ମୁଖ୍ୟ ଖବର
ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ପାଇଁ ବିଜେପି ପ୍ରସ୍ତୁତି ଆରମ୍ଭ କରିଦେଇଛି । ଦେଶବ୍ୟାପୀ ବିଭିନ୍ନ ରାଜ୍ୟରେ ପ୍ରାୟ ୬୦ଟି ଭର୍ଚୁଆଲ ର୍ୟାଲି କରିବା ପରେ ବିଜେପି ଏବେ ଡିଜିଟାଲ ଉପାୟରେ ବିହାର ବିଧାନସଭା ନିର୍ବାଚନ ଲଢ଼ିବା ପାଇଁ ଅଣ୍ଟା ଭିଡ଼ିଛି । ବିହାରର ପ୍ରତ୍ୟେକ ଶକ୍ତି କେନ୍ଦ୍ରରେ ଦଳ ୯,୫୦୦ ଆଇଟି ସେଲ ମୁଖ୍ୟଙ୍କୁ ନିଯୁକ୍ତି କରିଛି । ଆଇଟି ଶାଖାର ମୁଖ୍ୟମାନେ ଲୋକମାନଙ୍କ ପାଖରେ ବିଜେପିର ରାଜନୈତିକ ବାର୍ତ୍ତା ପହଞ୍ଚାଇବେ । ବିହାର ଭର୍ଚୁଆଲ ନିର୍ବାଚନୀ ପ୍ରଚାରର ବାସ୍ତବ ଯୋଦ୍ଧା ହେବେ ଏହି ୯,୫୦୦ ଆଇଟି ସେଲ୍ ମୁଖ୍ୟ । ବିଜେପି ମଧ୍ୟ ପ୍ରତି ଭୋଟରଙ୍କ ନିକଟରେ ପହଞ୍ଚିବା ପାଇଁ ହ୍ୱାଟସଆପ ଗ୍ରୁପ ଆରମ୍ଭ କରିଛି । ବିଜେପି ୭୨ ହଜାର ହ୍ୱାଟସଆପ ଗ୍ରୁପ ଦ୍ୱାରା ଭୋଟରମାନଙ୍କ ପାଖରେ ପହଞ୍ଚିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛି । ଦଳ ଦ୍ୱାରା ୫୦ ହଜାର ଗ୍ରୁପ୍ ସୃଷ୍ଟି ହୋଇ ସାରିଛି । ବୁଥ୍ ସ୍ତରୀୟ କର୍ମୀଙ୍କ ଦ୍ୱାରା ହ୍ୱାଟସ ଆପ ଗ୍ରୁପ ପରିଚାଳନା ହେବ ଏବଂ ସମସ୍ତ ଆଇଟି ଶାଖାର ମୁଖ୍ୟ ବିଜେପି ଜାତୀୟ ଆଇଟି ଶାଖା ମୁଖ୍ୟ ଅମିତ ମଲଭିୟାଙ୍କ ଅଧୀନରେ କାମ କରିବେ । ବିହାରରେ ପ୍ରାୟ ୫,୫୦୦ ମଣ୍ଡଳ, ୯,୫୦୦ ଶକ୍ତି କେନ୍ଦ୍ର ଏବଂ ୭୨ ହଜାର ବୁଥ୍ ରହିଛି । ପ୍ରତି ଶକ୍ତି କେନ୍ଦ୍ରରେ ୬-୭ଟି ବୁଥ୍ ରହିଛି । ପାରମ୍ପାରିକ ଢ଼ଙ୍ଗରେ ଆଉ ନିର୍ବାଚନୀ ପ୍ରଚାର ହୋଇପାରିବନି ବୋଲି ଜଣାପଡ଼ିବା ପରେ ବିଜେପି ନିଜର ଡିଜିଟାଲ ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବାରେ ଲାଗିପଡ଼ିଛି ।
Comments ସମସ୍ତ ମତାମତ