Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅର୍ଥନୀତି

ମୁଖ୍ୟ ଖବର

    ୨୭ ଲକ୍ଷ ୮୬ ହଜାର ୩୪୯ କୋଟିର ବଜେଟ

    Share on :
    Date: Jul 6, 2019    Views: 79

    ନୂଆଦିଲ୍ଲୀ : ଦୀର୍ଘସୂତ୍ରୀ ଯୋଜନା ସହ ଦେଶ ପ୍ରଗତିର ସୁନେଲୀ ସ୍ୱପ୍ନ ଦେଖାଇଛନ୍ତି ମୋଦି ସରକାର  । ଦେଶର ଅର୍ଥନୀତି ଆକାଶ ଛୁଅାଁ ହେବ, ଗ୍ରାମୀଣ ଇଲାକାରେ ସାଧାରଣ ଲୋକଙ୍କ ଜୀବନଯାପନର ମାନ ବଦଳିବ  । ସମସ୍ତଙ୍କ ଘରକୁ ବିଜୁଳି, ଗ୍ୟାସ, ଶୌଚାଳୟ ସହ ପିଇବା ପାଣି ବି ଯୋଗାଇ ଦିଆଯିବ  । ନିଯୁକ୍ତି ସୁଯୋଗ ସୃଷ୍ଟି ସହ ଦକ୍ଷତା ବିକାଶ ଉପରେ ବି ଗୁରୁତ୍ୱାରୋପ କରାଯାଇଛି  । ଧନୀଙ୍କ ଉପରେ ଟିକସ ବୋଝ ଲଦି ଦିଆଯାଇଥିବାବେଳେ ସାଧାରଣ ଲୋକଙ୍କ ଉପରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିର ବୋଝ ବି ଲଦି ଦିଆଯାଇଛି  । ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ  ଦେଶ ପାଇଁ ଏମିତି ବ୍ଲୁପ୍ରିଂଟ ପ୍ରସ୍ତୁତ କରିଛନ୍ତି  ।

    କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ୨୭ ଲକ୍ଷ ୮୬ ହଜାର ୩୪୯ କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି  । ପେନସନ ପାଇଁ ୧,୭୪୩୦୦ କୋଟି, ପ୍ରତିରକ୍ଷା ପାଇଁ ୩୦୫୨୯୬ କୋଟି, ସବସିଡ଼ ପାଇଁ ୩୦୧୬୯୪ କୋଟି, କୃଷି ପାଇଁ ୧୫୧୫୧୮ କୋଟି, ଶିକ୍ଷା ପାଇଁ ୯୪୮୫୪ କୋଟି, ସ୍ୱରାଷ୍ଟ୍ର ବିଭାଗ ପାଇଁ ୧୦୩୯୨୭ କୋଟି, ସୁଧ ପରିଶୋଧ ପାଇଁ ୬୬୦୪୭୧ କୋଟି, ଗ୍ରାମ୍ୟ ବିକାଶ ପାଇଁ ୧୪୦୭୬୨ କୋଟି, ଟିକସ ପ୍ରଶାସନ ପାଇଁ ୧୧୭୨୮୫ କୋଟି ଓ ପରିବହନ ପାଇଁ ୧୫୭୪୪୭ କୋଟି ଟଙ୍କା ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି  ।

    ରାଜସ୍ୱ ପ୍ରାପ୍ତି ବାବଦରେ ସରକାର ୧୯ ଲକ୍ଷ ୬୨ ହଜାର ୭୬୧ କୋଟି ଟଙ୍କା ପାଇବେ ବୋଲି ଆକଳନ କରିଛନ୍ତି  । ସେଥିମଧ୍ୟରୁ ନିଜସ୍ୱ ରାଜସ୍ୱ ଆକାରରେ ୧୬ ଲକ୍ଷ ୪୯ ହଜାର ୫୮୨ କୋଟି ଓ ଅଣ ଟିକସ ରାଜସ୍ୱ ଆକାରରେ ୩ ଲକ୍ଷ ୧୩ ହଜାର ୧୭୯ କୋଟି ଟଙ୍କା ମିଳିବ ବୋଲି ଆକଳିତ ହୋଇଛି  । ସେହିପରି ପୁଞ୍ଜି ଆୟ ବାବଦରେ ସରକାର ୮ ଲକ୍ଷ ୨୩ ହଜାର ୫୮୮ କୋଟି ଟଙ୍କା ପାଇବେ ବୋଲି ବଜେଟରେ ଉଲ୍ଲେଖ କରାଯାଇଛି  । ଆୟକର ଦାଖଲ ପାଇଁ ଆଉ ପାନକୁ ବାଧ୍ୟତାମୂଳକ କରାଯାଇନାହିଁ  । ଜଣେ ବ୍ୟକ୍ତି ଚାହିଁଲେ କେବଳ ଆଧାର କାଡର଼୍ ଜରିଆରେ ବି ଟିକସ ଦାଖଲ କରିପାରିବ  । ଗତ ୪ ବର୍ଷ ମଧ୍ୟରେ ବହୁଦିନ ଧରି ପଡ଼ିରହିଥିବା ପ୍ରାୟ ୪ ଲକ୍ଷ କୋଟିର ଋଣ ବ୍ୟାଙ୍କଗୁଡ଼ିକ ଆଦାୟ କରିପାରିଥିବାବେଳେ ଅଧିକ ଋଣ ପ୍ରଦାନ ପାଇଁ ବ୍ୟାଙ୍କଗୁଡ଼ିକୁ ସରକାର ୭୦ ହଜାର କୋଟି ଟଙ୍କା ଯୋଗାଇଦେବେ  । ପ୍ରବାସୀ ଭାରତୀୟମାନଙ୍କୁ ଦେଶକୁ ଫେରିବା ମାତ୍ରେ ଆଧାର ଯୋଗାଇଦେବା ପାଇଁ ମଧ୍ୟ ସରକାର ଯୋଜନା କରିଛନ୍ତି  ।

