ମୁଖ୍ୟ ଖବର
କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍ ସଭାପତି ପ୍ରସଙ୍ଗରେ ରହିଲେ ନୀରବ, ସୁର କହିଲେ ସଭାପତି କିଏ ହେବ ଏଠି ଆଲୋଚନା ନ କରି ସୋନିଆଙ୍କୁ ଜଣାନ୍ତୁ
ଭୁବନେଶ୍ୱର: ଗତକାଲି କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ପିସିସି ସଭାପତି କରିବାକୁ ଗୋଟିଏ ଗୋଷ୍ଠୀ ମେଳି କରି ଆଲୋଚନା କରିଥିଲେ । ଖୋଦ ବିଧାୟକ ମୋକିମ କିଛି ବି ମୁହଁ ଖୋଲିନାହାନ୍ତି । ଅପରପକ୍ଷରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, କଂଗ୍ରେସରେ ଏପରି ୨୫ ବର୍ଷ ଧରି ବିଶୃଙ୍ଖଳା ଯୋଗୁଁ ଦଳ ଲୋକଙ୍କ ବିଶ୍ୱାସଭାଜନ ହୋଇପାରୁନି । ତେବେ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ରୋକଠୋକ୍ କହିଛନ୍ତି, ପିସିସି ସଭାପତି କିଏ ହେବ ସେ ନେଇ ଏଠି ଭୁବନେଶ୍ୱରରେ ଆଲୋଚନା ନ କରି ଦିଲ୍ଲୀ ଯାଇ ଏଆଇସିସି ସଭାନେତ୍ରୀ ସୋନିଆ ଗାନ୍ଧୀଙ୍କୁ ପ୍ରସ୍ତାବ ଦିଆଯିବା ଦରକାର ।
ପିସିସି ସଭାପତି ପରିବର୍ତ୍ତନ ନେଇ ଗତକାଲି କଂଗ୍ରେସ ନେତା ବାପି ସର୍ଖେଲ, ଅଶୋକ ସାମଲ, ତ୍ରିଲୋଚନ ମହାନ୍ତି, ମୂରଲୀଧର ଜେନା, ଅବଦୁଲ ବାରି ଓ କୁମାର ଚିରଞ୍ଜୀବୀ ବୈଠକ କରିଥିଲେ । ବୈଠକ ପରେ କଂଗ୍ରେସ ନେତା ଶ୍ରୀ ସର୍ଖେଲ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ପିସିସି ସଭାପତି କରିବା ନେଇ ଯୁକ୍ତି ଦର୍ଶାଇଥିଲେ । ତେବେ ଗୁରୁବାର ସ୍ମିତାରାଣୀ ବିଶ୍ୱାଳଙ୍କ ମୃତୁ୍ୟ ରହସ୍ୟର ସିବିଆଇ ତଦନ୍ତ ଦାବିରେ କଂଗ୍ରେସ ପକ୍ଷରୁ ଆୟୋଜିତ ଧାରଣା ଓ ପ୍ରତିବାଦ ସଭାରେ ଉଭୟ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ବିଧାୟକ ମହମ୍ମଦ ମୋକିମଙ୍କୁ ଏକାଠି ବସିଥିବା ଦେଖିବାକୁ ମିଳିଥିଲା । ଏ ନେଇ ମହମ୍ମଦ ମୋକିମଙ୍କୁ ପଚରାଯିବାରୁ ସେ କିଛି ବି କହିବାକୁ ମନା କରିଦେଇଥିଲେ । ତେବେ ବାରମ୍ବାର କଂଗ୍ରେସର ନେତୃତ୍ୱ ପରିବର୍ତ୍ତନ ନେଇ ଉଠିଥିବା ଚର୍ଚ୍ଚା ବିଷୟରେ ପ୍ରତିକ୍ରିୟା ରଖି ଖୋଦ୍ ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଥିଲେ, ରାଜ୍ୟରେ ଦଳର ନେତୃତ୍ୱ ନେବା ପାଇଁ କିଏ ଆଗ୍ରହୀ ସେ ବିଷୟରେ ଦଳ ବିରୋଧୀ କାର୍ଯ୍ୟ କଲାଭଳି ଅଲଗା ବୈଠକ ନ କରି ତାଙ୍କୁ ପ୍ରସ୍ତାବ ଦେଲେ ସେ ନିଜେ ଏଆଇସିସିକୁ ଜଣାଇବେ । କଂଗ୍ରେସର ନେତାମାନେ ଏପରି ପରସ୍ପର ବିରୋଧରେ ମେଳି କରିବାରୁ ଦଳ ଦୀର୍ଘ ବର୍ଷ ଧରି ରାଜ୍ୟରେ ଲୋକଙ୍କ ଆସ୍ଥାଭାଜନ ହୋଇପାରୁନି । ଦଳ ବିରୋଧୀ କାର୍ଯ୍ୟ ପାଇଁ ସଭାପତି ଭାବେ ସେ ନିଜେ ତାଙ୍କ ଆଡ଼ୁ କାର୍ଯ୍ୟାନୁଷ୍ଠାନ ନେବେ ନାହିଁ । ଏ ବିଷୟରେ ସେ ଏଆଇସିସିକୁ ଜଣାଇଦେବେ । ଏଆଇସିସି ଦଳବିରୋଧୀ କାର୍ଯ୍ୟ କରୁଥିବା ନେତାଙ୍କ ବିରୋଧରେ ଯାହା ଉଚିତ ମନେ କରିବ ସେହି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବ ବୋଲି ଶ୍ରୀ ପଟ୍ଟନାୟକ ସ୍ପଷ୍ଟ କରିଦେଇଥିଲେ ।
ପିସିସି ସଭାପତି ପରିବର୍ତ୍ତନ ନେଇ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ କଟାକ୍ଷ କରିଥିଲେ । ଶ୍ରୀ ରାଉତରାୟ କହିଥିଲେ, ଯେଉଁମାନେ ପିସିସି ସଭାପତି ହେବାକୁ ଚାହୁଁଛନ୍ତି, ସେମାନେ ଦିଲ୍ଲୀ ଯାଇ ଏଆଇସିସି ସଭାନେତ୍ରୀ ସୋନିଆ ଗାନ୍ଧୀଙ୍କୁ ଦେଖା କରନ୍ତୁ । ପିସିସି ସଭାପତି ଯଦି କହୁଛନ୍ତି ତାଙ୍କୁ ମୁକ୍ତି ଦିଅ ବୋଲି ତାହେଲେ ସେ ନିଜେ ଏଆଇସିସି ସଭାନେତ୍ରୀଙ୍କୁ କାହିଁକି ଜଣାଉନାହାନ୍ତି । ଏତିକିରେ ସବୁ କାମ ତମାମ ହୋଇଯାଆନ୍ତା । ନିଜେ ପିସିସି ସଭାପତି ହେବା ପାଇଁ ଆଶାୟୀ କି ବୋଲି ପ୍ରଶ୍ନରେ ଶ୍ରୀ ରାଉତରାୟ କହିଥିଲେ, ସେ ଆଶାୟୀ ନୁହଁନ୍ତି କି ଏ ପଦବି ପାଇଁ ସେ ଉପଯୁକ୍ତ ନୁହଁନ୍ତି । ସଭାପତି ହେବା ପାଇଁ ତାଙ୍କର ଗାରିମା ନାହିଁ କି ପତିଆରା ବି ନାହିଁ । ଏଆଇସିସି ସଭାନେତ୍ରୀ ସୋନିଆ ଗାନ୍ଧୀ ଯାହାକୁ ପିସିସି ସଭାପତି କରିବେ, ତାକୁ ସେ ସ୍ୱାଗତ କରିବେ । ତେବେ ସଭାପତି ପରିବର୍ତ୍ତନ ନେଇ ବଜାରଘାଟରେ ପ୍ରଚାର ନ କରି ସୋନିଆଙ୍କ ସହ ସିଧାସଳଖ ଆଲୋଚନା କରିବାକୁ ଶ୍ରୀ ରାଉତରାୟ ପରାମର୍ଶ ଦେଇଥିଲେ ।
Comments ସମସ୍ତ ମତାମତ