ମୁଖ୍ୟ ଖବର
ଭୁବନେଶ୍ୱର: ମାନବପ୍ରେମୀ ଆଦିତ୍ୟ ସୁନ୍ଦର ଦାଶ ମୃତୁ୍ୟ ଘଟଣାରେ ଗତ ଦୁଇ ଦିନ ଧରି ତନାଘନା ଚଳାଇଛି କ୍ରାଇମବ୍ରାଞ୍ଚ ଟିମ । ବିଭିନ୍ନ ସ୍ଥାନରେ ଛାନଭିନ ଚଳାଇଥିବା ତଦନ୍ତକାରୀ ଟିମ ଅପରାହ୍ନରେ ଆଦିତ୍ୟଙ୍କ ପିତ୍ନୀ ବିଦ୍ୟାଶ୍ରୀଙ୍କୁ ୪ ଘଣ୍ଟା ଜେରା କରିଛି । ତିନି ଜଣିଆ ଟିମ ଅପରାହ୍ନ ପ୍ରାୟ ୪ଟାରେ ଆଦିତ୍ୟଙ୍କ ଘରେ ପହଞ୍ଚି ବିଦ୍ୟାଶ୍ରୀଙ୍କୁ ଜେରା କରିଥିଲା । ଆଦିତ୍ୟ ଓ ତାଙ୍କ ଭିତରେ ବିବାହ ସମ୍ପର୍କରେ ତିକ୍ତତା ଆସିଥିଲା କି? କିଛି ନିର୍ଦ୍ଧିଷ୍ଟ କାରଣରୁ ସେମାନଙ୍କ ଭିତରେ ମନୋମାଳିନ୍ୟ ରହିଥିଲା କି? ବୃଦ୍ଧାଶ୍ରମ ଅର୍ଥକୁ କେନ୍ଦ୍ର କରି କିଛି ପାଟିତୁଣ୍ଡ ହୋଇଥିଲା କି? ଯେଛଁ ୬ ଦିନ ଆଦିତ୍ୟଙ୍କ ବାପା ଓ ମା ଘରେ ନଥିଲେ, ତା ଭିତରେ ଉଭୟଙ୍କ ମଧ୍ୟରେ କିଛି ଘଟିଥିଲା କି? ଏହି ସବୁ ଦିଗକୁ ଆଧାର କରି କ୍ରାଇମବ୍ରାଞ୍ଚ ବିଦ୍ୟାଶ୍ରୀଙ୍କୁ ଜେରା କରିଥିବା ଜଣାପଡ଼ିଛି । ବିଦ୍ୟାଶ୍ରୀଙ୍କୁ ଜେରା କରିବା ପରେ ଆଦିତ୍ୟଙ୍କ ବାପା ଓ ମା’ଙ୍କୁ ମଧ୍ୟ ପଚରାଉଚରା କରାଯାଇଛି । ବିଦ୍ୟାଶ୍ରୀ ଓ ଆଦିତ୍ୟଙ୍କ ବାପା, ମା’ଙ୍କୁ ଅଲଗା ଅଲଗା ପଚରାଉଚରା କରାଯାଇଥିବା ଜଣାପଡ଼ିଛି ।ସେହିପରି ପୂର୍ବାହ୍ନରେ ପିପୁଲ୍ସ ଫର ସେବାର ସଦସ୍ୟ ତଥା ଆଦିତ୍ୟଙ୍କ ଘନିଷ୍ଠ ସହଯୋଗୀ ପପୁ, ବିକାଶ, ଦୀପୁ ଓ ପ୍ରୀତମଙ୍କୁ ଜେରା କରାଯାଇଛି । ସେମାନଙ୍କ ବୟାନ ରେକର୍ଡ କରିଛି କ୍ରାଇମବ୍ରାଞ୍ଚ ଟିମ । ଆଶ୍ରମକୁ ଯାଇ ମଧ୍ୟ ଖୋଳତାଡ଼ କରିଛି ତଦନ୍ତକାରୀ ଦଳ । ଆଶ୍ରମର ଆର୍ଥିକ କାରବାର ସମ୍ପର୍କରେ ତଥ୍ୟ ହାସଲ କରିଛି ।
Comments ସମସ୍ତ ମତାମତ