Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଅଯୋଧ୍ୟା ବିବାଦ ମାମଲାର ସମ୍ପୂର୍ଣ୍ଣ ଘଟଣାବଳୀ

    Share on :
    ajab-Image
    Date: Nov 9, 2019    Views: 1313

    ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ ଅଯୋଧ୍ୟା ବିବାଦ ମାମଲାର ରାୟ ଶନିବାର ପ୍ରକାଶ ପାଇଛି। ସୁପ୍ରିମକୋର୍ଟଙ୍କ ଦ୍ବାରା ପ୍ରଦତ୍ତ ରାୟକୁ ଦେଶବାସୀ ଉତ୍ସୁକତାର ସହିତ ଅପେକ୍ଷା କରିଥିଲେ। ନଭେମ୍ବର ୧୭ରେ ରାୟ ଶୁଣାଣି ହେବ ବୋଲି ପୂର୍ବରୁ ସୁପ୍ରିମକୋର୍ଟ ଦିନ ଧାର୍ୟ୍ୟ କରିଥିଲେ। କିନ୍ତୁ ହଠାତ୍‌ ଧାର୍ୟ୍ୟ ତାରିଖ ପରିବର୍ତ୍ତନ କରାଯାଇ ନଭେମ୍ବର ୯ ଶନିବାର ରାୟ ଘୋଷଣା କରଯିବ ବୋଲି ନିଷ୍ପତ୍ତି ନେଇଥିଲେ। ତେବେ ଦେଶର ସବୁଠାରୁ ପୁରାତନ ଜମି ବିବାଦ ମାମଲାର ଆଦ୍ୟ କେଉଁଠୁ ହୋଇଥିଲା ଏବଂ ପର୍ୟ୍ୟାୟକ୍ରମେ ଏହି ମାମଲା କେଉଁ ଦିଗରେ ଯାଇଥିଲା ତାହାର ସମ୍ପୂର୍ଣ୍ଣ ଘଟଣାବଳୀ ନିମ୍ନରେ ଦିଆଗଲା।

    ୧୫୨୮: ଅଯୋଧ୍ୟାରେ ଏକ ଏପରି ସ୍ଥଳରେ ମସଜିଦ ନିର୍ମାଣ କରାଗଲା, ଯାହାକୁ ଅନେକ ହିନ୍ଦୁ ଭଗବାନ ଶ୍ରୀରାମଙ୍କ ଜନ୍ମ ସ୍ଥାନ ବୋଲି ବିବେଚନା କରନ୍ତି।
    ୧୮୫୩: ପ୍ରଥମଥର ପାଇଁ ଏହି ସ୍ଥଳରେ ସାଂପ୍ରଦାୟିକ ଦଙ୍ଗା ହୋଇଥିଲା। ଅନୁମାନ କରାଯାଏ ମୋଗଲ ସମ୍ରାଟ ବାବର ଏହି ମସଜିଦ ନିର୍ମାଣ କରିଥିଲେ, ଯେଉଁଥିପାଇଁ ଏହାକୁ ବାବ୍ରୀ ମସଜିଦ ବୋଲି କୁହାଯାଏ।

    ୧୮୫୯: ବ୍ରିଟିସ ଶାସକ ଏହି ବିବାଦୀୟ ସ୍ଥଳରେ ପ୍ରାଚୀର ନିର୍ମାଣ କରିଦେଲେ। ପରିସରର ଭିତର ଅଂଶକୁ ମୁସଲମାନମାନଙ୍କୁ ଏବଂ ବାହାର ଅଂଶକୁ ହିନ୍ଦୁମାନଙ୍କୁ ପ୍ରାର୍ଥନା କରିବାକୁ ଅନୁମତି ଦେଲେ।

    ୧୯୪୯: ମସଜିଦରୁ ମିଳିଲା ଭଗବାନଙ୍କ ରାମଙ୍କ ମୂର୍ତ୍ତି। କେତେଜଣ ହିନ୍ଦୁ ଏହି ମୂର୍ତ୍ତି ନେଇ ମସଜିଦରେ ରଖିଥିବା କୁହାଯାଇଥିଲା। ମୁସଲମାନମାନେ ଏହାକୁ ବିରୋଧ କରିଥିଲେ। ଏହାପରେ ଉଭୟ ପକ୍ଷରୁ କୋର୍ଟରେ ମାମଲା ଦାୟର କରାଯାଇଥିଲା। ସରକାର ଉକ୍ତ ସ୍ଥଳକୁ ବିବାଦୀୟ ଘୋଷଣା କରି ସେଠାରେ ତାଲା ପକାଇଥିଲେ।

    ୧୯୮୪: ଭଗବାନ ରାମଙ୍କ ସ୍ଥଳକୁ ମୁକ୍ତ କରି ରାମ ମନ୍ଦିର ନିର୍ମାଣ ଲାଗି କିଛି ହିନ୍ଦୁ ବିଶ୍ୱ ହିନ୍ଦୁ ପରିଷଦ ନେତୃତ୍ୱରେ ଏକ ସମିତି ଗଠନ କଲେ। ପରେ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ ଏହାର ନେତୃତ୍ୱ ନେଇଥିଲେ।

    ୧୯୮୬: ହିନ୍ଦୁମାନଙ୍କୁ ପ୍ରର୍ଥନା କରିବା ଲାଗି ଜିଲା ମାଜିଷ୍ଟ୍ରେଟ ବିବାଦୀୟ ମସଜିଦରୁ ତାଲା ଖୋଲିଥିଲେ। ଏହାକୁ ବିରୋଧ କରି ମୁସଲମାନଙ୍କ ପକ୍ଷରୁ ବାବ୍ରୀ ମସଜିଦ ସଂଘର୍ଷ ସମିତି ଗଠନ କରାଯାଇଥିଲା।

    ୧୯୯୦: ବିଶ୍ୱ ହିନ୍ଦୁ ପରିଷଦର କାର୍ୟ୍ୟକର୍ତ୍ତାମାନେ ବାବ୍ରୀ ମସଜିଦର କିଛି ଅଂଶକୁ ଭାଙ୍ଗିବାକୁ ଉଦ୍ୟମ କରିଥିଲେ। ତତ୍କାଳୀନ ପ୍ରଧାନମନ୍ତ୍ରୀ ଆଲୋଚନା ଜରିଆରେ ବିବାଦର ସମାଧାନ କରିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ।

    ୧୯୯୨: ବିଶ୍ୱ ହିନ୍ଦୁ ପରିଷଦ, ଶିବ ସେନା ଏବଂ ବିଜେପି କାର୍ୟ୍ୟକର୍ତ୍ତାମାନେ ଡିସେମ୍ବର ୬ରେ ବାବ୍ରୀ ମସଜିଦକୁ ଭାଙ୍ଗିଦେଇଥିଲେ। ଏହାପରେ ଦେଶବ୍ୟାପୀ ହିନ୍ଦୁ ଏବଂ ମୁସଲମାନଙ୍କ ମଧ୍ୟରେ ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି ହୋଇଥିଲା, ଯେଉଁଥିରେ ୨୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା।

    ୧୯୯୮: ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ଵରେ ବିଜେପି ସରକାର ଗଠନ କଲା।

    ୨୦୦୧: ବାବ୍ରୀ ମସଜିଦ ଭଙ୍ଗାଯିବାର ବର୍ଷପୂର୍ତ୍ତି ଅବସରରେ ଉତ୍ତେଜନା ବୃଦ୍ଧି ପାଇଥିଲା ଏବଂ ବିଶ୍ଵ ହିନ୍ଦୁ ପରିଷଦ ବିବାଦୀୟ ସ୍ଥାନରେ ରାମ ମନ୍ଦିର ନିର୍ମାଣ କରିବାକୁ ନିଜର ସଙ୍କଳ୍ପ ଦୋହରାଇଲା।

