Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ପଂଚାୟତରେ ବି ସାଂସଦଙ୍କ ପ୍ରତିନିଧି, ଅପରାଜିତାଙ୍କ ନୂଆ ନିୟମ

    Share on :
    ajab-Image
    Date: May 23, 2020    Views: 7308

    ଭୁବନେଶ୍ୱର : ସାଂସଦମାନେ ବ୍ଲକ ଓ ଜିଲ୍ଲା ପ୍ରତିନିଧି ନିଯୁକ୍ତି କରିବାର ବିଧି ବ୍ୟବସ୍ଥା ରହିଛି  । ବ୍ଲକ ପ୍ରତିନିଧିମାନେ ବ୍ଲକ ବୈଠକ ଓ ଜିଲ୍ଲା ପ୍ରତିନିଧିମାନେ ଜିଲ୍ଲା ବୈଠକରେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥା’ନ୍ତି  । କିନ୍ତୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଉ ଦୁଇ ପାଦ ଆଗେଇ ନିର୍ବାଚନମଣ୍ଡଳୀ ପ୍ରତିନିଧି ଓ ପଂଚାୟତ ପ୍ରତିନିଧି ମଧ୍ୟ ନିଯୁକ୍ତ କରିଛନ୍ତି । ପଂଚାୟତ ଓ ବ୍ଲକରେ ଏହି ପ୍ରତିନିଧିମାନେ ଯାଇ ଲୋକଙ୍କ ସମସ୍ୟାର ସମାଧାନ କରିବାକୁ ଉଦ୍ୟମ କରିବେ ବୋଲି ବିଡ଼ିଓଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଇଛନ୍ତି  । ତେବେ ଅପରାଜିତାଙ୍କ ଏଭଳି ଅଭିନବ ଉଦ୍ୟମକୁ କେତେକ ପ୍ରଶଂସା କରିଥିବାବେଳେ କେତେକ ସମାଲୋଚନା ମଧ୍ୟ କରିଛନ୍ତି  ।

    ଗତ ମେ’ ୫ରେ ଅପରାଜିତା ବେଗୁନିଆ ଓ ବୋଲଗଡ଼ ବ୍ଲକର ବିଡ଼ିଓଙ୍କୁ ପ୍ରାୟ ଶହେ ବିଜେପି କର୍ମୀଙ୍କ ନାମ ପଠାଇଛନ୍ତି  । ଯେଉଁମାନେକି ପଂଚାୟତରେ ସାଂସଦ ପ୍ରତିନିଧି ଭାବେ କାର୍ଯ୍ୟ କରିବେ  । ତେବେ ଆଶ୍ଚର୍ଯ୍ୟର କଥା ଗୋଟିଏ ଗୋଟିଏ ପଂଚାୟତରେ ଦୁଇ ତିନି ଜଣଙ୍କୁ ସାଂସଦ ପ୍ରତିନିଧିଭାବେ ମନୋନୀତ କରାଯାଇଛି  । ବାସ୍ତବରେ ଦେଖିଲେ ପଂଚାୟତରେ ସାଂସଦ ପ୍ରତିନିଧି ରହିବାର ସେମିତି କୌଣସି ବ୍ୟବସ୍ଥା ନାହିଁ  । ସେମାନଙ୍କର ବ୍ଲକ ଓ ଜିଲ୍ଲା ପ୍ରତିନିଧିଙ୍କ ଭଳି  କୌଣସି ବୈଧାନିକ କ୍ଷମତା ମଧ୍ୟ ନାହିଁ  । ଏଭଳି କ୍ଷେତ୍ରରେ ଏମିତି ଭେଳିକି କରିବାର ମାନେ କ’ଣ ବୋଲି କେତେକ ପ୍ରଶ୍ନ କରିଛନ୍ତି  ।

