Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ଅର୍ଥ କମିଶନଙ୍କ ନିକଟରେ ଦାବି ଉପସ୍ଥାପନ କଲେ ନବୀନ

    Share on :
    Date: Jan 9, 2019    Views: 189

    ଭୁବନେଶ୍ୱର : ପଂଚଦଶ ଅର୍ଥ କମିଶନଙ୍କ ନିକଟରେ ଓଡ଼ିଶାର ଆର୍ଥିକ ଓ ସାମାଜିକ ଅଭିବୃଦ୍ଧି ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଏହି ଅବସରରେ ନବୀନ ଅର୍ଥ କମିଶନଙ୍କ ନିକଟରେ ଅନେକ ଦାବି ଉପସ୍ଥାପନ କରିଥିଲେ  ।
    ସେହିପରି ଟିକସ ଆବଂଟନ ୪୨%ରୁ ୫୦%କୁ ବୃଦ୍ଧି, ସେସ ଓ ସରଚାର୍ଜକୁ ଟିକସ ବିଭାଜନ ପୁଲରେ ସାମିଲ କରିବା, ଟିକସ ଆବଂଟନ କ୍ଷେତ୍ରରେ ୧୯୭୧ର ଜନସଂଖ୍ୟାକୁ ମାପଦଣ୍ଡ ଭାବେ ଗ୍ରହଣ କରିବା, ଆଉ ୧୦ ବର୍ଷ ପର୍ଯ୍ୟନ୍ତ ଜିଏସଟି କ୍ଷତିପୂରଣ ପ୍ରଦାନ, କୋଇଲା ଖଣଇ ଅଂଚଳରେ କ୍ଲିନ ଏନର୍ଜୀ ସେସ ଖର୍ଚ୍ଚ କରିବାକୁ ନବୀନ ଦାବି ଉପସ୍ଥାପନ କରିଛନ୍ତି  । ସେହିପରି ଅଧିକ ସଂଖ୍ୟକ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ଓ ସତର୍କ ସୂଚନାର ବିକାଶ ପାଇଁ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ସ୍ୱତନ୍ତ୍ର ଭାବେ ୧୫ ଶହ କୋଟିର ପ୍ୟାକେଜ ଦେବା ପାଇଁ ନବୀନ ଦାବି କରିଥିଲେ  ।

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେଯେ, ଓଡ଼ିଶାର ଅଭିବୃଦ୍ଧି ନିରନ୍ତର ଜାରିରହିଛି  । ସମସ୍ତ ପ୍ରକାର ପ୍ରତିକୂଳ ସ୍ଥିତି ସତ୍ୱେ ଓଡ଼ିଶାର ଅଭିବୃଦ୍ଧି ୨୦୧୬-୧୭ରେ ୧୦% ଥିବାବେଳେ ୨୦୧୭-୧୮ରେ ୬.୫% ରହିଛି  । ଏହି ଅବକାଶରେ ନବୀନ ୨୦୦୦ ମସିହାର ଓଡ଼ିଶା ଓ ବର୍ତମାନର ଓଡ଼ିଶା ସମ୍ପର୍କରେ ତଥ୍ୟଭିତିକ ଚିତ୍ର ଉପସ୍ଥାପନ କରିଥିଲେ  । ଏକଦା ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାର ସାମର୍ଥ୍ୟ ନଥିବାରୁ ହଜାର ହଜାର ଜନଜୀବନ କ୍ଷତି ଘଟୁଥିଲା  । କିନ୍ତୁ ଏବେ ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ବିଶ୍ୱସ୍ତରରେ ସ୍ୱୀକୃତି ପାଇଛି  ।

