Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଛାତ୍ର ନେତାଙ୍କ ପାଇଁ ‘ସମ୍ବାଳୁଆ’ ପାଲଟିଲା ‘ତିତଲି’, ସାନି ନିର୍ବାଚନ ନେଇ ସ୍ପଷ୍ଟ କରୁନାହାନ୍ତି ମନ୍ତ୍ରୀ ଓ ସଚିବ

    Share on :
    Date: Oct 11, 2018    Views: 1120

    ଭୁବନେଶ୍ୱର : ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରିଦେଇଛନ୍ତି ରାଜ୍ୟ ସରକାର  । ବାତ୍ୟା ‘ତିତଲି’ ପାଇଁ ନିର୍ବାଚନ ବାତିଲ ହୋଇଛି ବୋଲି ସରକାର ଘୋଷଣା କରିଛନ୍ତି  । ତେବେ ପରେ ନିର୍ବାଚନ ହେବ କି ନାହିଁ ସେନେଇ ସମସ୍ତେ ସଂଶୟରେ ପଡ଼ି ଯାଇଛନ୍ତି  । ଛାତ୍ର ସଂସଦ ନିର୍ବାଚନ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ସାରିବା ସହ ନିଶ୍ଚିତ ବିଜୟର ଆଶା ବାନ୍ଧି ଥିବା ଛାତ୍ରନେତା ବା ନେତ୍ରୀଙ୍କ ମନ ସୁଖି ଯାଇଛି  । ଫଳରେ ବାତ୍ୟା ‘ତିତଲି’ ଛାତ୍ର ନେତାଙ୍କ ପାଇଁ ‘ସମ୍ବାଳୁଆ’ ପାଲଟିଛି ବୋଲି କୁହାଯାଉଛି  । ତେବେ ଛାତ୍ର ସଂସଦ ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯିବ ନା ଚଳିତ ବର୍ଷ ପାଇଁ ସମ୍ପୂର୍ଣ୍ଣ ଭାବେ ଛାତ୍ର ସଂସଦ ନିର୍ବାଚନ ବାତିଲ ହୋଇଗଲା ସେନେଇ ଏବେବି ଦ୍ୱନ୍ଦ୍ୱ ଲାଗିରହିଛି  । 

    ଏହି ପରିପ୍ରେକ୍ଷୀରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ କହିଛନ୍ତିଯେ, ବାତ୍ୟା ପାଇଁ ୧୧ ଓ ୧୨ ଦୁଇଦିନ କଲେଜ ଛୁଟି ଘୋଷଣା କରାଯାଇଛି  । ୧୧ରେ ହେବାକୁ ଥିବା ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରାଯାଇଛି  । ଫଳରେ ଏଥର ଛାତ୍ର ସଂସଦ ନିର୍ବାଚନ ହେବନାହିଁ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି  । ସେହିପରି ଥରେ ନିର୍ବାଚନ ବାତିଲ ହେଲେ ଲିଙ୍ଗଡେ଼ା କମିଟି ସୁପାରିଶ ଆଧାରରେ ଆଉ ନିର୍ବାଚନ ହୋଇପାରିବ ନାହିଁ  । ଆଗକୁ ପୂଜା ଛୁଟି ରହୁଛି  । ଦ୍ୱିତୀୟ ଥର ନିର୍ବାଚନ ପାଇଁ ତାରିଖ ଘୋଷଣା ବ୍ୟବସ୍ଥା ନାହିଁ  । ଏଥିପାଇଁ ସମୟ ମଧ୍ୟ ନାହିଁ ବୋଲି ସେ କହିଛନ୍ତି  । ତେବେ ନିର୍ବାଚନ ପାଇଁ ଯଦି ବିଭିନ୍ନସ୍ତରରୁ ପ୍ରସ୍ତାବ ଆସେ ତେବେ ଏନେଇ ସରକାର ଆଇନଗତ ପରାମର୍ଶ ଲୋଡାଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି  ।

    କିନ୍ତୁ ଅପରପକ୍ଷରେ ଉଚ୍ଚଶିକ୍ଷା ସଚିବ ବିଷ୍ଣୁପଦ ସେଠୀ କହିଛନ୍ତିଯେ, ଛାତ୍ରଛାତ୍ରୀମାନଙ୍କ ନିରାପତା ପାଇଁ କଲେଜ ଛୁଟି ଘୋଷଣା କରାଯିବା ସହ ଛାତ୍ର ସଂସଦ ନିର୍ବାଚନ ବାତିଲ କରାଯାଇଛି  । ତେବେ ଥରେ କଲେଜ ନିର୍ବାଚନ ହେଲେ ଆଉ ନିର୍ବାଚନ କରାଯିବାର ବ୍ୟବସ୍ଥା ଅଛି କି ନାହିଁ ସେନେଇ ଅନୁଧ୍ୟାନ କରାଯିବ  । ତେବେ ପୁନର୍ବାର କଲେଜରେ ନିର୍ବାଚନ କରିବା ପାଇଁ କୌଣସି ନିଷ୍ପତି ନିଆଯାଇନାହିଁ ବୋଲି ଶ୍ରୀ ସେଠୀ କହିଛନ୍ତି  ।

    ଉଭୟ ମନ୍ତ୍ରୀ ଓ ସଚିବଙ୍କ କଥାରୁ ଛାତ୍ର ସଂସଦ ନିର୍ବାଚନ ନେଇ ପୁଣି ତାରିଖ ଧାର୍ଯ୍ୟ ହେବ କି ନାହିଁ ବୋଲି  ତାହା ସ୍ପଷ୍ଟ ହୋଇପାରୁନାହିଁ  । ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ ବାତିଲ ହେଲା ବୋଲି କୁହାଯାଇଥିଲେ ମଧ୍ୟ ମନ୍ତ୍ରୀ ଓ ସଚିବ ସ୍ପଷ୍ଟ କରୁନାହାନ୍ତି  । ତର୍ଜମା କରାଯିବ, ଆଇନଗତ ପରାମର୍ଶ ଲୋଡ଼ାଯିବ ବୋଲି କହୁଛନ୍ତି  । ବୋଧହୁଏ କାଳେ ସିଧାସଳଖ ମନା କଲେ କଲେଜ କ୍ୟାମ୍ପସରେ ଉତେଜନା ପ୍ରକାଶ ପାଇବ ସେଥିପାଇଁ ଜାଣିଶୁଣି ଦ୍ୱନ୍ଦ୍ୱ ସୃଷ୍ଟି କରାଯାଉଥିବା କୁହାଯାଉଛି  ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook