ମୁଖ୍ୟ ଖବର
ଭୁବନେଶ୍ୱର: କଂଗ୍ରେସ ରାଜନୀତିରେ ଏବେ ଘଡ଼ିକେ ଘୋଡ଼ା ଛୁଟୁଛି । ପିସିସି ସଭାପତି ପଦରୁ ନିରଞ୍ଜନ ପଟ୍ଟନାୟକଙ୍କୁ ହଟାଇବା ପାଇଁ ଅସନ୍ତୁଷ୍ଟମାନେ ସମସ୍ତ ବଳ କଳ କୌଶଳ ଲଗାଇ ଦେଇଛନ୍ତି । ଏପରିକି ନିରଞ୍ଜନଙ୍କ ବିରୋଧରେ ହାଇକମାଣ୍ଡଙ୍କ ନିକଟରେ ଫେରାଦ ହେବାକୁ ମଧ୍ୟ ନିଷ୍ପତ୍ତି ନେଇ ସାରିଛନ୍ତି । ଗତ କିଛି ଦିନ ତଳେ ଅନୁଷ୍ଠିତ ଚିନ୍ତନ ବୈଠକରେ ପିସିସି ସଭାପତି ପାଇଁ ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମଙ୍କ ନାମ ଉଠିଥିବାବେଳେ ଆଜି ମୋକିମ ଏନେଇ ପ୍ରଥମ ଥର ପାଇଁ ମୁହଁ ଖୋଲଛନ୍ତି । ଓଡ଼ିଶାରେ ଯୁବ ନେତୃତ୍ୱର ଆବଶ୍ୟକତା ରହିଥିବା ସେ କହିଛନ୍ତି ।
ସେ କହିଛନ୍ତି ଯେ, ଦଳରେ ସର୍ବଦା ବଡ଼ଙ୍କ ସହ ସାନଙ୍କ ମଧ୍ୟ ଆବଶ୍ୟକତା ରହିଛି । ଯୁବକଙ୍କ କାମ ପୌଢ କରିପାରିବେ ନାହିଁ । ଓଡ଼ିଶାରେ ଯୁବ ନେତୃତ୍ୱର ଆବଶ୍ୟକତା ରହିଛି । ବଡ଼-ଛୋଟଙ୍କ ଭିତରେ ସମନ୍ୱୟ, ସମୀକରଣ ରହିଲେ କଂଗ୍ରେସ ଠିକ ଚାଲିବ ବୋଲି ମୋକିମ କହିଛନ୍ତି ।
ପ୍ରକାଶ ଯେ, ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ସମର୍ଥନ ଯୋଗାଡ଼ ପାଇଁ କଂଗ୍ରେସର ଅନ୍ତୁଷ୍ଟମାନେ ଗତ ୪ ତାରିଖ ଦିନ ହେମାନନ୍ଦ ବିଶ୍ୱାଳଙ୍କୁ ଭେଟିଥିଲେ । ପିସିସି ସଭାପତି ପଦ ପାଇଁ ମୋକିମଙ୍କ ନାମକୁ ପ୍ରସ୍ତାବ କରିବାକୁ ସମ୍ପୃକ୍ତ ଅସନ୍ତୁଷ୍ଟ ନେତାମାନେ ଶ୍ରୀ ବିଶ୍ୱାଳଙ୍କୁ ଅନୁରୋଧ କରିଥିଲେ । ଖାଲି ହେମାନନ୍ଦ ବିଶ୍ୱାଳ ନୁହନ୍ତି ଆଗାମୀ ଦିନରେ ଅସନ୍ତୁଷ୍ଟ ନେତାମାନେ ଦଳର ଅନ୍ୟ ବରିଷ୍ଠ ନେତାମାନଙ୍କୁ ଭେଟିବେ ବୋଲି ଅସନ୍ତୁଷ୍ଟ ଗୋଷ୍ଠୀ ବା ଚିନ୍ତନ ବୈଠକର ଆୟୋଜକ ସନତ ଦାସ କହିଥିଲେ । ଏହି ପରିପ୍ରେକ୍ଷୀରେ ହେମାନନ୍ଦ ବିଶ୍ୱାଳ କହିଥିଲେ ଯେ, ଦଳର ସ୍ଥିତି ଯାହା ତାହା ନକହିବା ଭଲ । ଯାହା କହିବା କଥା ଦିଲ୍ଲୀରେ ହାଇକମାଣ୍ଡଙ୍କୁ କହିବି ବୋଲି ହେମାନନ୍ଦ ବିଶ୍ୱାଳ କହିଥିଲେ ।
Comments ସମସ୍ତ ମତାମତ