ମୁଖ୍ୟ ଖବର
ଲକ୍ଷ୍ନୌ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ ହେବାକୁ ଯାଉଥିବା ବେଳେ ଏଠାକାର ଜଣେ ପୂଜକ କରୋନା ସଂକ୍ରମିତ ହୋଇଛନ୍ତି । ଅଯୋଧ୍ୟା ରାମ ଜନ୍ମଭୂମି ପାଇଁ ନିଯୁକ୍ତ ପୂଜକ ଗୋଷ୍ଠୀ ମଧ୍ୟରୁ ଜଣେ କରୋନା ସଂକ୍ରମିତ ହୋଇଥିବା ବେଳେ ଏଠାକାର ସୁରକ୍ଷା ଦାୟିତ୍ୱରେ ଥିବା ୧୫ ଜଣ ପୁଲିସ କର୍ମଚାରୀ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି । ମୁଖ୍ୟ ପୂଜକ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଙ୍କ କହିବା ଅନୁଯାୟୀ ପ୍ରଦୀପ ଦାସ ନାମକ ଜଣେ ପୂଜକ ସଂକ୍ରମିତ ହୋଇଛନ୍ତି । ତାଙ୍କୁ ଏବେ ଆଇସୋଲେସନରେ ରଖାଯାଇଛି । ତାଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ୧୫ ଜଣଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି । ଜୁଲାଇ ୨୫ ରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିଦ୍ୟନାଥ ରାମ ମନ୍ଦିର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟ ସମୀକ୍ଷା ଲାଗି ଅଯୋଧ୍ୟା ଗସ୍ତ କରିଥିଲେ । ଏହି ସମୟରେ ସେ ମନ୍ଦିରରେ ପୂଜାପାଠ କରିଥିଲେ ଓ ପୂଜକ ପ୍ରଦୀପ ଦାସ ତାଙ୍କ ସହିତ ଏହି ପୂଜାରେ ଉପସ୍ଥିତ ରହିଥିଲେ । ପ୍ରଦୀପ ଦାସ ରାମ ମନ୍ଦିରରେ ଦେବଦେବୀଙ୍କ ପୂଜା କାର୍ଯ୍ୟ ତୁଲାଇଥାନ୍ତି । ଅଯୋଧ୍ୟା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଏମଓ) କହିଛନ୍ତି ଯେ ମନ୍ଦିର କାର୍ଯ୍ୟରେ ନିୟୋଜିତ ପ୍ରତ୍ୟେକଙ୍କ କରୋନା ପରୀକ୍ଷା କରାଯାଇଛି । ସଂକ୍ରମିତ ଚିହ୍ନଟ ବ୍ୟକ୍ତିଙ୍କୁ ଆେଇସୋଲେସନରେ ରଖାଯାଇଛି ।
Comments ସମସ୍ତ ମତାମତ