିଟିରେ ମଣିପୁର ରାଜ୍ୟପାଳ ନଜମା ହେପାତୁଲ୍ଲା ଓ ମୁଖ୍ୟମନ୍ତ୍ରୀ ଏନ ବିରେନ୍ଦ୍ର ସିଂଙ୍କୁ ସଦସ୍ୟ ଭାବେ ନିଆଯାଇଛି । ଓଡ଼ିଶା ରାଜ୍ୟପାଳଙ୍କୁ କମିଟରେ କାହିଁକି ସ୍ଥାନ ମିଳିନାହିଁ । 
     ଓଡ଼ିଶାର ଦୁଇଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ ଓ ଗିରିଧାରୀ ଗମାଙ୍ଗ ଏବେ ସକ୍ରୀୟ ଥିବାବେଳେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କୁ କମିଟିରେ ନିଆଯାଇଥିବା ସ୍ଥଳେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ କାହିଁକି ସଦସ୍ୟ ଭାବେ ନିଆଗଲା ନାହିଁ । 
     କମିଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟତୀତ ଦଶଜଣ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ଥାନ ମିଳିଛି । ସେଥିରେ ପଶ୍ଚିମବଙ୍ଗ କୋଟାରୁ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଥିବା କେନ୍ଦ୍ର ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତନ ରାଷ୍ଟ୍ରମନ୍ତ୍ରୀ ବାବୁଲ ସୁପ୍ରିଓ ଓ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ରାଷ୍ଟ୍ରପତି ଦେବଶ୍ରୀ ଚୌଦୁରୀ ଅଛନ୍ତି । ଓଡ଼ିଶାର ଦୁଇ ଜଣ କେନ୍ଦ୍ରମନ୍ତ୍ରୀ ଜାତୀୟ ରାଜନୀତିରେ ବାହାସପୋଟ ମାରୁଥିବା ବେଳେ ସେମାନଙ୍କୁ ମଧ୍ୟ କମିଟିରେ କାହିଁକି ସ୍ଥାନ ମିଳିନାହିଁ । 
     କମିଟିରେ ୧୬ଜଣ ସାଂସଦଙ୍କୁ ସଦସ୍ୟ ଭାବେ ନିଆଯାଇଛି । ଏମାନଙ୍କ ମଧ୍ୟରୁ ୧୧ ଜଣ ସାଂସଦ ପଶ୍ଚିମବଙ୍ଗ ରାଜ୍ୟର । କଟକ ସହର ନେତାଜୀଙ୍କ ଜନ୍ମସ୍ଥାନ ହୋଇଥିବାରୁ କେନ୍ଦ୍ର ସରକାର ବାଧ୍ୟ ହୋଇ ସ୍ଥାନୀୟ ସାଂସଦ ଭର୍ତୃହରି ମହତାବକୁ ସଦସ୍ୟ ଭାବେ ନେଇଛନ୍ତି । କେନ୍ଦ୍ର ସରକାରଙ୍କ ଆଖିରେ ଲୋକସଭା ଓ ରାଜ୍ୟ ସଭାରେ ଓଡ଼ିଶାରୁ ପ୍ରତିନିଧିତ୍ୱ କରୁଥିବା ଅନ୍ୟ ୩୦ ଜଣ ସାଂସଦ କ’ଣ ଯୋଗ୍ୟ ନୁହଁନ୍ତି କି? କମିଟିରେ ପଶ୍ଚିମବଙ୍ଗର ଜଣେ ପୂର୍ବତନ ସାଂସଦଙ୍କୁ ସଦସ୍ୟ ଭାବେ ନିଆଯାଇଛି । ଓଡ଼ିଶାର କେହି ପୂର୍ବତନ ସାଂସଦଙ୍କୁ କାହିଁକି ସ୍ଥାନ ମିଲିଲା ନାହିଁ?