    ୨୦୦୨: ଅଯୋଧ୍ୟା ବିବାଦର ସମାଧାନ ଲାଗି ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଜାନୁୟାରୀ ମାସରେ ଅଯୋଧ୍ୟା ସମିତି ଗଠନ କଲେ।

    ୨୦୦୨ ଫେବୃୟାରୀ: ବିଜେପି ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ନିଜର ଇସ୍ତାହାରରେ ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗକୁ ସାମିଲ କରିବାକୁ ମନା କରିଦେଲା। ବିଶ୍ଵ ହିନ୍ଦୁ ପରିଷଦ ମାର୍ଚ୍ଚ ୧୫ରୁ ରାମ ମନ୍ଦିର ନିର୍ମାଣ କାର୍ୟ୍ୟ ଆରମ୍ଭ କରିବ ବୋଲି ଘୋଷଣା କଲା। ଶତାଧିକ ହିନ୍ଦୁ କାର୍ୟ୍ୟକର୍ତ୍ତା ଅଯୋଧ୍ୟାରେ ଏକାଠି ହୋଇଥିଲେ। ସେମାନେ ଅଯୋଧ୍ୟାରୁ ଟ୍ରେନରେ ଫେରିବା ସମୟରେ ଗୁଜରାଟର ଗୋଧ୍ରାଠାରେ ସେମାନଙ୍କୁ ଆକ୍ରମଣ କରାଯାଇଥିଲା, ଯେଉଁଥିରେ ୫୮ ଜଣ ପ୍ରାଣ ହରାଇଥିଲେ।

    ୨୦୦୨ ମାର୍ଚ୍ଚ ୧୩: ଅଯୋଧ୍ୟାରେ ଶୀଳା ପୂଜନ ପାଇଁ କାହାକୁ ବି ସରକାରଙ୍କ ଦ୍ବାରା ଅନୁମତି ଦିଆଯାଇ ପାରିବ ନାହିଁ ବୋଲି ସୁପ୍ରିମକୋର୍ଟଙ୍କ ନିର୍ଦେଶ।

    ୨୦୦୨ ଜୁନ ୨୨: ମନ୍ଦିର ନିର୍ମାଣ ପାଇଁ ବିଶ୍ବ ହିନ୍ଦୁ ପରିଷଦ ବିବାଦୀୟ ଜମିକୁ ହସ୍ତାନ୍ତରଣ ପାଇଁ ଦାବି ଉଠାଇଲା।

    ୨୦୦୩ ମାର୍ଚ୍ଚ: ବିବାଦୀୟ ସ୍ଥଳରେ ପୂଜାପାଠ କରିବାକୁ ଅନୁମତି ଦେବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ହୋଇଥିବା ଅନୁରୋଧକୁ ସୁପ୍ରିମକୋର୍ଟ ଖାରଜ କଲେ।

    ୨୦୦୩ ଏପ୍ରିଲ: ଆଲ୍ଲାହାବାଦ ହାଇକୋର୍ଟଙ୍କ ନିର୍ଦେଶ ମୁତାବକ ପ୍ରତ୍ନତତ୍ତ୍ଵ ବିଭାଗ ପକ୍ଷରୁ ବିବାଦୀୟ ସ୍ଥଳରେ ଖନନ ଆରମ୍ଭ। ଜୁନରେ ଖନନ ସରିବା ପରେ ସେଠାରୁ ମନ୍ଦିରର କିଛି ଅବଶେଷ ମିଳିଥିବା ରିପୋର୍ଟ ଆସିଲା।

