Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    କ୍ୟାବିନେଟରେ ୧୨ଟି ପ୍ରସ୍ତାବକୁ ଅନୁମୋଦନ

    Share on :
    Date: Dec 30, 2018    Views: 81

    ଭୁବନେଶ୍ୱର: ଗତ ସପ୍ତାହରେ ଚାଷୀଙ୍କ ପାଇଁ ରାଜ୍ୟ ସରକାର କରିଥିବା ଯୋଜନା ‘କାଳିଆ’ କାର୍ଯ୍ୟକାରୀ କରିବାକୁ ୧୭୩୩ କୋଟି ଟଙ୍କା ଆବଶ୍ୟକ । ଏହି ଟଙ୍କା ଓଡ଼ିଶା ଆକସ୍ମିକ ପାଣ୍ଠିରୁ ଭରଣା ହେବ । ଏହି ପାଣ୍ଠିର ପରିମାଣ ବୃଦ୍ଧି କରିବାକୁ ସରକାର ଅଧ୍ୟାଦେଶ ଆଣିବେ । ଏହି ପ୍ରସ୍ତାବକୁ କ୍ୟାବିନେଟରେ ମଂଜୁର କରାଯାଇଛି । ଏଥିସହିତ ରାଜ୍ୟ କ୍ୟାବିନେଟରେ ୧୨ଟି ପ୍ରସ୍ତାବ ଅନୁମୋଦନ ଲାଭ କରିଛି । ଏହାବ୍ୟତୀତ ରାଜ୍ୟର ବିଶ୍ୱବିଦ୍ୟାଳୟ, ସରକାରୀ ମହାବିଦ୍ୟାଳୟ ଓ ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟଗୁଡ଼ିକର ୟୁଜିସି ହାରରେ ବେତନ ପାଉଥିବା ଶିକ୍ଷକମାନଙ୍କର ଦରମା ସଂଶୋଧନ କରାଯାଇଛି ।  ଏ ସଂପର୍କରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଗଣମାଧ୍ୟମକୁ କହିଛନ୍ତି ଯେ ଆକସ୍ମିକ ଖର୍ଚ୍ଚ ଭରଣା ନିମନ୍ତେ ଓଡ଼ିଶା ପାଣ୍ଠି କର୍ପସ୍ ଅର୍ଥକୁ ୧୫୦ କୋଟି ଟଙ୍କାରୁ ୪୦୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଥିଲା । ଏହାପରେ ୨୦୧୮-୧୯ ଆର୍ଥିକ ବର୍ଷରେ ଆକସ୍ମିକ ପାଣ୍ଠି ଆଇନ ୧୯୬୭ ଧାରା ୨(୧) ଅନୁଯାୟୀ ସଂଶୋଧନ ମାଧ୍ୟମରେ ଅଧ୍ୟାଦେଶ ଅଣାଯାଇଥିଲା । ଏହି ଅଧ୍ୟାଦେଶ ମାଧ୍ୟମରେ କର୍ପସ ଅର୍ଥ ୪୦୦ କୋଟିରୁ ୧୪୦୦ କୋଟିକୁ ବୃଦ୍ଧି କରାଯାଇଥିଲା ।  ଉକ୍ତ ୧୦୦ କୋଟି ଟଙ୍କା ଓଡ଼ିଶା ସଂଗଠିତ ପାଣ୍ଠିକୁ ଫେରସ୍ତ କରାଯାଇଛି । ବର୍ତ୍ତମାନ ଓଡ଼ିଶା ଆକସ୍ମିକ ପାଣ୍ଠିରେ ୪୦୦ କୋଟି ଟଙ୍କା ରହିଛି । ବିଦ୍ୟାଳୟ ମଞ୍ଜୁରୀ ଆୟୋଗର ସୁପାରିସକ୍ରମେ ରାଜ୍ୟ ବିଶ୍ୱବିଦ୍ୟାଳୟ, ସରକାରୀ ମହାବିଦ୍ୟାଳୟ ଓ ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟଗୁଡ଼ିକର ୟୁଜିସି ହାରରେ ବେତନ ପାଉଥିବା ଶିକ୍ଷକମାନଙ୍କର ଦରମା ସଂଶୋଧନ କରାଯାଇଛି । ଏହି ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜରୀ ଦେଇଛି । ଏଥି ନିମନ୍ତେ ରାଜ୍ୟ ସରକାର ବେତନ ନିର୍ଦ୍ଧାରଣ କମିଟି ଗଠନ କରିଥିଲେ । ଉକ୍ତ କମିଟିର ରିପୋର୍ଟ କ୍ୟାବିନେଟ୍ ବୈଠକରେ ଅନୁମୋଦନ ଲାଭ କରିଛି । ଏହା ଦ୍ୱାରା ରାଜ୍ୟରେ ଥିବା ବିଶ୍ୱବିଦ୍ୟାଳୟ, ସରକାରୀ ମହାବିଦ୍ୟାଳୟ ଏବଂ ଅନୁଦାନ ପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟଗୁଡ଼ିକର ପ୍ରାୟ ୫ ହଜାର ୨୦୩ ଜଣ ଶିକ୍ଷକ ଉପକୃତ ହେବେ । ଏହି ସଂଶୋଧିତ ବେତନ ପାଇଁ ରାଜ୍ୟ ସରକାର ବର୍ଷକୁ ହାରାହାରି ୧୩୬ କୋଟି ଟଙ୍କାର ଅତିରିକ୍ତ ବ୍ୟୟଭାର ବହନ କରିବେ । ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ୧୨ଟି ବପ୍ରସ୍ତାବକୁ କ୍ୟବିନେଟ୍ ଅନୁମୋଦନ କରିଛି । ଓଡ଼ିଶା ମୁଖ୍ୟତଃ କୃଷିଭିତ୍ତିକ ଅର୍ଥନୀତି ହୋଇଥିବାରୁ କୃଷକମାନଙ୍କର କଲ୍ୟାଣ ଉପରେ ରାଜ୍ୟ ସରକାର ସର୍ବଦା ଗୁରୁତ୍ୱ ଦେଇଆସୁଛନ୍ତି । କାଳିଆ ଯୋଜନା ମାଧ୍ୟମରେ ୩ ବର୍ଷ ପାଇଁ ୧୦ ହଜାର ୧୮୦ କୋଟି ଟଙ୍କା ଖର୍ଚ୍ଚ କରିବା ପାଇଁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି । ଏହାଦ୍ୱାରା ୫ଟି ଗଠନ ମୂଳକ ପଦକ୍ଷେପ ମାଧ୍ୟମରେ କୃଷିର ଅଭିବୃଦ୍ଧି ଓ ସାମଗ୍ରୀକ ଉନ୍ନତି ହୋଇପାରିବ । ଏହି ଯୋଜନା ବାବଦକୁ ଚଳିତ ବର୍ଷରେ ୧୭୩୩ କୋଟି ଟଙ୍କା ଆବଶ୍ୟକ ରହିଛି । ଏଥିପାଇଁ ୨୦୧୮-୧୯ ବାର୍ଷିକ ବଜେଟ ପାଇଁ ଅପେକ୍ଷା କରିହେବ ନାହିଁ । ୨୦୧୮-୧୯ ରେ କୃଷକ କଲ୍ୟାଣ ଯୋଜନା ଅଧିନରେ ୨୫୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।  ବିଭିନ୍ନ ଯୋଜନା ଗୁଡ଼ିକରେ ସଞ୍ଚୟ ଅର୍ଥ ଆବଶ୍ୟକତା ପୂରଣ ପାଇଁ ଏହା ପର୍ଯ୍ୟାପ୍ତ ନୁହେଁ । ତେଣୁ ଏହି ଆକସ୍ମିକ ଖର୍ଚ୍ଚ ଭରଣା ନିମିତ୍ତ ଆକସ୍ମିକ ପାଣ୍ଠିରୁ ପ୍ରାୟ ୧୦୦୦ କୋଟି ଟଙ୍କା ଅଗ୍ରୀମ ମଞ୍ଜୁରୀ ଆବଶ୍ୟକ ।  ସରକାରୀ ବ୍ୟୟ ଆବଶ୍ୟକତାକୁ ଭରଣା କରିବା ପାଇଁ ସାମୟିକ ଭାବେ ଆକସ୍ମିକ ପାଣ୍ଠିର ପରିମାଣ ୪୦୦ କୋଟି ଟଙ୍କାରୁ ୧୬୦୦ କୋଟି ଟଙ୍କାକୁ ବୃଦ୍ଧି କରାଯିବା ଆବଶ୍ୟକ । ବର୍ତ୍ତମାନ ବିଧାନସଭା ଚାଲୁନଥିବାରୁ ଅର୍ଥର ଜରୁରୀ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅଧ୍ୟାଦେଶ ବଳରେ ଆକସ୍ମିକ ପାଣ୍ଠିର କର୍ପସ ବୃଦ୍ଧି କରାଯିବ ।   