Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ନବୀନଙ୍କୁ ନେଇ ଦ୍ୱନ୍ଦ୍ୱରେ ଉପା ଓ ଏନଡ଼ିଏ

    Share on :
    ajab-Image
    Date: Jan 9, 2019    Views: 579

    ଭୁବନେଶ୍ୱର : ଉପା ହେଉକି ଏନଡ଼ିଏ ବିଜେଡ଼ି ସଭାପତି ନବୀନ ପଟ୍ଟନାୟକଙ୍କ ରଣନୀତିକୁ କେହି ଠଉରାଇ ପାରୁନାହାନ୍ତି  । କେଉଁ ପ୍ରସଙ୍ଗରେ ନବୀନ କାହାକୁ ସମର୍ଥନ କରିବେ, ୨୦୧୯ ପରେ କାହା ଆଡ଼କୁ ଢଳିବେ ତାହାର ଟେର ମିଳୁନାହିଁ  । ଫଳରେ କଂଗ୍ରେସ ଓ ବିଜେପି ଭଳି ଜାତୀୟ ଦଳଗୁଡ଼ିକ ବହୁ ଅକଳରେ ପଡ଼ି ଯାଉଥିବା ଲକ୍ଷ୍ୟ କରାଯାଉଛି  । ପରୋକ୍ଷରେ ଏହା ମଧ୍ୟ ବିଜେଡ଼ିକୁ ବେଶ ସୁହାଉଛି  । ନବୀନ କେଉଁ ପଟକୁ ଯିବେ ସ୍ପଷ୍ଟ ହେଉନଥିବାରୁ ଅନେକ ସମୟରେ ବିଜେପି ଓ କଂଗ୍ରେସ ମଧ୍ୟ ବିଜେଡ଼ି ପ୍ରତି ନରମ ଆଭିମୁଖ୍ୟ ପୋଷଣ କରୁଥିବା ଦେଖିବାକୁ ମିଳୁଛି  ।

    ୨୦୧୯କୁ ନେଇ ଜାତୀୟ ରାଜନୀତିରେ ଅଙ୍କକଷା ଜୋରଧରିଛି  । ଏନଡ଼ିଏ ଓ ଉପା ମେଂଟ ପରେ ଏବେ ମହାମେଂଟ କଥା ଉଠିଲାଣି  । ତୃତୀୟ ସାମ୍ମୁଖ୍ୟକୁ ନେଇ ମଧ୍ୟ ଚର୍ଚ୍ଚା ଜାରିରହିଛି  । ହେଲେ ନବୀନ ହେଉଛନ୍ତି ଭାରତର ଏକମାତ୍ର ନେତା ଯିଏ ଏପର୍ଯ୍ୟନ୍ତ କାହାକୁ ମଧ୍ୟ ଧରା ଦେଉନାହାନ୍ତି  । ପୂର୍ବରୁ ଉପା ଓ ଏନଡ଼ିଏ ସହ ସମଦୂରତ୍ୱ ରକ୍ଷା କରି ଆସୁଥିବା ନବୀନ ଏବେ ତୃତୀୟ ସାମ୍ମୁଖ୍ୟ ଠାରୁ ମଧ୍ୟ ନିଜକୁ ଦୂରେଇ ରଖିଛନ୍ତି  । ଅପରପକ୍ଷରେ ଓଡ଼ିଶାରେ ବିଜେଡ଼ିର ବହୁତ ଦବଦବା ଥିବାରୁ ଜାତୀୟ ରାଜନୀତିରେ ମଧ୍ୟ ନବୀନଙ୍କ ଭାଉ ବଢ଼ିଥିବା ପରିଲକ୍ଷିତ ହୋଇଛି  ।

    ଆଗାମୀ ସାଧାରଣ ନିର୍ବାଚନରେ ରାଜନୀତିକ ସ୍ଥିତି କ’ଣ ରହିବ ତାହା ଏଯାଏଁ ଆକଳନ କରାଯାଇପାରୁନାହିଁ  । କାହିଁକିନା କୌଣସି ଏକ ଦଳ ନିଶ୍ଚିତ ବାଜିମାତ କରିବ ବୋଲି ଜଣାପଡ଼ୁନାହିଁ  । ବର୍ଷକ ତଳେ ବିଜେପି ପୁଣି ନିଶ୍ଚିତ ସରକାରକୁ ଆସିବ ବୋଲି ଏକ ଧାରଣା ସୃଷ୍ଟି ହୋଇଥିଲା  । କିନ୍ତୁ କର୍ଣ୍ଣାଟକ ଓ ପରେପରେ ରାଜସ୍ଥାନ, ଛତିଶଗଡ଼ ଓ ମଧ୍ୟପ୍ରଦେଶରେ ବିଜେପି କ୍ଷମତା ଦଖଲ କରିବାରେ ବିଫଳ ହେବାରୁ ରାଜନୀତିକ ଗଣିତ ଓଲଟପାଲଟ ହୋଇଯାଇଛି  । ଯେଉଁ କଂଗ୍ରେସ ଏକଦା ନିଜର ସ୍ଥିତି ହରାଇବ ବୋଲି ଜଳଜଳ କରି ଦୃଶ୍ୟମାନ ହେଉଥିଲା ଏବେ ସେଇ କଂଗ୍ରେସ ପୁଣି ଥରେ ପୁରୁଣା ଟ୍ରାକକୁ ଫେରିଛି  । ପଞ୍ଜାବରେ କ୍ଷମତା ଦଖଲ କରିଥିବା କଂଗ୍ରେସ କର୍ଣ୍ଣାଟକରେ ମେଂଟ ସରକାର କରିଛି  । ବିଜେପି ହାତରୁ ୩ ରାଜ୍ୟ ଛଡ଼ାଇ ଆଣି ଏବେ ଜାତୀୟ ରାଜନୀତିରେ ପତିଆରା ବିସ୍ତାର କରୁଛି  । ତଥାପିବି ଏନଡ଼ିଏ ଓ ଉପା ପାଇଁ ଦିଲ୍ଲୀ ସିଂହାସନର ରାସ୍ତା କଂଟକିତ ରହିଛି  । ଏହି ପରିପ୍ରେକ୍ଷୀରେ ଆଂଚଳିକ ଦଳଗୁଡ଼ିକ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଯାଉଛନ୍ତି  । ଏବେ ଭାରତରେ ଯେତିକ ଆଂଚଳିକ ଦଳ ବା ନେତା ଅଛନ୍ତି ସେମାନଙ୍କ ମଧ୍ୟରୁ ବିଜେଡ଼ି ଓ ନବୀନ ହିଁ କ୍ରମାଗତ ଭାବେ ଅଧିକ ଦିନ ଧରି କ୍ଷମତାରେ ରହିଛନ୍ତି  । ଦୀର୍ଘ ଦୁଇ ଦଶନ୍ଧି ଧରି କ୍ଷମତାରେ ଥିଲେ ମଧ୍ୟ ସରକାରୀ ବିରୋଧୀ ହାୱା ସେତେଟା ପରିଲକ୍ଷିତ ହୋଇନାହିଁ  । ବରଂ ୨୦୧୯ରେ ପୁଣି ବିଜେଡ଼ି କ୍ଷମତାକୁ ଫେରିବାର ଯଥେଷ୍ଟ ସମ୍ଭାବନା ସୃଷ୍ଟିହୋଇଛି  । ଫଳତଃ ନବୀନଙ୍କ ଉପରେ ସମସ୍ତଙ୍କ ନଜର ରହିବା ସ୍ୱାଭାବିକ  । ଗତ ୨୦୧୪ରେ ଲୋକସଭାକୁ ବିଜେଡ଼ି ୨୦ ସାଂସଦ ପଠାଇ ଏକ ମହତ୍ୱପୂର୍ଣ୍ଣ ଦଳ ଭାବେ ପରିଗଣିତ ହେଉଛି  । ରାଜ୍ୟସଭାରେ ବି ଦଳର ୯ ସାଂସଦ ରହିଛନ୍ତି  । ତେବେ ଏନଡ଼ିଏ, ଉପା ବା ତୃତୀୟ ସାମ୍ମୁଖ୍ୟ ସହ ଗଲେ ବିଜେଡ଼ି ବା ନବୀନ ରାଜନୈତିକ ଦୃଷ୍ଟିକୋଣରୁ ସେଭଳି ଫାଇଦା ପାଇପାରିବେ ନାହିଁ  । ଯେଉଁଥିପାଇଁ ନବୀନ ତିନି ପକ୍ଷଙ୍କ ଠାରୁ ଦୂରେଇ ରହୁଛନ୍ତି  । ଅନ୍ତତଃ ନିର୍ବାଚନ ପର୍ଯ୍ୟନ୍ତ ନବୀନ ନିଜର କାଡର଼୍ ଖୋଲିବେନି ବୋଲି କୁହାଯାଇପାରିବ  ।

    Maximum 500 characters

    ରାଜନୀତି View all

    Find Us on Facebook