Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ରାଜ୍ୟ ରାଜନୀତିର ବିକଳ ସ୍ଥିତି, ସମସ୍ତେ ଦୋଛକିରେ...

    Share on :
    Date: Jan 7, 2019    Views: 319

    ଭୁବନେଶ୍ୱର : ହାଲକୁ ରାଜ୍ୟ ରାଜନୀତିର ବିଚିତ୍ର ସ୍ଥିତି ସମସ୍ତଙ୍କୁ ଯେତିକି ବିସ୍ମିତ କରିଛି ଉଣେଇଶ ନିର୍ବାଚନ ସମସ୍ତଙ୍କୁ ସେତିକି ଆନେ୍ଦାଳିତ କରିଛି  । ନେତା ଓ ଜନତା ଯାଏଁ ସତେଯେମିତି ରାଜନୀତିର ଘୂର୍ଣ୍ଣିବଳୟରେ ଘୂରି ବୁଲୁଛନ୍ତି  । କେଉଁ ଦଳର ରଣନୀତି କ’ଣ ରାଜନୈତିକ ବିଶ୍ଲେଷକମାନେ ତାହାର ନାଡ଼ି ଠଉରାଇବାରେ ବସ୍ତୁତଃ ବିଫଳ ହୋଇଛନ୍ତି  । ୨୦୧୯ରେ ରାଜନୀତିର ମୋଡ଼ କେଉଁ ଦିଗକୁ ଯିବ, ଜନତା କେଉଁ ଆଡ଼କୁ ମୁହଁ ବୁଲାଇବେ ତାହା ଏଯାଏଁ ଅସ୍ପଷ୍ଟ ରହିଛି  । ଖାଲି ରାଜ୍ୟ ରାଜନୀତି ନୁହେଁ ଯଦି ଜାତୀୟ ରାଜନୀତିକୁ ସୂକ୍ଷ୍ମ ଭାବେ ଅନୁଶୀଳନ କରାଯାଏ ତାହାର ଅତଏବ ଉତର ‘କନଫୁ୍ୟଜନ’ ବା ‘ସଂଶୟ’ କହିଲେ ଅତୁ୍ୟକ୍ତି ହେବ ନାହିଁ  । ରାଜ୍ୟ ରାଜନୀତିର ଏଭଳି ଅବସ୍ଥା ଅତୀତରେ କେବେ ଦେଖିବାକୁ ମିଳିନଥିଲା ବୋଲି ରାଜ୍ୟ ରାଜନୀତିର ନାଡ଼ିକୁ ଚିପିଥିବା ବିଜୟ ମହାପାତ୍ର ମତ ପ୍ରକାଶ କରନ୍ତି  । ଏହି ପରିପ୍ରେକ୍ଷୀରେ ସମ୍ଭାବ୍ୟ ରାଜନୀତିକ ଦିଗ ଓ ତାହାର ଗତି ନେଇ ଆମେ ଆଲୋକପାତ କରିବାକୁ ଉଚିତ ମନେକରୁଛୁ  ।

    ୨୦୧୭ରେ ବହିଥିଲା ସରକାରୀ ବିରୋଧୀ ହାୱା : ଶୀତ ଦିନେ ଯେମିତି ଉତରା ପବନ ସମସ୍ତଙ୍କୁ ଥରାଇ ଦିଏ ଠିକ ସେମିତି ଗୋଟିଏ ଦଫାର ଶାସନ ପରେ ସରକାରୀ ବିରୋଧୀ ହାୱା ବି ଶାସକ ଦଳ ମନରେ ଭୀତି ସଂଚାର କରିଦିଏ  । ତେବେ ଜାଡ଼ରୁ ରକ୍ଷା ପାଇବା ପାଇଁ ଯେମିତି ମୁଲାୟମ କମ୍ବଳର