Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ୭୨ବର୍ଷ ପରେ ଅଷ୍ଟ୍ରେଲିଆରେ ସିରିଜ ଜିତିଲା ଟିମ ଇଣ୍ଡିଆ

    Share on :
    Date: Jan 7, 2019    Views: 65

    ସିଡନି: ୭୨ ବର୍ଷ ପରେ ଅଷ୍ଟ୍ରେଲିଆର ଘରୋଇ ମାଟିରେ ସିରିଜ ଜିତିଛି ଟିମ ଇଣ୍ଡିଆ । ଅଧିନାୟକ ବିରାଟ କୋହଲିଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଇତିହାସ ରଚିଛନ୍ତି । ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆରେ ସିରିଜ ହାସଲ କରିଛି ବିରାଟ ବାହିନୀ ।  ଏହି ଟେଷ୍ଟ୍ ସିରିଜ୍‌ର ଚତୁର୍ଥ ମ୍ୟାଚ୍ ସିଡ୍‌ନୀରେ ଖେଳା ଯାଇଥିଲା। ଏହି ମ୍ୟାଚ୍ ଅଷ୍ଟ୍ରେଲିଆ ପାଇଁ କର ବା ମର ସ୍ଥିତି ସୃଷ୍ଟି କରିଥିଲା। ଘରୋଇ ଟିମ୍ ଏହି ମ୍ୟାଚ୍ ଜିତି ସିରିଜ୍‌କୁ ୨-୨ରେ ବରାବର କରିବାକୁ ଲକ୍ଷ୍ୟ ରଖିଥିଲା। ତେବେ ତାହା ହୋଇ ନଥିଲା। ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚ୍ ଶେଷରେ ଆଜି ଡ୍ର’ରେ ଶେଷ ହୋଇଛି। ଏହା ସହିତ ୨-୧ରେ ସିରିଜ୍‌ରେ ଆଗୁଆ ରହିଥିବା ଭାରତୀୟ ଦଳ ସିରିଜ୍‌ ଜିତି ଯାଇଛି।

    ସିଡ୍‌ନୀରେ ଟସ୍ ଜିତି ଭାରତ ପ୍ରଥମ ଇନିଂସ୍‌ରେ ୬୨୨ ରନ୍ କରି ପାଳି ଘୋଷଣା କରିଥିଲା। ମୟଙ୍କ ଅଗ୍ରୱାଲଙ୍କ ୭୭ ରନ୍, ଚେତେଶ୍ୱର ପୂଜାରାଙ୍କ ୧୯୩, ଋଷଭ ପନ୍ତଙ୍କ ୧୫୯ ଓ ରବୀନ୍ଦ୍ର ଜାଡେଜାଙ୍କ ୮୧ ରନ୍ ବଳରେ ଭାରତ ଏହି ରନ୍ ସଂଗ୍ରହ କରିଥିଲା। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ୩୦୦ ରନ୍‌ରେ ଅଲ୍‌ ଆଉଟ୍ ହୋଇଯାଇଥିଲା। ଏହା ପରେ ଭାରତ ଫଲୋ-ଅନ୍ ଦେଇଥିଲା ଓ ଅଷ୍ଟ୍ରେଲିଆ ତା’ର ଦ୍ୱିତୀୟ ଇନିଂସ୍ ଆରମ୍ଭ କରିଥିଲା। ଦ୍ୱିତୀୟ ଇନିଂସ୍‌ରେ ଅଷ୍ଟ୍ରେଲିଆ ଗତକାଲି ମାତ୍ର ୬ ରନ୍ କରିବା ପରେ ବର୍ଷା ଯୋଗୁ ମ୍ୟାଚ୍ ଖେଳା ଯାଇ ପାରି ନଥିଲା। ଆଜି ବି ବର୍ଷା ବାଧା ସାଜିଥିଲା। ଶେଷରେ ମ୍ୟାଚ୍‌କୁ ଡ୍ର’ ଘୋଷଣା କରାଯାଇଥିଲା। ଭାରତ ଏହି ମ୍ୟାଚ୍‌କୁ ଜିତି ୩-୧ରେ ସିରିଜ୍ ଜିତିବାକୁ ଲକ୍ଷ୍ୟ ରଖିଥିଲା। ଏଥିପାଇଁ ଭାରତ ପାଖରେ ସୁଯୋଗ ବି ଥିଲା। ତେବେ ବର୍ଷା ଯୋଗୁ ତାହା ସମ୍ଭବ ହେଲା ନାହିଁ। ଭାରତର ‘ଟେଷ୍ଟ୍ ବିଶେଷଜ୍ଞ’ ଚେତେଶ୍ୱର ପୂଜାରାଙ୍କୁ ‘ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌’ ଓ ‘ମ୍ୟାନ୍ ଅଫ୍‌ ଦ ସିରିଜ୍‌’ ପ୍ରଦାନ କରାଯାଇଛି। ସେ ଏହି ସିରିଜ୍‌ରେ ମୋଟ ୭ଟି ଇନିଂସ ଖେଳି ତିନିଟି ଶତକ ଓ ଗୋଟିଏ ଅର୍ଦ୍ଧ-ଶତକ ବଳରେ ୫୨୧ ରନ୍ କରିଥିଲେ। ପ୍ରଥମ ମ୍ୟାଚ୍‌ର ପ୍ରଥମ ଇନିଂସ୍‌ରେ ସେ ୧୨୩ ରନ୍ (୨୪୬ ବଲ୍‌) କରିଥିବା ବେଳେ ଦ୍ୱିତୀୟ ଇନିଂସ୍‌ରେ ୭୧ ରନ୍‌ (୨୦୪ ବଲ୍‌) କରିଥିଲେ। ତୃତୀୟ ମ୍ୟାଚ୍‌ର ପ୍ରଥମ ଇନିଂସ୍‌ରେ ସେ ୧୦୬ ରନ୍‌ (୩୧୯ ବଲ୍‌) କରିଥିବା ବେଳେ ଚତୁର୍ଥ ମ୍ୟାଚ୍‌ର ପ୍ରଥମ ଇନିଂସ୍‌ରେ ୧୯୩ ରନ୍‌ (୩୭୩ ବଲ୍‌) କରିଥିଲେ।

    Maximum 500 characters

    ଖେଳ ଖବର View all

    Find Us on Facebook