ମୁଖ୍ୟ ଖବର
ଭୁବନେଶ୍ୱର: ରାମମନ୍ଦିର ସ୍ଥାପନ ନିମନ୍ତେ ଭୂମି ପୂଜନ ପାଇଁ ପବିତ୍ର ପୁଷ୍କରିଣୀ ବିନ୍ଦୁ ସାଗରର ପାଣି ପଠାଯାଇଛି । ମା’ଜାଗେଶ୍ୱରୀ ଯୁବ ସଂଗଠନ ଏବଂ ଓଡ଼ିଶା ସ୍ୱାଭିମାନ ଓ ଭାରତ ରକ୍ଷା ମଞ୍ଚ ପକ୍ଷରୁ ଏକ ପାତ୍ରରେ ଏହି ପବିତ୍ର ତୀର୍ଥଜଳ ସ୍ପିଡ ପୋଷ୍ଟ ଜରିଆରେ ପଠାଯାଇଛି । ଅନନ୍ତ ବାସୁଦେବ ଘାଟରେ ଏକ ଯଜ୍ଞର ଆୟୋଜନ ପରେ ଏହି ତୀର୍ଥ ଜଳ କମଣ୍ଡଳରେ ସ୍ପିଡପୋଷ୍ଟ ମାଧ୍ୟମରେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟି ତଥା ମହନ୍ତ ନୃତ୍ୟଗୋପାଳ ଦାସଙ୍କ ନିକଟକୁ ପ୍ରେରଣ କରାଯାଇଛି । ସଂଗଠନର ସଭାପତି ପ୍ରଫୁଲ୍ଲ ସ୍ୱାଇଁ କହିଛନ୍ତି, ବିନ୍ଦୁସାଗର ଜଳ ସବୁଠୁ ପବିତ୍ର । ଏହା ସମସ୍ତ ପବିତ୍ର ଜଳାଶୟର ବୁନ୍ଦାବୁନ୍ଦା ଜଳରୁ ସୃଷ୍ଟି । ଏହି ଜଳ ଭୂମିପୂଜନ ବେଳେ ଦିଆଯିବା ଅର୍ଥ ସମଗ୍ର ଦେଶର ପବିତ୍ର ପୁଷ୍କରିଣୀ ଜଳ ବ୍ୟବହାର ହେବା ସାଙ୍ଗେ ସମାନ । ଏହି କାର୍ଯ୍ୟକ୍ରମରେ ପ୍ରଫୁଲ୍ଲଙ୍କ ସମେତ ଅନୀଲ ଧୀର, ରାଜେଶ ଅଗ୍ରୱାଲ ପ୍ରମୁଖ ସାମିଲ ହୋଇଥିଲେ । ଯଦିଓ ସଦସ୍ୟମାନେ ପ୍ରତ୍ୟକ୍ଷ ଭାବେ ଅଯୋଧ୍ୟାକୁ ଜଳ ନେଇ ଯିବାକୁ ଅନୁମତି ମାଗିଥିଲେ, ମାତ୍ର ଏଥିପାଇଁ ପ୍ରଶାସନ ଅନୁମତି ଦେଇନାହିଁ ।
Comments ସମସ୍ତ ମତାମତ