ମୁଖ୍ୟ ଖବର
ନୂଆଦିଲ୍ଲୀ: କଂଗ୍ରେସ କୋଷାଧ୍ୟକ୍ଷ ପବନ କୁମାର ବଂଶଲ ଦଳକୁ ୨୦୧୯-୨୦ ଆର୍ଥିକ ବର୍ଷରେ ମିଳିଥିବା ଚାନ୍ଦା ସମ୍ପର୍କିତ ତଥ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ କରିଛନ୍ତି । ଏଥି ସହିତ ଆୟୋଗଙ୍କ ପକ୍ଷରୁ ଦଳକୁ ୨୦ ହଜାର ଟଙ୍କାରୁ ଅଧିକ ଚାନ୍ଦା ଦେଇଥିବା ବ୍ୟକ୍ତିଙ୍କ ନାମ ସାର୍ବଜନୀନ ହୋଇଛି । ଏହି ବର୍ଷ ଦଳକୁ ମୋଟ ୧୩୯ କୋଟି ଟଙ୍କା ଚାନ୍ଦା ମିଳିଛି । ଏହି ପରିମାଣ ଗତ ବର୍ଷ ତୁଳନାରେ ହ୍ରାସ ପାଇଛି । ଗତ ଆର୍ଥିକ ବର୍ଷରେ ଦଳକୁ ମିଳିଥିଲା ୧୪୬ କୋଟି ଟଙ୍କା । ନିର୍ବାଚନ ଆୟୋଗଙ୍କ ସୂଚନା ଅନୁଯାୟୀ, ବରିଷ୍ଠ ନେତା କପିଲ ସିବଲ ସର୍ବାଧିକ ପରିମାଣ ଚାନ୍ଦା ଦେଇଥିବା ସୂଚନା ମିଳିଛି । ସିବଲ ଦଳୀୟ ପାଣ୍ଠିକୁ ୩ କୋଟି ଟଙ୍କା ପ୍ରଦାନ କରି ଚାନ୍ଦାଦାତାଙ୍କ ମଧ୍ୟରେ ଶୀର୍ଷରେ ରହିଛନ୍ତି । ଯେଉଁ ୨୩ ବରିଷ୍ଠ ନେତା ଦଳର ନେତୃତ୍ୱ ନେଇ ପ୍ରଶ୍ନ ଉଠାଇ ବିବାଦରେ ଛନ୍ଦି ହୋଇଥିଲେ ସେହିମାନେ ହିଁ ଦଳ ପ୍ରତି ଅଧିକ ଅବଦାନ ରଖିଥିବା ଓ ସର୍ବାଧିକ ବ୍ୟକ୍ତିଗତ ଚାନ୍ଦାଦାତା ହୋଇଥିବା ଜଣାପଡ଼ିଛି । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ୨୦୧୯ ଏପି୍ରଲ ୧ ରୁ ୨୦୨୦ ମାର୍ଚ୍ଚ ୩୧ ମଧ୍ୟରେ ବିଭିନ୍ନ ପର୍ଯ୍ୟାୟରେ ୧ ଲକ୍ଷ ୮ ହଜାର ଟଙ୍କା ପ୍ରଦାନ କରିଛନ୍ତି । ସୋନିଆ ଗାନ୍ଧି ୫୦ ହଜାର ଓ ରାହୁଲ ଗାନ୍ଧି ୫୪ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିଛନ୍ତି । ଆନନ୍ଦ ଶର୍ମା, ଶଶୀ ଥରୁର, ଗୁଲାମ ନବି ଆଜାଦ ୫୪ ହଜାର ଲେଖାଏଁ, ମିଳିନ୍ଦ ଦେଓଡ଼ା ୧ ଲକ୍ଷ, ରାଜ ବବର ୧ ଲକ୍ଷ ୮ ହଜାର ଟଙ୍କା ଦେଇଛନ୍ତି । କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେବା ପୂର୍ବରୁ ଜ୍ୟୋତିରାଦିତ୍ୟ ସିନ୍ଧିଆ ଦଳକୁ ୫୪ ହଜାର ଟଙ୍କା ପ୍ରଦାନ କରିଥିଲେ । ଅଶୋକ ଗେହଲଟ, ଏ କେ ଆଣ୍ଟୋନି, କୁମାରୀ ଶୈଳଜା ଓ ବିକେ ହରିପ୍ରସାଦ ଭଳି ବରିଷ୍ଠ ନେତାମାନେ ମଧ୍ୟ ୫୦ ରୁ ୫୦ ହଜାର ମଧ୍ୟରେ ଟଙ୍କା ଦେଇଛନ୍ତି ।
Comments ସମସ୍ତ ମତାମତ