    ବିଗତ ବର୍ଷମାନଙ୍କରେ ରାଜ୍ୟର କୃଷି କ୍ଷେତ୍ରରେ ଉଲ୍ଳେଖନୀୟ ପରିବର୍ତନ ପରିଲକ୍ଷିତ ହୋଇଛି  । ଗତ ୭ ବର୍ଷ ମଧ୍ୟରେ ଓଡିଶା ୫ ଥର କୃଷି କର୍ମଣ ପୁରସ୍କାର ପାଇଛି  । ଦେଶର ଏକମାତ୍ର ରାଜ୍ୟ ଭାବେ ଗତ ଦଶନ୍ଧି ମଧ୍ୟରେ ଓଡ଼ିଶାର ଚାଷୀଙ୍କ ଆୟ ଦ୍ୱିଗୁଣିତ ହୋଇପାରିଛି  । ସେହିପରି ଏକଦା ଓଡ଼ିଶା ନିଅଂଟିଆ ରାଜ୍ୟ ଭାବେ ପରିଗଣିତ ହେଉଥିଲା  । ପିଡ଼ିଏସରେ ଏହା ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ ଥିଲା  । କିନ୍ତୁ ଏବେ କେନ୍ଦ୍ରୀୟ ପିଡିଏସକୁ ଓଡ଼ିଶାର ଯୋଗଦାନ ରହିଛି  । ଏକ୍ଷେତ୍ରରେ ଓଡ଼ିଶା ଦେଶର ତୃତୀୟ ବୃହତମ ଅଂଶୀଦାର ହୋଇପାରିଛି  । ଦେଶର ଖାଦ୍ୟ ସୁରକ୍ଷାରେ ରାଜ୍ୟ ଏକ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି  । ସେହିପରି ଆଇଏମଆର ଓ ଏମଏମଆରରେ ଓଡ଼ିଶା ଦେଶର ସବୁଠୁ ତଳେ ରହିଥିଲା  । କିନ୍ତୁ ଆଇଏମଆର ବହୁ ହ୍ରାସ ପାଇ ଜାତୀୟସ୍ତରଠାରୁ ମଧ୍ୟ ଭଲ ସ୍ଥିତିରେ ରହିଛି ବୋଲି ନବୀନ ଦର୍ଶାଇଛନ୍ତି  ।

    ରାଜ୍ୟର ଆର୍ଥିକ ସ୍ଥିତି ସମ୍ପର୍କରେ ନବୀନ କହିଲେଯେ, ଏକଦା ଓଡ଼ିଶାର ଅର୍ଥନୀତି ଦେବାଳିଆ ହୋଇଯାଇଥିଲା  । ଠିକ ସମୟରେ କର୍ମଚାରୀମାନଙ୍କୁ ଦରମା ବି ଦିଆଯାଇପାରୁନଥିଲା  । କିନ୍ତୁ ଏବେ ଆର୍ଥିକ ପ୍ରଶାସନ କ୍ଷେତ୍ରରେ ଓଡ଼ିଶା ଖ୍ୟାତି ଅର୍ଜନ କରିପାରିଛି  । ଦୁର୍ନୀତି ରାଜ୍ୟ ଭାବେ ପରିଗଣିତ ଓଡ଼ିଶା ଏବେ ସ୍ୱଚ୍ଛତା ଓ ଦୁର୍ନୀତି ବିରୋଧ ପଦକ୍ଷେପ ପାଇଁ ସୁନାମ ଅର୍ଜିପାରିଛି  ।  ଗତ ଏକ ଦଶନ୍ଧି ମଧ୍ୟରେ ଓଡ଼ିଶାର ଗରିବୀ ୨୪.୬୧% ହ୍ରାସ ପାଇଥିବାବେଳେ ୮୦ ଲକ୍ଷ ଲୋକ ଗରିବ ସୀମାରେଖାରୁ ଉପରକୁ ଉଠି ପାରିଛନ୍ତି  । ଶିଳ୍ପକ୍ଷେତ୍ରରେ ମଧ୍ୟ ଓଡ଼ିଶା ଉଚ୍ଚ ଅଭିବୃଦ୍ଧି ହାସଲ କରିବାରେ ସମର୍ଥ ହୋଇଛି  । ଗ୍ରାମୀଣ ଗୃହ ନିର୍ମାଣରେ ଓଡ଼ିଶା ଦେଶର ଅଗ୍ରଣୀ ରାଜ୍ୟ ହୋଇଥିବାବେଳେ ୨୦୧୪ରୁ ଏଯାବତ୍ ମଧ୍ୟରେ ୨୦ ଲକ୍ଷ ଗୃହ ନିର୍ମାଣ ଶେଷ ହୋଇଛି  । ‘ସ୍କିଲଡ଼ ଓଡ଼ିଶା’କୁ ବିଶ୍ୱ ବ୍ରାଣ୍ଡରେ ପରିଣତ କରାଯାଇଥିବାବେଳେ ୫ ଲକ୍ଷ ଛାତ୍ରୀ ହଷ୍ଟେଲରେ ଅଧ୍ୟୟନ କରୁଛନ୍ତି  । ସବୁଠୁ ଅଧିକ ବୃତି ଆମେ ପ୍ରଦାନ କରୁଛୁ  । ମିଶନ ଶକ୍ତି ମାଧ୍ୟମରେ ୭୦ ଲକ୍ଷ ମହିଳା ରାଜ୍ୟର ସାମାଜିକ-ଅର୍ଥନୈତିକ ବିକାଶ ସ୍ରୋତରେ ସାମିଲ ହୋଇପାରିଛନ୍ତି ବୋଲି ନବୀନ କହିଛନ୍ତି  । ସେହିପରି ରାଜ୍ୟ ସରକାର ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ପ୍ରଣୟନ କରିଛନ୍ତି  । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ରାଜ୍ୟ ସରକାର ସମସ୍ତଙ୍କୁ ସ୍ୱାସ୍ଥ୍ୟ ସୁବିଧା ପ୍ରଦାନ କରୁଛନ୍ତି  । ଜଙ୍ଗଲରେ ରହୁଥିବା ଅଧିବାସୀଙ୍କୁ ଜମି ଅଧିକାର ଦିଆଯାଉଥିବାବେଳେ ୨୦୧୪ରୁ ଏଯାବତ୍ ୮ ଲକ୍ଷ ହେକ୍ଟର ଜମିକୁ ଜଳସେଚିତ କରିପାରିଛୁ  ।  ୨୦୧୯ ଅପ୍ରେଲ ସୁଦ୍ଧା ଆମେ ୧୦ ଲକ୍ଷ ଟାର୍ଗେଟ ହାସଲ କରିପାରିବୁ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଶା ପ୍ରକାଶ କରିଛନ୍ତି  ।

    ସ୍ମାର୍ଟ ସିଟି ପ୍ରତିଯୋଗିତାରେ ଭୁବନେଶ୍ୱର ଶୀର୍ଷରେ ରହିଥିବାବେଳେ ଓଡ଼ିଶା ଦେଶର କ୍ରୀଡ଼ା ରାଜଧାନୀ ଭାବେ ଉଭା ହୋଇଛି  । ବିଭିନ୍ନ କ୍ଷେତ୍ରରେ ଓଡ଼ିଶା ଉଲ୍ଳେଖନୀୟ ଅଭିବୃଦ୍ଧି ହାସଲ କରିଥିଲେ ମଧ୍ୟ କେନ୍ଦ୍ର ସରକାରଙ୍କ ଅଣଦେଖା ପାଇଁ ଟେଲିକମ, ରେଳବାଇ ନେଟୱାର୍କ, ବ୍ୟାଙ୍କିଂ, ଜାତୀୟ ରାଜପଥରେ ଆମେ ପଛରେ ପଡ଼ିଯାଇଛୁ  । ସେହିପରି ଶିଳ୍ପ କରିଡ଼ରରେ ଅବହେଳା, କୋଇଲା ରୟାଲଟି, ପାନୀୟ ଜଳ, ଜଳସେଚନ, କେବିକେ ଓ ଅନ୍ୟ ଆଦିବାସୀ ଅଧ୍ୟୁଷିତ ଅଂଚଳର ବିକାଶ ପାଇଁ ଅର୍ଥ କାଟ ଭଳି କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗରେ ନବୀନ ଆଲୋକପାତ କରିଥିଲେ  ।

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook