ମୁଖ୍ୟ ଖବର
ଭୁବନେଶ୍ୱର: ବିରୋଧୀ ଶସ୍ତା ରାଜନୀତି କରୁଛନ୍ତି ବୋଲି ବିଧାୟକ ପ୍ରତାପ ଦେବ କହିଛନ୍ତି । ଖଣି ଦୁର୍ନୀତି ପ୍ରସଙ୍ଗରେ ଶ୍ରୀ ଦେବ ଏହା କହିଛନ୍ତି । ସେ କହିଛନ୍ତି ଯେ, ବିଗତ ଦିନରେ ବିରୋଧୀ ରାଜନୈତିକ ଫାଇଦା ନେବାକୁ ଚାହୁଁଥିଲେ । ହେଲେ ପାରିଲେନି । ସୁପ୍ରିମକୋର୍ଟ ଓ କେନ୍ଦ୍ର ସରକାରଙ୍କ ନିଦେ୍ର୍ଧଶରେ ହିଁ ଖଣି ନିଲାମ ହେଉଛି । ଗୃହରେ ବିରୋଧୀ ଖଣି ଦୁର୍ନୀତିକୁ ନେଇ ବାହସ୍ଫୋଟ ମାରୁଛନ୍ତି । ବିରୋଧୀ ତଥ୍ୟଭିତ୍ତିକ କଥା କୁହନ୍ତୁ ବୋଲି ପ୍ରତାପ ଦେବ କହିଛନ୍ତି ।
ପ୍ରକାଶ ଯେ, ଆଜି ବିଧାନସଭାରେ ଖଣି ଦୁର୍ନୀତି ପ୍ରସଙ୍ଗକୁ ନେଇ ବିରୋଧୀ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ । ଏହି ଅବସରରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଖଣି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ । ଭିଜିଲାନ୍ସ ମାମଲା ଥିବା ଏକ ନିର୍ଦ୍ଧିଷ୍ଟ କମ୍ପାନୀକୁ କିପରି ଲିଜ ମିଳିଲା ବୋଲି ଶ୍ରୀ ନାୟକ ପ୍ରଶ୍ନ କରିଥିଲେ । ସେହିପରି ଖଣି ଲିଜରୁ ମୁଷ୍ଟିମେୟ ଅଫିସର ୧ ଲକ୍ଷ କୋଟି ଲୁଟି ନେଇଛନ୍ତି । ରାଜ୍ୟ ସରକାର କିଛି ଲୋକଙ୍କ ସହ ମିଶି ଏହା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବାରମ୍ବାର ଚିଠି ଲେଖିଲେ ମଧ୍ୟ ଉତ୍ତର ମିଳୁନଥିବା ଶ୍ରୀ ନାୟକ କହିଥିଲେ ।
ଅନ୍ୟପକ୍ଷରେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ମଧ୍ୟ ଗୃହରେ ଖଣି ଦୁର୍ନୀତି ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ । ୩ ବର୍ଷରେ ରାଜ୍ୟ ୯ଟି ଖଣିରୁ ୩୬୦୦ କୋଟି ରାଜସ୍ୱ ହରାଇଛି । ଏଥିପାଇଁ ସରକାର ଦାୟୀ । ଖଣି ଚୋରି ଓ ଦୁର୍ନୀତି ବ୍ୟାପକ ହୋଇଛି ବୋଲି ଶ୍ରୀ ମିଶ୍ର କହିଥିଲେ ।
Comments ସମସ୍ତ ମତାମତ