ମୁଖ୍ୟ ଖବର
ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲା ବାଲିଆପାଳ ପରେ ସାମ୍ନାକୁ ଆସିଲା ଆଉ ଜଣେ ବିଡିଓଙ୍କ କାରନାମା । ପ୍ରବାସୀ ମହିଳା ଶ୍ରମିକଙ୍କୁ ଅନୁଗୁଳ ଜିଲ୍ଲା ଅନ୍ତର୍ଗତ ଛେଣ୍ଡିପଦା ବିଡିଓ ଅଶାଳୀନ ବ୍ୟବହାର କରିଥିବା ଜଣାଯାଇଛି । ବିଡିଓଙ୍କ ଅଶାଳୀନ ବ୍ୟବହାର ସମ୍ପର୍କିତ ଅଡିଓ ଭାଇରାଲ ହେବା ପରେ ହଇଚଇ ସୃଷ୍ଟି ହୋଇଛି ।
ପ୍ରକାଶ ଯେ, ଭୁବନେଶ୍ୱରରେ ପହଞ୍ଚିବା ପରେ କିଛି ଶ୍ରମିକଙ୍କୁ ଗତକାଲି ଅନୁଗୁଳକୁ ଅଣାଯାଇଥିଲା । ବଅଁରପାଳ ଓ ତାଳଚେରର କିଛି ମହିଳା ଶ୍ରମିକଙ୍କୁ ଛେଣ୍ଡିପଦାରେ ରଖାଯାଇଥିଲା । ପ୍ରଶାସନ ପକ୍ଷରୁ ସେମାନଙ୍କୁ ଛେଣ୍ଡିପଦା ବ୍ଲକ ବରପଦା ସ୍କୁଲରେ ରଖିବା ପାଇଁ ବ୍ୟବସ୍ଥା କରାଯାଇଥିଲା । ତେବେ ନିଜ ବ୍ଲକ ହୋଇନଥିବାରୁ ମହିଳା ଶ୍ରମିକମାନେ ଏନେଇ ଅସନ୍ତୋଷ ପ୍ରକାଶ କରିଥିଲେ । ଏହାକୁ ନେଇ ସେମାନେ ବିଡିଓଙ୍କୁ ଫୋନ କରିଥିଲେ । ଏହି ସମୟରେ କଥା କଟାକଟି ହୋଇଥିଲା । ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କବେଳେ ବିଡିଓ ମହିଳାମାନଙ୍କୁ ଅଶାଳୀନ ଶବ୍ଦ ପ୍ରୟୋଗ କରିଥିଲେ ।
ଏହାକୁ ନେଇ ଛେଣ୍ଡିପଦା ବିଡିଓ ସୁନୀଲ କେର୍କେଟା ନିଜ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଝିଅମାନଙ୍କ ପାଇଁ ଅଲଗା ବ୍ୟବସ୍ଥା ହୋଇଛି । ସେଠାରେ ସମସ୍ତଙ୍କୁ ରଖାଯାଇଥିଲା । ସେମାନେ ଜିଦ କରି ନିଜ ବ୍ଲକକୁ ଯିବାକୁ କହିବାରୁ କଥା କଟାକଟି ହୋଇଥିଲା । କଥା କହିଲା ବେଳେ କଣ ବାହାରି ଯାଇଥିବ । ଦୁଃଖ କାହିଁକି ପ୍ରକାଶ କରିବି ବୋଲି ସେ କହିଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଗତକାଲି ବାଲିଆପାଳରେ ବିଡିଓ ପ୍ରବାସୀ ଶ୍ରମିକଙ୍କ ଉଦେ୍ଧଶ୍ୟରେ କଟୁ ଶବ୍ଦ ବ୍ୟବହାର କରିଥିଲେ ।
ବୁଧବାର ସକାଳେ ଗୁଜୁରାଟର ସୁରେନ୍ଦ୍ରନଗରରୁ ଟ୍ରେନ୍ ଯୋଗେ ବାଲେଶ୍ୱର ଆସି ସେଠାରୁ ବସରେ ବାଲିଆପାଳ ବ୍ଲକକୁ ଆସିଥିଲେ କିଛି ପ୍ରବାସୀ ଶ୍ରମିକ। ବ୍ଳକ ପକ୍ଷରୁ ସେଠାରେ ସମସ୍ତଙ୍କର ନାମ ପଞ୍ଜୀକରଣ ସହ ନିଜ ନିଜ ପଞ୍ଚାୟତର ସଙ୍ଗରୋଧ କେନ୍ଦ୍ରକୁ ପଠାଯିବା ଲାଗି ବ୍ୟବସ୍ଥା ହୋଇଥିଲା।
ଏଥିପାଇଁ ଆନୁସଙ୍ଗିକ କାଗଜପତ୍ର କାମ ପାଇଁ ଅପେକ୍ଷା କରିବାକୁ କୁହାଯିବା ପରେ ଶ୍ରମିକମାନେ ମଧ୍ୟାହ୍ନ ସାଢେ ଗୋଟାଏରୁ ବ୍ଳକ ଫାଟକ ସମ୍ମୁଖରେ ଦୀର୍ଘ ସମୟ ଧରି ପ୍ରବଳ ଖରାରେ ଅପେକ୍ଷା କରିଥିଲେ। ତେବେ ବହୁ ସମୟ ପରେ ମଧ୍ୟ କେହି ନ ଆସିବାରୁ ଭୋକଶୋଷରେ ଛିଡ଼ା ହୋଇଥିବା ଶ୍ରମିକମାନଙ୍କର ଧୈର୍ୟ୍ୟଚ୍ୟୁତି ଘଟିଥିଲା। ଆଉ କେତେ ସମୟ ଖରାରେ ଠିଆ ହେବୁ ବୋଲି ପଚାରିବାରୁ ଚିହିଁକି ଉଠିଥିଲେ ବାଲିଆପାଳ ବିଡିଓ ଛବିରାଣୀ ସାହୁ ।
ସେମାନଙ୍କୁ ଗାଳିଗୁଲଜ କରିବା ସହ ମୁଁ ଜଣେ ଓଏଏସ୍ ଅଫିସର। ତମ ଭଳି ଦାଦନ ଶ୍ରମିକ ନୁହଁ। ବାହାରୁ ଆସି ଆମକୁ ହଇରାଣ କରୁଛ, ସେଥିରେ ପୁଣି ଅଧିକ କଥା କହୁଛ। ଚୁପଟ୍ଟ ପୂରା ଚୁପ୍ ।। ତମ ଚଉଦ ପୁରଷ ଏଠାରେ ଛିଡା ହେବେ ବୋଲି କହିଥିଲେ। ଦୁଇ ଦିନ ହେଲା ଟ୍ରେନରେ କିଛି ଖାଇନଥିବା ଓ ପ୍ରବଳ ଖରାରେ ପାଣି ଟୋପାଏ ପାଇଁ ଡହଳବିକଳ ହେଉଥିବା ଏହି ଶ୍ରମିକମାନେ ମୁଣ୍ଡକାନ ଆଉଁସି ଚୁପ୍ ରହିବାକୁ ବାଧ୍ୟ ହୋଇଥିଲେ।
Comments ସମସ୍ତ ମତାମତ