ସାଧାରଣ ବଣ୍ଟନ ବ୍ୟବସ୍ଥାରେ ବେସରକାରୀ ଡିଲରଙ୍କ କାର୍ଯ୍ୟକାଳ ୩ରୁ ୪ ବର୍ଷକୁ, ଅର୍ଥାତ୍ ୧ ବର୍ଷ ବୃଦ୍ଧି କରାଯାଇଛି । ସାଧାରଣ ବଣ୍ଟନ ବ୍ୟବସ୍ଥାର କାର୍ଯ୍ୟକାରିତା ପାଇଁ ଡିଲରମାନଙ୍କୁ ଦିଆଯାଇଥିବା ବାର୍ଷିକ ଲାଇସେନ୍ସର ଅବଧି ପ୍ରତିବର୍ଷ ଏପି୍ରଲରୁ ପରବର୍ତ୍ତୀ ବର୍ଷର ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ହୋଇଥାଏ । ନୂତନ ଲାଇସେନ୍ସ କିମ୍ବା ପୂର୍ବରୁ ପ୍ରଦାନ କରାଯାଇଥିବା ଲାଇସେନ୍ସର ନବୀକରଣ ପ୍ରକ୍ରିୟା ସମୟସୀମା ସମାପ୍ତିର ୪୫ ଦିନ ପୂର୍ବରୁ ଆରମ୍ଭ କରାଯାଇଥାଏ । ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ସୁପ୍ରଭାବୀ କରିବା ପାଇଁ ଦ୍ୱିମାସିକ ବଣ୍ଟନ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉଛି । ରାଜ୍ୟରେ ଲକ୍ଷ୍ୟଭିତ୍ତିକ ସାଧାରଣ ବଣ୍ଟନ ବ୍ୟବସ୍ଥା ପର୍ଯ୍ୟାୟକ୍ରମେ ଲାଗୁ କରାଯାଉଛି ।  ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗଙ୍କ ଅନୁମୋଦନରେ ଶାରୀରିକ ଦକ୍ଷତା ପରୀକ୍ଷା ପାଇଁ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ଅଧିନରେ ଏକ ବୋର୍ଡ ଗଠନର ବ୍ୟବସ୍ଥା ରହିଛି । ଯେଉଁଥିରେ ସମ୍ପୃକ୍ତ ଡିଭିଜନର ଡିଏଫ୍ଓ, ଡିଡବ୍ଲୁଓ, ମେଡିକାଲ୍ ଅଫିସର ସଦସ୍ୟ ରହିବେ ।  ଓଡ଼ିଶା ଲୋକସେବା ଆୟୋଗର ସଦସ୍ୟା ଭାବେ ଅବସରପ୍ରାପ୍ତ ମନୋବିଜ୍ଞାନ ପ୍ରଫେସର ଡ଼ ନମିତା ମହାନ୍ତି ଓ ସଦସ୍ୟ ଭାବେ  ଅବସରପ୍ରାପ୍ତ ସ୍ୱତନ୍ତ୍ର ଶାସନ ସଚିବ ପୂର୍ଣ୍ଣଚନ୍ଦ୍ର ପାଠୀଙ୍କୁ ନିଯୁକ୍ତି ଦିଆଯାଇଛି । ଏହି ନିଯୁକ୍ତିକୁ କ୍ୟାବିନେଟ ଅନୁମୋଦନ କରିଛି ।  ଓଡ଼ିଶା କୃଷକ ଉପôାଦକ ଗୋଷ୍ଠୀ ଯୋଜନା ମାଧ୍ୟମରେ କୃଷି ଓ ଆନୁଷଙ୍ଗିକ ବିଭାଗରେ ଥିବା କୃଷକ ଗୋଷ୍ଠୀମାନଙ୍କୁ ପଞ୍ଜିକୃତ କରି ସେମାନଙ୍କୁ କୃଷି ସମ୍ବନ୍ଧୀୟ ସମସ୍ତ ସାହାଯ୍ୟ ସହଯୋଗ କରାଯିବ । ଏଥିପାଇଁ ଆବଶ୍ୟକ ଅର୍ଥ ବିଭାଗ ଗୁଡ଼ିକରେ ପ୍ରଚଳିତ ଯୋଜନା ଗୁଡ଼ିକରୁ ବ୍ୟବହାର କରାଯିବ । ଏହାସହ ବାର୍ଷିକ ପ୍ରାୟ ୧୦୦ କୋଟି ଟଙ୍କାର ଏକ କର୍ପସ ପାଣ୍ଠି କୃଷି ଓ କୃଷକ ସଶକ୍ତିକରଣ ବିଭାଗରେ ପ୍ରତିଷ୍ଠା କରି ଉପôାଦକ ଗୋଷ୍ଠୀ ଉନ୍ନୟନ ଅନୁଷ୍ଠାନ ଏବଂ ଯୋଜନା ପରିଚାଳନା ଅନୁଷ୍ଠାନ ଗୁଡ଼ିକୁ ଯୋଗାଇ ଦିଆଯିବ । ଯାହାକି ଏସଏଫଏସି ଦ୍ୱାରା ପ୍ରଦତ୍ତ ନିୟମ ଭିତ୍ତିରେ ବ୍ୟୟ କରାଯିବ । ଏହି ନୀତି ରାଜ୍ୟର ଚାଷୀମାନଙ୍କ ଆୟ ଓ ଆର୍ଥିକ ଅଭିବୃଦ୍ଧିରେ ସାହାଯ୍ୟ କରିବା ସହ ଗ୍ରାମାଞ୍ଚଳରେ ଅଧିକ ନିଯୁକ୍ତି ସୃଷ୍ଟି କରିବ ।  