ମୁଖ୍ୟ ଖବର
ଭୁବନେଶ୍ୱର: ମୁଁ ଟ୍ରେନିଂରେ କେବଳ ପରେଡ ଶିଖିଛି । ଏହା କହିଛନ୍ତି ବିଜେଡି ନେତା ଅରୂପ ପଟ୍ଟନାୟକ । ରାଜ୍ୟ ସରକାରଙ୍କ ୫-ଟିକୁ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସମାଲୋଚନା ପ୍ରସଙ୍ଗରେ ଏଭଳି କହିଛନ୍ତି ଅରୂପ ପଟ୍ଟନାୟକ ।
ଅପରାଜିତାଙ୍କ ମନ୍ତବ୍ୟର ଜବାବ ଦେଇ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ମୁଁ ତ ଆଇଏସ/ଆଇପିଏସ ଟ୍ରେନିଂ ବେଳେ ଯାହା ହୁଏ ସବୁ ଜାଣିଛି । ସେଠାରେ ଆମେ ଲେଫଟ ରାଇଟ ଶିଖୁ । ଲୋକଙ୍କୁ କେମିତି ହ୍ୟାଣ୍ଡେଲ କରାଯିବ ସେଠାରେ ଟ୍ରେନିଂ ଦିଆଯାଏନି । ସେ ଭଦ୍ର ମହିଳା ଟ୍ରେନିଂରେ ୫-ଟି ଶିଖିଥିବେ । ମୁଁ କିନ୍ତୁ ଟ୍ରେନିଂରେ କେବଳ ପରେଡ ଶିଖିଛି । ସେ ଯେବେ ମୁଖ୍ୟମନ୍ତ୍ରୀ ହେବ ୫-ଟି ବାତିଲ କରିଦେବେ । ମନ୍ତ୍ରୀ, ବିଧାୟକ ସମସ୍ତେ ସେବକ । ପବ୍ଲିକ ଲାଇଫରେ କାହାର ପାୱାର ଦରକାର ନାହିଁ ବୋଲି ଅରୂପ ପଟ୍ଟନାୟକ କହିଛନ୍ତି ।
ପ୍ରକାଶ ଯେ, ରାଜ୍ୟରେ ସୁଶାସନ ଆଣିବାକୁ ରାଜ୍ୟ ସରକାର ଆଣିଥିବା ‘୫-ଟି’ ଫର୍ମୁଲା ଉପରେ ପ୍ରଶ୍ନ ଉଠାଇଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଦୀର୍ଘ ୨୦ ବର୍ଷ ଶାସନରେ କ’ଣ ‘୫-ଟି’ ସରକାରରେ ନଥିଲା କି ? ଶାସନର ୨୦ ବର୍ଷ ପରେ କାହିଁକି ୫-ଟି ଅଣାଗଲା ବୋଲି ସେ ପ୍ରଶ୍ନ କରିଥିଲେ । ଏହା ମନ୍ତ୍ରୀ ଓ ସଚିବଙ୍କ ଗାରିମା ଉପରେ ପ୍ରଶ୍ନ ଉଠାଉଥିବା ଅପରାଜିତା କହିଥିଲେ ।
ଆଜି ରେଳବାଇ ଷ୍ଟାଡିୟମ୍ରେ ଆୟୋଜିତ ‘ଏକତା ପାଇଁ ଦୌଡ଼’ କାର୍ୟ୍ୟକ୍ରରେ ଯୋଗ ଦେଇଥିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ଏହି ଅବସରରେ ସେ ରାଜ୍ୟ ସରକାରଙ୍କ ୫-ଟି ଉପରେ ବର୍ଷିଥିଲେ। ସେ କହିଥିଲେ ଯେ ଏହା ଏକ ଅଭିନବ ପଦକ୍ଷେପ ନୁହେଁ । ଏହି ପଦକ୍ଷେପ ବହୁତ ପୁରୁଣା କଥା ଅଟେ । ଶାସନର ୨୦ ବର୍ଷ ପରେ କାହିଁକି ୫-ଟି ଅଣାଗଲା? ଏହି ୨୦ ବର୍ଷ ଶାସନରେ କ’ଣ ୫-ଟି ସରକାରରେ ନଥିଲା କି ବୋଲି ପ୍ରଶ୍ନ କରିଥିଲେ । ଏହାକୁ ଅଲଗା ବିଭାଗ କରି ଜଣେ ବ୍ୟକ୍ତିଙ୍କୁ ଦାୟିତ୍ୱ ଦେବା ଠିକ୍ ନୁହେଁ । ଏହା ଦ୍ୱାରା ଅନ୍ୟ ବିଭାଗଗୁଡ଼ିକ ଦୁର୍ବଳ ହୋଇଯିବ । ଆଇଏଏସ୍ ପ୍ରଶିକ୍ଷଣ ସମୟରେ ୫-ଟି ସମ୍ପର୍କରେ ପାଠ ପଢ଼ାଯାଇ ଥାଏ । ତେଣୁ ଏହାକ ସୁଶାସନ ନୁହେଁ ବରଂ ଏହା ମନ୍ତ୍ରୀ ଓ ସଚିବଙ୍କ ଗାରିମା ଉପରେ ପ୍ରଶ୍ନ ବୋଲି ସେ କହିଥିଲେ । ରାଜ୍ୟ ସରକାରଙ୍କ ଏହି ଯୋଜନା ସୁଶାସନ ଆଣିପାରିବ ବୋଲି ସେ ଭାବୁ ନାହାଁନ୍ତି ।
Comments ସମସ୍ତ ମତାମତ