    ଦେଶର ଅର୍ଥନୀତିକୁ ୫ ଟ୍ରିଲିୟନ ଡଲାରରେ ପହଁଚାଇବା, ଗ୍ରାମୀଣ ଜୀବନରେ ପରିବର୍ତନ, ପ୍ରତି ଘରକୁ ଜଳଯୋଗାଣ ପାଇଁ  ନୂତନ ଜଳଶକ୍ତି ମନ୍ତ୍ରଣାଳୟ, ପ୍ରତ୍ୟକ୍ଷ ଓ ପରୋକ୍ଷ ଟିକସ ସରଳୀକରଣ, ଭିତିଭୂମି ଓ ଯୋଗାଯୋଗକୁ ସୁଦୃଢ଼ କରିବା, ମହାକାଶରେ ଭାରତର ସାମର୍ଥ୍ୟ ପ୍ରତିପାଦନ ଆଦି ବଜେଟର ପ୍ରମୁଖ ବୈଶିଷ୍ଟ୍ୟ ରହିଛି  ।
    ପ୍ରଧାନମନ୍ତ୍ରୀ କର୍ମଯୋଗୀ ମାନଧନ ଯୋଜନାରେ ଖୁଚୁରା ବେପାରୀ ଓ ଦୋକାନୀଙ୍କୁ ପେନସନ, ଗୃହ ଋଣ ହ୍ରାସ, କର୍ପୋରେଟ ଟିକସ ଦାତାଙ୍କୁ ଟିକସ ଲାଭ, ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନାରେ ମତ୍ସ୍ୟ ଚାଷର ବିକାଶ ଉପରେ ଗୁରୁତ୍ୱାରୋପ କରାଯାଇଛି  । ଖୁଚୁରା ବେପାରୀମାନଙ୍କୁ ୩ ହଜାର ଟଙ୍କାର ପେନସନ ଦେବା ପାଇଁ ସରକାର ଯୋଜନା କରିଛନ୍ତି  । ଜିଏସଟି, ଆଇବିସି, ରେରା ଆଦିରେ ସଂସ୍କାର ସହ ମୁଦ୍ରା, ଉଜ୍ଜ୍ୱଳା ଓ ସୌଭାଗ୍ୟ ଯୋଜନାରେ ସାଧାରଣ ଲୋକଙ୍କ ଜୀବନ ମାନରେ ଉନ୍ନତି ଆଣିବା ପାଇଁ ମଧ୍ୟ ବଜେଟରେ ଗୁରୁତ୍ୱାରୋପ କରାଯାଇଛି  । ଆଂଚଳିକ ବିମାନବନ୍ଦର ପ୍ରତିଷ୍ଠା, ପାୱାର ଗ୍ରୀଡ଼ ସ୍ଥାପନ, ଆଇ-ୱେଜ, ଗ୍ୟାସ ଗ୍ରୀଡ଼ ଓ ଜଳ ଗ୍ରୀଡ଼ରେ ନିବେଶ ପାଇଁ ଲକ୍ଷ୍ୟ ରଖାଯାଇଛି  । ଶିଳ୍ପ ବିକାଶ ନିମନ୍ତେ ଏମଏସଏମଇରେ ଋଣ ରିହାତି ପାଇଁ ୩୫୦ କୋଟିର ବ୍ୟବସ୍ଥା ହୋଇଥିବାବେଳେ ସୋସିଆଲ ଷ୍ଟକ ଏକ୍ସଚେଂଜ ପ୍ରତିଷ୍ଠା କରାଯିବ  । ମେକ ଇନ ଇଣ୍ଡିଆକୁ ପ୍ରୋତ୍ସାହିତ କରିବା ପାଇଁ ସୀମା ଶୁଳ୍କରେ ପରିବର୍ତନ, ଷ୍ଟାର୍ଟ ଅପ ପାଇଁ ସ୍ୱତନ୍ତ୍ର ଟିଭି ଚ୍ୟାନେଲ, ଇ-ଭେଇକଲ କ୍ରୟରେ ଆୟକର ହ୍ରାସ ଉପରେ ଗୁରୁତ୍ୱାରୋପ କରାଯାଇଛି  । 
    ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଅଭିଭାଷଣ ବେଳେ ପ୍ରତି ଗ୍ରାମୀଣ ପରିବାରକୁ ପାନୀୟ ଜଳ ଯୋଗାଣ ଉପରେ ଗୁରୁତ୍ୱାରୋପ କରିଛନ୍ତି  । ଜଳଜୀବନ ମିଶନ ଜରିଆରେ ୨୦୨୪ ସୁଦ୍ଧା ପ୍ରତି ଘରକୁ ଜଳଯୋଗାଣର ଲକ୍ଷ୍ୟ ରଖାଯାଇଛି  । ଏହି ଯୋଜନାରେ ଦେଶର ୨୫୬ ଜିଲ୍ଲାର ୧୫୯୨ ବ୍ଲକ ଉପରେ ଗୁରୁତ୍ୱାରୋପ କରାଯିବ  । ସେହିପରି ୩ କୋଟି ଖୁଚୁରା ବେପାରୀ ଓ କ୍ଷୁଦ୍ର ଦୋକାନୀମାନଙ୍କୁ ପେନସନ ଦେବା ପାଇଁ ସରକାର ଯୋଜନା କରିଛନ୍ତି  । ପ୍ରଧାନମନ୍ତ୍ରୀ ଲଘୁ ବ୍ୟାପାରୀ ମାନ ଧନ ଯୋଜନାରେ ଏହି ସୁବିଧା ମିଳିପାରିବ  । ଏବେ ସବୁ ଗାଁକୁ ବିଜୁଳି ପହଁଚି ସାରିଥିବାବେଳେ ୭ କୋଟି ଏଲପିଜି ଗ୍ୟାସ ସଂଯୋଗ ଯୋଗାଇ ଦିଆଯାଇଛି  । ୨୦୨୨ ସୁଦ୍ଧା ପ୍ରତ୍ୟେକ ଘରକୁ ବିଜୁଳି ଓ ଗ୍ୟାସ ଯୋଗାଇ ଦିଆଯିବ  । ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏଣିକି ଶୌଚାଳୟ ସହ ବିଜୁଳି ଓ ଏଲପିଜି ସଂଯୋଗ ମଧ୍ୟ ପ୍ରଦାନ କରାଯିବ  । ୨୦୧୯-୨୦ରୁ ୨୦୨୧-୨୨ ମଧ୍ୟରେ ୧.୯୫ କୋଟି ଗୃହ ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଛି  । ଆଗାମୀ ୫ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ୧.୨୫ କିମି ରାସ୍ତା ନିର୍ମାଣ ପାଇଁ ୮୦୨୫୦ କୋଟି ଟଙ୍କା ଖର୍ଚ୍ଚ କରାଯିବ  । ପ୍ରତି ଗ୍ରାମରେ କଠିନ ବର୍ଜ୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ ଉପରେ ମଧ୍ୟ ବଜେଟରେ ଗୁରୁତ୍ୱାରୋପ କରାଯାଇଛି  । ଏହାଛଡ଼ା  ଦେଶରେ ଶିକ୍ଷାର ବିକାଶ ପାଇଁ ନୂତନ ଶିକ୍ଷାନୀତି ଆଣିବାକୁ ସରକାର ନିଷ୍ପତି ନେଇଛନ୍ତି  । ଉଚ୍ଚଶିକ୍ଷାର ବିକାଶ ସହ ଗବେଷଣାକୁ ଅଗ୍ରାଧିକାର ଦେବା ପାଇଁ ଜାତୀୟ ଗବେଷଣା ଫାଉଣ୍ଡେସନ ପ୍ରତିଷ୍ଠା କରାଯିବ  ।
    ପାରମ୍ପରିକ ବେଉସାକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ଏସଏଫୟୂଆରଟି ନାମରେ ନୂତନ ଯୋଜନା କରିଛନ୍ତି  । ପାରମ୍ପରିକ ଶିଳ୍ପକୁ ଅଧିକ ଉପôାଦନଶୀଳ ଓ ଲାଭଦାୟକ କରିବା ପାଇଁ କମନ ଫାସିଲିଟି ସେଂଟର ସ୍ଥାପନ କରାଯିବ  । ବିଶେଷକରି ବାଉଁଶ, ମହୁ ଓ ଖଦୀ କ୍ଲଷ୍ଟର ଉପରେ ଗୁରୁତ୍ୱାରୋପ କରାଯିବ  । ଚଳିତ ଆର୍ଥିକ ବର୍ଷରେ ୧୦୦ଟି ନୂତନ କ୍ଲଷ୍ଟର ସ୍ଥାପନ କରାଯାଇ ୫୦ ହଜାର କାରିଗରଙ୍କ ଆର୍ଥିକ ସମୃଦ୍ଧି କରାଯିବ  ।
    ଭାରତର ଅର୍ଥନୀତି ୩ ଟ୍ରିଲିୟନ ଡଲାର ଛୁଇଁଥିବାବେଳେ କ୍ରୟ ସାମର୍ଥ୍ୟ ଦୃଷ୍ଟିରୁ ବିଶ୍ୱରେ ତୃତୀୟ ସ୍ଥାନ ଅଧିକାର କରିଛି  । ଆଗାମୀ ୫ ବର୍ଷ ମଧ୍ୟରେ ସରକାର ଭିତିଭୂମି ବିକାଶ ପାଇଁ ୧୦୦ ଲକ୍ଷ କୋଟି ଟଙ୍କା ନିବେଶ ପାଇଁ ଲକ୍ଷ୍ୟ ରଖିଥିବାବେଳେ ଚଳିତ ଆର୍ଥିକ ବର୍ଷରେ ଦେଢ଼ ଲକ୍ଷ କୋଟିର ପୁଞ୍ଜି ପ୍ରତ୍ୟାହାର ନିମନ୍ତେ ଲକ୍ଷ୍ୟ ରଖାଯାଇଛି  । ବେଦୁ୍ୟତିକ ଯାନବାହାନ ବ୍ୟବହାର ବୃଦ୍ଧି ପାଇଁ ସେ କ୍ଷେତ୍ରରେ ୧୦ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ପାଇଁ ଲକ୍ଷ୍ୟ ରହିଛି  । ଆଫ୍ରିକାରେ ୧୮ଟି ନୂତନ କୂଟନୀତିକ ମିଶନ, ୧୭ଟି ପର୍ଯ୍ୟଟନ କେନ୍ଦ୍ରକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ କରିବା ସହ ୨୦ ଟଙ୍କିଆ କଏନ ପ୍ରଚଳନ ନିମନ୍ତେ ମଧ୍ୟ ଲକ୍ଷ୍ୟ ରଖାଯାଇଛି  । ୨୦୨୨ ସୁଦ୍ଧା ସମସ୍ତଙ୍କୁ ପକ୍କା ଘର ଯୋଗାଇଦେବା ସହ ୫ ବର୍ଷ ଭିତରେ ପିଏମଜିଏସୱାଇ-୩ରେ ୧.୨୫ ଲକ୍ଷ କିମି ରାସ୍ତା ନିର୍ମାଣ କରାଯିବ  । 