ଆବଶ୍ୟକତା ରହିଛି ଠିକ ସେପରି ସରକାରୀ ବିରୋଧୀ ହାୱାକୁ ପ୍ରତିହତ କରିବା ପାଇଁ ଶାସକ ଦଳ ସ୍ୱତନ୍ତ୍ର ରଣନୀତି କରିବା ମଧ୍ୟ ନିତାନ୍ତ ଅପରିହାର୍ଯ୍ୟ  । ଏକଥା କହିବାର ମାନେ ହେଉଛି, ଅନେକ ରାଜନୈତିକ ଦଳ ଗୋଟିଏ ଦଫା ଶାସନ କାଳରେ ସରକାରୀ ବିରୋଧୀ ହାୱା ଅନୁଭବ କରୁଥିବାବେଳେ ୧୭ ବର୍ଷପରେ ଅର୍ଥାତ ୨୦୧୭ରେ କିନ୍ତୁ ପ୍ରଥମ ଥର ପାଇଁ ବିଜେଡ଼ି ଏହାର ଝଟକା ଅନୁଭବ କରିଥିଲା  । ଅବଶ୍ୟ ୨୦୦୪ରେ ସାମାନ୍ୟ ସରକାରୀ ବିରୋଧୀ ହାୱା ପରିଲକ୍ଷିତ ହୋଇଥିଲେ ବି ତାହା ବିଜେଡ଼ିକୁ କ୍ଷତିଗ୍ରସ୍ତ କରିପାରିନଥିଲା  । କିନ୍ତୁ ୨୦୧୭ ପଂଚାୟତ ନିର୍ବାଚନ ବିଜେଡ଼ିକୁ ଚକିତ ଓ ଆତଙ୍କିତ କରିଦେଇଥିଲା  । କିନ୍ତୁ ସମ୍ପ୍ରତି ରାଜ୍ୟ ରାଜନୀତିରେ ସେଭଳି ସ୍ଥିତି ଆଉ ପରିଲକ୍ଷିତ ହେଉନାହିଁ କହିଲେ ଭୁଲ ହେବନାହିଁ  । କାହିଁକିନା ବିଜେଡ଼ିର ସୁଚିନ୍ତିତ ରଣନୀତି ଓ ୨୦୧୭ ପଂଚାୟତ ନିର୍ବାଚନରେ ଦୁଇ ପ୍ରମୁଖ ବିରୋଧୀ ଦଳ ଭିତରେ ସୃଷ୍ଟ ଦ୍ୱନ୍ଦ୍ୱ ବିଜେଡ଼ିକୁ ସୁବିଧାଜନକ ସ୍ଥିତିରେ ରଖିଦେଇଛି  । ଫଳରେ ଦେଢ଼ ବର୍ଷ ତଳେ ଯେଉଁ ଦଳ ବିକଳ୍ପ ହୋଇ ଉଭା ହୋଇଥିଲା ଏବେ ତା’ର ବିକଳ ସ୍ଥିତି ସମସ୍ତଙ୍କୁ ସ୍ୱାଭାବିକ ଭାବେ ଚକିତ କରିଦେଇଛି  । ଯାହାଦ୍ୱାରା ଖାଲି ବିଜେପି ନେତାମାନେ ନୁହଁନ୍ତି ବରଂ ସମର୍ଥକ ଓ ଶୁଭେଚ୍ଛୁମାନେ ଦ୍ୱନ୍ଦ୍ୱରେ ପଡ଼ିଯାଇଛନ୍ତି  । ଏଭଳି ସ୍ଥିତିରେ ଯେଉଁମାନେ ଏକଦା ବିଜେଡ଼ିକୁ ହଟାଇବା ପାଇଁ ବିଜେପିକୁ ସମର୍ଥନ ଦେଇଥିଲେ ସେମାନେ ପରିବର୍ତିତ ରାଜନୀତିକ ସ୍ଥିତିରେ ମଉନ ରହିବାକୁ ବାଧ୍ୟ ହୋଇଛନ୍ତି  । ସ୍ଥଳ ବିଶେଷରେ ଅନେକ ବିଜେପି ଆଡୁ ମୁହଁଫେରାଇ ବିଜେଡିକୁ ଫେରି ଆସୁଥିବା ଦେଖିବାକୁ ମିଳୁଛି  ।