    ୨୦୦୩ ମେ: ୧୯୯୨ରେ ଅଯୋଧ୍ୟାରେ ବାବ୍ରି ମସଜିଦ ଭଙ୍ଗାଯିବା ମାମଲାରେ ସିବିଆଇ ଲାଲକୃଷ୍ଣ ଆଡୱାଣୀଙ୍କ ସମେତ ୮ ଜଣଙ୍କ ବିରୋଧରେ ସପ୍ଲିମେଣ୍ଟାରୀ ଚାର୍ଜଶିଟ୍‌ ଦାଖଲ କଲା।

    ୨୦୦୩ ଜୁନ: କାଞ୍ଚି ପୀଠର ଶଙ୍କରାଚାର୍ୟ୍ୟ ଜୟେନ୍ଦ୍ର ସରସ୍ବତୀ ମାମଲାର ସମାଧାନ ପାଇଁ ମଧ୍ୟସ୍ଥତା କଲେ ଏବଂ ଜୁଲାଇ ସୁଦ୍ଧା ପ୍ରସଙ୍ଗର ସମାଧାନ ହେବ ବୋଲି ଆଶା କରାଗଲା, କିନ୍ତୁ ଏଭଳି କିଛି ହେଲାନାହିଁ।

    ୨୦୦୪ ଏପ୍ରିଲ: ଲାଲକୃଷ୍ଣ ଆଡୱାଣୀ ଅଯୋଧ୍ୟାରେ ଅସ୍ଥାୟୀ ରାମମନ୍ଦିରରେ ପୂଜାର୍ଚ୍ଚନା କଲେ ଏବଂ କହିଲେ ଯେ ନିଶ୍ଚିତ ରୂପେ ମନ୍ଦିର ନିର୍ମାଣ କରାଯିବ।

    ୨୦୦୫ ଜାନୁୟାରୀ: ବାବ୍ରୀ ମସଜିଦ ଭଙ୍ଗା ମାମଲାରେ ଲାଲକୃଷ୍ଣ ଆଡୱାଣୀଙ୍କୁ କୋର୍ଟଙ୍କ ସମନ ଜାରି।

    ୨୦୦୫ ଜୁଲାଇ: ବିବାଦୀୟ ସ୍ଥଳ ପରିସରରେ ୫ ସଶସ୍ତ୍ର ଆତଙ୍କବାଦୀଙ୍କ ଆକ୍ରମଣ କଲେ। ଯେଉଁମାନେ ପରେ ସୁରକ୍ଷାକର୍ମୀଙ୍କ ଦ୍ବାରା ନିହତ ହୋଇଥିଲେ। ଏଥିରେ ୬ ଜଣ ଲୋକ ପ୍ରାଣ ହରାଇଥିଲେ।

    ୨୦୦୫ ଜୁଲାଇ ୬: ବାବ୍ରୀ ମସଜିତ ଭଙ୍ଗାଯିବା ସମୟରେ ଉତ୍ତେଜନାପୂର୍ଣ୍ଣ ଭାଷଣ ଦେବା ମାମଲାରେ ଛାଡ଼ ପାଇଥିବା ବିଜେପି ନେତା ଲାଲକୃଷ୍ଣ ଆଡୱାଣୀଙ୍କୁ ପୁଣି ସାମିଲ କରିବାକୁ ଆଲାହାବାଦ ହାଇକୋର୍ଟ ଆଦେଶ ଦେଲେ।

    ୨୦୦୬ ଏପ୍ରିଲ ୨୦: କଂଗ୍ରେସ ନେତୃତ୍ଵାଧୀନ ଉପା ସରକାର ଲିବରହାନ କମିଟି ସମ୍ମୁଖରେ ଲିଖିତ ଅଭିଯୋଗ କରି ବାବ୍ରୀ ମସଜିଦ ଭଙ୍ଗାଯିବା ଘଟଣା ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ଥିଲା ଏବଂ ଏଥିରେ ବିଜେପି, ଆରଏସଏସ,  ବଜରଙ୍ଗ ଦଳ ଏବଂ ଶିବସେନାର ହାତ ଥିଲା।

