ମୁଖ୍ୟ ଖବର
ଭୁବନେଶ୍ୱର: ଜମ୍ମୁ ଓ କାଶ୍ମୀରକୁ ୩୭୦ ଉଚ୍ଛେଦ ନେଇ ସାରାଦେଶ ଉତ୍ସବ ପାଳନ କରୁଛି । ଜମ୍ମୁ ଓ କାଶ୍ମୀରର ନୂତନ ଭାବେ ପୁନର୍ଗଠନ ସମସ୍ତଙ୍କ ପାଇଁ ଐତିହାସିକ ଘଟଣା କିନ୍ତୁ ଯେଉଁ କାଶ୍ମୀର ପାଇଁ ଏତେ ଆଲୋଚନା ହେଉଛି ଦିନେ ସେ ରାଜ୍ୟକୁ ପାକିସ୍ଥାନୀ କବଳରୁ ମୁକ୍ତ କରିବାରେ ପ୍ରବାଦ ପୁରୁଷ ସ୍ୱର୍ଗତଃ ବିଜୁ ପଟ୍ଟନାୟକଙ୍କ ଅବଦାନକୁ ସମସ୍ତେ ଭୁଲିଯାଇଛନ୍ତି । ଜମ୍ମୁ ଓ କାଶ୍ମୀରର ମୁକ୍ତି ସଂଗ୍ରାମରେ ଏହି ଭୂମିପୁଦ୍ରଙ୍କ ଅବଦାନକୁ ମନେ ପକାଇ ସଂସଦରେ ତାଙ୍କୁ ମରଣୋତ୍ତର ଭାରତ ରତ୍ନ ଦେବାକୁ ବିଜେଡ଼ି ଦାବି କରିଚି ।
ବିଜେଡି ତରଫରୁ ଜାରି ବିବୃତ୍ତି ଅନୁଯାୟୀ, ଜମ୍ମୁ ଓ କଶ୍ମୀରକୁ ଭାରତ ସହ ମିଶ୍ରଣ କରିବା ନେଇ ତକ୍ରାଳୀନ ମହାରାଜା ହରି ସିଂହ ଭାରତ ସହ ଚୁକ୍ତି କରିଥିଲେ । ଭାରତରେ ଜମ୍ମୁ ଓ କଶ୍ମୀର ମିଶିବା ପରେ ପାକିସ୍ଥାନ ଏହାକୁ ସହ୍ୟ କରି ନ ପାରି କଶ୍ମୀର ଉପରେ ଆକ୍ରମଣ କରିଥିଲା । ପାକିସ୍ଥାନ ସେନା ଜମ୍ମୁ ଓ କଶ୍ମୀରରେ ଲୁଟପାଟ ଓ ହତ୍ୟାତର ତାଣ୍ଡବ ରଚିଚାଲିଲା । ସ୍ଥିତି ବେକାବୁ ହେବା ଦେଖି ତକ୍ରାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାର ଲାଲ ନେହେରୁ ବିଜୁ ପଟ୍ଟନାୟକଙ୍କ ସହଯୋଗ ଲୋଡ଼ିଥିଲେ । ବିଜୁ ବାବୁ ସେ ସମୟରେ ଭାରତୀୟ ଯୁବସେନାର କାର୍ଯ୍ୟରତ ଦକ୍ଷ ପାଇଲଟ । ୧୯୪୭ ଅକ୍ଟୋବର ୨୭ ରେ ବିଜୁ ପଟ୍ଟନାୟକ ପ୍ରଥମେ ଶିଖ୍ଥ ରେଜିମେଣ୍ଟର ୧୭ ଜଣ ସୈନିକଙ୍କୁ ନିଜ ଡାକୋଟା-୩ ବିମାନରେ ନେଇ ଶ୍ରୀନଗର ବିମାନ ବନ୍ଦରରେ ଅବତରଣ କରାଇଥିଲେ । ସେତେବେଳେ ପଣ୍ଡିତ ନେହେରୁ ବିଜୁ ବାବୁଙ୍କୁ ସ୍ପଷ୍ଟ ନିଦେ୍ର୍ଧଶ ଦେଇଥିଲେ, ଯଦି ପାକ୍ ସୈନିକ ଶ୍ରୀନଗର ବିମାନ ବନ୍ଦରକୁ ଅକ୍ତିଆର କରିଥିବେ ତା ହେଲେ ସେଠାରେ ବିମାନ ଅବତରଣ କରିବ ନାହିଁ । କିନ୍ତୁ ଚତୁର ବିଜୁ ବାବୁ ଅଳ୍ପ ଉଚ୍ଚତାରୁ ବିମାନଟିକୁ ଉଡ଼ାଇ ଶତ୍ରୁର ସ୍ଥିତି ଆକଳନ କରିବାରେ ସକ୍ଷମ ହୋଇଥିଲେ । ପାକ୍ ସୈନିକ ମାନେ ଜମ୍ମୁକୁ ସଂଯୋଗ କରୁଥିବା ସବୁ ରାସ୍ତା ଅବରୋଧ କରିଥିବାରୁ ଭାରତୀୟ ସୈନିକଙ୍କୁ ଅବତରଣ କରିବା ସୁଗମ ହୋଇଥିଲା । ପରେ ଜେନେରାଲ ରଞ୍ଜିତ ରାୟଙ୍କ ଟିମ୍ ଲଢେ଼ଇ କରି ପାକିସ୍ଥାନୀ ସେନାଙ୍କୁ ପଛକୁ ହଟେଇବାରେ ସକ୍ଷମ ହୋଇଥିଲେ । ବିଜୁ ବାବୁ ଥରେ ନୁହେଁ ଏକାଧିକ ଥର ଦିଲ୍ଲୀରୁ ଭାରତୀୟ ସୈନିକଙ୍କୁ ନେଇ ଶ୍ରୀନଗର ଅଭିମୁଖେ ଉଡାଣ କରିଥିଲେ । ପ୍ରବାଦ ପୁରୁଷ ଶ୍ରୀ ପଟ୍ଟନାୟକଙ୍କ ଏହି ସାହସିକତା କାର୍ଯ୍ୟ ସମ୍ପର୍କରେ ବହୁ କମ୍ ଲୋକ ଜାଣିଛନ୍ତି ।
ଆଜି ଲୋକସଭାରେ ୩୭୦ ଧାରା ଉଚ୍ଛେଦ ନେଇ ଆଲୋଚନା ସମୟରେ ବିଜେଡି ସାଂସଦୀୟ ଦଳ ନେତା ପିନାକୀ ମିଶ୍ର ଭାଗ ନେଇ ଏହି ପ୍ରସଙ୍ଗ ଉଠାଇଥିଲେ । ଶ୍ରୀ ମିଶ୍ର କହିଥିଲେ ବିଜୁ ପଟ୍ଟନାୟକଙ୍କର ସାହସିକ କାର୍ଯ୍ୟ ଯୋଗୁଁ କାଶ୍ମୀରକୁ ପାକ୍ ସେନାଙ୍କ ଆକ୍ରମଣରୁ ପ୍ରତିହତ କରିବାରେ ଭାରତୀୟ ସେନା ସମର୍ଥ ହୋଇଥିଲେ । ସେହି କାଶ୍ମୀରର ନୂଆ ରୂପ ନେଇ ପାଇଁ ଆଜି ଯେତେବେଳେ ସାରା ଭାରତ ବର୍ଷରେ ଚର୍ଚ୍ଚା ହେଉଛି ସେତିକିବେଳେ ଭାରତ ସରକାର ବିଜୁ ବାବୁଙ୍କର ଅଦମ୍ୟ ସାହସକୁ ପୂରଣ କରି ତାଙ୍କୁ ଭାରତ ରତ୍ନ ପ୍ରଦାନ କରିବା ଯଥାର୍ଥ ହେବ ବୋଲି ସେ ଦାବି କରିଥିଲେ ।
Comments ସମସ୍ତ ମତାମତ 0