Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଦିଲ୍ଲୀରେ ଶ୍ରୀକାନ୍ତ, ଭକ୍ତ ଓ ସଗରିଆ, ଫେରିଲା କି ପୁରୁଣା ରୋଗ ?

    Share on :
    Date: Nov 2, 2018    Views: 2966

    ଭୁବନେଶ୍ୱର : ନିର୍ବାଚନ ପାଖେଇ ଆସିଲେ କଂଗ୍ରେସର ପୁରୁଣା ଗୋଛିକଟା ରୋଗ ବାହାରିବା କିଛି ନୂଆ କଥା ନୁହେଁ  । ଅତୀତରେ ଏହାର ଗଦାଗଦା ନଜିର ମଧ୍ୟ ରହିଛି  । ଏମିତିକି ନିର୍ବାଚନ ଆଉ ମାସେ କି ଦିମାସ ସମୟ ଥିଲେ ବି ନେତୃତ୍ୱ ବଦଳିବାର ଉଦାହରଣ ଅଛି  । ତେଣୁ ଦିଲ୍ଲୀରେ କଂଗ୍ରେସ ନେତା  ମେଳି ବାନ୍ଧିଲେ ଓଡ଼ିଶା ରାଜନୀତି ସରଗରମ ହୋଇଯାଏ  । ହାଲକୁ ସେମିତି ଏକ ଚର୍ଚ୍ଚା ଦାନା ବାନ୍ଧିବା ଆରମ୍ଭ କରିଛି  । ଏବେ ଦିଲ୍ଲୀରେ ଅଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତଚରଣ ଦାସ ଓ କଂଗ୍ରେସ ନେତୃତ୍ୱ ଉପରେ ବର୍ଷି ପ୍ରଥମେ ଦଳୀୟ ପଦ ଓ ପରେ ବିଧାୟକ ପଦ ଛାଡ଼ିଥିବା କୃଷ୍ଣଚନ୍ଦ୍ର ସଗରିଆ ।

    ଏହି ତିନି ନେତାଙ୍କୁ ଓଡ଼ିଶା ଭବନରେ ଦେଖିବାକୁ ମିଳିଥିଲା  । ତିନି ନେତା ସେଠାରେ ଦୀର୍ଘସମୟ ଆଲୋଚନା କରିଥିବା ମଧ୍ୟ ଜାଣିବାକୁ ମିଳିଛି  । ତେବେ କେଉଁ ପ୍ରସଙ୍ଗରେ ଆଲୋଚନା ହୋଇଥିଲା ତାହା କିନ୍ତୁ ସ୍ପଷ୍ଟ ହୋଇପାରିନାହିଁ  । କିନ୍ତୁ ଦିଲ୍ଲୀରେ ତିନି ନେତାଙ୍କ ଆଲୋଚନାକୁ ନେଇ କଂଗ୍ରେସ ଅଳିନ୍ଦରେ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଯାଇଛି  । 

    କେତେକଙ୍କ ମତରେ ନିରଞ୍ଜନ ପଟ୍ଟନାୟକଙ୍କ ଦ୍ୱିତୀୟ କାର୍ଯ୍ୟକାଳ ଅମଳରେ ତାଙ୍କୁ ବିରୋଧ ଆରମ୍ଭ ହୋଇନାହିଁ  । ପ୍ରଥମ ଦଫାରେ ତାଙ୍କୁ ବହୁ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା  । ଅବଶ୍ୟ ଦ୍ୱିତୀୟ ଦଫାରେ ବହୁ ନେତାଙ୍କୁ ଦଳର ଗୁରୁତ୍ୱପୂର୍ଣ୍ଣ ପଦପଦବୀ ଦିଆଯାଇଥିବାରୁ ଗୋଷ୍ଠୀକନ୍ଦଳ ଟିକେ ଥମି ଯାଇଥିଲା  । ସେହିପରି ଶ୍ରୀକାନ୍ତ ଜେନାଙ୍କୁ ମନାଇବା ପାଇଁ ମଧ୍ୟ ନିରଞ୍ଜନ ବହୁ ଉଦ୍ୟମ କରିଛନ୍ତି  । ଫଳରେ ଶ୍ରୀକାନ୍ତଙ୍କ ଆଡ଼ୁ ତାଙ୍କୁ ଦିନାକେତେ ପରୋକ୍ଷରେ ବିରୋଧର ସାମ୍ନା କରିବାକୁ ପଡ଼ିଥିଲେ ମଧ୍ୟ ବସ୍ତୁତଃ ଏବେ ତାହା ଠପ ହୋଇଯାଇଛି  । ଅପରପକ୍ଷରେ ଭକ୍ତ ଦାସଙ୍କ ଇଚ୍ଛା କ’ଣ ଥିଲା ତାହା ସମସ୍ତେ ଜାଣନ୍ତି  । ପ୍ରଥମେ ଭକ୍ତ ଦାସ ପିସିସି ସଭାପତି ହେବାକୁ ଚାହୁଁଥିଲେ  । କିନ୍ତୁ ହାଇକମାଣ୍ଡ ତାଙ୍କୁ ପିସିସି ସଭାପତି ନକରି ପ୍ରଚାର କମିଟି ଅଧ୍ୟକ୍ଷ କରିଦେଲେ  । ଯେଉଁ ଦାୟିତ୍ୱ ୨୦୧୪ରେ ଶ୍ରୀକାନ୍ତଙ୍କ ହାତରେ ନ୍ୟସ୍ତ ରହିଥିଲା  । ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଶ୍ରୀକାନ୍ତ ହୁଅନ୍ତୁ କି ଭକ୍ତ ଏମାନଙ୍କ ମୂଳପିଣ୍ଡ ହିଁ ଜନତା ଦଳ ରହିଥିଲା  । ସେହିପରି କୃଷ୍ଣଚନ୍ଦ୍ର ସଗରିଆ ପ୍ରଥମେ ଦଳର ପଦବୀ ଛାଡ଼ିଲେ  । ପିସିସି ଉପରେ ମଧ୍ୟ ବର୍ଷିଲେ  ।  ପରେ ବିଧାୟକ ପଦରୁ ଇସ୍ତଫା ଦେବା ପାଇଁ ମଧ୍ୟ ଘୋଷଣା କରିଛନ୍ତି  । ଯଦିଓ ସେ ଦଳ ସହ ଅଛନ୍ତି ବୋଲି କୁହାଯାଉଛି ତଥାପିବି କିଏ ତାଙ୍କୁ ବିଏସପି ସହ ଯୋଡ଼ୁଛି ତ କିଏ ତାଙ୍କୁ ବିଜେପି ସହ ଯୋଡ଼ି ଚାଲିଛି  । ଏଭଳି ଏକ ପୃଷ୍ଠଭୂମିରେ ତିନି ନେତା ଓଡ଼ିଶା ଭବନରେ ଏକାଠି ହୋଇ ଆଲୋଚନା କରାଯିବା ଘଟଣା ସ୍ୱାଭାବିକ ଭାବେ କଂଗ୍ରେସ ଅଳିନ୍ଦରେ ଚର୍ଚ୍ଚାର ବିଷୟ ପାଲଟିଛି  । ଅପରପକ୍ଷରେ ଯାହା ପୁଅକୁ ସାପ କାମୁଡ଼ିଥାଏ, ତା ମାଆ ପାଳ ଦଉଡ଼ି ଦେଖିଲେ ଡରିବା ନ୍ୟାୟରେ ପ୍ରଥମ ଥର ଏମିତି ଛୋଟ ମେଳିର ପରିଣତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ଅନୁଭବ କରିସାରିଛନ୍ତି  । ତେଣୁ ଦିଲ୍ଲୀରେ ତିନି ନେତାଙ୍କ ଆଲୋଚନା ସ୍ୱାଭାବିକ ଭାବେ ନିରଞ୍ଜନଙ୍କ ଅନୁଗତମାନଙ୍କୁ ଚମକାଇ ଦେଇଛି ବୋଲି କଂଗ୍ରେସ ଅଳିନ୍ଦରେ ଚର୍ଚ୍ଚା ହେଉଛି  । 

    Maximum 500 characters

    ରାଜନୀତି View all

    Find Us on Facebook