    ୨୦୦୭ ମାର୍ଚ୍ଚ ୧୯: କଂଗ୍ରେସ ଏମପି ରାହୁଲ ଗାନ୍ଧୀ ନିର୍ବାଚନୀ ଗସ୍ତ ସମୟରେ କହିଲେ ଯେ, ଯଦି ନେହେରୁ-ଗାନ୍ଧୀ ପରିବାରର କୌଣସି ସଦସ୍ୟ ପ୍ରଧାନମନ୍ତ୍ରୀ ହୋଇଥାନ୍ତେ, ତେବେ ବାବ୍ରୀ ମସଜିଦ ଭାଙ୍ଗି ନ ଥାନ୍ତା। ରାହୁଲଙ୍କ ଏପରି ମନ୍ତବ୍ୟକୁ କଡ଼ା ବିରୋଧ ହୋଇଥିଲା।

    ୨୦୦୯ ଜୁନ ୩୦: ବାବ୍ରୀ ମସଜିଦ ଭଙ୍ଗାଯିବା ମାମଲାର ତଦନ୍ତ ପାଇଁ ଗଠିତ ଲିବରହାନ କମିଟି ୧୭ ବର୍ଷ ପରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ତଦନ୍ତ ରିପୋର୍ଟ ପ୍ରଦାନ କରିଥିଲେ।

    ୨୦୦୯ ଜୁଲାଇ ୭: ଅଯୋଧ୍ୟା ବିବାଦ ସହିତ ଜଡ଼ିତ ୨୩ଟି ଗୁରୁତ୍ଵପୂର୍ଣ୍ଣ ଫାଇଲ ସଚିବାଳୟରୁ ଗାଏବ ହୋଇଯାଇଥିବା ଉତ୍ତର ପ୍ରଦେଶ ସରକାର ସ୍ବୀକାର କଲେ।

    ୨୦୦୯ ନଭେମ୍ବର ୨୪: ଲିବରହାନ କମିଟି ରିପୋର୍ଟ ସଂସଦର ଉଭୟ ସଦନରେ ଉପସ୍ଥାପନ କରାଗଲା। କମିଟି ଅଟଳ ବିହାରୀ ବାଜପେୟୀ ଏବଂ ଗଣମାଧ୍ୟମକୁ ରିପୋର୍ଟରେ ଦୋଷୀ ଦର୍ଶାଇଥିଲେ।

    ୨୦୧୦ ମେ ୨୦: ବାବ୍ରୀ ମସଜିଦ ଭଙ୍ଗା ମାମଲାରେ ଲାଲକୃଷ୍ଣ ଆଡୱାଣୀ ଏବଂ ଅନ୍ୟ ନେତାଙ୍କ ବିରୋଧରେ ଆପରାଧିକ ମାମଲା ଚଳାଇବାକୁ ହୋଇଥିବା ଆବେଦନ ହାଇକୋର୍ଟରେ ଖାରଜ।

    ୨୦୧୦ ଜୁଲାଇ ୨୬: ଆଲାହାବାଦ ହାଇକୋର୍ଟରେ ରାମଜନ୍ମଭୂମି-ବାବ୍ରୀ ମସଜିଦ ମାମଲାର ଶୁଣାଣି ଶେଷ।

    ୨୦୧୦ ସେପ୍ଟେମ୍ବର ୮: ସେପ୍ଟେମ୍ବର ୨୪ରେ ରାୟ ଶୁଣାଣି ପାଇଁ ଆଲାହାବାଦ ହାଇକୋର୍ଟଙ୍କ ଘୋଷଣା।

    ୨୦୧୦ ସେପ୍ଟେମ୍ବର ୩୦: ଆଲାହାବାଦ ହାଇକୋର୍ଟଙ୍କ ଐତିହାସିକ ରାୟ ପ୍ରକାଶ। ହାଇକୋର୍ଟ ବିବାଦୀୟ ସ୍ଥଳକୁ ରାମଙ୍କ ଜନ୍ମଭୂମି ବୋଲି ଘୋଷଣା କଲେ ଏବଂ ତାହାକୁ ୩ ଭାଗରେ ବାଣ୍ଟିଦେଲେ

