Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଆଗୁଆ ପ୍ରାର୍ଥୀ ଘୋଷଣାକୁ ଡରୁଛି କଂଗ୍ରେସ

    Share on :
    Date: Nov 5, 2018    Views: 1416

    ଭୁବନେଶ୍ୱର : କଂଗ୍ରେସ ଆଗୁଆ ପ୍ରାର୍ଥୀ ଦେବ  । ଫଳରେ ପ୍ରାର୍ଥୀମାନେ ନିର୍ବାଚନୀ ରଣନୀତି ଓ ପ୍ରଚାର ପାଇଁ ପର୍ଯ୍ୟାପ୍ତ ସମୟ ପାଇବେ  । ଲବିରେ ନୁହେଁ ଦମ ଥିଲେ ମିଳିବ ଟିକେଟ  । ଭୁବନେଶ୍ୱର ଲବିରେ ନୁହେଁ ନିଜ ନିର୍ବାଚନମଣ୍ଡଳୀର କଂଗ୍ରେସ କର୍ମୀଙ୍କ ମତାମତରେ ହିଁ ଟିକେଟ ଦିଆଯିବ  । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ପ୍ରଭାରୀ ଜିତେନ୍ଦ୍ର ସିଂହ ଏମିତି ଘୋଷଣା କରିଥିଲେ  ।

    କେତେବେଳେ ଜୁନ ତ କେବେ ଅଗଷ୍ଟ, କେବେ ସେପ୍ଟେମ୍ବର ତ କେବେ ଅକ୍ଟୋବର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାର ଏମିତି ଡେଡ଼ଲାଇନ ବି ଘୋଷଣା ହୋଇଥିଲା  । ହେଲେ ଇତିମଧ୍ୟରେ ନଭେମ୍ବର ପ୍ରଥମ ସପ୍ତାହ ଅତିକ୍ରାନ୍ତ ହୋଇଯାଇଥିଲେ ମଧ୍ୟ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରୁନାହିଁ  । 

    କାଳେ ଆଗୁଆ ପ୍ରାର୍ଥୀ ଘୋଷଣା କଲେ ବିଜେଡ଼ି ଓ ବିଜେପି ସେମାନଙ୍କ ପ୍ରାର୍ଥୀଙ୍କୁ ନିଜ ଆଡ଼କୁ ଟାଣିନେଇଯିବେ କି ? କାଳେ କୌଣସି ପ୍ରଲୋଭନର ଶିକାର ହୋଇ କଂଗ୍ରେସର ପ୍ରାର୍ଥୀ ଲଢ଼ିବାକୁ ମନା କରିଦେବେ କି ? ଯଦି ପ୍ରାର୍ଥୀ ତାଲିକା ଏବେ ପ୍ରକାଶ କରାଯାଏ, ଅନ୍ୟ ଆଶାୟୀମାନେ ଦଳ ଛାଡ଼ିଦେବେ କି ? ଏମିତି ଅନେକ ଆଶଙ୍କା ରହିଥିବାରୁ ଆଗୁଆ ପ୍ରାର୍ଥୀ ଘୋଷଣା କରିବାକୁ କଂଗ୍ରେସ ଡରୁଥିବା ନେଇ ଚର୍ଚ୍ଚା ହେଉଛି  ।