     କମିଟିରେ ପଶ୍ଚିମବଙ୍ଗ ବିଧାୟକ ଶୁଭେନ୍ଦୁ ଅଧିକାରୀଙ୍କୁ ସଦସ୍ୟ ଭାବେ ମନୋନୀତ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ଓଡ଼ିଶା ବିଧାସଭାରେ ବାକି ୧୪୬ ଜଣ ବିଧାୟକ, ଏପରିକି କଟକ ସହରର ସ୍ଥାନୀୟ ବିଧାୟକଙ୍କୁ କାହିଁକି ସଦସ୍ୟ ଭାବେ ନିଆଗଲା ନାହିଁ? 
     କମିଟିରେ ସୁରଟ ଜିଲ୍ଲାର ଜଣେ ସଂରପଚଙ୍କୁ ସଦସ୍ୟ ଭାବେ ନିଆଯାଇଛି । ନେତାଜୀଙ୍କ ପ୍ରତି ତାଙ୍କର କ’ଣ ଅବଦାନ ରହିଛି? 
     କମିଟିରେ ସ୍ଥାନ ପାଇଥିବା ଚଳଚିତ୍ର ଅଭିନେତା, ଅଭିନେତ୍ରୀ, କି୍ରକେଟ ତାରକା, ଫୁଟବଲ ତାରକା, ଐତିହାସିକ, ଗବେଷକ, ଶିକ୍ଷାବିତ୍ ଓ ବୁଦ୍ଧିଜୀବିଙ୍କ ମଧ୍ୟରୁ ପ୍ରାୟତଃ ପଶ୍ଚିମବଙ୍ଗ ଅଂଚଳର । ଏଭଳି କମିଟି ପାଇଁ କେନ୍ଦ୍ର ସରକାର କ’ଣ କୌଣସି ଓଡ଼ିଆକୁ ଯୋଗ୍ୟ ଭାବିଲେ ନାହିଁ କି?
    ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ପଶ୍ଚମବଙ୍ଗର ଆଗାମୀ ବିଧାନସଭା ନିର୍ବାଚନକୁ ଆଖିଆଗରେ ରଖି ଓଡ଼ିଶାର ସ୍ୱାଭିମାନ ପ୍ରତିଷ୍ଠା ଗୌରବମୟ ଇତିହାସକୁ କୁଠାରଘାତ କରିବା ସହିତ ଓଡ଼ିଶାର ରାଜନେତା, ବୁଦ୍ଧିଜୀବି ଏବଂ ବିଭିନ୍ନ ବର୍ଗରେ ପାରିଦର୍ଶିତ ଲାଭ କରିଥିବା ବ୍ୟକ୍ତିମାନଙ୍କୁ ଅପମାନିତ କରିଛନ୍ତି ବିଜେପି ନେତୃତ୍ୱାଧିନ କେନ୍ଦ୍ର ସରକାର । ନେତାଜୀ ଓଡ଼ିଶାର ଗର୍ବ, ଗୌରବଗାଥା, ସ୍ୱାଭିମାନ ତୁରନ୍ତ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ଉପରେ •ପ ସୃଷ୍ଟିକରନ୍ତୁ ଏବଂ ବାହାସପୋଟ ମାରୁଥିବା ଓଡ଼ିଶାର ୨ କେନ୍ଦ୍ରମନ୍ତ୍ରୀ ଜାତୀୟ ରାଜନୀତିରେ ତାଙ୍କର ପତିଆରା ଦେଖାନ୍ତୁ ।  ଅନ୍ତତପକ୍ଷେ ରାଜ୍ୟରୁ ବିଭିନ୍ନ କ୍ଷେତ୍ରରେ ପାରିଦର୍ଶିତା ଲାଭ କରିଥିବା ୨୫ଜଣ ବ୍ୟକ୍ତିବିଶେଷଙ୍କୁ ଏହି କମିଟିରେ ସାମିଲ କରାଯାଉ ବୋଲି କଂଗ୍ରେସ ଭବନଠାରେ ଏକ  ସାମ୍ବାଦିକ ସମ୍ମିଳନୀରେ ଦାବି କରିଛି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ମନୋରଞ୍ଜନ ଦାଶ, ରଶ୍ମି ମହାପାତ୍ର, ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook