Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ମହିଳା ସଂରକ୍ଷଣ ବିଲ, ସବୁ ମୁଖ୍ୟମନ୍ତ୍ରୀଙ୍କ ସହଯୋଗ ଲୋଡି ଚିଠି ଲେଖିଲେ ନବୀନ

    Share on :
    Date: Dec 6, 2018    Views: 63

    ଭୁବନେଶ୍ୱର : ସଂସଦ ଏବଂ ବିଧାନସଭାମାନଙ୍କରେ ମହିଳାମାନଙ୍କ ପାଇଁ ଏକ ତୃତୀୟାଂଶ ସ୍ଥାନ ସଂରକ୍ଷଣ ସମର୍ଥନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ମୁଖ୍ୟମନ୍ତ୍ରୀଙ୍କ ସହଯୋଗ ଲୋଡ଼ି ପତ୍ର ଲେଖିଛନ୍ତି  ।

    ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତାଙ୍କ ପତ୍ରରେ ଉଲ୍ଳେଖ କରିଛନ୍ତିଯେ, ଦେଶ ଓ ସମାଜ ଗଠନରେ ମହିଳାମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି  । ମହିଳାମାନେ ସଶକ୍ତ ହେଲେ ଦେଶ ସଶକ୍ତ ହେବ ଏବଂ ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇପାରିବ  । ମହିଳାମାନେ ସଶକ୍ତ ନହେଲେ କୌଣସି ପରିବାର, କୌଣସି ସମାଜ, କୌଣସି ରାଜ୍ୟ ବା ଦେଶ ଅଗ୍ରଗତି କରିପାରିବ ନାହିଁ  ।

    ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, ଆମ ଲୋକସଂଖ୍ୟାର ଅଦେ୍ର୍ଧକ ହେଉଛନ୍ତି ମହିଳା  । ତେଣୁ ବିକାଶ ପ୍ରକ୍ରିୟା ଏବଂ ନିଷ୍ପତି ଗ୍ରହଣ ପ୍ରକ୍ରିୟାରେ ସେମାନଙ୍କ ଯୋଗଦାନ ଗଣତନ୍ତ୍ରକୁ ଅଧିକ ସୁଦୃଢ଼ କରିବ  । ୧୯୯୦ରେ  ପ୍ରବାଦ ପୁରୁଷ ବିଜୁ ବାବୁ ନେଇଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା କରି ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, ବିଜୁବାବୁ ହିଁ ସାରା ଦେଶରେ ପ୍ରଥମେ ମହିଳାମାନଙ୍କ ପାଇଁ ବିଭିନ୍ନ ପଂଚାୟତ ଓ ପୌର ପରିଷଦ ସମେତ ସରକାରୀ ଚାକିରୀରେ ୩୩% ସ୍ଥାନ ସଂରକ୍ଷଣ ଆରମ୍ଭ କରିଥିଲେ  । ଏହା ଅତ୍ୟନ୍ତ ପ୍ରଭାବଶାଳୀ ହୋଇପାରିଛି  । ଏହି ସଫଳତାକୁ ଦୃଷ୍ଟିରେ ରଖି ୨୦୧୧ରେ ମୋ ସରକାର ମହିଳାମାନଙ୍କ ପାଇଁ ପଂଚାୟତ ଓ ପୌର ପରିଷଦର ସ୍ଥାନ ସଂରକ୍ଷଣକୁ ୫୦%କୁ ବୃଦ୍ଧି କରିଛନ୍ତି  । ଆମ ସମ୍ବିଧାନ ଲିଙ୍ଗଗତ ବୈଷମ୍ୟ ଦୂର କରାଯିବା ଉପରେ ଗୁରୁତ୍ୱ ଦେଇଛନ୍ତି  । ଏଥିପାଇଁ ଆମେ ସମସ୍ତେ ପ୍ରତିବଦ୍ଧତାର ସହ ଉଦ୍ୟମ ଜାରି ରଖିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ନିଜ ପତ୍ରରେ ଉଲ୍ଲେଖ କରିଛନ୍ତି  ।

    ସେହିପରି ମହିଳାମାନଙ୍କ ପାଇଁ ସଂସଦ ଓ ବିଧାନସଭାରେ ଏକ ତୃତୀୟାଂଶ ସ୍ଥାନ ସଂରକ୍ଷଣ ଦେବା ସପକ୍ଷରେ ଓଡ଼ିଶା ବିଧାନସଭା ଏକ ସଂକଳ୍ପ ପାରିତ କରିଛି ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ପତ୍ରରେ ସୂଚନା ଦେଇଛନ୍ତି  । ମହିଳାମାନଙ୍କ ପାଇଁ ସଂସଦ ଓ ବିଧାନସଭାରେ ଏକ ତୃତୀୟାଂଶ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା କରିବା ଦିଗରେ ନେତୃତ୍ୱ ନେଇ ପଦକ୍ଷେପ ନେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ସହଯୋଗ ଲୋଡ଼ି ପତ୍ର ଲେଖିଥିବା ବିଷୟ ମୁଖ୍ୟମନ୍ତ୍ରୀ ପତ୍ରରେ ଉଲ୍ଳେଖ କରିଛନ୍ତି  । ମହିଳାମାନଙ୍କୁ ସମାଜରେ ଉପଯୁକ୍ତ ସ୍ଥାନ ଦେବା ପାଇଁ ଉଦ୍ୟମରେ ମୁଖ୍ୟମନ୍ତ୍ରୀମାନଙ୍କର ସହଯୋଗ ମହିଳା ସଶକ୍ତିକରଣକୁ ନୂତନ ମାର୍ଗ ଦେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଶାବ୍ୟକ୍ତ କରିଛନ୍ତି  ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook