Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଚାଷୀଙ୍କୁ ଭୁବନେଶ୍ୱର ମନା, ନେତାଙ୍କୁ ଗାଁ ମନା: ଅକ୍ଷୟ କୁମାର

    Share on :
    Date: Nov 5, 2018    Views: 2401

    ମନ୍ତ୍ରୀସ୍ତରୀୟ କମିଟି ଏକ ଧୋକା

    ଭୁବନେଶ୍ୱର: ଚାଷୀଙ୍କୁ ଯଦି ଭୁବନେଶ୍ୱର ମନା, ତେବେ ନେତାଙ୍କୁ ବି ଗାଁ ମନା । କୌଣସି ନେତା ଭୋଟ ମାଗିବାକୁ ଗାଁକୁ ଯାଇପାରିବେ ନାହିଁ ।  ଭୋଟ ଗ୍ରହଣ ପୋଲିଂ ବାକ୍ସ ଗାଁକୁ ଯାଇପାରିବ ନାହିଁ ।  ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ ଦାବିରେ ଭୁବନେଶ୍ୱର ପଦଯାତ୍ରାରେ ଆସୁଥିବା ଚାଷୀମାନଙ୍କୁ ଅଟକାଯାଇ ଗିରଫ କରିବା ପ୍ରତିବାଦରେ ଚାଷୀ ନେତା ଅକ୍ଷୟ କୁମାର ଏଭଳି ଚେତାବନୀ ଦେଇଛନ୍ତି । 

    ଅନ୍ୟପକ୍ଷରେ ଚାଷୀଙ୍କ ଦାବି ପୂରଣ ପାଇଁ ସୋମବାର ରାଜ୍ୟସରକାର ଗଠନ କରିଥିବା ମନ୍ତ୍ରୀସ୍ତରୀୟ କମିଟିକୁ ଏକ ଧୋକା ବୋଲି ଅକ୍ଷୟ କୁମାର କହିଛନ୍ତି ।  ସେ କହିଛନ୍ତି ଯେ, ଚାଷୀଙ୍କୁ ଭତ୍ତା ଦେବା ପାଇଁ ମନ୍ତ୍ରୀସ୍ତରୀୟ କମିଟି ଗଠନ କରାଯାଇନାହିଁ ।  ଦାବି ପୂରଣ ନେହେଲା ପର୍ଯ୍ୟନ୍ତ ଆମେ କୁଆଡେ଼ ବି ଯିବୁନି, ଏଇଠି ରହିବୁ । ଲଢେଇ ତୀବ୍ରତର ହେବ, ପ୍ରତି ବ୍ଲକ, ଗାଁକୁ ଆନେ୍ଦାଳନ ବ୍ୟାପିବ ବୋଲି ଅକ୍ଷୟ କୁମାର କହିଛନ୍ତି । 

    ପ୍ରକାଶ ଯେ, ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ ଦାବିରେ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ କରାଯାଉଥିବା ଆନେ୍ଦାଳନକୁ ପ୍ରତିହତ କରିବା ତଥା ଚାଷୀଙ୍କୁ ଅଟକାଇବା ପାଇଁ ଗତକାଲି ତମାଣ୍ଡୋ ନିକଟସ୍ଥ ଜାତୀୟ ରାଜପଥ ଉପରେ ୧୪୪ ଧାରା ଜାରି କରାଯାଇଥିଲା ।  ରବିବାର ନବ ନିର୍ମାଣ କୃଷକ ସଙ୍ଗଠନର ଶତାଧିକ ଚାଷୀ ବାଲୁଗାଁରୁ ଭୁବନେଶ୍ୱର ରାଲିଲେ ଆସୁଥିବାବେଳେ ଜାତୀୟ ରାଜପଥ ଉପରେ ୧୪୪ ଧାରା ଜାରି କରି ପୁଲିସ ଚାଷୀଙ୍କ ରାଲିକୁ ବାରଣ କରିଥିଲା । ତେବେ  ଆଜି ହଜାର ହାଜର ଚାଷୀ ଏହାକୁ ଖାତିର ନକରି ଭୁବନେଶ୍ୱର ଆଡ଼କୁ ମାଡ଼ି ଆସୁଛନ୍ତି । ଚାଷୀମାନେ ପୁଲିସ କର୍ଡନ ଭାଙ୍ଗି ଭୁବନେଶ୍ୱର ଭିତରକୁ ପଶିଆସିଥିଲେ । 

    ତେବେ ଚାଷୀଙ୍କ ଦାବି ପୂରଣ ପାଇଁ ସୋମବାର ରାଜ୍ୟସରକାର ଏକ ମନ୍ତ୍ରୀସ୍ତରୀୟ କମିଟି ଗଠନ କରିଛନ୍ତି ।  ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରାଙ୍କ ଅଧ୍ୟକ୍ଷତାରେ ଏହି ମନ୍ତ୍ରୀସ୍ତରୀୟ କମିଟି ଗଠନ କରାଯାଇଛି । ଏହି କମିଟିରେ କୃଷି ଓ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ ଓ ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ସଦସ୍ୟ ରହିଛନ୍ତି ।  କମିଟିରେ ଟର୍ମ ଅଫ ରେଫରେନ୍ସ ପ୍ରସ୍ତୁତ କରାଯିବ ଏବଂ ଏହି ରେଫରେନ୍ସ ଅନୁସାରେ ଚାଷୀମାନଙ୍କ ଦାବି ସମ୍ପର୍କରେ ଆଲୋଚନା କରାଯିବ ବୋଲି ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା କହିଛନ୍ତି ।

    ଅନ୍ୟପକ୍ଷରେ ଭୁବନେଶ୍ୱର ଆସୁଥିବା ଚାଷୀ ଓ ନେତାଙ୍କ ଖଣ୍ଡଗିରି ନିକଟରେ ପୁଲିସ ଗିରଫ କରିଥିବା ଜଣାଯାଇଛି ।  ଚାଷୀଙ୍କ ଏହି ଆନେ୍ଦାଳନରେ ସାମିଲ ହୋଇଥିବା କଂଗ୍ରେସ ନେତା ପ୍ରଦୀପ ମାଝୀଙ୍କୁ ମଧ୍ୟ ପୁଲିସ ଉଠାଇ ନେଇଥିବା ଜଣାଯାଇଛି । ତେବେ ଗିରଫ ବେଳେ ଜଣେ ମହିଳା ଚାଷୀ ଅସୁସ୍ଥ ହୋଇଥିବା ସୂଚନା ମିଳିଛି । 

    Maximum 500 characters

    ରାଜନୀତି View all

    Find Us on Facebook