Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ବାରବାଟୀ ଦିନିକିଆ: ଟିକଟ ସଂଖ୍ୟା କମିବ

    Share on :
    ajab-Image
    Date: Nov 6, 2019    Views: 154

    କଟକ: ବାରବାଟୀ ଷ୍ଟାଡିୟମରେ ଆସନ୍ତା ଡିସେମ୍ବର ୨୨ ତାରିଖରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯିବାକୁ ଥିବା ଆନ୍ତର୍ଜାତିକ ଦିନିକିଆ ଟିକଟ ସଂଖ୍ୟାରେ ହ୍ରାସ ପାଇବ । ଷ୍ଟାଡିୟମର ସର୍ବ ପୁରାତନ ଗ୍ୟାଲେରିର ଅବସ୍ଥା ଏବେ ସଙ୍କଟାପନ୍ନ ଥିବାରୁ ଏହାର ଟିକଟଗୁଡ଼ିକ ବିକ୍ରି ହେବା ନେଇ ଆଶଙ୍କା ଦେଖାଦେଇଛି । ତେଣୁ ପ୍ରଥମେ ସରକାରୀ ଏଜେନ୍ସି ଯନ୍ତ୍ରୀ ଦଳ ଏହି ଗ୍ୟାଲେରି ଅନୁଧ୍ୟାନ କରିବାକୁ ଅନୁରୋଧ କରାଯିବ ଏବଂ ଯନ୍ତ୍ରୀଙ୍କ ରିପୋର୍ଟ ଉପରେ ଗ୍ୟାଲେରି ଭବିଷ୍ୟତ ନିର୍ଭର କରିବ । ଗ୍ୟାଲେରିର ମରାମତି ନିହାତି ଆବଶ୍ୟକ ହେଉଥିଲେ ବି ଆନ୍ତର୍ଜାତିକ ଦିନିକିଆ ପୂର୍ବରୁ ଏହା ବ୍ୟବହାର ଯୋଗ୍ୟ କି ନୁହେଁ ତାହା ଜାଣିବା ଜରୁରୀ । ଯଦି ଏହା ବିବଦସଙ୍କୁଳ ବୋଲି ରିପୋର୍ଟ ଆସେ, ତାହେଲେ ୭ ନମ୍ବର ଗ୍ୟାଲେରିର ଟିକଟ ବିକ୍ରି ବାତିଲ କରାଯିବ ବୋଲି ଓସିଏ ସମ୍ପାଦକ ସଂଜୟ ବେହେରା ସୂଚନା ଦେଇଛନ୍ତି ।

    ବାରବାଟୀ ଷ୍ଟାଡିୟମ ଆରମ୍ଭ ହେବା ଦିନଠୁ ପ୍ରଥମେ ଆଜବେଷ୍ଟସ୍ ଗ୍ୟାଲେରି ରହିଥିଲା । କିନ୍ତୁ ଡକ୍ଟର ହରେକୃଷ୍ଣ ମହତାବ ଓ ବସନ୍ତ ବିଶ୍ୱାଳ ଅଲିମ୍ପିକ ସଂଘର ସଭାପତି ଓ ସମ୍ପାଦକ ଥିବା ବେଳେ ତକ୍ରାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଦ୍ୱାରା ୧୯୮୭-୮୮ ମସିହାରେ ଏହି ଗ୍ୟାଲେରିର ଉଦଘାଟନ କରାଯାଇଥିଲା । ଏହାପରଠୁ ପର୍ଯ୍ୟାୟକ୍ରମେ ଅନ୍ୟ ଗ୍ୟାଲେରିଗୁଡ଼ିକର ନିର୍ମାଣ କରାଯାଇଥିଲା । ଏଥିପୂର୍ବରୁ ଷ୍ଟାଡିୟମରେ ୪ଟି ଗ୍ୟାଲେରି ରହିଥିଲା । କିନ୍ତୁ ଉକ୍ତ ନୂଆ ଗ୍ୟାଲେରି ନିର୍ମାଣ ହେବା ପରେ ଏହାକୁ ୫ ନମ୍ବର ଗ୍ୟାଲେରି କୁହାଗଲା । ପରବର୍ତ୍ତୀ ସମୟରେ ୧ ନମ୍ବର ଓ ୨ ନମ୍ବର ଗ୍ୟାଲେରି ଉପରେ ୨୦୧୨ ମସିହା ବେଳକୁ ନୂଆ ଗ୍ୟାଲେରି ନିର୍ମାଣ ହେବା ପରେ ସମସ୍ତ ଗ୍ୟାଲେରିଗୁଡ଼ିକର ସଂଖ୍ୟାରେ ପରିବର୍ତ୍ତନ କରାଯାଇଥିଲା ଓ ଉକ୍ତ ଗ୍ୟାଲେରି ୭ ନମ୍ବରର ଭାବେ ପରିଗଣିତ ହେଲା ।
    ତେବେ ୭ ନମ୍ବର ଗ୍ୟାଲେରି ନିର୍ମାଣ ହେବା ପରଠୁ ଏହାର ଆଉ ମରାମତି ହୋଇନଥିଲା । ଗତ କିଛି ମାସ ଧରି ଗ୍ୟାଲେରିରୁ କଂକ୍ରିଟ ଛେଲା ଖସୁଥିବା ଲକ୍ଷ୍ୟ କରାଯାଇ ଆସୁଛି । ଅଲିମ୍ପିକ ସଂଘଠୁ ଲିଜରେ ବାରବାଟୀ ଷ୍ଟାଡିୟମକୁ ଓଡ଼ିଶା କ୍ରିକେଟ ସଂଘ ନେଇଥିବାରୁ ଗ୍ୟାଲେରିର ମରାମତି ଦାୟିତ୍ୱ ମଧ୍ୟ ଓସିଏ ବହନ କରିବ । କିନ୍ତୁ ଗତ ତିନିବର୍ଷ ଧରି ପାଣ୍ଠି ଅଭାବ କାରଣରୁ ମରାମତି କରାଯାଇପାରିନାହିଁ । ହେଲେ ଆନ୍ତର୍ଜାତିକ ଦିନିକିଆ ପାଇଁ ଘୋଷଣା ହେବା ପରଠୁ ଷ୍ଟାଡିୟମର ଯାଞ୍ଚ କରାଯିବା ବେଳେ ଗ୍ୟାଲେରିର ଦୂରାବସ୍ଥା ସାମ୍ନାକୁ ଆସିଥିଲା । ଏପରିକି ଗତ "ଫନି' ବାତ୍ୟା ବେଳେ ଗ୍ୟାଲେରିର କିଛି ଅଂଶ କ୍ଷତି ହୋଇଥିବା ଲକ୍ଷ୍ୟ କରାଯାଇଥିଲା । କିନ୍ତୁ ମରାମତି ପାଇଁ ପାଣ୍ଠି ନଥିବାରୁ ସମସ୍ତେ ହାତ ବାନ୍ଧି ବସିଥିଲେ । ଏବେ ହାତରେ ଆଉ ଦେଢ଼ ମାସ ସମୟ ଥିବାରୁ ଏହି ସମୟ ମଧ୍ୟରେ ଗ୍ୟାଲେରି ମରାମତି ସମ୍ଭବ ନୁହେଁ । ତଥାପି ଯନ୍ତ୍ରୀଙ୍କ ରିପୋର୍ଟରେ ଯଦି ଏହା ବ୍ୟବହାର ଯୋଗ୍ୟ ହୁଏ, ତାହେଲେ ସର୍ବନିମ୍ନ ମରାମତି କରାଯାଇ ମ୍ୟାଚ୍ ପାଇଁ ଟିକଟ ବିକ୍ରି ହୋଇପାରେ । କିନ୍ତୁ ଏହା ବିପଦସଙ୍କୁଳ ବୋଲି ରିପୋର୍ଟ ଆସିଲେ ଦର୍ଶକଙ୍କ ସୁରକ୍ଷା ଦୃଷ୍ଟିରୁ ଟିକଟ ବିକ୍ରି କରାଯାଇନପାରେ ବୋଲି କୁହାଯାଇଛି ।
    ସୂଚନାଯୋଗ୍ୟ, ୭ ନମ୍ବର ଗ୍ୟାଲେରିର କ୍ଷମତା ୪୮୦୦ । ବାରବାଟୀ ଷ୍ଟାଡିୟମରେ ୫୫୦୦୦ ଦର୍ଶକଙ୍କ ପାଇଁ ବସିବା ବ୍ୟବସ୍ଥା ଥିବାବେଳେ, ଯଦି ଉକ୍ତ ଗ୍ୟାଲେରି ଟିକଟ ବିକ୍ରି ନହୁଏ ତାହେଲ ଦର୍ଶକଙ୍କ ସଂଖ୍ୟା ୫୦ ହଜାରକୁ ଖସିଯିବା ସମ୍ଭାବନା ରହିଛି । ତଥାପି ଯାହା କ୍ଷତି ହେଲେ ହେଉ ପଛେ ଦର୍ଶକଙ୍କ ସୁରକ୍ଷା ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯିବ, ଆବଶ୍ୟକ ହେଲ ଏହି ଗ୍ୟାଲେରି ବନ୍ଦ କରି ଦିଆଯିବ ବୋଲି ସଂଜୟ କହିଛନ୍ତି ।

    Maximum 500 characters

    ଖେଳ ଖବର View all

    Find Us on Facebook