    ବଜେଟରେ ଭିତିଭୂମି, ଡିଜିଟାଲ ଅର୍ଥନୀତି ଓ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗରେ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ନିବେଶ ଉପରେ ଗୁରୁତ୍ୱାରୋପ କରାଯାଇଛି  ।  ଭାରତମାଳା ପ୍ରକଳ୍ପରେ ରାଜ୍ୟର ରାସ୍ତାଗୁଡ଼ିକୁ ଅନ୍ତର୍ଭୁକ୍ତ କରିବା ପାଇଁ ଲକ୍ଷ୍ୟ ରହିଥିବାବେଳେ ଜଳ ମାର୍ଗ ବିକାଶ ପ୍ରକଳ୍ପ ଜରିଆରେ ସାହିବଗଞ୍ଜ ଓ ହଳଦିଆଠାରେ ମଲଟି ମୋଡ଼ାଲ ଟର୍ମିନାଲ ନିର୍ମାଣ କରାଯିବ  । ଆଗାମୀ ୪ ବର୍ଷ ମଧ୍ୟରେ ଗଙ୍ଗାରେ ପରିବହନକୁ ୪ଗୁଣା କରିବା ପାଇଁ ଲକ୍ଷ୍ୟ ରହିଛି  । ୨୦୧୮-୨୦୩୦ ମଧ୍ୟରେ ରେଳବାଇ ଭିତିଭୂମି ବିକାଶ ନିମନ୍ତେ ୫୦ ଲକ୍ଷ କୋଟି ଟଙ୍କା ନିବେଶ ଲକ୍ଷ୍ୟ ରଖାଯାଇଛି  । ଅପରପକ୍ଷରେ ଉପଭୋକ୍ତାମାନଙ୍କୁ ସୁଲଭ ମୂଲ୍ୟରେ ବିଜୁଳି ଯୋଗାଣ ପାଇଁ ୱାନ ନେସନ, ୱାନ ଗ୍ରୀଡ଼ର ପରିକଳ୍ପନା କରାଯାଇଛି  । ଚଳିତ ଆର୍ଥିକ ବର୍ଷରେ କ୍ରେଡ଼ିଟ ଗ୍ୟାରେଂଟି ଏନହାନ୍ସମେଂଟ କର୍ପୋରେସନ ସ୍ଥାପନ କରାଯିବାର ଥିବାବେଳେ ଅଧିକରୁ ଅଧିକ ବୈଦେଶିକ ପୁଞ୍ଜି ନିବେଶ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ନିମନ୍ତେ ପଦକ୍ଷେପ ଗ୍ରହଣ କରାଯିବ  ।
    ପ୍ରତ୍ୟକ୍ଷ ଟିକସ କ୍ଷେତ୍ରରେ କେତେକ ସଂସ୍କାର ଅଣାଯାଇଛି  । ପୂର୍ବରୁ ୨୫୦ କୋଟି ଟର୍ଣ୍ଣଓଭର ଥିବା କମ୍ପାନୀଗୁଡ଼ିକ ପାଇଁ ସର୍ବନିମ୍ନ କର୍ପୋରେଟ ଟିକସ ଲାଗୁ ହେଉଥିବାବେଳେ ଏବେ ତାହା ୪୦୦ କୋଟିକୁ ବୃଦ୍ଧି କରାଯାଇଛି  । ଗୃହ କିଣିଲେ ୩.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁଧ ରିହାତି ପ୍ରଦାନ କରାଯିବ  । ସେହିପରି ୧ କୋଟିରୁ ଅଧିକ ନଗଦ ଟଙ୍କା ବ୍ୟାଙ୍କରୁ ଉଠାଣ କଲେ ୨% ଟିଡ଼ିଏସ ଲାଗୁ କରାଯିବ  । 
    ପିଭିସି, ଟାଇଲସ, ଅଟୋ ପାର୍ଟସ, ମାର୍ବଲ ସ୍ଲାବ, ଅପଟିକାଲ ଫାଇବର କେବଲ, ସିସିଟିଭି କ୍ୟାମେରା ଉପରେ ସୀମା ଶୁଳ୍କ ବୃଦ୍ଧି କରାଯାଇଛି  । ବିଦେଶରୁ ଆସୁଥିବା ବହି ଉପରେ ବି ୫% ସୀମା ଶୁଳ୍କ ଲାଗୁ କରାଯାଇଛି  । ତେବେ କୃତ୍ରିମ କିଡ଼ନୀ ଓ ଆଣବିକ ପାୱାର ପ୍ଲାଂଟ ପାଇଁ ଆସୁଥିବା ଇନ୍ଧନ ଉପରେ ଏହି କଷ୍ଟମ ଟିକସ ହ୍ରାସ ପାଇଛି  । 