    ଖାଲି ସେତିକିନୁହେଁ ବେଗୁନିଆ ବିଜେପିର ଜଣେ ଆଗଧାଡ଼ିର ନେତା କହିଛନ୍ତିଯେ, ଅପରାଜିତା ସାଂଗଠନିକ କ୍ଷେତ୍ରରେ ବହୁ ମନମାନି କରିଛନ୍ତି  । ଏବେ ମନଇଚ୍ଛା ଅନୁ ଚୌଧୁରୀଙ୍କୁ ବେଗୁନିଆ ନିର୍ବାଚନମଣ୍ଡଳୀର ପ୍ରତିନିଧି କରାଯାଇଛି  । ପଂଚାୟତରେ ଏମିତି ପ୍ରତିନିଧିମାନଙ୍କୁ ଚୟନ କରାଯାଉଛି ଯେଉଁମାନେ କି ଗତ ନିର୍ବାଚନରେ ବିଜେପିକୁ ଭୋଟ ମଧ୍ୟ ଦେଇନଥିଲେ  । ପ୍ରତିନିଧି ଚୟନ ବେଳେ ବରିଷ୍ଠ ଓ ଅଭିଜ୍ଞ କାର୍ଯ୍ୟକର୍ତାଙ୍କ ମତାମତ ନିଆଯାଇନାହିଁ  । ଏକ ନିର୍ଦ୍ଧିଷ୍ଟ କୋଟରୀ ମନଇଚ୍ଛା ଏଭଳି ପ୍ରତିନିଧି ଚୟନ କରିଛନ୍ତି  । ଏହାଦ୍ୱାରା ପଂଚାୟତମାନଙ୍କରେ ବିଜେପିରେ ଗୋଷ୍ଠୀ କନ୍ଦଳ ବଢ଼ିବାରେ ଲାଗିଛି  ।

    ସୂଚନାଯୋଗ୍ୟଯେ, ବେଗୁନିଆରେ ବିଜେପି ତାହାର କାୟା ବିସ୍ତାର କରିବାରେ ଲାଗିଥିଲା  । କିନ୍ତୁ ତ୍ରୁଟିପୂର୍ଣ୍ଣ ରଣନୀତି ଯୋଗୁଁ ବିଜେପି ଏବେ ଖଣ୍ଡଖଣ୍ଡ ହୋଇଯାଇଛି  । ପ୍ରଥମେ ଏଠାରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଖାସ ଅନୁଗତ ଯତୀନ ମହାନ୍ତି ସଂଗଠନ କରୁଥିଲେ  । ଟିକେଟ ପାଇବା ପାଇଁ ସେ ଆଶା ବାନ୍ଧି ବସିଥିଲେ  । କିନ୍ତୁ ବିଜେଡ଼ି ଟିକେଟ ପାଇବେ ନାହିଁ ବୋଲି ଜାଣିବା ପରେ ବିଜେଡ଼ି ସାଂସଦ ପ୍ରଶାନ୍ତ ନନ୍ଦଙ୍କ ପୁଅ ଋଷଭ ନନ୍ଦ ହଠାତ ବିଜେପିରେ ମିଶି ଟିକେଟ ହାତେଇ ନେଇଥିଲେ  । ଫଳରେ ଯତୀନ ମହାନ୍ତିଙ୍କ ଗୋଷ୍ଠୀ ନିରାଶ ହୋଇଥିଲେ  । ନିର୍ବାଚନରେ ଋଷଭ ହାରିଥିଲେବି ତାଙ୍କୁ ବେଗୁନିଆ-ବୋଲଗଡ଼ ନିର୍ବାଚନମଣ୍ଡଳୀର ପ୍ରତିନିଧି କରିଥିଲେ ଅପରାଜିତା  । କିନ୍ତୁ ପରେ ଏକ ଅଡ଼ିଓ ଭାଇରାଲକୁ କେନ୍ଦ୍ର କରି ଋଷଭଙ୍କୁ ପ୍ରତିନିଧିରୁ ବିତାଡ଼ିତ କରିବା ପରେ ଅପରାଜିତା ଅନୁ ଚୌଧୁରୀଙ୍କୁ ଦାୟିତ୍ୱ ଦେଇଥିଲେ  । ଫଳରେ ଋଷଭଙ୍କ ଗୋଷ୍ଠୀ ବି ଅସନ୍ତୁଷ୍ଟ ଅଛନ୍ତି  । ସାମ୍ପ୍ରତିକ ରାଜନୀତିକୁ ଅନୁଶୀଳନ କଲେ ବିଜେପିରେ ଚାରି ପାଂଚ ଗୋଷ୍ଠୀ ଏବେ ଭିନ୍ନଭିନ୍ନ ରଣନୀତି କରିବାରେ ଲାଗି ପଡ଼ିଛନ୍ତି  । ଏହାଦ୍ୱାରା ଦଳୀୟ ସଂଗଠନ ମଜବୁତ ହେବା ବଦଳରେ ଦୁର୍ବଳ ହେବାରେ ଲାଗିଛି  । 

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook