ମୁଖ୍ୟ ଖବର
ଭୁବନେଶ୍ୱର : ନବୀନ ସରକାରଙ୍କ ୨୦୦୦ରୁ ୨୦୧୯ ମଧ୍ୟରେ ୪୫ ମନ୍ତ୍ରୀଙ୍କ ପଦ ଚାଲିଯାଇଛି । କେତେବେଳେ ନୈତିକତା କାରଣ ଦର୍ଶାଇ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି ତ ଆଉ କେବେ ନବୀନ ସେମାନଙ୍କୁ ମନ୍ତ୍ରୀମଣ୍ଡଳରୁ ବିଦା କରିଦେଇଛନ୍ତି ।
୨୦୦୦ରୁ ୨୦୦୪ ମଧ୍ୟରେ ଛଅ ଜଣ ମନ୍ତ୍ରୀଙ୍କୁ ନବୀନ ବିଦା କରିଥିଲେ । ସେମାନେ ହେଉଛନ୍ତି କମଳା ଦାସ, ପ୍ରଶାନ୍ତ ନନ୍ଦ, ନଳିନୀକାନ୍ତ ମହାନ୍ତି, ଅମର ଶତପଥୀ, ଦେବୀ ପ୍ରସାଦ ମିଶ୍ର ଓ ଏପି ସିଂହ । ସେହିପରି ସେତେବେଳର ଅର୍ଥମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କ ହାତରୁ ଅର୍ଥ ବିଭାଗ ଚାଲିଯିବା ପରେ ସେ ବି ଇସ୍ତଫା ଦେଇଥିଲେ ।
୨୦୦୪ରୁ ୨୦୦୯ ମଧ୍ୟରେ ୧୪ ଜଣ ମନ୍ତ୍ରୀଙ୍କ ପଦ ଚାଲିଯାଇଥିଲା । ବିଶେଷକରି ମେଂଟ ଭାଙ୍ଗିବା ପରେ ବିଜେପିର ସମସ୍ତ ମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେଇଥିଲେ । ତୃତୀୟ ପାଳିରେ ନବୀନ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ଏହି ସମୟରେ ପ୍ରାୟ ୧୪ ଜଣ ମନ୍ତ୍ରୀଙ୍କ ପଦ ଯାଇଥିଲା । ପ୍ୟାରୀମୋହନ ମହାପାତ୍ରଙ୍କ ମଧ୍ୟରାତ୍ର ଷଡ଼ଯନ୍ତ୍ର ବିଫଳ ହେବା ପରେ କେତେକ ମନ୍ତ୍ରୀମାନଙ୍କୁ ନବୀନ ବିଦା କରିଦେଇଥିଲେ । ତୃତୀୟ ପାଳିରେ ନବୀନଙ୍କ ମନ୍ତ୍ରୀମଣ୍ଡଳରୁ ବିଦା ହୋଇଥିବା ପ୍ରମୁଖ ନେତାମାନେ ହେଉଛନ୍ତି ପ୍ରଫୁଲ୍ଲ ଘଡେ଼ଇ, ପ୍ରଫୁଲ୍ଲ ସାମଲ, ପ୍ରତାପ ଜେନା, ପୁଷ୍ପେନ୍ଦ୍ର ସିଂହଦେଓ ଓ ଅତନୁ ସବ୍ୟସାଚୀ ନାୟକ । ତେବେ ୨୦୧୪ ନିର୍ବାଚନ ପରେ ପୁଷ୍ପେନ୍ଦ୍ର ଓ ଅତନୁ ନବୀନଙ୍କ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଥିଲେ ।
ନବୀନଙ୍କ ଚତୁର୍ଥ ପାଳିରେ ଦୁଇ ବର୍ଷ ପର୍ଯ୍ୟନ୍ତ ସବୁ ମନ୍ତ୍ରୀ ବିପଦମୁକ୍ତ ଥିଲେ । ତେବେ ୨୦୧୬ ଅକ୍ଟୋବରରେ ତକôାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ସମ ହସପିଟାଲ ଅଗ୍ନିକାଣ୍ଡ ଘଟଣାରେ ଇସ୍ତଫା ଦେଇଥିଲେ । ୨୦୧୭ରେ ନବୀନ କେତେକ ଯୁବ ମନ୍ତ୍ରୀମାନଙ୍କୁ ନିଜ ଟିମରୁ ବାଦ ଦେଇଥିଲେ । ଅରୁଣ ସାହୁ, ସଂଜୟ ଦାସବର୍ମା, ପ୍ରଣବ ପ୍ରକାଶ ଦାଶଙ୍କ ସମେତ ୮ ଜଣ ମନ୍ତ୍ରୀ ନବୀନଙ୍କ ଟିମରୁ ବାଦ ପଡ଼ିଥିଲେ । ତେବେ ସାଂଗଠନିକ କାର୍ଯ୍ୟରେ ଅଧିକ ସମୟ ଦେବା ପାଇଁ ସେମାନଙ୍କୁ ବାଦ କରାଗଲା ବୋଲି କୁହାଯାଇଥିଲା । ୨୦୧୭ ଡିସେମ୍ବରରେ ବ୍ରାହ୍ମଣଙ୍କ ବିରୋଧରେ ଜାତିଆଣ ମନ୍ତବ୍ୟ ଦେଇ ମନ୍ତ୍ରୀମଣ୍ଡଳରୁ ବହିଷ୍କୃତ ହୋଇଥିଲେ ଡାକ୍ତର ଦାମୋଦର ରାଉତ । ତେବେ ବିବାଦୀୟ ମନ୍ତବ୍ୟ ଦେବା ଯୋଗୁଁ ପ୍ରଦୀପ ମହାରଥୀଙ୍କୁ ମଧ୍ୟ ଇସ୍ତଫା ଦେବାକୁ ପଡ଼ିଛି ।
Comments ସମସ୍ତ ମତାମତ 0