    ୨୦୧୧ ମେ ୯: ସୁପ୍ରିମକୋର୍ଟ ଆଲାହାବାଦ ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ରୋକ୍‌ ଲଗାଇଥିଲେ।

    ୨୦୧୬ ଫେବୃୟାରୀ ୨୬: ବିବାଦୀୟ ସ୍ଥଳରେ ରାମ ମନ୍ଦିର ନିର୍ମାଣ ପାଇଁ ସୁବ୍ରମଣ୍ୟମ ସ୍ବାମୀ ସୁପ୍ରିମକୋର୍ଟରେ ପିଟିଶନ ଦାୟର କଲେ।

    ୨୦୧୭ ମାର୍ଚ୍ଚ ୨୧: ଅଯୋଧ୍ୟା ବିବାଦ ମାମଲାର ଆପୋସ ଆଲୋଚନା ମାଧ୍ୟମରେ ସମାଧାନ କରିବା ଲାଗି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜେ.ଏସ. ଖେହର କହିଥିଲେ। ଜଷ୍ଟିସ ଖେହର ନିଜେ ଆଲୋଚନାର ମଧ୍ୟସ୍ଥତା କରିପାରିବେ ବୋଲି କହିଥିଲେ। ଏହାକୁ ବିଜେପି ନେତା ଲାଲକୃଷ୍ଣ ଆଡୱାଣୀଙ୍କ ସମେତ ଅନେକ ନେତା ସ୍ବାଗତ କରିଥିଲେ।

    ୨୦୧୭ ଅଗଷ୍ଟ ୮: ବିବାଦୀୟ ସ୍ଥାନଠାରୁ କିଛି ଦୂରରେ ଥିବା ମୁସଲିମ ବହୁଳ ଅଞ୍ଚଳରେ ମସଜିଦ ନିର୍ମାଣ ହୋଇପାରିବ ବୋଲି ଉତ୍ତର ପ୍ରଦେଶ ସିଆ ସେଣ୍ଟ୍ରାଲ ୱାକଫ ବୋର୍ଡ ପକ୍ଷରୁ ସୁପ୍ରିମକୋର୍ଟଙ୍କ ଅନୁମତି ଲୋଡ଼ାଯାଇଥିଲା।

    ୨୦୧୭ ନଭେମ୍ବର ୨୦: ଅଯୋଧ୍ୟାରେ ମନ୍ଦିର ଏବଂ ଲକ୍ଷ୍ନୌରେ ମସଜିଦ ନିର୍ମାଣ କରାଯାଇପାରିବ ବୋଲି ସିଆ ସେଣ୍ଟ୍ରାଲ ୱାକଫ ବୋର୍ଡ ପକ୍ଷରୁ ସୁପ୍ରିମକୋର୍ଟଙ୍କୁ ଅବଗତ କରାଯାଇଥିଲା।

    ୨୦୧୭ ଡିସେମ୍ବର ୧: ୩୨ କାର୍ୟ୍ୟକର୍ତ୍ତା ଆଲାହାବାଦ ହାଇକୋର୍ଟଙ୍କ ୨୦୧୦ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଏଥିରେ ଫିଲ୍ମ ନିର୍ମାତା ଅପର୍ଣ୍ଣା ସେନ୍‌, ଶ୍ୟାମ ବେନେଗଲ ଏବଂ ମାନବାଧିକାର କର୍ମୀ ତୀସ୍ତା ସୀତଲୱାଡଙ୍କ ସମେତ ସୁବ୍ରମଣ୍ୟମ ସ୍ବାମୀଙ୍କ ଆବେଦନ ସାମିଲ ଥିଲା।