    ବହୁ ଡେଡ଼ଲାଇନ ଅତିକ୍ରାନ୍ତ କରିବା ପରେ ଗତ ଅକ୍ଟୋବର ପହିଲାରେ କଂଗ୍ରେସ ସ୍କି୍ରନିଂ କମିଟି ବୈଠକ ବସିଥିଲା  । ନିର୍ବାଚନ କମିଟିର ବି ବୈଠକ ହୋଇଥିଲା  । ବିଭିନ୍ନ ନିର୍ବାଚନମଣ୍ଡଳୀର ନେତାମାନଙ୍କ ସହ କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହ ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ୱାନଟୁୱାନ ଆଲୋଚନା ମଧ୍ୟ କରିଥିଲେ  । ପରେ ପ୍ରଥମ ପର୍ଯ୍ୟାୟରେ ୪୪ ଜଣଙ୍କ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ ହୋଇଛି ବୋଲି ପିସିସି ପକ୍ଷରୁ ଘୋଷଣା କରାଯାଇଥିଲା  । ପିସିସି ପକ୍ଷରୁ ବିଧିବଦ୍ଧ ଭାବେ ନାମ ପ୍ରକାଶ କରାଯାଇନଥିଲେ ମଧ୍ୟ ଗଣମାଧ୍ୟରେ ସମ୍ଭାବ୍ୟ ପ୍ରାର୍ଥୀଙ୍କ ନାମ ମଧ୍ୟ ପ୍ରକାଶ ପାଇଗଲା  । ଅବଶ୍ୟ ପରେପରେ ପିସିସି ପକ୍ଷରୁ ଗଣମାଧ୍ୟମରେ ପ୍ରକାଶିତ ପ୍ରାର୍ଥୀ ତାଲିକାକୁ ଖଣ୍ଡନ ବି କରାଯାଇଥିଲା  । ଖୁବଶୀଘ୍ର ପ୍ରାର୍ଥୀ ତାଲିକା ଘୋଷଣା କରାଯିବ, ଏଆଇସିସି ସଭାପତି ରାହୁଲ ଗାନ୍ଧୀ ଆସିବେ, ରାଜ୍ୟର ପ୍ରମୁଖ ସ୍ଥାନରେ କଂଗ୍ରେସ ପକ୍ଷରୁ ବିଶାଳ ସଭା କରାଯିବ ଏମିତି ଅନେକ ରଣନୀତି ସମ୍ପର୍କରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ପିସିସି ପକ୍ଷରୁ ସୂଚନା ଦେବାରେ ବି ହେଳା କରାଯାଇନଥିଲା  । କିନ୍ତୁ ଅକ୍ଟୋବର ସରି ନଭେମ୍ବର ପ୍ରଥମ ସପ୍ତାହ ବିତି ଯାଇଥିଲେ ବି ବିଧିବଦ୍ଧ ଭାବେ ପ୍ରାର୍ଥୀ ତାଲିକା ପ୍ରକାଶ ନେଇ କୌଣସି ସୋର ଶବ୍ଦ ମିଳୁନାହିଁ  ।

    ପିସିସି ୱାର ରୁମ ସହ ଓତଃପ୍ରୋତଃ ଭାବେ ଜଡ଼ିତ ଜଣେ ନେତା ନିଜ ନାମ ଗୋପନ ରଖିବା ସର୍ତରେ କହିଛନ୍ତିଯେ, କଂଗ୍ରେସ ଏତେଶୀଘ୍ର ପ୍ରାର୍ଥୀ ଘୋଷଣା କରିବ ନାହିଁ  । ଏବେ ପ୍ରାର୍ଥୀ ଘୋଷଣା କଲେ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ  । ବିଧାୟକମାନଙ୍କୁ ପୁନଶ୍ଚ ଟିକେଟ ମିଳିବ ବୋଲି ସ୍ପଷ୍ଟ ହୋଇଯାଇଛି  ।  ଫଳରେ ସେହି ଆସନ ପାଇଁ କୌଣସି ସମସ୍ୟା ନାହିଁ  । ତେବେ ଯେଉଁଯେଉଁ ସ୍ଥାନରେ ବାରବାର ବରିଷ୍ଠ ନେତାମାନେ ହାରିଛନ୍ତି ସେଠାରେ ନୂତନ ପ୍ରାର୍ଥୀ ମଧ୍ୟ ଟିକେଟ ପାଇଁ ଆଶାୟୀ ରହିଛନ୍ତି  । ଯଦି ଏବେ ତାଲିକା ପ୍ରକାଶ ପାଏ ତେବେ ସେମାନେ ଆଉ ଅପେକ୍ଷା ନକରି ବିଜେପି କିମ୍ବା ବିଜେଡ଼ି ସହ ଯୋଗାଯୋଗରେ ରହିବାର ଆଶଙ୍କା ରହିଛି  । ଅପରପକ୍ଷରେ ଯେଉଁ ନେତାଙ୍କୁ ନିଶ୍ଚିତ ଟିକେଟ ମିଳିବ ସେମାନଙ୍କୁ ଦଳ ପକ୍ଷରୁ ଅବଗତ କରାଯାଇସାରିଛି । ସେମାନେ ନିଜ ନିଜ ନିର୍ବାଚନମଣ୍ଡଳୀରେ ସଂଗଠନ ସଜାଡ଼ିବା ଆରମ୍ଭ କରିଦେଲେଣି  । ତାହା ଉପରେ ପିସିସି ମଧ୍ୟ ନିଘା ରଖିଛି  । ଉକ୍ତ ନେତାଙ୍କୁ ନିର୍ବାଚନମଣ୍ଡଳୀରେ ସମର୍ଥନ ମିଳୁଛି କି ନାହିଁ ସେନେଇ ଅନ୍ତରୀଣ ସର୍ଭେ ମଧ୍ୟ କରାଯାଉଛି ବୋଲି ସେ ସୂଚନା ଦେଇଛନ୍ତି  ।

    Maximum 500 characters

    ରାଜନୀତି View all

    Find Us on Facebook