Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ନୂଆ ଦଳ ନେଇ ବିଜୟ ଓ ବୈଜୟନ୍ତ ଆଲୋଚନା

    Share on :
    Date: Jan 10, 2019    Views: 8543

    ଭୁବନେଶ୍ୱର : ଜାନୁଆରୀରେ ରାଜ୍ୟ ରାଜନୀତି ନୂଆ ମୋଡ଼ ନେବାକୁ ଯାଉଛି  । ବିଜେପି ଓ ବିଜେଡ଼ି ଛାଡ଼ିଥିବା ନେତାମାନେ ଏକାଠି ହୋଇ ନୂଆ ସମୀକରଣ ପାଇଁ ଅଙ୍କ କଷା ଆରମ୍ଭ କରିଛନ୍ତି  । ବିଜେଡ଼ିର ବିକଳ୍ପ ଭାବେ ଆଉ ଏକ ଆଚଂଳିକ ଦଳ ଗଠନ ପାଇଁ ରୁଦ୍ଧଦ୍ୱାର ବୈଠକ ଆରମ୍ଭ ହୋଇଯାଇଛି  । ବିଶେଷକରି ବିଜୟ ମହାପାତ୍ର ଓ ବୈଜୟନ୍ତ ପଣ୍ଡାଙ୍କ ମଧ୍ୟରେ ପ୍ରାରମ୍ଭିକ ଆଲୋଚନା ଆରମ୍ଭ ହୋଇଥିବା ଜାଣିବାକୁ ମିଳିଛି  ।

    ଦୁଇ ବର୍ଷ ଧରି ବିଜେପି ସହ ସମ୍ପର୍କ ତୁଟାଇ ଦେଇଥିବା ବିଜୟ ମହାପାତ୍ର ଏଯାବତ ନିଜର ରାଜନୀତିକ ଦିଗ ନିର୍ଦ୍ଧାରଣ କରିନାହାନ୍ତି  । ଅପରପକ୍ଷରେ ବିଜେଡ଼ି ସହ ତୁତୁମେଁମେଁର ଚାରି ବର୍ଷ ଓ ଦଳରୁ ନିଲମ୍ବିତ ହେବାର ପ୍ରାୟ ବର୍ଷକ ପରେ ମଧ୍ୟ ବୈଜୟନ୍ତ ପଣ୍ଡା ନିଜର ରାଜନୈତିକ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିପାରିନାହାନ୍ତି  । ଯାହାକୁ ନେଇ ରାଜ୍ୟ ରାଜନୀତିରେ ସ୍ୱତଃ ପ୍ରଶ୍ନବାଚୀ ସୃଷ୍ଟିହୋଇଛି  । ବିଜୟ ବିଜେଡ଼ିକୁ ଓ ବୈଜୟନ୍ତ ବିଜେପିକୁ ଯିବେ ବୋଲି ବେଶ ଜୋରଦାର ଚର୍ଚ୍ଚା ହୋଇଆସିଥିଲା  । କିନ୍ତୁ ଧିରେଧିରେ ଏହି ଚର୍ଚ୍ଚାରେ ଯବନିକା ପଡ଼ିଛି  । ଖୋଦ ବିଜୟ ଓ ବୈଜୟନ୍ତ ଏଭଳି ଚର୍ଚ୍ଚାକୁ ସିଧାସଳଖ ଭାବେ ଖଣ୍ଡନ କରିଛନ୍ତି  । ଅପରପକ୍ଷରେ ଦୁଇ ନେତା ଏକ ନୂତନ ବିକଳ୍ପ ନେଇ ସୁରାକ ଦେବା ପରେ ରାଜ୍ୟ ରାଜନୀତି ପୁଣି ସରଗରମ ହୋଇଯାଇଛି  ।

    ବିଜେପି ଛାଡ଼ିବା ପରେ ବିଜୟ ମହାପାତ୍ରଙ୍କୁ ନେଇ ଅନେକ ଚର୍ଚ୍ଚା ହେଉଥିଲା  । ତେବେ ଫେସବୁକ ଲାଇଭ ଜରିଆରେ ସେ ପରୋକ୍ଷରେ ନୂତନ ବିକଳ୍ପ ନେଇ ସଂକେତ ଦେଇଥିଲେ  । ୧୯ ବର୍ଷ ଶାସନର କଥା ଉଠାଇଥିଲେ  । ପରିବର୍ତନର ଆଭାସ ବି ଦେଇଥିଲେ  । ସେହିପରି ପୁସ୍ତକ ଉନ୍ମୋଚନ ପରେ ପରେ ବୈଜୟନ୍ତ ଅନେକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇଛନ୍ତି  । ସାକ୍ଷାତକାର ବେଳେ ସେ ବିଜେପିକୁ ଆଉ ବିଜେଡ଼ିର ବିକଳ୍ପ ବୋଲି ଭାବୁନଥିବା ସ୍ପଷ୍ଟ କରିସାରିଛନ୍ତି  । ଏହି ପରିପ୍ରେକ୍ଷୀରେ ଖୁବଶୀଘ୍ର ପରବର୍ତୀ ପଦକ୍ଷେପ ନେବେବୋଲି ଇଙ୍ଗିତ କରିଛନ୍ତି  । ବିଜୟ ଓ ବୈଜୟନ୍ତଙ୍କ ନୀରବତା ଅନେକ ସଂଶୟ ସୃଷ୍ଟି କରୁଥିବାବେଳେ ନିକଟରେ ଦୁଇ ନେତା ପ୍ରାରମ୍ଭିକ ଆଲୋଚନା କରିଥିବା ଜାଣିବାକୁ ମିଳିଛି  । ଅପରପକ୍ଷରେ ଦିଲୀପ ରାୟ ମଧ୍ୟ ରାଉରକେଲା ଯାଇ କର୍ମୀଙ୍କ ସହ ଆଲୋଚନା କରିଛନ୍ତି  । ପୂର୍ବରୁ ସେ ବିଧାନସଭା ନିର୍ବାଚନ ଲଢ଼ିବେ ନାହିଁ ବୋଲି କହିଥିବାବେଳେ ରାଉରକେଲାରେ ଆଲୋଚନା କରିବା ପରେ ଆଗ ମାଟି, ପଛ ପାର୍ଟି ବୋଲି କହିଥିଲେ  । ଖାଲି ସେତିକିନୁହେଁ ବହୁ ଦଳ ପକ୍ଷରୁ ତାଙ୍କ ସହ ଯୋଗାଯୋଗ କରାଯାଇଛି ଓ ସେ ମଧ୍ୟ ଖୁବଶୀଘ୍ର ପରବର୍ତୀ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଥିଲେ  ।

    ମିଳିଥିବା ସୂଚନାନୁଯାୟୀ ବିଜୟ ବିଜେଡ଼ିକୁ ଫେରିବା ପାଇଁ କେତେ ଉତ୍ସୁକ ତାହାତ ଭିନ୍ନ କଥା, ହେଲେ ବିଜୟଙ୍କୁ ନେବା ପାଇଁ ବିଜେଡ଼ି ମଧ୍ୟ ଆଗ୍ରହ ପ୍ରକାଶ କରୁନଥିବା କୁହାଯାଉଛି  । ଦିଲୀପ ରାୟଙ୍କୁ ସବୁଜ ସଂକେତ ମିଳୁଥିଲେ ମଧ୍ୟ ତାଙ୍କୁ ମିଳୁନଥିବା ରାଜନୀତିକ ଅଳିନ୍ଦରେ ଚର୍ଚ୍ଚା ହେଉଛି  । ଯଦି ବା ବିଜେଡ଼ି ବିଜୟଙ୍କୁ ନିଏ ତେବେ ତାଙ୍କୁ କେବଳ କେନ୍ଦ୍ରାପଡ଼ାରେ ସୀମାବଦ୍ଧ ରଖିବାକୁ ଚାହୁଁଛି ବୋଲି କୁହାଯାଉଛି  । ଅପରପକ୍ଷରେ ବୈଜୟନ୍ତଙ୍କୁ ଏବେ ବିଜେପି ପକ୍ଷରୁ ଘନଘନ ଡାକରା ଆସୁଛି  । ଦଳରେ ସାମିଲ ହେବା ପାଇଁ କେତେକ ବରିଷ୍ଠ ବିଜେପି ନେତା ବୈଜୟନ୍ତଙ୍କୁ ଅନୁରୋଧ କରୁଛନ୍ତି  । ତେବେ ସେଥିରେ କେଁ ରହିଛି  । ବୈଜୟନ୍ତଙ୍କୁ ସେଇ କେନ୍ଦ୍ରାପଡ଼ା ମଧ୍ୟରେ ହିଁ ସୀମିତ ରହିବାକୁ କୁହାଯାଉଛି  । ଫଳରେ ବିଜୟ କିମ୍ବା ବୈଜୟନ୍ତ କେନ୍ଦ୍ରାପଡ଼ା ମଧ୍ୟରେ ସୀମିତ ନରହି ରାଜନୀତିକ ଚକମା ଦେଖାଇବାକୁ ଯୋଜନା କରିଛନ୍ତି  । ଆସନ୍ତା ଜାନୁଆରୀ ୧୨ରେ ବୈଜୟନ୍ତ ପଣ୍ଡାଙ୍କ ଜନ୍ମଦିନ  । ଏହି ଅବସରରେ ବନ୍ଧୁମିଳନର କାର୍ଯ୍ୟକ୍ରମ ରହିଛି  । ଦିଲ୍ଲୀରୁ ଫେରିବା ପରେ ବୈଜୟନ୍ତ ପୁଣି ଥରେ ବିଜୟଙ୍କ ସହ ଆଲୋଚନା କରି ଚୂଡ଼ାନ୍ତ କାର୍ଯ୍ୟପନ୍ଥା ଗ୍ରହଣ କରିବେ ବୋଲି କୁହାଯାଉଛି  । ସମ୍ଭବତଃ ଜାନୁଆରୀ ୧୨ରେ ଏନେଇ ବୈଜୟନ୍ତ ସୁରାକ ଦେବେବୋଲି ବୈଜୟନ୍ତଙ୍କ ସମର୍ଥକମାନେ ମତପ୍ରକାଶ କରୁଛନ୍ତି  ।

    ଅପରପକ୍ଷରେ ବ୍ରଜ ତ୍ରିପାଠୀଙ୍କ ସହ ମିଶି ଦାମ ବିଜୁ ସମତା କ୍ରାନ୍ତି ଦଳ ସଂକ୍ରାନ୍ତରେ ଘୋଷଣା କରିଥିଲେ  । କିନ୍ତୁ ଦାମ ଏଥିରେ ସଫଳ ହୋଇପାରିନାହାନ୍ତି  । ଦାମ ଭାବିଥିଲେ ବିଳମ୍ବ ନକରି ଆଗ ଦଳ ଘୋଷଣା କରିଦେଲେ ନବୀନ ବିରୋଧୀ ନେତାମାନେ ତାଙ୍କ ସହ ସାମିଲ ହେବେ  । କିନ୍ତୁ ସେଭଳି କିଛି ନହେବାରୁ ଏବେ ଦାମ ମଧ୍ୟ ତୁନି ହୋଇ ବସିବାକୁ ବାଧ୍ୟ ହୋଇଛନ୍ତି  । ଯଦି ବିଜୟ ଓ ବୈଜୟନ୍ତ ନୂତନ ଦଳ ଗଢ଼ନ୍ତି ତେବେ ରାଜନୀତିକ ସମୀକରଣ ବଦଳିଯିବ ବୋଲି ରାଜନୀତିକ ସମୀକ୍ଷକମାନେ ମତପୋଷଣ କରନ୍ତି  ।

    Maximum 500 characters

    ଅଧିକ ମତାମତ

    Best

    Dhirendra kumar Dabdsena

    Jan 11, 2019

    ରାଜନୀତି View all

    Find Us on Facebook