Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଅନୁପଙ୍କ ପାଇଁ ୬ଟି ରାଜ୍ୟ ବୁଲିଥିଲା ପୁଲିସ

    Share on :
    ajab-Image
    Date: Feb 14, 2020    Views: 4228

    ଭୁବନେଶ୍ୱର: ଗୋଟିଏ  ହତ୍ୟା ମାମଲାର ଖୁଲାସା କରିବା ପାଇଁ ପୁଲିସକୁ କେତେ କଷ୍ଟ କରିବାକୁ ପଡେ଼ ତାହା ୨୦୧୬ ମସିହାର ମା ଓ ଝିଅ ମର୍ଡର ଘଟଣାକୁ ଦେଖିଲେ ଯେକେହିବି ଜାଣିପାରିବେ ।  ୨୦୧୬ ମସିହାରେ  ୩୨ ବର୍ଷିୟା କଳ୍ପନା ଦାସ ଓ ତାଙ୍କ ୧୪ ବର୍ଷିଆ ଝିଅ  ବବଲି ଦାସଙ୍କୁ ହତ୍ୟା ଘଟଣାର ଖୁଲାସା ପାଇଁ ପୁଲିସକୁ ଗୋଟିଏ କି ଦୁଇଟି ରାଜ୍ୟ ନୁହେଁ, ମୋଟ ୬ଟି ରାଜ୍ୟକୁ ଯିବାକୁ ପଡ଼ିଛି । ଆଉ ପୁଲିସ ମୋଟ ୭୦୦ ଜଣଙ୍କୁ ପଚରା ଉଚୁରା କରିବା ପରେ ସଫଳତା ପାଇଛି ।  ୭୦୦ ଲୋକଙ୍କୁ ଜେରା କରିବା ପରେ ଅନୁପ ହିଁ ହତ୍ୟାକାଣ୍ଡର ମୁଖ୍ୟ ନାୟକ ବୋଲିି  ଛତିଶଗଡର ରାୟଗଡ଼ ପୁଲିସ ସ୍ପଷ୍ଟ କରିଛି । 

    କାହିଁକି ଓ କେମିତି ହତ୍ୟା:

    କଳ୍ପନା ୨୦୦୫ରେ ନିଜ ସ୍ୱାମୀଙ୍କୁ ଛାଡ଼ପତ୍ର ଦେଇଥିଲେ ।  ୨୦୧୧ରୁ ଅନୁପଙ୍କ ସମ୍ପର୍କରେ ଆସି ଏକାଠି ରହୁଥିଲେ ।  ଅନୁପ ଭୁବନେଶ୍ୱରର ସୁନ୍ଦରପଦାରେ ଫ୍ଲାଟ କିିଣି ମା ଓ ଝିଅଙ୍କୁ ରଖିଥିଲେ ।  ଉଭୟ ସେଠାରେ ସ୍ୱାମୀ ଓ ସ୍ତ୍ରୀ ଭଳି ରହୁଥିଲେ । ୫ ବର୍ଷ ଏକାଠି ରହିବା ପରେ କଳ୍ପନା ତାଙ୍କୁ ବାହା ହେବାକୁ କହିଥିଲେ ।  ତେବେ ନିଜର ପରିବାର ଥିବାରୁ ଅନୁପ ବାହା ହେବାକୁ ମନା କରିଥିଲେ ।  ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା ।  ଏହି କାରଣକୁ ନେଇ ଅନୁପ କଳ୍ପନାଙ୍କୁ ହତ୍ୟା ପାଇଁ ଯୋଜନା କରିଥିଲେ ।  ପ୍ରଥମେ କେବଳ କଳ୍ପନାଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲେ ।  ନିଜର ବିଶ୍ୱସ୍ତ ଡ୍ରାଇଭର ଜରିଆରେ ହତ୍ୟା ଯୋଜନା ହୋଇଥିଲା ।  କଳ୍ପନାକୁ ବାହା ହେବାକୁ କହି ଅନୁପ ଛତିଶଗଡ଼ ରାୟଗଡ଼ ଆଣିଥିଲେ ।  ତେବେ ରାସ୍ତାରେ ଜଙ୍ଗଲରେ ଲୁହା ରଡରେ ପିଟି ହତ୍ୟା କରାଯାଇଥିଲା । ତେବେ ଝିଅ ଜାଣିଯିବା ପରେ ତାଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା । ଉଭୟଙ୍କୁ ହତ୍ୟା କରି ରାସ୍ତାରେ ପକାଇ ଗାଡ଼ି ମଡ଼ାଯାଇଥିଲା ।  ସେମାନଙ୍କ ଉପରେ ବାରମ୍ବାର ଗାଡ଼ି ମଡ଼ାଇ ବିକୃତ କରାଯାଇଥିଲା । 

    କେମିିତି ମିଳିଲା ସୁରାକ:

     ଅଭିଯୁକ୍ତ ଯାଏ ପୁଲିସ କେମିତି ପହଞ୍ଚିଲା ସେନେଇ ରାୟଗଡ଼ ଏସପି କହିଛନ୍ତି ଯେ, ଉଭୟ ମୃତକଙ୍କ ପରିଚୟ ଜାଣିବାକୁ ଆମେ ବହୁତ ଚେଷ୍ଟା କରିଛୁ । ଏଯାବତ ୬ଟି ରାଜ୍ୟରେ ୭୦୦ ଲୋକଙ୍କୁ ପଚରାଉଚୁରା କରିଛୁ । ଅନୁପ ସାଏଙ୍କ ମୋବାଇଲ କଲ ରେକର୍ଡ  ଯାଞ୍ଚରୁ ବହୁ ତଥ୍ୟ ମିଳିଲା ।  ଅନୁପ ସେବେ ଯେଉଁ ନମ୍ବର ବ୍ୟବହାର କରୁଥିଲେ ଏବେ ବି ରଖିଛନ୍ତି ।  ରାସ୍ତାରେ ସେମାନେ ଅଟକି ଥିବା ଢାବାରେ ବି ଲୋକେ ସେମାନଙ୍କୁ ଦେଖିଥିଲେ ।  କଲ ରେକର୍ଡ ଯାଞ୍ଚ ଓ ଲୋକଙ୍କୁ ପଚରାଉଚୁରା କରି ତଥ୍ୟ ପାଇଲୁ ।  ଏବେ ଅନୁପଙ୍କ ନାର୍କୋ ଟେଷ୍ଟ କରାଯିବାକୁ ଆବେଦନ କରାଯିବ । ହତ୍ୟାରେ ଅନୁପ, ତାଙ୍କ ଡ୍ରାଇଭର ସହ ଅନ୍ୟ କିଛି ବ୍ୟକ୍ତି ସମ୍ପୃକ୍ତ ଥାଇପାରନ୍ତି ।  ନାର୍କୋ ଟେଷ୍ଟ ହେଲେ ଅଧିକ ତଥ୍ୟ ସାମ୍ନାକୁ ଆସି ପାରିବ ବୋଲି ଏସପି କହିଛନ୍ତି । 

    Maximum 500 characters

    ତାଜା ଖବର View all

    Find Us on Facebook