Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ନୂଆ ଦଳକୁ ନେଇ ଦୋଛକିରେ ବୈଜୟନ୍ତ ପଣ୍ଡା

    Share on :
    Date: Nov 9, 2018    Views: 2645

    ଭୁବନେଶ୍ୱର : ଗଢ଼ା ହେବ ନୂଆ ଆଂଚଳିକ ଦଳ  । ଢେର ଦିନ ଧରି ଏନେଇ ଚର୍ଚ୍ଚା ଚାଲିଥିବାବେଳେ ଏବେ ନୂଆ ଦଳ ଗଢ଼ା ହେବାର ବାଟ ଫିଟିଛି  । କେହି ଆଗକୁ ନବାହାରିଲେ ବି ଡାକ୍ତର ଦାମୋଦର ରାଉତ ଏନେଇ ଇସାରା ଦେଇଛନ୍ତି  । ତାଙ୍କ କଥା ଯଦି ସତ ହୁଏ ତେବେ ଆସନ୍ତା ସପ୍ତାହରେ ହିଁ ନୂତନ ଦଳର ନାମ ଘୋଷଣା ହୋଇପାରେ  । ତେବେ ଦୀର୍ଘଦିନ ଧରି ରାଜନୈତିକ ସଂଶୟ ଭିତରେ ଗତି କରୁଥିବା ବୈଜୟନ୍ତ ପଣ୍ଡା ଏବେ ଦୋଛକିରେ ପଡ଼ିଯାଇଥିବା ଜାଣିବାକୁ ମିଳିଛି  । 

    ରାଜ୍ୟ ରାଜନୀତିରେ ନିଜର ଦମ ଦେଖାଇବା ପାଇଁ ୨୦୧୪ରୁ ବୈଜୟନ୍ତ ପଣ୍ଡା ନିଜର କସରତ ଆରମ୍ଭ କରିଦେଇଛନ୍ତି  । ହେଲେ ଏଯାବତ ତାଙ୍କର ସବୁ ରଣନୀତି ଫେଲ ମାରିଛି  । ବିଜେଡ଼ିରେ ଦବଦବା ଦେଖାଇବାର ପ୍ରୟାସ ବିଫଳ ହେବା ପରେ ସେ ଦଳ ଛାଡ଼ିବାକୁ ବାଧ୍ୟ ହୋଇଥିଲେ  । ବିଜେଡ଼ି ମଧ୍ୟ ବୈଜୟନ୍ତଙ୍କ ରଣନୀତି ସମ୍ପର୍କରେ ସତର୍କ ଥିବାରୁ ତାଙ୍କୁ କୋଣଠେସା କରିଦେଇଥିଲା  । ବିଜେଡ଼ି ଛାଡ଼ିବା ପରେ ଦିନା କେତେ ସେ ବିଜେପିରେ ମିଶିବା ନେଇ ଚର୍ଚ୍ଚା ହୋଇଥିଲା  । କେନ୍ଦ୍ରୀୟ ବିଜେପି ନେତାଙ୍କ ସହ ତାଙ୍କର ସୁସମ୍ପର୍କ ଥିବାରୁ ଏହି ଚର୍ଚ୍ଚା ବେଶ ଦାନା ବାନ୍ଧିଥିଲା  । ଚର୍ଚ୍ଚା ରୂପକ ଦାନା ମିଶ୍ରି ରୂପ ନେବା ପୂର୍ବରୁ ତାହାକୁ ଭାଙ୍ଗି ଗୁଣ୍ଡ କରିଦେଇଥିଲେ ଧର୍ମେନ୍ଦ୍ର ପ୍ରଧାନ  । ବୈଜୟନ୍ତ ବିଜେପିରେ ମିଶିଲେ ଭବିଷ୍ୟତରେ ତାଙ୍କ ପାଇଁ ବିପଦ ସୃଷ୍ଟି ହେବବୋଲି ଧର୍ମେନ୍ଦ୍ର ଆଶଙ୍କା କରିଥିଲେ  । ଯେଉଁଥିପାଇଁ ଗଣମାଧ୍ୟମରେ ଆମେ ତାଙ୍କୁ ସ୍ୱାଗତ କରିବୁ ବୋଲି ରାଜ୍ୟ ବିଜେପି କହିଥିଲେ ବି ବୈଜୟନ୍ତଙ୍କୁ ଦଳରେ ସାମିଲ କରିବା ପାଇଁ ସେଭଳି ଯୋଗସୂତ୍ର ରକ୍ଷା କରାଯାଇନଥିଲା  । ପରେ ବୈଜୟନ୍ତ ମଧ୍ୟ ବୁଝି ଯାଇଥିଲେ ଆଜିକା ଦିନରେ ବିଜେପିର ସ୍ଥିତି କ’ଣ ? ରାଜ୍ୟର ପ୍ରାୟ ଅଧିକାଂଶ ନେତା ଓ କର୍ମୀ ଏବେ ଧର୍ମେନ୍ଦ୍ରଙ୍କୁ ହିଁ ନେତା ବୋଲି ମାନୁଛନ୍ତି  । ତେଣୁ ବିଜେପିରେ ଯୋଗଦେଲେବି ସେ ଆଜି ନହେଲେ କାଲି ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟଙ୍କ ଭଳି କୋଣଠେସା ହେବା ନିଶ୍ଚିତ ବୋଲି ମନେ କରିଥିଲେ  । ଯେଉଁଥିପାଇଁ ବୈଜୟନ୍ତ ବିଭିନ୍ନ ବିକଳ୍ପର ସୁରାକ ଦେଇଥିଲେ  । ଏହି ପରିପ୍ରେକ୍ଷୀରେ ଆଂଚଳିକ ଦଳ ଗଠନ ନେଇ ଚର୍ଚ୍ଚା ଜୋର ଧରିଥିଲା  । କିନ୍ତୁ ବହୁ ନବୀନ ବିରୋଧୀ ନେତା ଧରାଛୁଆଁ ଦେଇନଥିଲେ  । ତେଣୁ ପ୍ୟାରୀମୋହନଙ୍କ ଭଳି ହଲାପଟା ହେବା ଅପେକ୍ଷା ନୀରବରେ ନିଜର ସାଂଗଠନିକ ଶକ୍ତି ବୃଦ୍ଧି ଦିଗରେ ବୈଜୟନ୍ତ ମନୋନିବେଶ କରିଥିଲେ  । କିନ୍ତୁ କୁଆ ରାବିବା, ତାଳ ଛିଡ଼ିବା ନ୍ୟାୟରେ ଡାକ୍ତର ଦାମୋଦର ରାଉତଙ୍କୁ ବହିଷ୍କାର କରିଥିଲା ବିଜେଡ଼ି  । ତେଣୁ ଦାମଙ୍କ ସହ ମିଶି ଦିନାକେତେ ବୈଜୟନ୍ତ ରଣନୀତି କରିଥିଲେ  । କିନ୍ତୁ ପରେ ଦାମଙ୍କ ଆଗଚଲା ଗୁଣ ଓ ତୁଣ୍ଡ ହୁରୁଡ଼ା ବିବୃତି ତାଙ୍କୁ ଭବିଷ୍ୟତରେ ଅକଳରେ ପକାଇବ ବୋଲି ସେ ମନେ କରିଥିଲେ  । ତେଣୁ ନୂତନ ଆଂଚଳିକ ଦଳ ଗଠନ ନେଇ ବୈଜୟନ୍ତ ଆଗ୍ରହୀ ଅଛନ୍ତି ବୋଲି ଦାମଙ୍କ ବିବୃତିକୁ ସେ ଖଣ୍ଡନ କରିବାକୁ ବାଧ୍ୟ ହୋଇଥିଲେ  ।

    ଯଦିଓ କେତେକ ରାଜନୀତିକ ସମୀକ୍ଷକ ନୂତନ ଆଂଚଳିକ ଦଳ ଗଠନ କରାଗଲେ ବିଜେଡ଼ିର ଶକ୍ତି କମିବ ବୋଲି ଚର୍ଚ୍ଚା କରୁଛନ୍ତି ବାସ୍ତବତା କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ  । ବରଂ ନୂତନ ଆଂଚଳିକ ଦଳ ଗଢ଼ାଗଲେ ତାହା ପରୋକ୍ଷରେ ବିଜେଡ଼ି ପାଇଁ ସହାୟକ ହୋଇପାରିବ  । କାହିଁକିନା ସରକାରୀ ବିରୋଧୀ ଭୋଟ ଉପରେ ଆଂଚଳିକ ଦଳ ଭାଗ ବସାଇବ  । ଫଳରେ ଯେଉଁ ଭୋଟ ବିଜେପି କିମ୍ବା କଂଗ୍ରେସକୁ ଯାଇଥାନ୍ତା ତାହା ବାଂଟି ହୋଇଯିବ  । ତି୍ରମୁଖୀ ପ୍ରତିଦ୍ୱନ୍ଦ୍ୱିତା ଭିତରେ ଯଦି ନୂଆ ଆଂଚଳିକ ଦଳ ପଶେ ତେବେ ତାହା ବିଜେପି କିମ୍ବା କଂଗ୍ରେସକୁ ଯିବାକୁ ଥିବା ସରକାରୀ ବିରୋଧୀ ଭୋଟରେ ଭାଗ ବସାଇବା ନିଶ୍ଚିତ  । ଏଥିରେ ବିଜେଡ଼ି ହିଁ ଫାଇଦାରେ ରହିବ  । ଯେଉଁ ଅଙ୍କ ବୈଜୟନ୍ତ ମଧ୍ୟ କଷିଛନ୍ତି  । ବରଂ ବିଜେଡ଼ିର ଟିକେଟ ବଂଟନ ପରେ ଯେଉଁଠାରେ ପୋଟେନସିଆଲ କ୍ୟାଣ୍ଡିଡେ଼ଟ ବା ଟାଣୁଆ ସଂଗଠକଙ୍କୁ ଟିକେଟ ନମିଳେ ସେକ୍ଷେତ୍ରରେ ତାଙ୍କୁ ସହଯୋଗ ପ୍ରଦାନ କଲେ ତାହା ବିଜେଡ଼ିକୁ କ୍ଷତିରେ ପକାଇବାର ଆଶଙ୍କା ରହିଛି  । ତେଣୁ ବୈଜୟନ୍ତ ସେପର୍ଯ୍ୟନ୍ତ ଅପେକ୍ଷା କଲେ ଆଶ୍ଚର୍ଯ୍ୟ ହେବାର ନାହିଁ ବୋଲି କୁହାଯାଇପାରେ  । ଫଳରେ ନୂତନ ଆଂଚଳିକ ଦଳ ଗଠନ ନେଇ ଦୋଛକିରେ ବୈଜୟନ୍ତ ପଡ଼ି ଯାଇଛନ୍ତି  । ଯଦି ଦାମଙ୍କ ଆଂଚଳିକ ଦଳ ଦୃଢ଼ ନହୁଏ ତେବେ ନବୀନଙ୍କୁ ବିରୋଧ କରୁଥିବା ପ୍ରତିଟି ଶକ୍ତିଯେ, ଶୂନଫଟକା ହୋଇଯାଇଛନ୍ତି ତାହା ପୁଣି ପ୍ରମାଣିତ ହୋଇଯିବ  । ଯାହାର ପ୍ରଭାବ ବୈଜୟନ୍ତଙ୍କ ଉପରେ ମଧ୍ୟ ପଡ଼ିବ  । ଚଳିତ ମାସ ସୁଦ୍ଧା ବୈଜୟନ୍ତ ଓ ଦାମଙ୍କ ଅଙ୍କ ସ୍ପଷ୍ଟ ହୋଇଯିବାର ଯଥେଷ୍ଟ ସମ୍ଭାବନା ରହିଛି  । ଏହାପରେ ରାଜ୍ୟ ରାଜନୀତି କେଉଁ ମୋଡ଼ ନେବ ତାହା ସ୍ପଷ୍ଟ ହେବ ବୋଲି ଆଶା କରାଯାଇପାରେ  ।

    Maximum 500 characters

    ରାଜନୀତି View all

    Find Us on Facebook