Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଦାମଙ୍କ ଦଳରେ ସାମିଲ ହେବେନି ବୈଜୟନ୍ତ !

    Share on :
    Date: Oct 9, 2018    Views: 13633

    ଭୁବନେଶ୍ୱର : ବିଜେଡ଼ିରୁ ବହିଷ୍କୃତ ହେବା ପରେ ଡାକ୍ତର ଦାମୋଦର ରାଉତ ନୂତନ ଆଂଚଳିକ ଦଳ ଗଠନ ପାଇଁ ସୂଚନା ଦେଇସାରିଛନ୍ତି  । ଅକ୍ଟୋବର ଶେଷ ସୁଦ୍ଧା ଏନେଇ ସେ ଘୋଷଣା କରିବେ  । ତେବେ ଦାମଙ୍କ ଏହି ପ୍ରସ୍ତାବିତ ଦଳରେ ବୈଜୟନ୍ତ ପଣ୍ଡା ସାମିଲ ହେବେନାହିଁ ଜାଣିବାକୁୁ ମିଳିଛି  । ବୈଜୟନ୍ତ ଏବେ ସମସ୍ତ ବିକଳ୍ପ ଖୋଲା ରଖିଥିବାବେଳେ ବିଜେପି ଓ କଂଗ୍ରେସ ସହ ମଧ୍ୟ ଯୋଗାଯୋଗରେ ରହିଛନ୍ତି  । ଯଦି ନୂତନ ଆଂଚଳିକ ଦଳର ପରିକଳ୍ପନା କରାଯାଏ ତେବେ ବୈଜୟନ୍ତ ହିଁ ଦଳ ଗଠନ କରିବେ ଓ ନିଜେ ଏହାର ନେତୃତ୍ୱ ନେବେ  ।  ରାଜନୀତିକ ପରୀକ୍ଷା ଭାବେ ନୁହେଁ ବରଂ ଦୀର୍ଘମିଆଦୀ ଭାବେ ବିଜେଡ଼ିର ବିକଳ୍ପ ଭାବେ ଆଉ ଏକ ଆଂଚଳିକ ଦଳ ଗଠନ କରିବା ପାଇଁ ବୈଜୟନ୍ତ ଯୋଜନା କରୁଥିବା ତାଙ୍କର ସମର୍ଥକମାନେ ମତପୋଷଣ କରିଛନ୍ତି  ।

    ବୈଜୟନ୍ତଙ୍କ ସମର୍ଥକଙ୍କ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, କେଜ୍ରିୱାଲଙ୍କ ଢାଂଚାକୁ ବୈଜୟନ୍ତ ଆଦରି ନେଇଛନ୍ତି  । ତରବରିଆ ଭାବେ ଆଂଚଳିକ ଦଳ ଗଢ଼ିଥିବାରୁ ଅତୀତରେ ଅନେକ ନେତା ଦବଦବା ଜାହିର କରିବାରେ ବିଫଳ ହୋଇଛନ୍ତି  । ପ୍ରସଙ୍ଗ ବା ଆଦର୍ଶ ଆଧାରରେ ଆଂଚଳିକ ଦଳ ଗଢ଼ା ଯାଇନଥିବାରୁ  ନିର୍ବାଚନୀ ମଇଦାନରେ ଚିଟପଟାଙ୍ଗ ଦେବାକୁ ପଡ଼ିଛି  । ନବୀନଙ୍କ ଉପରେ କ୍ଷୁବ୍ଧ ହୋଇ ବିଜୟ ମହାପାତ୍ର ଓଜିପି ଗଢ଼ିଥିବାବେଳେ ପ୍ୟାରୀମୋହନ ଓଡ଼ିଶା ଜନମୋର୍ଚ୍ଚା ଗଢ଼ିଥିଲେ  । ଅର୍ଥାତ ଦୁଇ ନେତା ପ୍ରସଙ୍ଗ ବା ଆଦର୍ଶ ଯୋଗୁଁ ଦଳ ନଗଢ଼ି ନବୀନଙ୍କ ବିରୋଧୀ ଭାବେ ଦଳ ଗଢ଼ିଥିବାରୁ ତାହାକୁ ଲୋକମାନେ ଗ୍ରହଣ କରିପାରିନଥିଲେ  । ଅନରୂପ ଭାବେ କଂଗ୍ରେସରୁ ବହିଷ୍କୃତ ହେବା ପରେ ସୌମ୍ୟରଂଜନ ପଟ୍ଟନାୟକ ମଧ୍ୟ ଆମ ଓଡ଼ିଶା ଦଳ ଗଢ଼ି ବିଫଳ ହୋଇଥିଲେ  । ସେହିପରି ବିଜେପିରେ ଗୁରୁତ୍ୱ ନଦିଆଯିବାରୁ ଖାରବେଳ ସ୍ୱାଇଁ ଦଳ ଗଢ଼ିଥିବାବେଳେ ଉଭୟ ବିଜେଡ଼ି ଓ ବିଜେପିଠୁ ବୀତସ୍ପୃହ ହୋଇ ବ୍ରଜ ତ୍ରିପାଠୀ ସମତା କ୍ରାନ୍ତି ଦଳ ଗଢ଼ିଥିଲେ  । ତେଣୁ ସେହି ଭୁଲ ଦୋହରାଇବାକୁ ବୈଜୟନ୍ତ ଚାହୁଁନାହାନ୍ତି  । ‘ହେଇଯାଉ’ ଜରିଆରେ ସେ ସିଧାସଳଖ ଲୋକମାନଙ୍କୁ ଭେଟି ଲୋକଙ୍କ ଆଭିମୁଖ୍ୟ ପରଖୁଛନ୍ତି  । ବୈଜୟନ୍ତଙ୍କୁ ସିଧାସଳଖ ଭେଟି ଲୋକମାନେ ନୂତନ ଦଳ ଗଢ଼ିବାକୁ ପ୍ରବର୍ତାଉଥିଲେ ମଧ୍ୟ ବୈଜୟନ୍ତ ଏତେ ଜଲଦି ରିସ୍କ ନେବାକୁ ଚାହୁଁନାହାନ୍ତି  । ରାଜ୍ୟର ସମସ୍ତ ବ୍ଲକରେ ଅତି କମରେ ଚାରି ପାଂଚ ହଜାର ନୂତନ ଦଳରେ ସାମିଲ ହେବାକୁ ଆଗ୍ରହ ପ୍ରକାଶ କଲେ ହିଁ ସେ ଦଳ ଗଠନ ନେଇ ଚିନ୍ତା କରିବେ ବୋଲି ନିଜ ସମର୍ଥକମାନଙ୍କୁ କହିଥିବା ଜାଣିବାକୁ ମିଳିଛି  । ଏଥିପାଇଁ ବୈଜୟନ୍ତ ଏକ ସର୍ଭେ ମଧ୍ୟ କରାଉଛନ୍ତି  ।

    ଅପରପକ୍ଷରେ ଦାମଙ୍କ ଆଗଚଲା ନୀତିକୁ ବୈଜୟନ୍ତ ସହଜରେ ଗ୍ରହଣ କରିପାରୁନାହାନ୍ତି  । ରାଜ୍ୟରେ ନୂତନ ଆଂଚଳିକ ଦଳ ଗଠନର ଆବଶ୍ୟକତା ରହିଛି ବୋଲି ବିଭିନ୍ନ ମହଲରେ କୁହାଯାଉଥିବାବେଳେ ଏନେଇ ଅନେକ କବାଟକିଳା ଆଲୋଚନା ମଧ୍ୟ ଶେଷ ହୋଇଛି  । ତେବେ ସବୁ ନେତାମାନେ କୌଣସି ନିଷ୍କର୍ସରେ ପହଁଚିବା ପୂର୍ବରୁ ଦାମବାବୁ ଯେଉଁଭଳି ଭାବେ ଅକ୍ଟୋବର ସୁଦ୍ଧା ଦଳ ଗଠନ କରାଯିବ, ଦଳର ନାମକରଣ ବିଜୁଙ୍କ ନାମରେ ହିଁ ହେବବୋଲି ଘୋଷଣା କରୁଥିବାରୁ ଏହାକୁ ବୈଜୟନ୍ତଙ୍କ ସମେତ ଅନେକ ନେତା ସହଜରେ ଗ୍ରହଣ କରିପାରୁନାହାନ୍ତି  । ଯେଉଁଥିପାଇଁ ବୈଜୟନ୍ତ ଟ୍ୱିଟରରେ ସ୍ପଷ୍ଟୀକରଣ ଦେବାକୁ ବାଧ୍ୟ ହୋଇଥିଲେ  । ଅନ୍ୟ କାହା ମୁହଁରେ ନୁହେଁ ନିଜେ ହିଁ ନିଜର ନିଷ୍ପତି ସମ୍ପର୍କରେ ଘୋଷଣା କରିବେ ବୋଲି କହିଥିଲେ  । ନବୀନ ବିରୋଧୀ ଓ ଅନ୍ୟ ଦଳର ଅସନ୍ତୁଷ୍ଟ ନେତାମାନେ ଏକାଠି ହୋଇ ନୂତନ ରାଜନୀତିକ ସମୀକରଣ ପାଇଁ ଯୋଜନା କରୁଥିବାବେଳେ ଦାମ କ୍ରେଡ଼ିଟ ନେବା ପାଇଁ ଯୋଜନାକୁ ହାଇଜାକ କରୁଛନ୍ତି ବୋଲି ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଯାଇଛି  । ତେଣୁ ଯଦି ଦାମ ନିଜ ଆଡୁ ଦଳ ଘୋଷଣା କରନ୍ତି ତେବେ ବୈଜୟନ୍ତ କିମ୍ବା ତାଙ୍କ ସମର୍ଥକମାନେ ସାମିଲ ହେବାର ପ୍ରଶ୍ନ ଉଠୁନାହିଁ ବୋଲି ଜାଣିବାକୁ ମିଳିଛି  । ଫଳରେ ଆଉ ଏକ ଆଂଚଳିକ ଦଳର ଯୋଜନା ଏବେ କେବଳ ଚର୍ଚ୍ଚାରେ ହିଁ ରହିଯାଇଛି  ।

    Maximum 500 characters

    ରାଜନୀତି View all

    Find Us on Facebook