    ୨୦୧୮ ଫେବୃୟାରୀ ୮: ସୁପ୍ରିମକୋର୍ଟରେ ଦିୱାନୀ ମାମଲାର ଶୁଣାଣି ଆରମ୍ଭ।

    ୨୦୧୮ ମାର୍ଚ୍ଚ ୧୪: ସୁପ୍ରିମକୋର୍ଟ ସୁବ୍ରମଣ୍ୟମ ସ୍ବାମୀଙ୍କ ସମେତ ସମସ୍ତ ଅନ୍ତରୀଣ ପିଟିଶନଗୁଡ଼ିକୁ ଖାରଜ କରିଦେଲେ। କେବଳ ସୁବ୍ରମଣ୍ୟମ ସ୍ବାମୀଙ୍କ ପିଟିଶନ ସମ୍ପର୍କରେ କୋର୍ଟ କହିଥିଲେ ଯେ, ବର୍ତ୍ତମାନ ଏହାକୁ ଏକ ଅଲଗା ପିଟିଶନ ରୂପରେ ସୂଚୀବଦ୍ଧ କରାଯିବ।

    ୨୦୧୮ ଜୁଲାଇ ୧୩: ସୁପ୍ରିମକୋର୍ଟ ସ୍ପଷ୍ଟ କରିଥିଲେ ଯେ ଅଯୋଧ୍ୟା ବିବାଦ ମାମଲାର ଜୁଲାଇ ୨୦ରୁ ନିୟମିତ ଶୁଣାଣି ହେବ।

    ୨୦୧୮ ସେପ୍ଟେମ୍ବର ୨୭: ସୁପ୍ରିମକୋର୍ଟ ରାମ ଜନ୍ମଭୂମି-ବାବ୍ରୀ ମସଜିଦ ସମ୍ପର୍କିତ ୧୯୯୪ର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାକୁ ମନା କଲେ। ସୁପ୍ରିମକୋର୍ଟ କହିଥିଲେ ଯେ, ମସଜିଦରେ ନମାଜ ପାଠ କରିବା ଇସଲାମର ଅଭିନ୍ନ ଅଙ୍ଗ ନୁହେଁ। ଏହା ସହିତ ସୁପ୍ରିମକୋର୍ଟ ଇସମାଇଲ ଫାରୁକୀ ମାମଲାକୁ ସମ୍ବିଧାନିକ ପୀଠକୁ ପଠାଇବାକୁ ମଧ୍ୟ ମନା କଲେ।

    ୨୦୧୯ ନଭେମ୍ବର ୯: ବହୁ ପ୍ରତୀକ୍ଷିତ ରାମଜନ୍ମଭୂମି-ବାବ୍ରୀ ମସଜିଦ ମାମଲାର ରାୟ ଶୁଣାଣି ଆରମ୍ଭ। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ୫ ଜଣିଆ ଖଣ୍ଡପୀଠଙ୍କ ରାୟ ଶୁଣାଣି କରି ବିବାଦୀୟ ସ୍ଥଳକୁ ହିନ୍ଦୁମାନଙ୍କୁ ପ୍ରଦାନ କରିବାକୁ ସରକାରଙ୍କୁ ନିର୍ଦେଶ ଦେଲେ। ଏହା ସହିତ ମୁସଲମାନଙ୍କୁ ଅଯୋଧ୍ୟା ସହରର ଏକ ପ୍ରମୁଖ ସ୍ଥାନରେ ୫ ଏକର ଜମି ଦେବା ସହ ମସଜିଦ ନିର୍ମାଣରେ ସହାୟତା କରିବାକୁ କେନ୍ଦ୍ର ଏବଂ ଉତ୍ତର ପ୍ରଦେଶ ସରକାରଙ୍କୁ ନିର୍ଦେଶ ଜାରି କଲେ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook