ମୁଖ୍ୟ ଖବର
ଭୁବନେଶ୍ୱର : କେନ୍ଦ୍ରାପଡ଼ା ଲୋକସଭା ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷା ପି୍ରୟଦର୍ଶିନୀଙ୍କ ବିବାଦ ନେଇ ମୁହଁ ଖୋଲିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ମୁଖ୍ୟମନ୍ତ୍ରୀଙ୍କୁ ଆହ୍ୱାନ କରି ଶ୍ରୀ ମହାପାତ୍ର କହିଛନ୍ତି କେନ୍ଦ୍ରାପଡ଼ା ମାଟି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ରାଜନୈତିକ କର୍ମଭୂମି ଥିଲା । ସେ ମାଟି କଳଙ୍କିତ ହୋଇଛି । କେନ୍ଦ୍ରାପଡ଼ାର ମାନ ସମ୍ମାନକୁ ବଜାୟ ରଖିବା ପାଇଁ ମୁଖ୍ୟମନ୍ତ୍ରୀ କଠୋର କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ।
ଗୁରୁବାର ଏକ ଭିଡିଓ ବାର୍ତ୍ତା କରି ଶ୍ରୀ ମହାପାତ୍ର ଅଭିଯୋଗ କରିଛନ୍ତି, କେନ୍ଦ୍ରାପଡ଼ା ଲୋକସଭା ସାଂସଦଙ୍କ କଳାକାରନାମା କେନ୍ଦ୍ରାପଡ଼ାବାସୀ ଓ ସର୍ବୋପରି ରାଜ୍ୟବାସୀଙ୍କ ମନରେ ଏପରି ଆଘାତ ଦେଇଛି ଯାହାକୁ ପ୍ରଶମନ କରିବା ବହୁତ କଷ୍ଟ । ସେ କହିଛନ୍ତି କେନ୍ଦ୍ରାପଡ଼ା ହେଉଛି ଏକ ପବିତ୍ର ମାଟି । ସ୍ୱର୍ଗତଃ ବିଜୁ ପଟ୍ଟନାୟକ, ସ୍ୱର୍ଗତ ରବି ରାୟ, ସ୍ୱର୍ଗତ ସୁରେନ୍ଦ୍ର ମହାନ୍ତି, ସ୍ୱର୍ଗତଃ ସୁରେନ୍ଦ୍ର ଦ୍ୱିବେଦୀଙ୍କ ସମେତ ଯେତେ ଜଣ ଏହି ଲୋକସଭା ନିର୍ବାଚନ ମଣ୍ଡଳୀର ସାଂସଦ ହୋଇଥିଲେ କାହା ସମ୍ପର୍କରେ ଏଭଳି ଆଲୋଚନା ହୋଇନଥିଲା । ଆଜି ସାଂସଦ ଶ୍ରୀ ମହାନ୍ତିଙ୍କ ଲାଗି ଏ ମାଟିରେ କଳାଦାଗ ଲାଗିଛି । କେନ୍ଦ୍ରାପଡ଼ାର ସ୍ୱାଭିମାନ ଓ ଗୌରବରେ କଳଙ୍କିତ ଅଧ୍ୟାୟ ଯୋଡ଼ି ହୋଇଯାଇଛି । ଦୀର୍ଘ ୪୦ ବର୍ଷ ଧରି ସେ ନିଜେ କେନ୍ଦ୍ରାପଡ଼ାର ରାଜନୀତିକୁ ଦେଖି ଆସିଛନ୍ତି । ଅତୀତରେ ଦକ୍ଷ ସାଂସଦଙ୍କ ପାଇଁ କେନ୍ଦ୍ରାପଡ଼ା ଅଞ୍ଚଳର ଲୋକେ ଗର୍ବ କରି ଆସୁଥିଲେ । ଆଜି ସେମାନଙ୍କ ମୁଣ୍ଡ ଲାଜରେ ତଳକୁ ହୋଇଯାଇଛି । ପାରିବାରିକ ସମସ୍ୟା ଭିନ୍ନ କଥା ହୋଇଥିଲେ ବି ରାଜନୈତିକ ସ୍ତରରେ ଲୋକେ ଆଦୌ ଏଭଳି ଘଟଣାକୁ ବରଦାସ୍ତ କରିବେ ନାହିଁ । ମୁଖ୍ୟମନ୍ତ୍ରୀ କୌଣସି ପ୍ରକାରେ ଏହି ଘଟଣାକୁ ହାଲୁକା ଭାବେ ଗ୍ରହଣ ନ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି ।
Comments ସମସ୍ତ ମତାମତ