    ଜାତୀୟ ଦଳର ଗତି କୁଆଡେ ? : ରାଜ୍ୟ ରାଜନୀତିକୁ ଅନୁଶୀଳନ କଲେ ଏହା ସ୍ପଷ୍ଟଭାବେ ପ୍ରମାଣିତ ହୁଏଯେ, ଜାତୀୟ ଦଳଗୁଡ଼ିକ ଅନ୍ୟ ରାଜ୍ୟଗୁଡ଼ିକ ଭଳି ଓଡ଼ିଶା ପ୍ରତି ସେଭଳି ରୁଚି ରଖନ୍ତି ନାହିଁ  । ଅବଶ୍ୟ ୨୦୧୪ରେ ମୋଦି ସରକାର ଆସିବା ପରେ ଓଡ଼ିଶା ଉପରେ ବିଜେପି ବହୁ ଫୋକସ କରିଥିଲା  । କିନ୍ତୁ ଯଦି କଂଗ୍ରେସ କଥା ବିଚାରକୁ ନିଆଯାଏ ତେବେ ଜାତୀୟ ନେତୃତ୍ୱଙ୍କ ପାଇଁ ନୁହେଁ ବରଂ ସ୍ଥାନୀୟ ନେତୃତ୍ୱଙ୍କ ଗୋଟିଚାଳନା ଓ ଅଣକଂଗ୍ରେସର ଭାର କାନ୍ଧରେ ବୋହୁଥିବା ବିଜୁବାବୁଙ୍କ ଭୁଲ ଅଙ୍କକଷା ପାଇଁ କଂଗ୍ରେସ ବାରବାର କ୍ଷମତାକୁ ଆସିବାରେ ସମର୍ଥ ହୋଇଛି  । ଯଦି ସାମ୍ପ୍ରତିକ ରାଜନୀତିକୁ ଦେଖିବା ତେବେ ଏଯାଏଁ କଂଗ୍ରେସର ଜାତୀୟ ନେତାମାନେ ଓଡ଼ିଶାକୁ ‘ଫୋକସ ଷ୍ଟେଟ’ ଭାବେ ଗ୍ରହଣ କରିପାରିନାହାନ୍ତି  । ଯାହାର ଏକ ଉଦାହରଣ ହେଉଛନ୍ତି ରାହୁଲ ଗାନ୍ଧୀ  । ଅପ୍ରେଲରେ ପିସିସି ସଭାପତି ଓ ପ୍ରଭାରୀଙ୍କୁ ବଦଳାଇ ଦିଆଗଲା । ରାହୁଲ ଏକ ଟିମ ମଧ୍ୟ ପ୍ରସ୍ତୁତକଲେ  । ଆଶା କରାଯାଉଥିଲା ସୁପ୍ତ ଓଡ଼ିଶା କଂଗ୍ରେସକୁ ରାହୁଲ ଜାଗ୍ରତ କରିବେ  । ଦିନାକେତେ ସେଭଳି ପରିଦୃଷ୍ଟ ହୋଇଥିଲା  । ଆଗୁଆ ପ୍ରାର୍ଥୀ ଦେବା ପାଇଁ ମଧ୍ୟ ଅଙ୍କ କଷା ହେଲା  । ରାହୁଲ ଗାନ୍ଧୀ ଓଡ଼ିଶା ଆସିବେ ବୋଲି ବାରବାର ପ୍ରଚାର କରାଗଲା  । କିନ୍ତୁ ଏଯାଏଁ ନା ରାହୁଲ ଓଡିଶା ଗସ୍ତରେ ଆସିଲେ ନା କଂଗ୍ରେସ ଆଗୁଆ ପ୍ରାର୍ଥୀ ଘୋଷଣା କରିପାରିଲା  । ଏଥିରୁ ମନେହୁଏ ବିଜେଡ଼ି ସରକାରକୁ ଶାସନରୁ ହଟାଇବା ପାଇଁ ନୁହେଁ ବରଂ ବିଜେପିକୁ ରୋକିବା ପାଇଁ ରାହୁଲ ଆକ୍ରମଣାତ୍ମକ ରଣନୀତି କରିଥିଲେ  । କିନ୍ତୁ ବିଜେପି ସାମାନ୍ୟ ତଳକୁ ଖସିଯିବା ପରେ ଯଥାପୂର୍ବଂ ତଥା ପରଂ ଭଳି ରାହୁଲ ମଧ୍ୟ ଓଡ଼ିଶାକୁ ଅଣଦେଖା କରୁଥିବା ସ୍ପଷ୍ଟ ପ୍ରତୀୟମାନ ହେଉଛି  ।

    ଏବେ ଆସିବା ବିଜେପି ଆଡକୁ  । ୧୯୯୫ରେ ବିଜୁବାବୁଙ୍କ ପରାଜୟ ଓ କେନ୍ଦ୍ର ରାଜନୀତି ପ୍ରତି ତାଙ୍କର ଆଗ୍ରହ ବିଜେପି ପାଇଁ ଏକ ସୁଯୋଗ ସୃଷ୍ଟି କରିଥିଲା  । ଖାଲି ସେତିକିନୁହେଁ ଜାନକୀବାବୁଙ୍କ ସରକାର ମଧ୍ୟ ସେ ସମୟରେ ବଦନାମ ହୋଇଯାଇଥିଲା  । କଂଗ୍ରେସ ରାଜନୀତି ଚାରିଛକରେ ଠିଆ ହୋଇଥିଲା  । ତେବେ ବିଜୁଙ୍କ ଅବର୍ତମାନରେ ବିଜୁ ଜନତା ଦଳ ଗଠନରେ ବିଜେପିର ମଧ୍ୟ ଭୂମିକା ରହିଥିଲା  । ଆଉ ସବୁଠାରୁ ବଡ଼ କଥାହେଉଛି ବିଜେପି ଓ ବିଜେଡ଼ି ମଧ୍ୟରେ ମେଂଟ ହୋଇଥିବାବେଳେ ବିଜେପିର ଜାତୀୟ ନେତାମାନେ ବିଜେଡ଼ି ଠାରୁ କମ ଆସନରେ ଲଢ଼ିବାକୁ ରାଜି ହୋଇଯାଇଥିଲେ  । ଯାହାର ମୂଲ୍ୟ ଏବେବି ବିଜେପିକୁ ଦେବାକୁ ପଡୁଛି  । ଅର୍ଥାତ୍ ବିଜେପି ମଧ୍ୟ ଓଡ଼ିଶାକୁ ବେଶୀ ଗୁରୁତ୍ୱ ଦେଇନଥିଲା  । ଅବଶ୍ୟ ୨୦୧୪ ନିର୍ବାଚନରେ ନରେନ୍ଦ୍ର ମୋଦିଙ୍କ ବାଜିମାତ ପରେ ବିଜେପି ରାଜନୀତି ଓଡ଼ିଶା ମୁହାଁଇଥିଲା  । ତେବେ ଏଥିପାଇଁ ବିଜେପିର ଜାତୀୟ ନେତୃତ୍ୱଙ୍କ ଅପେକ୍ଷା ଧର୍ମେନ୍ଦ୍ର ପ୍ରଧାନଙ୍କୁ ହିଁ ଶ୍ରେୟ ଦିଆଯାଇପାରେ  । ଏହି ପରିପ୍ରେକ୍ଷୀରେ ଅନ୍ୟ ଏକ ଦିଗ ଉପରେ ଆଲୋକପାତ କରାଯାଇପାରେ  । ବିଜେପି ସାରା ଭାରତରେ କାୟା ବିସ୍ତାର କରିବା ସହ ଶାସନ କ୍ଷମତା ଅକ୍ତିଆର କରିବାକୁ ଚାହୁଁଥିବାରୁ ଓଡ଼ିଶା ହିଁ ରଣନୀତିର ଏକ ଅଂଶ ପାଲଟିଥିଲା  । ତେବେ ବଡ଼ ବଡ଼ ରାଜ୍ୟ ହାତମୁଠାରୁ ଖସିଯିବା ପରେ ବିଜେପି ଏବେ ସେହି ରାଜ୍ୟ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବାକୁ ବାଧ୍ୟ ହୋଇଛି  । ଯାହାର ନଜିର ଏବେ ସ୍ପଷ୍ଟ ଭାବେ ପରିଲକ୍ଷିତ  । ଡିସେମ୍ବର ୨୪ ଓ ଜାନୁଆରୀ ୫ରେ ଦୁଇ ଦୁଇ ଥର ମୋଦି ଓଡ଼ିଶାକୁ ଆସିଥିଲେ ମଧ୍ୟ ତାଙ୍କ ଟାର୍ଗେଟରେ ବିଜେଡ଼ି କିମ୍ବା ନବୀନ ନଥିବା ସ୍ପଷ୍ଟ ଅନୁମେୟ  । ଦୁଇ ଜାତୀୟ ଦଳର ଏଭଳି ରଣନୀତି ସ୍ୱାଭାବିକ ଭାବେ ନେତା ଓ କର୍ମୀମାନଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି କରିଥିବାବେଳେ ଭୋଟରମାନେ ମଧ୍ୟ ଦୋଛକିରେ ପଡ଼ିଯାଇଛନ୍ତି  ।

    ବିଜେଡ଼ିରେ ଯେତିକି ଆଶା ସେତିକି ଆଶଙ୍କା : ହଁ, ଏକଥା ସତ୍ୟଯେ, ୧୯ ବର୍ଷର ଶାସନ ପରେ ବି ବିଜେଡ଼ିର ଦବଦବା କାଏମ ରହିଛି  । ଅବଶ୍ୟ ଏଭଳି ସୁବିଧାଜନକ ସ୍ଥିତିରେ ଖୁବ କମ ଶାସକ ଦଳ ରହିଛନ୍ତି  । ଏହାର କାରଣ କ’ଣ ତାହା ଉପରୋକ୍ତ ଆଲେଖ୍ୟରେ ଆମେ ପ୍ରତିପାଦିତ କରିସାରିଛୁ  । ପଂଚାୟତ ନିର୍ବାଚନର ବିପର୍ଯ୍ୟୟରୁ ଉତୁରି ବିଜେପୁରରେ ଦମ ଦେଖାଇବା ପରେ ଏବେ ବିଜେଡ଼ି ରଥ ଆଗକୁ ମାଡ଼ି ଚାଲିଛି  । ଆଜିକା ଦିନରେ ସାଧାରଣ ମନରେ ଗୋଟିଏ ଧାରଣା ‘ପୁଣି ନବୀନ’  । ବିରୋଧୀ ଭିଡ଼କୁ ନୁହେଁ ବୋଲି ଯେଉଁ ଧାରଣାଟି ଜମାଟ ବାନ୍ଧିବାରେ ଲାଗିଛି ତାହା ବିଜେଡ଼ିକୁ ବେଶ ମଜବୁତ କରିଛି  । ତେବେ ଅଧିକ ମଜବୁତ ହେବା ହିଁ ବିଜେଡ଼ିକୁ ଅକଳରେ ପକାଇଦେଇଛି  । ବିଜେଡ଼ି ଟିକେଟରେ ଜିତିବାର ସମ୍ଭାବନା ଅଧିକ ଥିବାରୁ ଅନେକ ନେତା ଅନ୍ୟ ଦଳକୁ ନଯାଇ ବିଜେଡ଼ିରେ ପଡ଼ିରହିଛନ୍ତି  । ଫଳରେ ପ୍ରତି ନିର୍ବାଚନମଣ୍ଡଳୀରେ ଏବେ ଆଶାୟୀଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇବାରେ ଲାଗିଛି  । ନେତା ଓ ନେତା ମଧ୍ୟରେ ଚାଲିଛି ଗୋଡ଼ଟଣା ରାଜନୀତି  । ଅପରପକ୍ଷରେ ରାଜ୍ୟସ୍ତରରେ କିଏ ନବୀନଙ୍କ ନିକଟତର ହୋଇ କ୍ଷମତା ଲଡ଼ୁ ଖାଇବ, ସେନେଇ ବି ଏକ ପ୍ରତିଯୋଗିତା ଜାରି ରହିଛି  । ୧୯୯୫ରେ ବିଜୁଙ୍କ ଜନତା ଦଳରେ ସମାନ ଅବସ୍ଥା ହିଁ ଦେଖିବାକୁ ମିଳିଥିଲା  । ପରସ୍ପରକୁ ହରାଇ ଆଗକୁ ବଢ଼ିବାକୁ ବିଜୁଙ୍କ ଅନୁଗାମୀମାନେ ଯେଉଁ ଅଙ୍କ କଷିଥିଲେ ସେଥିରେ ସମସ୍ତଙ୍କୁ ବିଫଳତାର ସ୍ୱାଦ ଚାଖିବାକୁ ପଡ଼ିଥିଲା  । ଏବେ ଗାଁଗାଁରେ ବିଜେଡ଼ିର ଭାଗଭାଗ ରାଜନୀତି ସାଧାରଣ କର୍ମୀ ଓ ସମର୍ଥକମାନଙ୍କୁ ଅକଳରେ ପକାଇ ଦେଇଛି  । ଏମିତିକି ଯଦି ଜଣକୁ ଟିକେଟ ଦେଇ ଅନ୍ୟ ଆଶାୟୀଙ୍କ ମାନଭଞ୍ଜନ କରିବାରେ ନବୀନ ସକ୍ଷମ ନହୁଅନ୍ତି ତେବେ ଘର ଢିଙ୍କି କୁମ୍ଭୀର ହିଁ ଶଙ୍ଖ ଭୋଟ ଗିଳିଦେବ ବୋଲି କହିଲେ ଭୁଲ ହେବନାହିଁ  ।

    ମହାମେଂଟ ଟାର୍ଗେଟରେ ‘ନବୀନ’ କମ୍ ‘ଧର୍ମେନ୍ଦ୍ର’ ଅଧିକ ? : ନିର୍ବାଚନ ଆସିଲେ ରାଜ୍ୟ ରାଜନୀତିରେ କୋଣଠେସା ନେତାମାନେ ଅସ୍ଥିତ୍ୱ ଜାହିର କରିବା ପାଇଁ ଏକାଠି ହେବା ନୂଆ କଥା ନୁହେଁ  । ୨୦୧୪ରେ ମଧ୍ୟ ଆମଓଡ଼ିଶା ଓ ଉକôଳଭାରତ ବିଜେପି ସହ ମେଂଟ ପାଇଁ ଆଗଭର ହୋଇପଡ଼ିଥିଲେ  । ଅପରପକ୍ଷରେ ଛୋଟଛୋଟ ଦଳ ମିଶି ଶକ୍ତି ପ୍ରଦର୍ଶନ ବି କରିଥିଲେ  । କିନ୍ତୁ ଏଥର ସ୍ଥିତି ଟିକେ ଅଲଗା  । ବୈଜୟନ୍ତ ପଣ୍ଡା ଓ ଦାମୋଦର ରାଉତଙ୍କ ଭଳି ନେତାମାନେ ବିଜେଡ଼ିରୁ ବିଦା ହୋଇଛନ୍ତି  । ଅପରପକ୍ଷରେ ଢେ଼ରଦିନ ଧରି କୋଣଠେସା ହେବା ପରେ ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ ବିଜେପିରୁ ଇସ୍ତଫା ଦେବାକୁ ବାଧ୍ୟ ହୋଇଛନ୍ତି  । ଏହି ଚାରି ନେତା ଏକଦାର ବିଜେଡ଼ିର ପ୍ରମୁଖ ଅଙ୍ଗ ଥିଲେ  । ଫଳରେ ଚଉଦରେ ଏକ ତୃତୀୟ ଶକ୍ତି ଉଭା ହେବବୋଲି ଢେ଼ର ଦିନ ଧରି ଚର୍ଚ୍ଚା ହୋଇ ଆସୁଥିଲେବି ଏଯାଏଁ ସେଭଳି କିଛିହୋଇନାହିଁ  । ଏକଦା ଏହି ନେତାମାନେ ନବୀନଙ୍କ ବିରୋଧରେ ବିଷୋଦଗାର କରୁଥିବାବେଳେ ଏବେ ସେମାନଙ୍କ ଟାର୍ଗେଟରେ ରହିବେ ଧର୍ମେନ୍ଦ୍ର  । କାହିଁକିନା ବୈଜୟନ୍ତ ବିଜେପି ଯିବାକୁ ଚାହୁଁଥିଲେ ମଧ୍ୟ ବାଟ ଓଗାଳିଥିଲେ ଧର୍ମେନ୍ଦ୍ର  । ସେହିପରି ଧର୍ମେନ୍ଦ୍ରଙ୍କ ପାଇଁ ବିଜୟ ଓ ଦିଲୀପ ବିଜେପି ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି  । ସେହିପରି ଉକôଳଭାରତ ସଭାପତି ଖାରବେଳ ସ୍ୱାଇଁ ମଧ୍ୟ ଧର୍ମେନ୍ଦ୍ରଙ୍କ ସକାଶେ ଅତୀତରେ ବିଜେପି ଛାଡ଼ିଥିଲେ  । ତେଣୁ ସରକାରୀ ବିରୋଧୀ ଆନେ୍ଦାଳନରୁ ଧର୍ମେନ୍ଦ୍ରଙ୍କ ବିଜେପି ଯଦି ଫାଇଦା ପାଏ ତେବେ ପ୍ରକାରନ୍ତରେ ଏହା ଚାରି ନେତାଙ୍କ ପରାଜୟ ହେବ  । ଏହି ପରିପ୍ରେକ୍ଷୀରେ ଏହି ନେତାମାନଙ୍କ ମୂଳ ଟାର୍ଗେଟରେ ରହିଛନ୍ତି ଧର୍ମେନ୍ଦ୍ର  । ଯାହାକି ବିଜେଡ଼ିକୁ ସୁହାଇବ ବୋଲି କହିଲେ ଭୁଲ ହେବନାହିଁ  । ନବୀନ ପଛେ ଜିତନ୍ତୁ କିନ୍ତୁ ଧର୍ମେନ୍ଦ୍ର ଓ ବିଜେପି କିନ୍ତୁ ହାରୁ ବୋଲି ସେମାନେ ଚାହିଁବା ସ୍ୱାଭାବିକ  । ଫଳରେ ବିଜେଡ଼ି ପାଇଁ ନବୀନଙ୍କ ବିରୋଧୀମାନେ ୱିନୱିନ ସ୍ଥିତିର ଏକ ବାତାବରଣ ସୃଷ୍ଟି କରୁଛନ୍ତି  । 

    ଏହି ସବୁ ଘଟଣାବଳୀକୁ ଅନୁଧ୍ୟାନ କଲେ ଆଗାମୀ ନିର୍ବର୍ାଚନର ଗତି କ’ଣ ହେବ ତାହା ଏବେଠୁ ନିର୍ଦ୍ଧାରଣ କରିବା ଠିକ ହେବନାହିଁ  । ପ୍ରତିକୂଳ ପରିସ୍ଥିତିର ଯିଏ ସଫଳ ମୁକାବିଲା କରି ଆଗକୁ ବଢ଼ିବାର ରଣନୀତି କରେ ସେ ହିଁ ଉଣେଇଶରେ ପାଗ ଭିଡ଼ିବାରେ ସକ୍ଷମ ହୋଇପାରିବ  ।

     

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook