Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ମହିଳାଙ୍କ ପ୍ରତିବାଦ : ଆଗ ମଦ ବନ୍ଦ କର, ତା’ ପରେ ଭୋଟ

    Share on :
    ajab-Image
    Date: Oct 22, 2020    Views: 6509

    ବାଲେଶ୍ୱର : ଭରା ସଭାରେ ନେତାଙ୍କୁ ଘେରିଗଲେ ମହିଳା । ସମସ୍ତେ ଏକସ୍ୱରରେ କହିଲେ, ‘ତମେ ଶାସନରେ ଅଛ । ଆଗ ମଦ ବନ୍ଦ କର । ତା’ପରେ ଯାଇ ଆମ ପାଖକୁ ଭୋଟ ମାଗିବାକୁ ଆସିବ । ମଦ ବନ୍ଦ କରିଦେଲେ ଆମେ ସମସ୍ତେ ସମର୍ଥନ ଦେବୁ । ବାଲେଶ୍ୱର ସଦର ଉପନିର୍ବାଚନ ପାଇଁ ବୁଅାଁଳ ପଞ୍ଚାୟତରେ ଅନୁଷ୍ଠିତ ବିଜେଡିର ଏକ ସଭାରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା  । ଦଳୀୟ ସଭାରେ ସାମିଲ ହୋଇଥିବା ମହିଳାମାନଙ୍କ ଏପରି ପ୍ରତିବାଦ ଦେଖି ଭାଷଣ ଦେଉଥିବା ପୂର୍ବତନ ବିଧାୟକ ଅରୁଣ ଦେ ବି ହଡ଼ବଡେ଼ଇ ଯାଇଥିଲେ । ଏହି ଘଟଣାରେ ନେଇ ରାଜନୈତିକ ମହଲରେ ଦିନତମାମ ଚର୍ଚ୍ଚା ଲାଗି ରହିଛି । 

    ସୂଚନା ମୁତାବକ, ବିଜେଡି ପକ୍ଷରୁ ବୁଅାଁଳ ପଞ୍ଚାୟତରେ ଏକ ମିଶ୍ରଣ ପର୍ବ ଆୟୋଜନ କରାଯାଇଥିଲା । ଏଥିରେ ଜିଲ୍ଲା ସଭାପତି ରବୀନ୍ଦ୍ର ଜେନାଙ୍କ ସମେତ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ପୂର୍ବତନ ମନ୍ତ୍ରୀ ଦେବୀ ମିଶ୍ର, ପୂର୍ବତନ ବିଧାୟକ ଅରୁଣ ଦେ, ବ୍ଲକ ସଭାପତି ବସନ୍ତ ପଣ୍ଡା ଏବଂ ଅନ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ । ଶ୍ରୀ ଦେ ଭାଷଣ ଦେବା ସମୟରେ ସଭାମଞ୍ଚ ଆଗକୁ ହଠାତ କିଛି ମହିଳା ଉଠିଯାଇ ବିରୋଧ ପ୍ରଦର୍ଶନ କରି କହିଥିଲେ ‘ବୁଅାଁଳ ପଞ୍ଚାୟତରେ ମର୍ଡର ହେଉଛି, ମଦ କାରବାର ବଢ଼ୁଛି । ତମ ଦଳ ତ ଶାସନରେ ଅଛି । ଆଗ ମଦ ବନ୍ଦ କର, ତା ପରେ ଭୋଟ ମାଗିବାକୁ ଆସିବ । ଶ୍ରୀ ଦେ ମହିଳାମାନଙ୍କ କଥାକୁ ଏଡ଼ାଇବା ପାଇଁ ଯେତେ ଚେଷ୍ଟା କରିଥିଲେ ବି ପାରିନଥିଲେ । ଶେଷରେ ଭାଷଣକୁ ସେଇଠି ତାଙ୍କୁ ବନ୍ଦ କରିବାକୁ ପଡ଼ିଥିଲା । ଏହା ପରେ ଜିଲ୍ଲା ସଭାପତି ତଥା ପୂର୍ବତନ ସାଂସଦ ଶ୍ରୀ ଜେନତା ନିଜ ଭାଷଣରେ ସ୍ଥାନୀୟ ନେତୃତ୍ୱଙ୍କୁ ପ୍ରଶଂସା କରିବା ସହିତ ବାଲେଶ୍ୱର ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପି୍ରୟତା ସମ୍ପର୍କରେ କହିଥିଲେ । ଦଳର ପ୍ରାର୍ଥୀ ତଥା ସ୍ୱରୂପ ଦାସଙ୍କୁ ବୁଅାଁଳ ପଞ୍ଚାୟତବାସୀ ଅଧିକରୁ ଅଧିକ ଭୋଟ ଦେଇ ଜିତାଇବାକୁ ଅନୁରୋଧ କରିଥିଲେ । ଏ ସମସ୍ତ ଦୃଶ୍ୟକୁ ସଭାସ୍ଥଳରୁ କୌଣସି ବ୍ୟକ୍ତି ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆରେ ଭାଇରାଲ କରିବା ପରେ ଘଟଣା ସାମନାକୁ ଆସିଥିବା ଜଣାପଡ଼ିଛି ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook