ମୁଖ୍ୟ ଖବର
ଭୁବନେଶ୍ୱର: ପାଟକୁରା ବିଧାନସଭା ନିର୍ବାଚନର ଫଳାଫଳ ବିଜେଡି ସପକ୍ଷରେ ଯାଇଛି । ନିର୍ବାଚନରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ବାଜିମାତ ମାରିଛନ୍ତି । ତେବେ ଶୁକ୍ରବାର ନିର୍ବାଚନ ହାରିବା ପରେ ବର୍ଷିଛନ୍ତି ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର । ପରୋକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିଶାନା କରି ଶ୍ରୀ ମହାପାତ୍ର ବିଷ ଓଗାଳିଛନ୍ତି ।
ଏକ ବୈଦୁ୍ୟତିକ ଗଣମାଧ୍ୟମକୁ ସାକ୍ଷାତକାର ଦେବା ଅବସରରେ ଶ୍ରୀ ମହାପାତ୍ର କହିଛନ୍ତି ଯେ, ପୂର୍ବରୁ ଏପରି ନିର୍ବାଚନ କେବେ ଦେଖିନଥିଲି, ନା ଆଗକୁ କେବେ ଦେଖିବି । ଏପରି ଘେରାବନ୍ଦୀ କଲେ ଯେମିତି ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିଛି । କିଲ ବିଜୟ ପ୍ରୋଜେକ୍ଟ ସଫଳ ହୋଇଛି । ଅଭିନନ୍ଦନ ଜଣାଉଛି । ରାଜନୀତିରେ ସମସ୍ତଙ୍କ ପାଇଁ ଦିନେ ନା ଦିନେ ପୂର୍ଣ୍ଣଚ୍ଛେଦ ପଡେ଼ । ତାଙ୍କ ପାଇଁ ଆସିବ ଓ ମୋ ପାଇଁ ମଧ୍ୟ ପୂର୍ଣ୍ଣଚ୍ଛେଦ ସମୟ ଆସିବ । ତାଙ୍କ ପୂର୍ଣ୍ଣଚ୍ଛେଦ ବେଳେ ମୁଁ ଥିବି, ମୋ ପୂର୍ଣ୍ଣଚ୍ଛେଦ ବେଳେ ସେ ନଥିବେ । ରାଜନୀତିରେ କେହି ଅଜେୟ ଓ ଅମର ହୋଇ ରହିପାରିବ ନାହିଁ । ଘେରାବନ୍ଦୀ କରିଥିବା ନବୀନଙ୍କ ସେନାବାହିନୀ ସହ କଥା ହୋଇଛି । ମୋ ସହ ଆଲୋଚନା ବେଳେ ଅନ୍ତରର ସମର୍ଥନ ଜଣାଇଛନ୍ତି । ସେମାନେ ଜାଣିନାହାନ୍ତି ସେମାନଙ୍କ ଭବିଷ୍ୟତ କଣ ହେବ । ସାଧାରଣ ନିର୍ବାଚନ ବେଳେ ଭୋଟ ହୋଇଥିଲେ ଫଳ ଅଲଗା ହୋଇଥାନ୍ତା । ଉଦେ୍ଧଶ୍ୟମୂଳକଭାବେ ନିର୍ବାଚନକୁ ବିଳମ୍ବ କରାଗଲା ।
ଅନ୍ୟପକ୍ଷରେ ବିଜୟ ମହାପାତ୍ରଙ୍କ ଅଭିଯୋଗକୁ ଭୁଲ ବୋଲି କହିଛନ୍ତି ବିଜେଡି ବିଧାୟକ ପ୍ରତାପ ଦେବ । ସେ କହିଛନ୍ତି ଯେ, ଘେରାବନ୍ଦୀ ରାଜନୀତି ବିଜୁ ବାବୁଙ୍କ ଅମଳରୁ ଆରମ୍ଭ ହୋଇଛି । ରାଇରଙ୍ଗପୁର ଉପନିର୍ବାଚନରେ ହୋଇଥିଲା । ସେତେବେଳେ ବିଜୟ ବାବୁ ସେନାପତି ଥିଲେ । ଆମେ ସବୁ ଉପନିର୍ବାଚନରେ ଏମିତି ମିଶି କରି ଲଢିଛୁ । ଦୁଇ ପ୍ରାର୍ଥୀଙ୍କ ଭିତରେ ଯେମିତି ଲଢେଇ ହୁଏ, ସେମିତି ଲଢିଛୁ । ଘେରାବନ୍ଦୀ ଅଭିଯୋଗ ଭୁଲ, ଆମେ ମୋଟ ୨୧ ବିଧାୟକ ଓ ମନ୍ତ୍ରୀ ଥିଲୁ । କିଲ ବିଜୟ ଉକ୍ତି ଗଣମାଧ୍ୟମର ମନଗଢା କାହାଣୀ । ରାଜନୀତିରେ ପୂର୍ଣ୍ଣଚ୍ଛେଦ ପକାଇବାର ଏକମାତ୍ର କ୍ଷମତା ଭୋଟରଙ୍କର ବୋଲି ପ୍ରତାପ ଦେବ କହିଛନ୍ତି ।
Comments ସମସ୍ତ ମତାମତ 0