ଓଡ଼ିଶା ସିଭିଲ ସର୍ଭିସେସ୍ ନିଯୁକ୍ତି ପ୍ରକ୍ରିୟାକୁ ରାଜ୍ୟ ସରକାର ସଂଶୋଧନ କରିଛନ୍ତି । ଏନେଇ ଯୋଗାଣ ନିରୀକ୍ଷକଙ୍କ ନିଯୁକ୍ତି ପ୍ରକ୍ରିୟା ଏବଂ ଚାକିରୀ ସର୍ତ୍ତାବଳୀ ନିଯୁକ୍ତି ନିୟମ ୨୦୧୮ ପ୍ରସ୍ତୁତ କରାଯାଇଛି । ଏହାଦ୍ୱାରା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧିନସ୍ଥ ଯୋଗାଣ ନିରୀକ୍ଷକ କ୍ୟାଡରର କାର୍ଯ୍ୟ ତଥା ସୁପରିଚାଳନା ତ୍ୱରାନ୍ୱିତ ହୋଇପାରିବ ।  ସେହିପରି ବାଲୁକା କଳା ପାର୍କ ପାଇଁ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କୁ ବାଙ୍କୀ ମୁହାଣରେ ଜମି ଯୋଗାଇ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ପ୍ରସିଦ୍ଧ ବାଲୁକା ଶିଳ୍ପୀଙ୍କୁ ୩୦ ବର୍ଷ ପାଇଁ ସବ୍-ଲିଜ ପ୍ରଦାନ କରିବା ନିମନ୍ତେ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଉକ୍ତ ଜମିର ବାର୍ଷିକ ଖଜଣା ବାବଦକୁ ୪୮୦୦ ଟଙ୍କା ଓ ସେସ୍ ଦେୟ ବାବଦକୁ ୩୬୦୦ ଟଙ୍କା ଶ୍ରୀ ପଟ୍ଟନାୟକ ପଇଠ କରିବେ ।  ରାଜ୍ୟ ସରକାର ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀଠାରେ ଏମ୍ସ ଛାତ୍ରଛାତ୍ରୀମାନଙ୍କ ଟ୍ରେନିଂ ଓ ଆବାସିକ ସୁବିଧା ଲାଗି ଜମି ପ୍ରଦାନ ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଉକ୍ତ ଜମିର ଆନୁଷଙ୍ଗିକ ଖର୍ଚ୍ଚ ଓ ପଞ୍ଜିକୃତ ମୂଲ୍ୟ ବାବଦକୁ ୧ କୋଟି ୨୭ ଲକ୍ଷ ୯୭ ହଜାର ୮୬୫ ଟଙ୍କା ଛାଡ଼ କରାଯିବ । ଦକ୍ଷତା ସମ୍ପନ୍ନ ଓ ଶାରୀରିକ ଭାବେ ସୁସ୍ଥ ଥିବା ପ୍ରାର୍ଥୀମାନଙ୍କୁ ବନରକ୍ଷୀ ଭାବେ ନିଯୁକ୍ତି ଦେବାକୁ ଓଡ଼ିଶା ସବଅଡିନେଟ୍ ଫରେଷ୍ଟ ସର୍ଭିସ୍ ନିଯୁକ୍ତି ପ୍ରକ୍ରିୟାକୁ ପରିବର୍ତ୍ତନ କରାଯାଇଛି । ବନରକ୍ଷୀ ମାନଙ୍କର ନିଯୁକ୍ତି ପ୍ରକ୍ରିୟାକୁ ସ୍ୱଚ୍ଛ କରିବା ପାଇଁ ଏହି ନୂତନ ନିୟମରେ ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗଙ୍କ ଦ୍ୱାରା ପରୀକ୍ଷା କରାଯିବାର ବ୍ୟବସ୍ଥା ରହିଛି ।

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook