Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଉଗ୍ର ହେଉଛି ବାତ୍ୟା ‘ତିତଲି’

    Share on :
    Date: Oct 9, 2018    Views: 1057

    ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ତିତଲି’ ଉଗ୍ର ହେବାରେ ଲାଗିଛି  । ଓଡ଼ିଶା-ଆନ୍ଧ୍ର ମୁହାଁ ହୋଇଥିବା ବାତ୍ୟା ‘ତିତଲି’ କ୍ରମଶଃ ଅଧିକ ଘନୀଭୂତ ହେବାରେ ଲାଗିଛି  । ଏହା ଅଧିକ ଘନୀଭୂତ ହୋଇ ଆସନ୍ତାକାଲି ମହାବାତ୍ୟାର ରୂପ ନେବାର ସମ୍ଭାବନା ରହିଛି  । ୯ ତାରିଖ ପୂର୍ବାହ୍ନ ସାଢେ଼ ୧୧ଟା ବେଳକୁ ‘ତିତଲି’ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ନିକଟରେ ଗୋପାଳପୁରର ଦକ୍ଷିଣ ପୂର୍ବର ୫୩୦ କିଲୋମିଟର ଦିଗରେ କେନ୍ଦ୍ରୀଭୂତ ହୋଇଛି  । ଏହା ଅଧିକ ଘନୀଭୂତ ହୋଇ ଆସନ୍ତାକାଲି ସିଭିୟର ସାଇକ୍ଲୋନିକ ଷ୍ଟ୍ରୋମ ବା ମହାବାତ୍ୟା ରୂପ ନେବାକୁ ଯାଉଛି  । ଏହା କ୍ରମଶଃ ଉତର ପଶ୍ଚିମ ଦିଗରେ ଗତି କରି ଓଡ଼ିଶା ଓ ଆନ୍ଧ୍ର ଉପକୂଳର ଗୋପାଳପୁର ଓ କଳିଙ୍ଗପାଟନମ ମଧ୍ୟରେ ୧୧ରେ ଅତିକ୍ରମ କରିବାର ସମ୍ଭାବନା ରହିଛି  । ଏହା ପୁଣି ଥରେ ମୋଡ଼ ନେଇ ଉତର ପୂର୍ବ ଦିଗରେ ଗତି କରି ଗାଙ୍ଗେୟ ଉପତ୍ୟକା ଓ ପଶ୍ଚିମବଙ୍ଗ ଉପକୂଳ ଦେଇ ଗତି କରିବା ବେଳକୁ କ୍ରମଶଃ ଦୁର୍ବଳ ହୋଇଯିବ  । 

    ‘ତିତଲି’ର ତୀବ୍ରତାକୁ ଉପଲବ୍ଧô କରି ପାଣିପାଗ ବିଭାଗ ପକ୍ଷରୁ ଅରେଂଜ ମେସେଜ ଜାରି କରିଛି  । ଏହାର ପ୍ରଭାବରେ ୯ରୁ ବର୍ଷା ଆରମ୍ଭ ହେଉଥିଲେ ହେଁ ୧୦ ଓ ୧୧ ଦୁଇଦିନ ଧରି ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି  । ଏହାର ପ୍ରଭାବରେ ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ନୟାଗଡ଼ ଓ ପୁରୀ ବ୍ୟାପକ ପ୍ରଭାବିତ ବୋଲି ପୂର୍ବାନୁମାନ କରାଯାଇଛି  । ଏହି ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସାଙ୍ଗକୁ ୧୦ ଓ ୧୧ ଦୁଇଦିନ ଧରି ୧୨୫ କିଲୋମିଟର ବେଗରେ ପବନ ବହିବାର ପୂର୍ବାନୁମାନ କରାଯାଇଛି  । ବିଶେଷକରି କଚ୍ଚା ଘର, ବିଜୁଳି ଖୁଂଟ, ଗଛ ଓ ପକ୍କା ରାସ୍ତା ଅଧିକ ମାତ୍ରାରେ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି  । 

    ଅପରପକ୍ଷରେ ସମୁଦ୍ର ଅତ୍ୟନ୍ତ ଭୟଙ୍କର ରହିଛି  । ଏପରିକି ଉପକୂଳରେ ଅଧ ମିଟର ଜୁଆର ଉଠିବାର ସମ୍ଭାବନା ରହିଛି  । ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି  । 
    ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜରୁରୀ ବୈଠକରେ ସ୍ଥିତିର ସମୀକ୍ଷା କରିଛନ୍ତି  । ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବାତ୍ୟା ଜନିତ ସମ୍ଭାବ୍ୟ କ୍ଷୟକ୍ଷତି ସଂକ୍ରାନ୍ତରେ ଆଲୋଚନା କରାଯାଇଛି  । ବାତ୍ୟାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଗଞ୍ଜାମ, ଗଜପତି, ପୁରୀ ଓ ଜଗତସିଂହପୁର ଜିଲ୍ଲାର ଶିକ୍ଷାନୁଷ୍ଠାନକୁ ବାତିଲ କରି ଦିଆଯାଇଛି  । ସ୍କୁଲ, କଲେଜ ଓ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ବନ୍ଦ ରଖାଯାଇଛି  । ଆଗାମୀ କାଲିର ସ୍ଥିତିକୁ ଅନୁଧ୍ୟାନ କରିବା ପରେ ଅନ୍ୟ ଜିଲ୍ଲାଗୁଡ଼ିକରେ ଶିକ୍ଷାନୁଷ୍ଠାନ ବନ୍ଦ ରହିବ କି ନାହିଁ ନିଷ୍ପତି ନିଆଯିବ  ।

    ବାତ୍ୟାର ମୁକାବିଲା ପାଇଁ ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ସବୁ ଜିଲ୍ଲାପାଳଙ୍କୁ ପତ୍ର ଲେଖିଛନ୍ତି  । ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ନୟାଗଡ଼, ପୁରୀ ଜିଲ୍ଲାପାଳମାନଙ୍କୁ ସ୍ୱତନ୍ତ୍ର ନିଦେ୍ର୍ଧଶ ଦିଆଯାଇଛି  । ତିତଲିରେ ଯେପରି କାହାର ମୃତୁ୍ୟ ନହୁଏ ସେଥିପ୍ରତି ସଜାଗ ରହିବାକୁ ମଧ୍ୟ ନିଦେ୍ର୍ଧଶ ଦିଆଯାଇଛି  । ଗଞ୍ଜାମ, ଖୋର୍ଦ୍ଧା ଓ ପୁରୀର ଉପକୂଳ ଲୋକଙ୍କୁ ଚିହ୍ନଟ କରି ସ୍ଥାନାନ୍ତରିତ କରିବାକୁ କୁହାଯାଇଛି  । ଲୋକମାନଙ୍କୁ ନିକଟବର୍ତୀ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତରିତ କରାଯିବ  । ବିଶେଷକରି ବୟସ୍କ, ମହିଳା, ଶିଶୁ ଓ ଦିବ୍ୟାଙ୍ଗମାନଙ୍କୁ ତୁରନ୍ତ ସ୍ଥାନାନ୍ତରିତ କରିବା ପାଇଁ ନିଦେ୍ର୍ଧଶ ଦିଆଯାଇଛି  । ଆଶ୍ରୟସ୍ଥଳରେ ପର୍ଯ୍ୟାପ୍ତ ଖାଦ୍ୟ, ପାନୀୟ ଜଳ ମହଜୁଦ ରଖିବାକୁ କୁହାଯାଇଛି  । ଅନ୍ୟ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ମଧ୍ୟ ଆନୁଷଙ୍ଗୀକ ବ୍ୟବସ୍ଥା କରିବାକୁ କୁହାଯାଇଛି  ।

    Maximum 500 characters

    ତାଜା ଖବର View all

    Find Us on Facebook