    Read more

    ଆଶା ଓ ବିଶ୍ୱାସର ବଜେଟ: ମୋଦି

    ନୂଆଦିଲ୍ଲୀ: ଆଜି ଲୋକସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ୨୦୧୯-୨୦ କେନ୍ଦ୍ର ବଜେଟ୍‌ ଉପସ୍ଥାପନ ହୋଇଯାଇଛି। ଚଳିତବର୍ଷ ବଜେଟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱପ୍ନର ବଜେଟ୍‌ ବୋଲି ଆଖ୍ୟାୟିତ କରିଛନ୍ତି। ଏହି ବଜେଟ୍‌ ଅନେକ ବର୍ଗଙ୍କୁ ...

    Read more

    ଆସିବ ନୂଆ କଏନ

    ନୂଆଦିଲ୍ଲୀ:  ମାର୍କେଟକୁ ଆସିବ ନୂଆ କଏନ । ଖୁବଶୀଘ୍ର ବଜାରରେ ପ୍ରଚଳିତ ହେବ ନୂଆ କଏନ । ମାର୍କେଟକୁ ନୂଆ ଆସିବା ନେଇ ଆଜି ବଜେଟରେ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।
    ତେବେ ୧ ଟଙ୍କିଆ, ୨ଟଙ୍କିଆ, ୫ ଟଙ୍କିଆ, ୧୦ ଟଙ୍କିଆ ଏବଂ ୨୦ ଟଙ୍କିଆ ନୂଆ କଏନ ...

    Read more

    ଉଚ୍ଚ ଶିକ୍ଷା ପାଇଁ ୪୦୦କୋଟି ବ୍ୟୟ ବରାଦ

    ନୂଆଦିଲ୍ଲୀ: ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନା  ସମୟରେ  ଭାରତକୁ ପୁଣି ଶିକ୍ଷା କ୍ଷେତ୍ରରେ କେନ୍ଦ୍ର କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ଅର୍ଥମନ୍ତ୍ରୀ ସୀତାରମଣ ଉପସ୍ଥାପନାରେ କହିଛନ୍ତି । ଭାରତରେ ଶିକ୍ଷା କ୍ଷେତ୍ରରେ ସୂଚ୍ଛତା ପାଇଁ ପ୍ରୟାସ ଜାରି ରହିଛି । ...

    Maximum 500 characters

    ଅର୍ଥନୀତି View all

    Find Us on Facebook