ମୁଖ୍ୟ ଖବର
ମୁମ୍ବାଇ : ବିସିସିଆଇରେ ସୌରଭ ଯୁଗର ଶୁଭାରମ୍ଭ ହୋଇଛି । ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ବୁଧବାର ଆନୁଷ୍ଠାନିକ ଭାବେ ବିଶ୍ୱର ସବୁଠାରୁ ତଥା ଶକ୍ତିଶାଳୀ କି୍ରକେଟ ବୋର୍ଡ ବିସିସିଆଇର ସଭାପତି ପଦ ଗ୍ରହଣ କରିଛନ୍ତି । ପ୍ରିନ୍ସ ଅଫ୍ କୋଲକାତା ଭାବେ ପରିଚିତ ଗାଙ୍ଗୁଲି ବିସିସିଆଇର ୩୯ ତମ ସଭାପତି ହୋଇଛନ୍ତି । ନିଜ ସମୟରେ ଜଣେ ସଫଳ ଓ ଦକ୍ଷ ଅଧିନାୟକ ଥିବା ଗାଙ୍ଗୁଲି ବିସିସିଆଇକୁ ସେହି ବଳିଷ୍ଠ ନେତୃତ୍ୱ ପ୍ରଦାନ କରିବେ ବୋଲି ଆଶା କରାଯାଉଛି । ଗାଙ୍ଗୁଲି ଆସନ୍ତା ୯ ମାସ ପର୍ଯ୍ୟନ୍ତ ବିସିସିଆଇ ସଭାପତି ପଦରେ ରହିବେ ।
ସୌରଭ ଗାଙ୍ଗୁଲି କାର୍ଯ୍ୟଭାର ଗ୍ରହଣ କରିବା ସହ ବିସିସିଆଇରେ ଚାଲିଥିବା ଉଚ୍ଚତମ ନ୍ୟାୟାଳୟ ନିଯୁକ୍ତ ପ୍ରଶାସନିକ ସମିତି (ସିଇଓ)ର ୩୩ ମାସିଆ ଶାସନର ଅବସାନ ଘଟିଛି । ଗାଙ୍ଗୁଲିଙ୍କ ସହ ବିସିସିଆଇର ଅନ୍ୟ ନବ ନିର୍ବାଚିତ କର୍ମକର୍ତ୍ତା ଯଥା ସମ୍ପାଦକ ଉପସଭାପତି, କୋଷାଧ୍ୟକ୍ଷ ମଧ୍ୟ ନିଜ ନିଜ ଦାୟିତ୍ୱ ଗ୍ରହଣ କରିଛନ୍ତି ।କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ପୁଅ ଜୟ ଶାହା (ସମ୍ପାଦକ) କେନ୍ଦ୍ରମନ୍ତ୍ରୀ ତଥା ବିସିସିଆଇର ପୂର୍ବତନ ସଭାପତି ଅନୁରାଗ ଠାକୁରଙ୍କ ଭାଇ ଅରୁଣ ଠାକୁର (କୋଷାଧ୍ୟକ୍ଷ), କେରଳର ଜୟେଶ ଜର୍ଜ (ଯୁଗ୍ମ ସମ୍ପାଦକ) ଛତିଶଗଡ଼ର ମହିମ ବର୍ମା (ଉପସଭାପତି) ବୁଧବାର ଅନୁଷ୍ଠିତ ବିସିସିଆଇ ବାର୍ଷିକ ସାଧାରଣ ବୈଠକରେ ନିଜ ନିଜ ପଦ ଭାର ଗ୍ରହଣ କରିଛନ୍ତି ।
ଗାଙ୍ଗୁଲି ଦାୟିତ୍ୱ ଗ୍ରହଣ କରିବା ପରେ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଥିଲା । ଦିଲ୍ଲୀ କି୍ରକେଟ ସଂଘର ସଭାପତି ବରିଷ୍ଠ ସାମ୍ବାଦିକ ରଜତ ଶର୍ମା ଟ୍ୱିଟ୍ କରିଥିଲେ, ମୁଁ ସ୍ଥିର ନିଶ୍ଚିତ ଯେ ସଭାପତି ବିସିସିଆଇକୁ ସଫଳତାର ନୂଆ ସୋପାନରେ ପହଞ୍ଚାଇବେ । ଜୟ ଶାହ, ସୌରଭ ଗାଙ୍ଗୁଲି ଏବଂ ତାଙ୍କ ଦଳ ବହୁତ ଭଲ କାମ କରିବ । ଭାରତୀୟ କି୍ରକେଟରେ ଆଜିଠାରୁ ଏକ ନୂଆ ଯୁଗର ଆରମ୍ଭ ହେଲା । ଆଇପିଏଲର ପୂର୍ବତନ ମୁଖ୍ୟ ରାଜୀବ ଶୁକ୍ଳା ମଧ୍ୟ ଗାଙ୍ଗୁଲିଙ୍କ ଉପରେ ପୂର୍ଣ୍ଣ ଆସ୍ଥା ପ୍ରକଟ କରିଥିଲେ । ସେ କହିଥିଲେ ସୌରଭ ବିସିସିଆଇ ପାଇଁ ବଡ଼ ସମ୍ପଦ ହେବେ ।
Comments ସମସ୍ତ ମତାମତ 0