ମୁଖ୍ୟ ଖବର
ଭୁବନେଶ୍ୱର : ତିନି ଦିନ ପରେ ପୁଣି ଲେଉଟିଛି ତାତି । ପଶ୍ଚିମ ଓ କେନ୍ଦ୍ରୀୟ ଓଡିଶାରେ ପ୍ରଚଣ୍ଡ ତାତି ଅନୁଭୂତ ହୋଇଛି । ରାଜ୍ୟରେ ୩ଟି ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଥିବା ବେଳେ ୧୧ଟି ସହରରେ ପାରଦ ୪୦ଡିଗ୍ରୀ ଡେଇଁଛିି । ଟିଟିଲାଗଡକୁ ପଛରେ ପକାଇ ଝାରସୁଗୁଡା ରାଜ୍ୟର ସର୍ବୋଚ୍ଚ ଉତପ୍ତ ସହରରେ ପରିଣତ ହୋଇଛି । ଏଠାରେ ତାପମାତ୍ରା ୪୫.୨ ଡିଗ୍ରି ରହିଥିଲା ।
ତେବେ ଆସନ୍ତା ୭୨ ଘଂଟା ପର୍ଯ୍ୟନ୍ତ ତାତି କମ ରହିବାର ସମ୍ଭାବନା ରହିଛି । ବଙ୍ଗୋପସାଗର ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ୮ ତାରିଖ ଯାଏ ଉତର, ଉପକୂଳ ଓ ପଶ୍ଚିମ ଓଡ଼ିଶାରେ ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଯେଉଁଥିପାଇଁ ତାପମାତ୍ରା ସାମନ୍ୟ କମିବ । ଅଧିକାଂଶ ସ୍ଥାନରେ ପାରଦ ୪୦ଡିଗ୍ରି ତଳକୁ ଖସିଆସିବ ।
ଅନ୍ୟପକ୍ଷରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବାହକୁ ନେଇ ଭାରତୀୟ ପାଣିପାଗ ବିଭାଗ କହିଛି ଯେ ଆସନ୍ତା ୪୮ ଘଂଟା ମଧ୍ୟରେ ମୌସୁମୀ ବାୟୁ କେରଳ ଛଇଁବାର ସମ୍ଭାବନା ରହିଛି । ଯଦି ୭ ତାରିଖ ଦିନ ମୌସୁମୀ କେରଳ ଛୁଇଁବ ତେବେ ରଜ ପରେ ଓଡିଶାରେ ମୌସୁମୀ ବର୍ଷା ହେବାର ସମ୍ଭାବନା ରହିଛି । ତେଣୁ ୮ରୁ ୧୭ ତାରିଖ ଯାଏ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପୂର୍ବାନୁମାନ କରାଯାଇଛି ।
ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳଙ୍କ ଆକଳନ ହେଉଛି ରଜ ପରେ ଓଡିଶା ଛୁଇଁବ ମୌସୁମୀ । ଅବଶ୍ୟ ୬ରୁ ୮ ତାରିଖ ମଧ୍ୟରେ ଓଡିଶାରେ ସ୍ୱଳ୍ପ ରୁ ମଧ୍ୟମ ଧରଣର ବର୍ଷା ହେବ । ତେବେ ଏହା ପ୍ରାକ୍ ମୌସୁମୀ ବର୍ଷା ନୁହେଁ । ୬ତାରିଖରେ କେରଳ ମୌସୁମୀ ଛଇଁବାର ସମ୍ଭାବନା ରିହଛି । ଏହାଦ୍ୱାରା ଆରବ ସାଗର ଶାଖାରେ ମୌସୁମୀ ବାୟୁ ସକ୍ରୀୟ ହେବ । ଫଳରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ତାମିଲନାଡୁ, କର୍ଣ୍ଣାନଟ ସମେତ ଉପକୂଳ ମହାରାଷ୍ଟ୍ର ଅର୍ଥାତ୍ ଜୁନ ୧୦ ସୁଦ୍ଧା ମୁମ୍ବାଇ ଛୁଇଁବ । ତେବେ ଏହାପରେ ଗୋଟିଏ ସପ୍ତାହ ଲାଗି ମୌସୁମୀ ସ୍ଥିର ରହିବ । ଆଗରୁ ଭୁବନେଶ୍ୱର ଓ ମୁମ୍ବାଇ ସହରରେ ମୌସୁମୀ ଏକ ସମୟରେ ପ୍ରବେଶ କରିଥାଏ । ତେବେ ଏଥର ଭୁବନେଶ୍ୱର ବହୁ ପଛରେ ରହିବ ବୋଲି ସେ କହିଛନ୍ତି । ତେଣୁ ଚାଷୀମାନଙ୍କୁ ମୌସୁମୀ ବର୍ଷା ଲାଗି ଜୁନ୍ ତୃତୀୟ ସପ୍ତାହ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ ବୋଲି ସେ କହିଛନ୍ତି ।
Comments ସମସ୍ତ ମତାମତ 0