ମୁଖ୍ୟ ଖବର
ଭୁବନେଶ୍ୱର: ଚଳିତ ବର୍ଷ ଦିଲ୍ଲୀର ରାଜପଥରେ ଅନୁଷ୍ଠିତ ହେବାକୁ ଥିବା ଗଣତନ୍ତ୍ର ଦିବସ ପ୍ୟାରେଡରେ ଓଡ଼ିଶାର ପ୍ରଜ୍ଞାପନ ମେଢ ଦେଖିବାକୁ ମିଳିବ ନାହିଁ । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ୱାରା ପ୍ରଜ୍ଞାପନ ମେଢ ଚୟନକୁ ନେଇ ଗଠିତ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ ବିଶେଷଜ୍ଞ କମିଟି ନିକଟରେ ଯେଉଁ ପ୍ରସ୍ତାବ ଦିଆଯାଇଥିଲା ତାହାକୁ କମିଟି ଅନୁମୋଦନ ଦେଇନାହାନ୍ତି ।
ମିଳିଥିବା ସୂଚନା ଅନୁସାରେ ୨୦୧୯ ଗଣତନ୍ତ୍ର ଦିବସ ପ୍ୟାରଡରେ ପ୍ରଜ୍ଞାପନ ମେଢ ପାଇଁ ରାଜ୍ୟ ସକରାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ୫ଟି ପ୍ରସ୍ତାବ ଦିଆଯାଇଥିଲା । ପ୍ରଜ୍ଞାପନ ମେଢ ପାଇଁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ‘ଗାନ୍ଧୀ କନେକ୍ଟ’ ଆଧାରିତ ପ୍ରଜ୍ଞାପନ ମେଢ ପ୍ରସ୍ତାବ ପଠାଇବା ପାଇଁ ରାଜ୍ୟମାନଙ୍କୁ କୁହାଯାଇଥିଲା । ଓଡ଼ିଶା ଦ୍ୱାରା ଯେଉଁ ୫ଟି ପ୍ରସ୍ତାବ ପଠାଯାଇଥିଲା, ସେଥିରେ ଗାନ୍ଧୀଙ୍କ ଜୀବନୀ ଆଧାରିତ ପ୍ରଜ୍ଞାପନ ମେଢ ପ୍ରସ୍ତାବ ସାମିଲ ଥିଲା । ମେଢ ଚୟନକୁ ନେଇ ଗଠିତ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ ଅନ୍ତର୍ଗତ ବିଶେଷଜ୍ଞ କମିଟି ପ୍ରଥମ ବୈଠକରେ ଓଡ଼ିଶାର ପ୍ରସ୍ତାବଗୁଡ଼ିକ ଆଲୋଚନା କରାଯାଇଥିଲା । ହେଲେ କମିଟି ଦ୍ୱାରା ଓଡ଼ିଶାର କୌଣସି ପ୍ରସ୍ତାବକୁ ଅନୁମୋଦନ ମିଳିନି ।
ପ୍ରକାଶ ଯେ, ଗତ ବର୍ଷ ମଧ୍ୟ ଓଡ଼ିଶାର ‘ବ୍ରହ୍ମପୁର ଠାକୁରାଣୀ ଯାତ୍ରା’ ସମ୍ପର୍କିତ ପ୍ରଜ୍ଞାପନ ମେଢ ପ୍ରସ୍ତାବ ଶେଷ ମୁହୂର୍ତ୍ତରେ ବାଦ ପଡ଼ିଥିଲା ।
Comments ସମସ୍ତ ମତାମତ 0