Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ୧ କୋଟି ୮୦ ଲକ୍ଷରୁ ଊଦ୍ଧ୍ୱର୍ ଉପକୃତ

    Share on :
    Date: Jan 2, 2019    Views: 155

    ଭୁବନେଶ୍ୱର:  ଗତ ୪ ମାସ ମଧ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସକେୱାଇ)ରେ ରାଜ୍ୟର ଏକ କୋଟି ୮୦ ଲକ୍ଷରୁ ଅଧିକ ରୋଗୀ ଉପକୃତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୪ଲକ୍ଷରୁ ଅଧିକ ଲୋକଙ୍କର ମାଗଣାରେ ଅପରେସନ ହୋଇଛି । ବୁଧବାର ସଚିବାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଆଇନ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରତାପ ଜେନା ।

    ଏହାଛଡ଼ା ସେ କହିଛନ୍ତି ଯେ, ଜାନୁଆରୀ ପହିଲାରୁ ରାଜ୍ୟରେ ଥିବା ରାଷ୍ଟ୍ରୀୟ ସ୍ୱାସ୍ଥ୍ୟବୀମା ଯୋଜନା(ଆରଏସବିୱାଇ)ର ସମସ୍ତ ୪୪,୦୮,୦୭୦ ହିତାଧିକାରୀ ବିଜୁ କୃଷକ କଲ୍ୟାଣ ଯୋଜନା(ବିକେକେୱାଇ)ରେ ସାମିଲ ହେବେ । ଏହି ସମସ୍ତ ହିତାଧିକାରୀ ବିକେକେୱାଇ ଷ୍ଟ୍ରିମ-୨ କାର୍ଡ ପାଇବା ସହିତ ପୂର୍ବଭଳି ଏକ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ସୁବିଧା ପାଇବେ । ଏହା ସହିତ ଏହି ହିତାଧିକାରୀମାନେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସୁବିଧା ମଧ୍ୟ ପାଇବେ । ଉଲ୍ଲେଖନୀୟ ଯେ, କେନ୍ଦ୍ର ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଆରଏସବିୱାଇ ଯୋଜନାର ଅବଧି ଡିସେମ୍ବରର ୩୧ ତାରିଖରେ ସମାପ୍ତ ହୋଇଛି । ତେଣୁ ରାଜ୍ୟରେ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହିତାଧିକାରୀମାନେ ଯେଭଳି ପୁର୍ବଭଳି ମାଗଣା ଚିକିତ୍ସା ପାଇପାରିବେ ସେଥିପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ।

     ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ, ଆଏସବିୱାଇ ହିତାଧିକାରୀମାନେ ଯେଭଳି ତୁରନ୍ତ ବିକେକେୱାଇ କାର୍ଡ ପାଇବେ ସେଥିପାଇଁ ଅଗ୍ରାଧିକାର ଭିତ୍ତିରେ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳଙ୍କୁ ନିଦେ୍ର୍ଧଶ ଦିଆଯାଇଛି । ଏହି ହିତାଧିକାରୀମାନେ ନିକଟସ୍ଥ ବିକେକେୱାଇ କିଓସ୍କରୁ ପୁରୁଣା ଆରଏସବିୱାଇ କାର୍ଡ ବଦଳରେ ନୂତନ ବିକେକେୱାଇ(ଷ୍ଟ୍ରିମ-୨) କାର୍ଡ ସଂଗ୍ରହ କରିବା ପାଇଁ ପରାମର୍ଶ ଦିଆଯାଇଛି । 
    ଏଥିପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, କୃଷି ଉପନିଦେ୍ର୍ଧଶକ, ଅନୁବନ୍ଧିତ ଘରୋଇ ଡାକ୍ତରଖାନାମାନଙ୍କ ସହିତ ବୈଠକ କରି ଓଡ଼ିଶା ରାଜ୍ୟ ଚିକିତ୍ସା ପାଣ୍ଠି(ଓଏସଟିଏଫ)ର ନୂତନ ମାର୍ଗଦର୍ଶିକା ଆଧାରରରେ ବିକେକେୱାଇ କାର୍ଡଧାରୀମାନେ ଯେଭଳି ନିରବଚ୍ଛିନ୍ନ ସେବା ପାଇବେ ସେଥିପାଇଁ ପରାମର୍ଶ ଦିଆଯାଇଛି । ଓଏସଟିଏଫର ନୂତନ ମାର୍ଗଦର୍ଶିକା ଅନୁଯାୟୀ ମାରାତ୍ମକ ରୋଗରେ ପୀଡ଼ିତ ରାଜ୍ୟର ସମସ୍ତ ଗରିବଙ୍କୁ ସରକାରଙ୍କ ଚିକିତ୍ସା ପାଣ୍ଠିରୁ ଅର୍ଥ ଯୋଗାଇ ଦିଆଯିବ । ବିକେକେୱାଇ କାର୍ଡଧାରୀଙ୍କ ବ୍ୟତୀତ ଅନ୍ତ୍ୟୋଦୟ ଅନ୍ନଯୋଜନାର ହିତାଧିକାରୀ ଏବଂ ଗ୍ରାମାଞ୍ଚଳରେ ବାର୍ଷିକ ୫୦ ହଜାର ଓ ସହରାଞ୍ଚଳରେ ୬୦ ହଜାର ଟଙ୍କାରୁ କମ ଆୟକାରୀମାନେ ଏହି ସୁବିଧା ପାଇପାରିବେ । ଏହାଛଡ଼ା ହୃଦରୋଗ, କିଡନୀ ଏବଂ କର୍କଟରେ ପୀଡ଼ିତ ରୋଗୀଙ୍କ କ୍ଷେତ୍ରରେ ବାର୍ଷିକ ୩ଲକ୍ଷ ଟଙ୍କାରୁ କମ ଆୟକାରୀ ରାଜ୍ୟ ଚିକିତ୍ସା ପାଣ୍ଠିରୁ ସୁବିଧା ପାଇପାରିବେ  । ଏ ସଂକ୍ରାନ୍ତରେ ଅଧିକ ବିବରଣୀ ପାଇଁ ଦେୟମୁକ୍ତ ନମ୍ବର ୧୫୫୩୬୯ରେ ଯୋଗାଯୋଗ ପାଇଁପରାମର୍ଶ ଦିଆଯାଇଛି । 
    ସେହିପରି ଗତ ଅଗଷ୍ଟ ମାସ ୧୫ ତାରିଖରୁ ଡିସେମ୍ବର ୧୫ ତାରିଖ ସୁଦ୍ଧା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ୧,୮୨,୩୩,୭୩୩ ଜଣ ବର୍ହିବିଭାଗରେ ଚିକିତ୍ସିତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ  ୪,୦୫,୭୦୮ଜଣ ରୋଗୀଙ୍କ ଠାରେ ଅସ୍ତ୍ରୋପଚାର ହୋଇଥିବାବେଳେ ୭୧,୦୯, ୬୭୪ ଜଣଙ୍କର ରୋଗନିରୂପଣ ଲାଗି ନିଦାନ ଯୋଜନାରେ ମାଗଣା ପରୀକ୍ଷା ନିରୀକ୍ଷା ହୋଇଛି । ସେହିଭଳି ରୋଗୀଙ୍କ ଆବଶ୍ୟକତାକୁ ଦେଖି ୪୩,୫୧୯ ଜଣଙ୍କର ସିଟି ସ୍କାନ ୨,୫୮, ୭୭୩ ଜଣଙ୍କର ଏକ୍ସ-ରେ, ୬୨,୭୮୪ ଜଣଙ୍କର ଅଲଟ୍ରାସାଉଣ୍ଡ ଓ ୧୨, ୯୭୩ଜଣଙ୍କର ଏମଆରଆଇ ହୋଇଛି । କିଡନୀ ରୋଗରେ ଆକ୍ରାନ୍ତ ୧୯,୬୮୯ ରୋଗୀଙ୍କୁ ମାଗଣା ଡାଏଲିସିସି ସେବା ‘ସହାୟ’ ଯୋଜନାରେ ଯୋଗାଇ ଦିଆଯାଇଛି । ୧୬,୮୯୨ ଜଣ କର୍କଟ ରୋଗୀଙ୍କୁ ବ୍ୟବହୁଳ କେମୋଥେରାପି ପ୍ରଦାନ କରାଯାଇଥିବାବେଳେ ୨୪,୭୫୩ ଜଣ ଗୁରୁତର ରୋଗୀଙ୍କୁ ଆଇସିୟୁ ସେବା ଯୋଗାଇ ଦିଆଯାଇଥିବା ମନ୍ତ୍ରୀ ଶ୍ରୀ ଜେନା ସୂଚନା ଦେଇଛନ୍ତି । 

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook