ମୁଖ୍ୟ ଖବର
ଗଞ୍ଜାମ: ବ୍ରହ୍ମପୁର ସୀମା ସିଲ ରହିଥିବାବେଳେ ଅତି ଆବଶ୍ୟକ ଲୋକଙ୍କୁ ଛଡ଼ାଯାଉଥିବା ନେଇ ଏସପି ପିନାକ ମିଶ୍ର ସୂଚନା ଦେଇଛନ୍ତି । ବ୍ରହ୍ମପୁରରେ କରୋନା କଟକଣା ନେଇ ଏସପି ପିନାକ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ।
ତାଙ୍କ ସୂଚନା ଅନୁଯାୟୀ ବ୍ରହ୍ମପୁର ସୀମା ସିଲ ଥିବାବେଳେ ଡାଏଲ ୧୦୦କୁ କହିଲେ ଜିଲ୍ଲା ବାହାରକୁ ଯିବା ପାଇଁ ଇ-ପାସ ମିଳିବ । ବର୍ତ୍ତମାନ ସୁଦ୍ଧା ୨ଶହରୁ ଅଧିକ ପାସ ମଧ୍ୟ ଦିଆଯାଇଛି । ବାହାର ଜିଲ୍ଲାରେ କାମ କରୁଥିବା ଲୋକ ପରିଚୟପତ୍ର ଦେଖାଇ ଯିବେ ବୋଲି ଏସପି ଶ୍ରୀ ମିଶ୍ର କହିଛନ୍ତି ।
ଅନ୍ୟପକ୍ଷରେ କରୋନା ସଂକ୍ରମଣକୁ ଦୃଷ୍ଟି ରଖି ଗଞ୍ଜାମରେ ସବୁ ପ୍ରବେଶ, ପ୍ରସ୍ଥାନ ପଥ ବନ୍ଦ ରହିବ ବୋଲି ଜିଲ୍ଲାପାଳ କହିଛନ୍ତି । ବ୍ରହ୍ମପୁରରେ ବି ସବୁ ପ୍ରବେଶ/ପ୍ରସ୍ଥାନ ପଥ ଉପରେ କଟକଣା ଲାଗିବ ବୋଲି ଜିଲ୍ଲାପାଳ କହିଛନ୍ତି ।
ଏହାଛଡ଼ା ସେ କହିଛନ୍ତି ଯେ, ଗ୍ରାମାଞ୍ଚଳରୁ ସହରାଞ୍ଚଳକୁ ପ୍ରବେଶ ଉପରେ କଟକଣା ରହିବ । ସକାଳ ୫ଟାରୁ ଅପରାହ୍ନ ୪ଟା ଯାଏଁ ଦୋକାନ ବଜାର ଖୋଲା ରହିବ । ୫ ସୂତ୍ରୀ କାର୍ଯ୍ୟକ୍ରମ ଅନୁସାରେ ନିୟମ ମାନି ଦୋକାନ ଖୋଲିବାକୁ ଅନୁମତି ମିଳିବ । ଦୋକାନୀମାନେ ସାମାଜିକ ଦୂରତ୍ୱ ମାନିବେ, ମାସ୍କ ପିନ୍ଧିବେ । ଦୋକାନକୁ ଆସୁଥିବା ସମସ୍ତ ଗ୍ରାହକଙ୍କ କଣ୍ଟାକ୍ଟ ଡିଟେଲ ଦୋକାନୀ ରଖିବେ । ଦୋକାନ ଆଗରେ ଦୋକାନୀମାନେ ସର୍କଲ ଓ ବ୍ୟାରିକେଡ କରିବେ । ରାଜ୍ୟ ସରକାରଙ୍କ ନିୟମ ଅନୁସାରେ ସପ୍ତାହାନ୍ତ ସଟଡାଉନ ଜାରି ରହିବ । ମୁହଁରେ ମାସ୍କ ଠିକରେ ନପିନ୍ଧିଲେ ଜୋରିମାନା ଆଦାୟ ହେବ । ଗଞ୍ଜାମରେ ଏବେ ଡୋର ଟୁ ଡୋର କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି । ଲକଡାଉନ ଓ ଅନ୍ୟ କଟକଣା ଯୋଗୁଁ କରୋନା ସଂକ୍ରମଣ କମିଛି ବୋଲି ଜିଲ୍ଲାପାଳ କହିଛନ୍ତି ।
ସେହିପରି ଅମ୍ଳଜାନ ସ୍ତର କମିବା ଯୋଗୁଁ ଅଧିକାଂଶ ଆକ୍ରାନ୍ତଙ୍କ ମୃତୁ୍ୟ ହେଉଛି । କୌଣସି ଲକ୍ଷଣକୁ ନଲୁଚାଇ ଦେହ ଖରାପ ହେଲେ ଡାକ୍ତରଙ୍କୁ ଦେଖାନ୍ତୁ । ଅଗଷ୍ଟରେ ଆମକୁ ଆହୁରି ସତର୍କ ହେବାକୁ ପଡ଼ିବ ବୋଲି ଜିଲ୍ଲାପାଳ କହିଛନ୍ତି ।
Comments ସମସ୍ତ ମତାମତ