ମୁଖ୍ୟ ଖବର
ଭୁବନେଶ୍ୱର: ରାଜ୍ୟରେ କୋଭିଡ ମୁକାବିଲା ନେଇ କେନ୍ଦ୍ର ସରକାରଙ୍କ ମାର୍ଗଦର୍ଶିକା ପାଳନ କରିବା ସହିତ ତାଙ୍କର ସାହାଯ୍ୟ ରାଜ୍ୟ ନେଉ ବୋଲି ବିଜେପି ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର ପତ୍ର ଲେଖି ଅନୁରୋଧ କରିଛନ୍ତି । ଶ୍ରୀ ବକ୍ସିପାତ୍ର ଚିଠିରେ ଦର୍ଶାଇଛନ୍ତି ଯେ ରାଜ୍ୟରେ କରୋନା ସ୍ଥିତି ସାଂଘାତିକ ଆଡ଼କୁ ଗତି କରିଛି । ଅପରପକ୍ଷରେ ଗଞ୍ଜାମ ଜିଲ୍ଲାରେ ମୌଳିକ ସ୍ୱାସ୍ଥ୍ୟସେବା ଓ ଚିକିତ୍ସା କ୍ଷେତ୍ରରେ ଆନୁସଙ୍ଗିକ ଭିତ୍ତିଭୂମି ବିକାଶ ହୋଇନାହିଁ । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କରୋନା ପ୍ରାରମ୍ଭରୁ ଅନେକ ଅବ୍ୟବସ୍ଥା ଲାଗି ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ପ୍ରତ୍ୟକ୍ଷ ଭାବେ ଏହି ସମ୍ପର୍କରେ କୌଣସି ପଦକ୍ଷେପ ଗ୍ରହଣ ନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।
ଗଞ୍ଜାମ ଜିଲ୍ଲା ଶ୍ରମ ଅର୍ଥନୀତିର ଏକ ବଡ଼ ପେଣ୍ଠସ୍ଥଳ ଏବଂ ଓଡ଼ିଶା ଅର୍ଥନୀତିର ମେରୁଦଣ୍ଡ । କିନ୍ତୁ କରୋନା ନିୟନ୍ତ୍ରଣ ଓ ପରିଚାଳନା ତ୍ରୁଟି ଯୋଗୁଁ ଏହି ମାନବ ସମ୍ବଳ ଶକ୍ତିର ମୃତୁ୍ୟ ଘଟିବାରେ ଲାଗିଛି । ଗଞ୍ଜାମ ଜିଲ୍ଲାରେ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ ସାହାଯ୍ୟ ଓ ହସ୍ତକ୍ଷେପ ଲୋଡ଼ିବା ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି । ସେ କହିଛନ୍ତି ଯେ, ପ୍ରବାସରେ ଥିବା ଗଞ୍ଜାମ ଜିଲ୍ଲାରେ ଶ୍ରମିକମାନେ ଯେବେ ଫେରିବା ଆରମ୍ଭ କଲେ ସେହି ସମୟରେ ଜିଲ୍ଲା ପ୍ରଶାସନିକ ଅଧିକାରୀ ମାନଙ୍କ ମଧ୍ୟରେ ସମନ୍ୱୟ କିମ୍ବା ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ସମ୍ପୃକ୍ତି ରହିବା କାରଣରୁ ଦିନକୁ ଦିନ କରୋନା ସ୍ଥିତି ଭୟାବହ ହେବାରେ ଲାଗିଛି । ଅପରପକ୍ଷରେ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ଔଷଧ, ଡାକ୍ତରଖାନା, ସଙ୍ଗରୋଧ କେନ୍ଦ୍ର ପରିଚାଳନା, ଆମ୍ବୁଲାନ୍ସ ସଂଖ୍ୟା ଓ ପରିଚାଳନା, କରୋନା ଯୋଦ୍ଧା ମାନଙ୍କ ସୁରକ୍ଷା, ରୋଗୀମାନଙ୍କୁ ରିପୋର୍ଟ ଦେବା, କୋଭିଡ ଚିକିତ୍ସାଳୟରେ ଶଯ୍ୟା ଅଭାବି କଥା ଭେଣ୍ଟିଲେଟର, ଆଇ.ସି.ୟୁର ସଂଖ୍ୟାରେ ବୃଦ୍ଧି, ଅଧିକ କୋଭିଡ ପରୀକ୍ଷଣ, ପ୍ଲାଜମା ଉପଚାର ମାଧ୍ୟମରେ ଚିକିତ୍ସା, ଲକଡାଉନ, ସଟଡାଉନ, ସାଧାରଣ ସ୍ଥାନର ବିଶୋଧନ କରାଯିବ ସହିତ କରୋନା ନିୟନ୍ତ୍ରଣରେ କ୍ଷେତ୍ରରେ ପଦକ୍ଷେପ ନେବା ଏବଂ ଏହାର ପରିଚାଳନାରେ ମାତ୍ରାଧିକ ଦୁର୍ବଳତା ରହିଥିବାର ପ୍ରମାଣ ରହିଛି ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି ।
Comments ସମସ୍ତ ମତାମତ