ମୁଖ୍ୟ ଖବର
ଭୁବନେଶ୍ୱର: ତିର୍ତ୍ତୋଲ ଉପନିର୍ବାଚନ ପାଇଁ ରାଜ୍ୟର ପ୍ରମୁଖ ଦଳ ଗୁଡ଼ିକ ସମର ସଜ୍ଜା ଆରମ୍ଭ କରିଛନ୍ତି । ମଇଦାନରେ ମୁହାଁମୁହିଁ ହେବା ପୂର୍ବରୁ ବିଜେଡି ଓ ବିଜେପିରେ ମିଶ୍ରଣ ପର୍ବ ଆରମ୍ଭ ହୋଇଯାଇଛି । ଭୁବନେଶ୍ୱରରେ ବିଜେଡି ଓ ବିଜେପି କାର୍ଯ୍ୟାଳୟରେ ଦୁଇଟି ମିଶ୍ରଣ ପର୍ବ କରାଯାଇ ଅନ୍ୟ ଦଳର କର୍ମକର୍ତ୍ତାଙ୍କୁ ସ୍ୱାଗତ କରାଯାଇଥିଲା । ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର ୧୦ ରୁ ଅଧିକ କଂଗ୍ରେସ ନେତା ସେମାନଙ୍କ ଶତାଧିକ ସମର୍ଥକଙ୍କ ସହ ବିଜେଡିରେ ଯୋଗ ଦେଇଥିଲେ । ପିସିସିର ପୂର୍ବତନ ସମ୍ପାଦକ ତଥା ଜିଲ୍ଲା ପରିଷଦ ସଦସ୍ୟ କୃଷ୍ଣଚନ୍ଦ୍ର ମଲ୍ଲିକ ତିର୍ତ୍ତୋଲ ବ୍ଲକର ପୂର୍ବତନ ଅଧ୍ୟକ୍ଷ ଏସ କେ ଅବଦୁଲ ଫୟଜ, ପିସିସି ଆବାହକ ଦେବେନ୍ଦ୍ର ମଲ୍ଲିକଙ୍କ ସମେତ ବହୁ କଂଗ୍ରେସ ନେତା ଓ କର୍ମୀ ବିଜେଡିରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଧାୟକ ପ୍ରଣବ ପ୍ରକାଶ ଦାସ, ଅତନୁ ସବ୍ୟସାଚୀ ନାୟକ, ପ୍ରଶାନ୍ତ ମୁଦୁଲି, ସାଂସଦ ରାଜଶ୍ରୀ ମଲ୍ଲିକ, ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଓ ଜନ୍ମେଞ୍ଜୟ ଲେଙ୍କା ଉପସ୍ଥିତ ଥିଲେ ।
ସେହିପରି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ କାର୍ଯ୍ୟକ୍ରମରେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ଶତାଧିକ ବିଜେଡି ଓ କଂଗ୍ରେସ କାର୍ଯ୍ୟକର୍ତ୍ତା ବିଜେପିରେ ସାମିଲ ହୋଇଥିଲେ । ଏହି କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଜିଲ୍ଲା ପରିଷଦ ପ୍ରାର୍ଥୀ, ପୂର୍ବତନ ସମିତି ସଭ୍ୟ, ପୂର୍ବତନ ସରପଞ୍ଚ ଓ ସ୍ଥାନୀୟ ଅଞ୍ଚଳର ଆଗଧାଡ଼ିର ନେତା ରହିଛନ୍ତି । ନୂଆ ସଦସ୍ୟମାନଙ୍କୁ ବିଜେପିର ବରିଷ୍ଠ ନେତା ଭୃଗୁ ବକ୍ସିପାତ୍ର, ପୃଥିରାଜ ହରିଚନ୍ଦନ, ଜଗତସିଂହପୁର ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ର, ଜିଲ୍ଲା ପ୍ରଭାରୀ ଶାରଦା ପ୍ରଧାନ, ଦିଲ୍ଲୀପ ମଲ୍ଲିକ, ବାବୁ ସିଂହ, ଗୋକୁଳାନନ୍ଦ ମଲ୍ଲିକ, ରମାକାନ୍ତ ଭୋଇ ଓ ରାଜ କିଶୋର ବେହେରା ପ୍ରମୁଖ ସ୍ୱାଗତ କରିଥିଲେ ।
Comments ସମସ୍ତ ମତାମତ